ରାଘବ ଚଢା ଓ ସଞ୍ଜୟ ସିଂଙ୍କ ନିଳମ୍ବନ ବେଆଇନ୍ ?

ରାଘବ ଚଢା ଓ ସଞ୍ଜୟ ସିଂଙ୍କ ନିଳମ୍ବନ ବେଆଇନ୍ ?

ଆଗରୁ ଅନେକ ଥର ଅଧିକ ସଂଖ୍ୟକ ସଦସ୍ୟଙ୍କୁ ସାମୁହିକ ଭାବରେ ରାଜ୍ୟସଭାରୁ ନିଳମ୍ବନ କରା ଯାଇଛି। କିନ୍ତୁ ସଦ୍ୟ ସମାପ୍ତ ହୋଇଥିବା ରାଜ୍ୟସଭା ଅଧିବେଶନରେ ସର୍ବାଧିକ ସଂଖ୍ୟକ ସାଂସଦଙ୍କୁ ବ୍ୟକ୍ତିଗତ ଭାବେ ଚଳନ୍ତି ଅଧିବେଶନର ପୁରା ସମୟ  ପାଇଁ ନିଳମ୍ବନ କରା ଯାଇଛି । ନିଳମ୍ବିତ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ସର୍ବବୃହତ ବିରୋଧୀ ଦଳ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, ତୃଣମୂଳ କଂଗ୍ରେସ ନେତା ଡେରିକ୍ ଓ ବ୍ରିଏନ୍, ଆପ୍ ସଂସଦୀୟ ଦଳର ନେତା ସଞ୍ଜୟ ସିଂ ଓ ରାଘବ ଚଢା । ନିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଆପ୍ ସଦସ୍ୟ ଶୁଶିଲ କୁମାର ରିଙ୍କୁଙ୍କୁ ମଧ୍ୟ ଚଳନ୍ତି ଅଧିବେଶନର ପୁରା ସମୟ ପାଇଁ ନିଳମ୍ବନ କରାଯାଇଛି । ଶ୍ରୀ ରିଙ୍କୁଙ୍କ ପାଇଁ ମାତ୍ର ଦୁଇଟି ଅଧିବେଶନରେ ଅଂଶଗ୍ରହଣର ସୁଯୋଗ ଥିଲା । କିନ୍ତୁ ସେ ଯେଉଁ ଦିନ ସଦସ୍ୟତାର ଶପଥ ନେଲେ ସେହି ଦିନ ହିଁ ନିଳମ୍ବନ ହେବା ଦ୍ବାରା ସେ ସେଥିରୁ ଗୋଟିଏ ହରାଇଲେ । ଏହାର ପୂର୍ବ ଅଧିବେଶନରେ  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ କରାଯାଇଥିଲା ଯାହା ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଫେରି ପାଇଛନ୍ତି । 

ଏକଥା ସ୍ବାଭାବିକ ଯେ ସଂସଦ ବାହାରର ଅସ୍ଥିରତାର ପ୍ରତିଫଳନ ସଂସଦ ଭିତରେ ଦେଖିବାକୁ ମିଳିଥାଏ । 
ପ୍ରଧାନମନ୍ତ୍ରୀ ଦୀର୍ଘ ଦୁଇ ସପ୍ତାହ ଧରି ମଣିପୁର ବିଷୟରେ ଚୁପ୍ ରହି ଓ ସଂସଦକୁ ନ ଆସି  ଏହି ଘଟଣାରେ ଯେଉଁ ସମ୍ବେଦନହୀନତା ଦେଖାଇଲେ, ତାହା ବିରୋଧୀମାନେ ସେହି ଘଟଣାରେ ଦେଖାଇଥିବା ସମ୍ବେଦନଶୀଳ ପ୍ରତିକ୍ରିୟାର ବିପରୀତମୁଖୀ ହେଲେ ମଧ୍ୟ କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଲୋକସଭାର ବାଚସ୍ପତି କିମ୍ବା ରାଜ୍ୟସଭା ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରି ପାରିଥାନ୍ତେ । ତାହା ସେ କଲେ ନାହିଁ । କିନ୍ତୁ ଉଭୟ ଗୃହର ସଭାପତି ବିରୋଧୀ ସଦସ୍ୟମାନଙ୍କୁ ଗୃହରୁ କାଢ଼ି ବନ୍ଧୁକର‌ ଘୋଡ଼ା ଚଳାଇବା ଜନିତ ଖୁସି ଉପଭୋଗ କରି ଚାଲିଲେ ।

