ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତ : ପି ସାଇନାଥଙ୍କ ମତ

ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତ : ପି ସାଇନାଥଙ୍କ ମତ

[କିଛି ଦିନ ପୁର୍ବେ ବିଶ୍ବ ଗଣମାଧ୍ୟମ ସ୍ବାଧୀନତା କ୍ରମାଙ୍କ ପ୍ରକାଶିତ ହେବା ପରେ,  ୧୬୧ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୪୨ଠାରେ ରହିଥିବାର ଦେଖା ଯାଇଛି । ଏ ସମ୍ପର୍କରେ କହିବା ପାଇଁ ଦ ଓୟାର୍ ମିଡ଼ିଆ ସଂସ୍ଥା ତରଫରୁ ସାମ୍ବାଦିକ ଶ୍ରୀ କରଣ ଥାପର, ପ୍ରଖ୍ୟାତ ସାମ୍ବାଦିକ ପି ସାଇନାଥଙ୍କର ସାକ୍ଷାତକାର ନେଇଥିଲେ । ସେହି ସାକ୍ଷାତକାରର ଅଧିକାଂଶ ଅଂଶ ଆମେ ଏଠାରେ ପ୍ରକାଶ କରୁଛୁ । ]

ଏହା ଅତ୍ୟନ୍ତ ଲଜ୍ଜାଜନକ । କିନ୍ତୁ କେବଳ ସେହି ମାନଙ୍କ ପାଇଁ ଲଜ୍ଜାଜନକ ଯେଉଁମାନେ ଲଜ୍ଜା ଅନୁଭବ କରି ପାରନ୍ତି।  ଯଦି (ସରକାରୀ) ନେତୃତ୍ବ ବିସ୍ଫୋରକ ଓ ଗାଳିଦେବା ବୟାନରେ ବିଶ୍ବାସ କରେ ତେବେ ଏଥିରେ ବିଚଳିତ ହେବା ଭଳି କ'ଣ ଅଛି ? ଏଥିରେ ବିଚଳିତ ହେବା ଭଳି କ'ଣ ଅଛି, ଯଦି ଆମେ ହେଉଛୁ ଏକମାତ୍ର ଗଣତାନ୍ତ୍ରିକ ଦେଶ ଯାହାର ପ୍ରଧାନମନ୍ତ୍ରୀ ଗତ ୯ ମାସରେ ଥରୁଟିଏ ବି ସାମ୍ବାଦିକ ସମ୍ମିଳନୀ ସାମ୍ନା କରି ନାହାନ୍ତି ? ଏଥିପାଇଁ ସେ ଥରୁଟିଏ ଚେଷ୍ଟା କରିଥିଲେ  ୨୦୧୮ ମସିହାରେ ଯେଉଁଠି ସେ ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଇ ନଥିଲେ।  ବିସ୍ଫୋରକ ଓ ଗାଳି ଦେବା ବୟାନରେ ବିଶ୍ବାସ କରୁଥିବା ଲୋକମାନଙ୍କ ପାଇଁ ଏହା ( ରିପୋର୍ଟ) ହେଉଛି ଅଗଣିତ ବିଦେଶୀ ଷଡ଼ଯନ୍ତ୍ର ମଧ୍ୟରୁ ଗୋଟିଏ । (ସତେ ଯେମିତି) ବିଶ୍ବରେ ଥିବା ୧୯୪ଟି ଦେଶମାନଙ୍କ ପାଖରେ ଗତ ୧୦ ବର୍ଷରେ ଅନ୍ୟ କିଛି କରିବା ପାଇଁ ନଥିଲା, ତେଣୁ ସେମାନେ କେବଳ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରେ ଲାଗିଥିଲେ । ଆପଣ କ'ଣ ଭାବୁଛନ୍ତି କେବଳ ୧୮୦ଟି ଦେଶ ମଧ୍ୟରେ ଆମ ସ୍ଥାନ ୧୬୧ ରହିବାରେ ଆମେ ସବୁଠାରୁ ଖରାପ କରିଛୁ ? ବିଶ୍ବ ପରିବେଶ ପରିଚାଳନା ସୁଚକାଙ୍କରେ ୧୮୦ ଟି ଦେଶ ମଧ୍ୟରେ ଆମେ ୧୮୦ କ୍ରମିକ ସଂଖ୍ୟାରେ ଅଛୁ । ବିଶ୍ଵ କ୍ଷୁଧା