"ସମାଜ" ସମ୍ପାଦକୀୟ ନାରୀ ଓ ଶିଶୁ ଅଧିକାର ବିରୋଧୀ: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

"ସମାଜ" ସମ୍ପାଦକୀୟ ନାରୀ ଓ ଶିଶୁ ଅଧିକାର ବିରୋଧୀ: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଗତ ଜୁଲାଇ ୯ ତାରିଖ ଦିନ ଓଡ଼ିଶାର ସର୍ବପୁରାତନ ଦୈନିକ ସମ୍ବାଦପତ୍ର "ସମାଜ"ର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ଏକ ଲେଖାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ଓ ପ୍ରତିବାଦ ଦେଖିବାକୁ ମିଳିଛି। ମହିଳାଙ୍କ ସମ୍ମାନ ହାନି କଲା ଭଳି ଅତ୍ୟନ୍ତ ନିକୃଷ୍ଟ ଭାଷାରେ ଲେଖା ହୋଇଥିବା ଏହି ସମ୍ପାଦକୀୟ ନାବାଳିକା ବିବାହ ଭଳି ବେଆଇନ ପ୍ରଥାକୁ ସମର୍ଥନ କରିଛି। ଏହି ସମ୍ପାଦକୀୟ ସ୍ତମ୍ଭ ର ଲେଖକ ନିରଞ୍ଜନ ରଥ ଏହି ଲେଖା ପାଇଁ ଅନୁତପ୍ତ ହେବା ପରିବର୍ତ୍ତେ ଏହାକୁ ଦୃଢ଼ ଭାବରେ ନିଜର ମତ ବୋଲି କହିଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ସମ୍ବାଦପତ୍ର ସମ୍ବିଧାନ, ଗଣତନ୍ତ୍ର ଓ ମାନବ ଅଧିକାର ବିରୋଧରେ କାମ କରିବା ଆଶ୍ଚର୍ଯ୍ୟର କଥା। 

ଇତି ମଧ୍ୟରେ ଏହି ସମ୍ପାଦକୀୟକୁ ଶିଶୁ ଅଧିକାର ବିରୋଧୀ ବୋଲି କହି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ସମାଜ ସମ୍ପାଦକଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ୯ ଜୁଲାଇର ଏହି ସମ୍ପାଦକୀୟ ଖୋଲାଖୋଲି ଭାବରେ ନାବାଳିକା ବିବାହ ନିଷେଧ ଆଇନ -୨୦୦୬ କୁ ଉଲ୍ଲଙ୍ଘନ କରୁଛି ବୋଲି ଆୟୋଗ କହିଛନ୍ତି ‌। ନାବାଳିକା ବିବାହ ଭଳି ଏକ ବେଆଇନ ବ୍ୟବସ୍ଥାକୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ ବୋଲି ଆୟୋଗ କହିଛନ୍ତି। 

ତେବେ ଏ ସମ୍ପର୍କରେ "ସମାଜ" ଏ ଯାବତ୍ ନୀରବ ରହିଛି ।