ବର୍ତମାନ ଶ୍ରୀ ସଞ୍ଜୟ ସିଂ ଓ ରାଘବ ଚଢ଼ାଙ୍କୁ କରାଯାଇଥିବା ନିଳମ୍ବନ ଯେଉଁ ଆଇନଗତ ବିବାଦ ସୃଷ୍ଟି କରିଛି ତାହା ବେଶ୍ କୌତୁହଳପ୍ରଦ । ରାଘବ ଚଢାଙ୍କ ବିଷୟଟି ବିଚାର ପାଇଁ ପ୍ରିଭିଲେଜ୍ କମିଟିକୁ ଦିଆ ଯାଇଛି । ମାତ୍ର ସେ ପ୍ରିଭିଲେଜ୍ କମିଟି ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ତାଙ୍କୁ ରାଜ୍ୟସଭାରୁ ନିଳମ୍ବନ କରାଗଲା । ଏହି ନିଷ୍ପତ୍ତି ଅତିଶୟ ଓ ବିଚିତ୍ର ମନେ ହୁଏ । ସେହିପରି ଆପ୍ ଦଳର ଅନ୍ୟତମ ନେତା ଶ୍ରୀ ସଞ୍ଜୟ ସିଂଙ୍କୁ ଚଳନ୍ତି ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଳମ୍ବନ କରା ଯାଇଥିଲା । କିନ୍ତୁ ଅଧିବେଶନର ଶେଷ ଦିନରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଜଗଦୀପ ଢଙ୍କର ଯେଉଁ ସାନି ଆଦେଶ ଦେଇଛନ୍ତି ତାହା ଅନେକ ସଂସଦୀୟ ଆଇନବିତମାନଙ୍କୁ ସ୍ତବ୍ଧ କରିଛି । ତାଙ୍କ ଆଦେଶରେ ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଯେ ସଂସଦର ଅଧିବେଶନ ସରିଗଲେ ମଧ୍ୟ ଏହି ଦୁଇଜଣ ସାଂସଦଙ୍କ ନିଳମ୍ବନ ବଳବତ୍ତର ରହିବ । ଏହା ଦ୍ବାରା ରାଘବ ଚଢା ଯେ ପର୍ଯ୍ୟନ୍ତ ପ୍ରିଭିଲେଜ୍ କମିଟି ରିପୋର୍ଟ ଦେଇ ନାହିଁ ସେ ପର୍ଯ୍ୟନ୍ତ ନିଳମ୍ବିତ ରହିବେ । ପ୍ରିଭିଲେଜ୍ କମିଟି କେବେ ରିପୋର୍ଟ ଦେବ ତାହା ନିର୍ଦ୍ଦିଷ୍ଟ ନୁହେଁ। ତେଣୁ ଶ୍ରୀ ଚଢା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଭାଗ ନେବାରୁ ବଞ୍ଚିତ ହେବେ । ପୁଣି ଶ୍ରୀ ସଞ୍ଜୟ ସିଂଙ୍କ ନିଳମ୍ବନ କାଳ ଆଗ ଅପେକ୍ଷା ବଢାଇ ଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷଙ୍କ ସଦ୍ୟ ଆଦେଶ ବଳରେ, ସେ ଯାହା ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଳମ୍ବିତ ରହିଥାନ୍ତେ, ତାହା ନ ହୋଇ, ସେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ ରହିବେ । ଏହାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେବନାହିଁ ଯେ ଶୀତକାଳୀନ ଅଧିବେଶନର ଆରମ୍ଭରେ ମଧ୍ୟ ସେମାନଙ୍କୁ ଗୃହରେ ଦେଖିବାକୁ ମିଳିବ ନାହିଁ ।  ଜଣାଯାଏ ଯେ ଦେଶର ସଂସଦୀୟ ଇତିହାସରେ ଏମିତି କେବେ ହୋଇନାହିଁ ।  

ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ଉପନେତା ଶ୍ରୀ ଏନ୍.ଡି. ଗୁପ୍ତା ଏହାର ତୀବ୍ର ବିରୋଧ କରି କହିଛନ୍ତି ଯେ ରାଜ୍ୟସଭା ଅଧ୍ୟକ୍ଷଙ୍କ ଏହି ଆଦେଶ ରାଜ୍ୟ ସଭା ରୁଲ୍ ୨୫୬ର ବିରୁଦ୍ଧାଚରଣ କରୁଛି । ଏହି ନିୟମ ଅନୁଯାୟୀ କୈାଣସି ସଦସ୍ୟଙ୍କୁ ଅଧିବେଶନ ସରିବା ପରେ ମଧ୍ୟ ନିଳମ୍ବନ କରି ରଖା ଯାଇ ପାରିବ ନାହିଁ । 

ତେବେ ରାଜ୍ୟସଭାର ନିୟମ କ'ଣ କହୁଛି ? 

ରାଜ୍ୟସଭା ନିୟମ ୨୫୬.୧ ଅନୁସାରେ କୈାଣସି ସଦସ୍ୟ ଯଦି ବାରମ୍ବାର ରାଜ୍ୟସଭାର କାର୍ଯ୍ୟକୁ ଲଗାତର ଜାଣିଶୁଣି ବାଧା ଦେଇ ରାଜ୍ୟସଭା ନିୟମକୁ ଅସମ୍ମାନ କରେ ଏବଂ ଉପାଧ୍ୟକ୍ଷଙ୍କ ଆସନର କର୍ତ୍ତୁତ୍ବକୁ ଅବମାନନା କରେ ତେବେ ସେହି ସଦସ୍ୟଙ୍କ ବିରୁଦ୍ଧରେ ନିଳମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ଏଠାରେ ନିୟମ ୨୫୬.୨ ଯାହା କହୁଛି ତାହା ଗୁରୁତ୍ତ୍ୱପୂର୍ଣ୍ଣ । ଏହି ନିୟମ ଅନୁଯାୟୀ ଏପରି ସଦସ୍ୟଙ୍କୁ ଚଳନ୍ତି ଅଧିବେଶନର ଅବଶିଷ୍ଟ ସମୟକାଳ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିଳମ୍ବନ କରା ଯାଇ ପାରିବ ନାହିଁ । ଏ କ୍ଷେତ୍ରରେ ରାଜ୍ୟସଭା ଉପାଧ୍ୟକ୍ଷ ନିୟମ ବାହାରକୁ ଯାଇଛନ୍ତି ବୋଲି ଶ୍ରୀ ଗୁପ୍ତା ଅଭିଯୋଗ କରିଛନ୍ତି। 

ତେବେ ଶ୍ରୀ ଜଗଦୀପ ଢଙ୍କର ତାଙ୍କର ଆଦେଶରେ ନିୟମ ୨୫୬ ସହ ନିୟମ ୨୬୬ର ମଧ୍ୟ ଆଶ୍ରୟ ନେଇଛନ୍ତି । ନିୟମ ୨୬୬ ଉପାଧ୍ୟକ୍ଷଙ୍କୁ ଅବଶେଷ (residuary) କ୍ଷମତା ଦେଇଛି । ତେବେ ଏହି କ୍ଷମତା କ'ଣ ଇଛାଧିନ ? 

ନିୟମ ୨୬୬ କୁହେ ଯେ ଯେଉଁସବୁ ବିଷୟରେ ନିୟମରେ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ ହୋଇନାହିଁ କିମ୍ବା କୌଣସି ନିୟମର ସବିଶେଷ କାର୍ଯ୍ୟକାରିତାରେ ଉଠୁଥିବା ପ୍ରଶ୍ନଗୁଡ଼ିକୁ ଏହିପରି ଭାବେ ନିୟନ୍ତ୍ରିତ କରାଯିବ ଯେପରି  ଅଧ୍ୟକ୍ଷ ବିଭିନ୍ନ ସମୟରେ ନିର୍ଦ୍ଦେଶ ଦେବେ । 

ଅର୍ଥାତ୍ ନିୟମ ୨୬୬ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କେତେକ ବିବେକାନୁମୋଦିତ କ୍ଷମତା ଦେଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲଙ୍କ ପ୍ରସ୍ତାବ କ୍ରମେ ଅଧ୍ୟକ୍ଷ ଏହି ଦୁଇଟି ନିୟମକୁ ଉପଯୋଗ କରି ଏପରି ଆଦେଶ ଦେଇଛନ୍ତି । 

କିନ୍ତୁ ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ଶ୍ରୀ ପି.ଡି.ଟି ଆଚାର୍ଯ୍ୟ ନିୟମର ଏପରି ଉପଯୋଗ ସହିତ  ଏକମତ ହୋଇ ନାହାନ୍ତି । ତାଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ଗୃହରେ ବାଚସ୍ପତି ଓ ଅଧ୍ୟକ୍ଷଙ୍କୁ କିଛି ବିଶେଷ କ୍ଷମତା ଦିଆ ଯାଇଥାଏ ଯାହାର ପୁରାପୁରି ଆବଶ୍ୟକତା ମଧ୍ୟ ରହିଛି । ଏମିତି ଅନେକ ପରିସ୍ଥିତି ସୃଷ୍ଟି ହୋଇପାରେ ଯେଉଁ ବିଷୟରେ କୈାଣସି ନିୟମ ନାହିଁ କିମ୍ବା ନିୟମ ନୀରବ ରହିଛି । ସେପରି ପରିସ୍ଥିତି ପାଇଁ  ବାଚସ୍ପତି ଓ ଅଧ୍ୟକ୍ଷଙ୍କୁ ଅବଶେଷ ଓ ବିବେକାନୁମୋଦିତ କ୍ଷମତା ଦିଆ ଯାଇଛି । କିନ୍ତୁ, ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଏପରି କ୍ଷମତା ଏଥିପାଇଁ ବ୍ୟବହାର କରାଯାଇ ପାରିବ ନାହିଁ ଯେଉଁଠି ନିର୍ଦ୍ଦିଷ୍ଟ ନିୟମ ଅଛି । ଶ୍ରୀ ସଞ୍ଜୟ ସିଂ ଓ ଶ୍ରୀ ରାଘବ ଚଢାଙ୍କ କ୍ଷେତ୍ରରେ ନିଳମ୍ବନ ପାଇଁ ନିୟମ ୨୫୬ରେ ନିର୍ଦିଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଅଧିବେଶନ ପରବର୍ତ୍ତୀ ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିଳମ୍ବନ ଜାରି ରହି ପାରିବ ନାହିଁ । ତେଣୁ ଏ କ୍ଷେତ୍ରରେ ନିୟମ ୨୬୬ ଦେଇଥିବା କ୍ଷମତାକୁ ରାଜ୍ୟସଭା ଅଧ୍ୟକ୍ଷ ବ୍ୟବହାର କରି ଏହି ଦୁଇ ସଦସ୍ୟଙ୍କ ନିଳମ୍ବନକୁ ଅଧିବେଶନ ପରବର୍ତ୍ତୀ ସମୟ ଓ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲମ୍ବାଇ ପାରିବେ ନାହିଁ ।