ତାଲିକାରେ ୧୨୧ଟି ଦେଶ ମଧ୍ୟରେ ଆମ ସ୍ଥାନ ହେଉଛି ୧୦୭ । ଇଥିଓପିଆ ଓ ରଓ୍ବାଣ୍ଡା ଆମକୁ ପଛରେ ପକାଇ ଦେଇଛନ୍ତି। ଜାତିସଂଘ ମାନବ ବିକାଶ ସୂଚନା ସୂଚକାଙ୍କ ୧୯୧ଟି ଦେଶ ମଧ୍ୟରୁ ଆମକୁ ୧୩୨ କ୍ରମିକାଙ୍କରେ ରଖିଛି । (ସରକାରଙ୍କ କହିବା ଅନୁସାରେ ଯଦି ଏସବୁ ସୁଚକାଙ୍କ ଭୁଲ୍ ହୋଇପାରେ) କିନ୍ତୁ ଗୋଟିଏ ସୂଚକାଙ୍କ ଆମକୁ ସଠିକ୍ କଥା କହୁଛି । ତାହା ହେଲା ଫୋର୍ବସ୍ ବିଲିଓନାୟାର୍ ତାଲିକା । ୧୯୯୧ ମସିହାରେ ଯେତେବେଳେ ନବ୍ୟ ଉଦାରବାଦ ଅର୍ଥନିତୀ ଆରମ୍ଭ ହେଲା ସେତେବେଳେ ଆମ ଦେଶରେ ଜଣେ ବି ଅରବପତି ନଥିଲେ । ୨୦୧୪ରେ ଯେତେବେଳେ ମୋଦୀ କ୍ଷମତାକୁ ଆସିଲେ ସେତେବେଳେକୁ ଆମର ୫୬ ଜଣ ଡଲାର ଅରବପତି ଥିଲେ । ଏହା ଏକ ଚିତ୍ତାକର୍ଷକ ସଂଖ୍ୟା । ଏହି ସଂଖ୍ୟା ଅର୍ଜନ କରିବା ପାଇଁ ଆମକୁ ୨୩ ବର୍ଷ ଲାଗି ଯାଇଥିଲା ।  ମୋଦୀ ତାହାକୁ ଏକ ମଜାକରେ ପରିଣତ କରି ଦେଲେ , କାରଣ ବର୍ତ୍ତମାନ ଆମ ଦେଶରେ ଥିବା ଅରବପତିଙ୍କ ସଂଖ୍ୟା ହେଉଛି ୧୬୬ । ମୋଦିଙ୍କ ୯ ବର୍ଷ ଶାସନ କାଳରେ ଆମେ ଅଧିକ ୧୧୦ ଜଣ ଭାରତୀୟ ଅରବପତି ପାଇଛୁ । ତା ମାନେ, ପ୍ରତି ୨୦ ଦିନରେ ଆମ ଦେଶ ଜଣିଏ ଲେଖାଏଁ ଅରବପତି ଯୋଡ଼ିଛି । 

ମୁଁ ଦାବି କରି କହୁନି ଯେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଥିବା ଅଣ-ଇଁରାଜୀ ଗଣମାଧ୍ୟମ ବିଷୟରେ ମୁଁ ଭଲରୁପେ ଜାଣିଛି। କିନ୍ତୁ ମୁଁ ଜାଣିଛି ଆମ ଦେଶରେ ବର୍ତ୍ତମାନ ଗଣମାଧ୍ୟମର ଅବସ୍ଥା ଯାହା ଅଛି ତାହା ଠାରୁ ଭଲ ହେବା ପାଇଁ କେଉଁ ଦେଶକୁ ବିଶେଷ ପରିଶ୍ରମ କରିବାକୁ ପଡିବ ନାହିଁ। ବରଂ ଆମ ଠାରୁ ଖରାପ କରିବା ପାଇଁ ବେଶି ପରିଶ୍ରମ କରିବାକୁ ପଡିବ । ମୁଁ ଭାବୁଛି ଇମ୍ରାନ ଖାନ୍ କ୍ଷମତାର ଶିଖରରେ ଥିବା ବେଳେ ପାକିସ୍ଥାନ ଗଣମାଧ୍ୟମରେ ତାଙ୍କର  ଯେତିକି ମୁଖର ସମାଲୋଚକ ଥିଲେ, ତାହା ମୋଦୀଙ୍କ ୯ ବର୍ଷ ଶାସନରେ ଆମ ଗଣମାଧ୍ୟମ ଠାରୁ ଅଧିକ। 

ଏକଥା ମୁଁ ସେହି ଲୋକ କହୁଛି, ଯାହାର ଲେଖାକୁ ନିକଟରେ ଏନସିଇଆରଟି ବହିରୁ ଟୁକୁଡେ ଟୁକୁଡେ ପଢାବହି ଗ୍ୟାଙ୍ଗ- ମୁଁ ସେମାନଙ୍କୁ ଏହିଭଳି କୁହେ-  କାଢି ଦେଇ ମୋତେ ଚାର୍ଲ୍ସ ଡାରଉଇନଙ୍କ ସଂସର୍ଗରେ ରଖି ଦେଇଛନ୍ତି । ଅନେକ ଗୁଡ଼ିଏ ବିଷୟରେ ଗଣମାଧ୍ୟମର ନୀରବତାକୁ ଲକ୍ଷ କରନ୍ତୁ । ମୋତେ କହିବାକୁ ଏଥିପାଇଁ ଲାଜ ଲାଗୁଛି, ବିବିସି ଭଳି ପ୍ରସିଦ୍ଧି ଓ ପ୍ରତିଷ୍ଠାପୂର୍ଣ୍ଣ ଅନୁଷ୍ଠାନ ଉପରେ ନିଷେଧାଦେଶ ଲାଗୁ ହୋଇଛି, ଯେଉଁ ବିଷୟରେ ଆଦୌ ଆଲୋଚନା ହେଲା ନାହିଁ । ତାହାଠାରୁ ଆହୁରି ବେଶି ଖରାପ ଘଟଣାମାନ ଭାରତୀୟ ସାମ୍ବାଦିକମାନଙ୍କ ସହ, ଯାହାର ଉଲ୍ଲେଖ ଭାରତୀୟ ଗଣମାଧ୍ୟମରେ ଆଦୌ ହେଉ ନାହିଁ। ମୋ କହିବା କଥା ହେଲା ଆମେ କାହିଁକି ଭାରତୀୟ ଗଣମାଧ୍ୟମ  ପାଇଁ ଏକ ଉଚ୍ଚତର ମାନକ ନିର୍ଦ୍ଧାରିତ ନ କରି ବର୍ତ୍ତମାନର ବିଭ୍ରାଟରେ  ନିଜକୁ ପାକିସ୍ଥାନ ଓ ଶ୍ରୀଲଙ୍କା ସହ ତୁଳନା କରିବା ? 

ମୁଁ ବରଂ କହିବି ଗତ ୩୦ ବର୍ଷ ଧରି ଭାରତୀୟ ଗଣମାଧ୍ୟମର ସ୍ବାଧୀନତା କ୍ରମାଙ୍କ ନିରନ୍ତର ଓ ଦ୍ରୁତ ବେଗରେ ଖସି ଚାଲିଛି । ଏହାର ଆରମ୍ଭ ହୋଇଛି ଭାରତୀୟ ଗଣମାଧ୍ୟମରେ ବୃହତ କର୍ପୋରେଟଙ୍କ ପ୍ରବେଶ ସହିତ, ଯାହା ମୋ ବିଚାରରେ ଏବେ ତିନି ଚତୁର୍ଥାଂଶ ହୋଇ ସାରିଛି । ବୋଧହୁଏ ଆମେ ବିଶ୍ଵ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର କ୍ରମାଙ୍କକୁ ନେଇ  ବେଶି ଆଲୋଚନା କରୁଛୁ । କାରଣ ଗତ ତିନି ବର୍ଷର ସ୍ବଳ୍ପ ସମୟ ମଧ୍ୟରେ ଏହା ୧୪୨ରୁ ୧୬୧କୁ ଖସି ଆସିଛି । କିନ୍ତୁ ମୁଁ ଏହାକୁ ଅନ୍ୟ ପ୍ରକାରେ ଦେଖୁଛି । ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ ଓ ଅନ୍ୟ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଗୋଟିଏ ଦୁର୍ବଳତା ରହିଛି । ଏସବୁରେ ଦେଖା ଯାଉଛି ଯେ ଗଣମାଧ୍ୟମ ଉପରେ ବିପଦ କେବଳ ଶାସକ ଗୋଷ୍ଠୀ ଆଡୁ ହେଉଛି । କିନ୍ତୁ ଆମେ ଯଦି ଗଣମାଧ୍ୟମରେ ଦ୍ରୂତ କରପୋରେଟକରଣରେ  ସାମ୍ବାଦିକଙ୍କ ଅବସ୍ଥାକୁ ଯୋଡିବା ତେବେ ଭାରତୀୟ ଗଣମାଧ୍ୟମ ସ୍ବାଧୀନତାର  ଦ୍ରୁତ ସଙ୍କୋଚନର  ଏକ ପ୍ରମୁଖ କାରଣ ଭାବେ ଆମେ ଏଥିରେ ବୃହତ ବ୍ୟବସାୟର ବଢୁଥିବା ନିୟନ୍ତ୍ରଣକୁ ବିଚାର କରିବାକୁ ପଡ଼ିବ । ମିଡିଆ ଆଉ ବୃହତ ବ୍ୟବସାୟର ସପକ୍ଷବାଦୀ ହୋଇ ରହି ନାହିଁ । ସେମାନେ ନିଜେ ବୃହତ ବ୍ୟବସାୟୀ ହୋଇ ସାରିଛନ୍ତି ।  ଏହି ମାସରେ - ମଇ ୨୦୨୩ - ଅର୍ନଷ୍ଟ ଏଣ୍ଡ ୟଙ୍ଗ୍ ( Ernst and Young) କରିଥିବା ଆକଳନ ଅନୁସାରେ ଭାରତୀୟ ଗଣମାଧ୍ୟମର ମୋଟ ବ୍ୟବସାୟିକ ମୂଲ୍ୟ ଏବେ ଦୁଇ ଲକ୍ଷ କୋଟି ଟଙ୍କା ହୋଇ ସାରିଛି । ଏହା ଏକ ବହୁତ ବଡ଼ ସଂଖ୍ୟା । ଏଥିରେ ମିଡ଼ିଆର ଆନୁସାଙ୍ଗିକ ବ୍ୟବସାୟ ପେଡ୍ ନ୍ୟୁଜ୍ ର ମୂଲ୍ୟ ଯୋଡ଼ା ଯାଇ ନାହିଁ ଯାହା ଆହୁରି ହଜାର ହଜାର କୋଟି ଟଙ୍କା ହେବ । ଏ ବିଷୟରେ ୨୦୦୯ରେ ଦ ହିନ୍ଦୁ ଖବରକାଗଜରେ ପ୍ରକାଶିତ ମୋର ଏକ ଲେଖା ଆପଣଙ୍କର ମନେ ଥିବ । 

ମୋଦୀ ସରକାରର ଗୋଟିଏ କାମ ପାଇଁ ମୁଁ ତାହାକୁ ସଲାମ କରୁଛି । ମାର୍ଚ୍ଚ ୨୦୨୦ରେ କୋଭିଡ ଲକଡାଉନର କିଛି ଘଣ୍ଟା ମଧ୍ୟରେ ସରକାର ଗଣମାଧ୍ୟମକୁ ଅତ୍ୟାବଶ୍ୟକ ସେବା ବୋଲି ଘୋଷଣା କଲେ । ଏହା ମୋ ଜାଣିବାରେ ଆଗରୁ କେବେ ହୋଇ ନଥିଲା । ଏଥି ଯୋଗୁଁ ମୁଁ ବହୁତ ଖୁସି ହୋଇ ଯାଇଥିଲି । ଅତ୍ୟାବଶ୍ୟକ ସେବା ଅର୍ଥ ହେଉଛି ସାମ୍ବାଦିକର ଚାକିରି ସୁରକ୍ଷିତ ରହିବ ।ଏହା ଦ୍ବାରା ଅଗ୍ନିଶମ ଓ ହସପିଟାଲ୍ ଭଳି ଗଣମାଧ୍ୟମରେ ବି ସାମ୍ବାଦିକଙ୍କୁ ଏହି ସମୟରେ ବାହାର କରାଯାଇ ପାରିବ ନାହିଁ । କିନ୍ତୁ ୨୦୨୨ ମଇ ମାସରେ ଦିଲ୍ଲୀ ୟୁନିଅନ୍ ଅଫ୍ ଜର୍ଣାଲିଷ୍ଟସ ହିସାବ କରି କହିଛି ସେତେବେଳ ସୁଦ୍ଧା ଶକ୍ତିଶାଳୀ ଏବଂ ବିତ୍ତଶାଳୀ ଗଣମାଧ୍ୟମ ମାଲିକଙ୍କ ଦ୍ବାରା ପ୍ରାୟ ୩୦୦୦ ସାମ୍ବାଦିକଙ୍କୁ ଚାକିରିରୁ ବାହାର କରାଯାଇ ସରିଛି । ସରକାର ଏମାନଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । କାରଣ ଏମାନେ ସରକାରଙ୍କର ବହୁତ ନିକଟତର ।  

ମୁଁ ଆଉ ଗୋଟିଏ ଉଦାହରଣ ଦେଉଛି। ଭାରତର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନେ କେବେ ଥରୁଟିଏ ଆପଣଙ୍କୁ କହିଛି କି , କୋଭିଡ ଯୋଗୁଁ ୭୨୦ ଜଣ ସାମ୍ବାଦିକ କେବଳ ଏପ୍ରିଲରେ ପ୍ରାଣ ହରାଇଥିଲେ ? ସେମାନେ ନିଜର ଷ୍ଟାଫଙ୍କ ବିଷୟରେ ମଧ୍ୟ କେବେ କୁହନ୍ତି ନାହିଁ। 

କୈଣସି ସୁଚକାଙ୍କ କେବେ ବି ପୁରା ସଠିକ୍ ସଂଖ୍ୟା ବା କ୍ରମିକାଙ୍କ ଦେଇ ପାରିବ ନାହିଁ । କିନ୍ତୁ ସେମାନେ ଆମେ ଯେଉଁ  ଦିଗକୁ ଯାଉଛୁ  ଓ ତାହାର ଧାରା ବିଷୟରେ ଆପଣଙ୍କୁ କହି ପାରିବେ । ଏଥିନେଇ ଏହି ସୂଚକାଙ୍କ ଓ ଅନ୍ୟ ସୂଚକାଙ୍କଗୁଡିକ ଅତି ପରିଷ୍କାର ଭାବେ କହୁଛନ୍ତି ଯେ ସର୍ବନିମ୍ନକୁ ଯିବାର ଦୈଡରେ ଆମେ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଚାଲୁଛୁ । ମୁଁ ମଧ୍ୟ ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୁଚକାଙ୍କକୁ ସମାଲୋଚନା କରେ । ମୁଁ ସୁଚନା ପ୍ରସାରଣ ମନ୍ତ୍ରୀ ଅନୁରାଗଙ୍କ କଥାକୁ ଯେତିକି ଗୁରୁତ୍ବ ଦିଏ ତାହା ଠାରୁ ଅଧିକ ଗୁରୁତ୍ବ ଦିଏ ଏହି ସୁଚକାଙ୍କକୁ । ବିଶ୍ଵ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କକୁ ମୋର ସମାଲୋଚନା ହେଲା ଯେ ତାହା ୨୦୨୧ରେ ଭାରତକୁ ୧୪୨ ନମ୍ବର ସ୍ଥାନ ଦେଇ ବହୁତ ରକ୍ଷଣଶୀଳ ଓ ଦାନୀ ମନୋଭାବ ଦେଖାଇଛି । ଯଦି ମନ୍ତ୍ରୀ ଶ୍ରୀ ଠାକୁର ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ ରିପୋର୍ଟକୁ ଅଗ୍ରାହ୍ୟ କରୁଛନ୍ତି, ସେ ଖୋଲାଖୋଲି ଭାବେ ଓ ସ୍ବସ୍ଥତାର ସହିତ ଆଉ ଗୋଟିଏ ସୂଚକାଙ୍କ କିମ୍ବା ମାପ ପ୍ରସ୍ତୁତ କରନ୍ତୁ ଯାହା ଭାରତୀୟ ଗଣମାଧ୍ୟମର ପ୍ରକୃତ ଅବସ୍ଥା ବିଷୟରେ କହିବ । ମୁଁ ଇଣ୍ଡେକ୍ସ ମନିଟରିଂ ସେଲ୍ ର ସଭ୍ୟ ଥିବା ବେଳେ ତାହାହିଁ କରିବାକୁ ଅନୁରୋଧ କରିଥିଲି । (ପି ସାଇନାଥ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିଯୁକ୍ତ ଇଣ୍ଡେକ୍ସ ମନିଟରିଂ ସେଲ୍ ର ସଭ୍ୟ ଥିଲେ, ଯାହାର କାମ ଥିଲା ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ କେତେ ଠିକ୍ ତାହା ପରୀକ୍ଷା କରିବା) ମୁଁ ଏହି ସେଲ୍ ର ସଭ୍ୟ ହେବା ବେଳେ ସର୍ତ୍ତ ରଖିଥିଲି ଯେ,  ଏହି ବିଶ୍ଵ ସୂଚକାଙ୍କ ସେତେବେଳେ ଆମକୁ  ୧୪୨ ସ୍ଥାନ ଦେଇଥିବା ବିଷୟକୁ   ପ୍ରତ୍ୟାଖ୍ୟାନ କରିବା ଏହି ସେଲ୍ ର କାମ ନ ହେଉ । ମୁଁ କହିଥିଲି ମୋତେ ଯଦି କୁହାଯାଏ ସୂଚକାଙ୍କ ପ୍ରସ୍ତୁତ କରିବାକୁ ମୁଁ ଭାରତୀୟ ଗଣମାଧ୍ୟମକୁ ୧୪୨ଠାରୁ ଆହୁରି ତଳେ ରଖିବି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ବିଶ୍ବ ସୂଚକାଙ୍କରେ ଭାରତର ସ୍ଥାନ ଖସିବାରେ, ଭାରତୀୟ ସାମ୍ବାଦିକମାନଙ୍କ ଅଙ୍ଗେ ନିଭାଇ ଥିବା ଅଭିଜ୍ଞତାର କେତେ ଯୋଗଦାନ ରହିଛି ? 

ପ୍ରଥମତଃ, ଇଣ୍ଡେକ୍ସ ମନିଟରିଂ ସେଲ୍ କୈାଣସି ସଂଖ୍ୟାଗରିଷ୍ଠ ମତ ଥିବା ରିପୋର୍ଟ ଦେଇ ନଥିଲା, ଏପରିକି କୈାଣସି ରିପୋର୍ଟ ମଧ୍ୟ ଦେଇ ଥିଲା । ଯେଉଁ ମୁହୁର୍ତ୍ତରେ ମୁଁ ମୋର ଭିନ୍ନ ମତ ଲେଖିକରି ଦେଲି, ସେହି ରିପୋର୍ଟ କୁଆଡେ ଉଭେଇ ଗଲା । ସେ କମିଟି ମଧ୍ୟ ଉଭେଇ ଗଲା । ଯାହାକୁ ଚିଠା ରିପୋର୍ଟ କହି ପ୍ରଚାର କରାଯାଉଛି, ଓ୍ବେବସାଇଟରେ କେଉଁଠି ବି ଏହାକୁ ଚିଠା ରିପୋର୍ଟ ବୋଲି ଲେଖା ଯାଇନି। ଏହି ରିପୋର୍ଟକୁ କେବେ ବି ସମସ୍ତଙ୍କ ଜାଣିବା ପାଇଁ ପ୍ରକାଶ କରାଯାଇ ନାହିଁ। ଥରେ କଳ୍ପନା କରନ୍ତୁ, ଜଣକର ଭିନ୍ନ ମତ ଯୋଗୁଁ କମିଟିର ରିପୋର୍ଟ କେମିତି ଗାଏବ ହୋଇଗଲା। ଥରେ କଳ୍ପନା କରନ୍ତୁ କେମିତି କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଭଳି ଜଣେ ଶକ୍ତିଶାଳୀ ବ୍ୟୁରୋକ୍ରାଟଙ୍କ ଦ୍ବାରା ଗଠିତ ଗୋଟିଏ କମିଟି  ରାତାରାତି ଗାଏବ ହୋଇଗଲା । ଥରେ କଳ୍ପନା କରନ୍ତୁ, ସାମ୍ବାଦିକ ସ୍ବାଧୀନତା ବିଷୟରେ ଥିବା ୧୩ ଜଣ ସଦସ୍ୟ ବିଶିଷ୍ଟ ଏହି କମିଟିରେ କେମିତି ମାତ୍ର ଦୁଇ ଜଣ ସଦସ୍ୟ ସାମ୍ବାଦିକ ଥିଲେ  । ଏହି କମିଟିର ରିପୋର୍ଟ ହାସ୍ୟାସ୍ପଦ ଗବେଷଣା ଓ ସର୍ଭେ ଉପରେ ଆଧାରିତ ଥିଲା । ଏହି ସର୍ଭେ କେବଳ ୧୮ ଜଣଙ୍କୁ ପ୍ରଶ୍ନ ପଚାରି ହୋଇଥିଲା । ଏହି ସର୍ଭେର ନମୂନା ଆକାର କେବଳ ଏତିକି ମାତ୍ର ଥିଲା । ସର୍ଭେ ପାଇଁ ଯେଉଁମାନଙ୍କୁ ପ୍ରଶ୍ନ ପଚରାଯାଉଥିଲା ସେମାନେ ସମସ୍ତେ ଇଣ୍ଡିଆନ୍ ମାସ୍ କମୁନିକେଶନରେ ପଢିଥିଲେ , ଯେଉଁ ସଂସ୍ଥାଟି ସମ୍ପୂର୍ଣ୍ଣରୁପେ ଭାରତ ସରକାରଙ୍କର ବୈଦେଶିକ ମନ୍ତ୍ରାଳୟର ଟଙ୍କାରେ ଚାଲେ । ଥରେ କଳ୍ପନା କରନ୍ତୁ, ଏହି ରିପୋର୍ଟରେ ଥରୁଟିଏ ବି (ସାମ୍ବାଦିକଙ୍କ ବିରୁଦ୍ଧରେ) ଦେଶ ଦ୍ରୋହ ମୋକଦ୍ଦମା, ସେନସରସିପ୍ ଓ ଏଫଆଇଆର ଶବ୍ଦର ଉଲ୍ଲେଖ ନାହିଁ । ଆହୁରି ମଧ୍ୟ ଗଣମାଧ୍ୟମ ସ୍ବାଧୀନତା ବିଷୟକ ଏହି ରିପୋର୍ଟରେ ଅନୁପସ୍ଥିତ ରହିଥିବା ଶବ୍ଦଗୁଡ଼ିକ ହେଉଛି - ଭିନ୍ନମତ, ଭିନ୍ନମତ ପୋଷଣ କରିବାର ଅଧିକାର, ସାମ୍ବାଦିକଙ୍କୁ ଚାକିରିରୁ ବାହାର କରିବା, ସରକାରଙ୍କ ଚାପରେ ସମ୍ପାଦକଙ୍କୁ ଚାକିରିରୁ ବାହାର କରିବା, ସାମ୍ବାଦିକଙ୍କୁ ଦୁଇବର୍ଷ କାଳ ଜେଲରେ ରଖିବା, ବେଆଇନ ଭାବେ ଇଣ୍ଟରନେଟ ବନ୍ଦ ରଖିବା , ଦରମା କାଟ କରିବା …..

୨୦୨୧ ର ମୋର ଭିନ୍ନମତରେ ମୁଁ ଅବିଶ୍ବାସ୍ୟ ସଂଖ୍ୟକ ସମସ୍ୟା ବିଷୟରେ ଲେଖିଥିଲି ଯେଉଁ ସମସ୍ୟା ଭାରତୀୟ ଗଣମାଧ୍ୟମରେ ରହିଛି। ମୁଁ ସେଥିରୁ ତିନୋଟି ଉଦାହରଣ ଦେଉଛି । ତାମିଲନାଡୁ କୋଇମ୍ବାତୁରର ସାମୁଏଲ୍‌ ରାଜା ପାଣ୍ଡିଆନଙ୍କ ପୋର୍ଟାଲରେ‌ ପୋଲିସ ଛାପା ପଡ଼ିଲା, ତାଙ୍କୁ ଗିରଫ କରାଗଲା । ସେ ଜେଲରେ ଥିବା ସମୟରେ ତାଙ୍କ ବନ୍ଧୁମାନେଭାବୁଥିଲେ ସେ ଆତ୍ମଗୋପନ କରିଛନ୍ତି । ତେବେ କେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା ? ସେମାନେ ଗୋଟିଏ ଖବର ପ୍ରକାଶ କରିଥିଲେ ଯେ ସେମାନଙ୍କ ସହର ଜେନେରାଲ ହସପିଟାଲର ଡାକ୍ତର ଓ ନର୍ସଙ୍କ ପାଖରେ ପିପିଇ କିଟ୍ ନାହିଁ । ସେଥିପାଇଁ ସେମାନଙ୍କୁ ଗିରଫ କରିବା ପୁର୍ବରୁ ସ୍ବାଭାବିକ ଭାବେ ଜଣେ ସାମାନ୍ୟ ବୁଦ୍ଧି ଥିବା ଲୋକ ଚିନ୍ତା କରିବାର ଥିଲା ଯେ ସେମାନେ ସେ ଖବର କେଉଁଠାରୁ ପାଇଥିଲେ ।‌ ତର୍କସଙ୍ଗତ ଭାବେ ନିଜର ନିରାପତ୍ତା ପାଇଁ ଚିନ୍ତିତ ଥିବା ଡ଼ାକ୍ତର ଓ ନର୍ସଙ୍କ ଠାରୁ ପୋର୍ଟାଲଟି ସେହି ଖବର ପାଇଥିଲା। ଏଥିପାଇଁ ସେମାନେ ୧୮୯୭ ମସିହାର ଏପିଡେମିକ୍ ଡିଜିଜେସ୍‌ ଆଇନରେ ସାମ୍ବାଦିକଙ୍କୁ ନେଇ ଜେଲରେ ପୁରାଇଲେ । ଏହା ପୁର୍ବରୁ ଶେଷ ଥର ପାଇଁ ଯେଉଁ ପ୍ରଖ୍ୟାତ ସାମ୍ବାଦିକଙ୍କୁ ଏହି ଆଇନ ବଳରେ ଗିରଫ କରାଯାଇଥିଲା ସେ ଥିଲେ ବାଲ୍ ଗଙ୍ଗାଧର ତିଳକ । 

ମୁଁ ଆଉ ଗୋଟିଏ ଉଦାହରଣ ଦେଉଛି । ଆଣ୍ଡାମାନର ମହମ୍ମଦ ଜୁବେରଙ୍କୁ ତାଙ୍କର ଗୋଟିଏ ଟୁଇଟ୍ ପାଇଁ ଗିରଫ କରା ଯାଇଥିଲା ଯେଉଁଥିରେ ସେ ପଚାରିଥିଲେ, କୋଭିଡଗ୍ରସ୍ତ ଜଣେ ରୋଗୀଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଥିବାରୁ ତାହାର ପୁରା ପରିବାରକୁ କାହିଁକି ଗିରଫ କରାଗଲା ? ଏବିଷୟରେ ସ୍ଥାନୀୟ ଖବରକାଗଜ ମଧ୍ୟ ଛାପିଥିଲେ । କିନ୍ତୁ ମହମ୍ମଦ ଜୁବେର ଗୋଟିଏ ମୁସଲିମ ନାମ । ଶେଷରେ ସେ ନିଜ ହାତରେ ନିଜର ଜୀବନ ସମାପ୍ତ କରିଦେଲେ। 

ତୃତୀୟ ଘଟଣା । ଯେଉଁ ଘଟଣାଟି ଆମ ସମଗ୍ର ମିଡ଼ିଆ ସମାଜକୁ ଲଜ୍ଜା ଦେଇଛି ତାହା ହେଉଛି ସିଦ୍ଦିକି କପନଙ୍କ ସମ୍ପର୍କିତ । ଜଣେ ସାମ୍ବାଦିକ ସ୍ବାଭାବିକ ଭାବରେ ହଥରସ୍ ଦଳିତ ଝିଅର ଗଣଧର୍ଷଣ ଘଟଣା ବିଷୟରେ ଖବର ସଂଗ୍ରହ କରିବାକୁ ଯାଇଛି । ତାଙ୍କୁ ଗିରଫ କରାଗଲା । ବହୁ ସପ୍ତାହ ଧରି ତାଙ୍କୁ ତାଙ୍କର ଓକିଲ ସହ ଦେଖା ହେବାକୁ ଦିଆ ଗଲା ନାହିଁ । ତାଙ୍କ ବିରୁଦ୍ଧରେ ୟୁଏପିଏ ଆଇନ୍ , ଧାରା ୧୬୧ ଏବଂ ଏହିଭଳି ଅନେକ ଧାରା  ଲଗାଯାଇ ତାଙ୍କୁ ୨୩ ମାସ ଧରି ଜେଲରେ ରଖାଗଲା । ସେ କୋଭିଡରେ ଆକ୍ରାନ୍ତ ହୋଇ ହସପିଟାଲ୍ ଗଲେ ।‌ ତାଙ୍କୁ ବେଡ୍ ସହିତ ବନ୍ଧା ଯାଇଥିଲା ।  ପରିସ୍ରା ପାଇଁ ତାଙ୍କୁ ବାଲଟି କିମ୍ବା ବୋତଲ ଦିଆଯାଉଥିଲା । ଗଣମାଧ୍ୟମରେ ଥିବା ଆମେ ସମସ୍ତେ ସିଦ୍ଦିକି କପନଙ୍କ ସମର୍ଥନ ପାଇଁ ଠିଆ ହେବାରେ ବିଫଳ ହେଲୁ ।‌ କିନ୍ତୁ କପନ୍ ସାମ୍ବାଦିକଙ୍କ ଅଧିକାର ଓ ଗଣମାଧ୍ୟମ ସ୍ବାଧୀନତା ପାଇଁ ଠିଆ ହେଲେ ।

ସମ୍ପାଦନା ଏବଂ ଅନୁବାଦ - ରଙ୍ଗାଚରଣ ପ୍ରଧାନ