୨୦୦୦ ନୋଟ୍ ବନ୍ଦୀ : ତୁଗଲକ୍ ରାଜ୍
୨୦୧୬ରେ ଜାରି କରାଯାଇଥିବା ୨୦୦୦ ଟଙ୍କାର ନୋଟ୍ ଗତ କାଲି ସନ୍ଧ୍ୟାରେ ନିଷିଦ୍ଧ ହୋଇ ଯାଇଛି । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି ନୋଟ୍ ବ୍ୟାଙ୍କରେ ଜମା କରିବାକୁ କିମ୍ବା ବଦଳାଇବାକୁ ଧାରକମାନେ ବାଧ୍ୟ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଛି । ସାରା ଦେଶରେ ବର୍ତ୍ତମାନ ୩.୬୩ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ରହିଛି । ଗତ ଚାରି ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ଟଙ୍କିଆ ନୂଆ ନୋଟ୍ ଛାପିବା ବନ୍ଦ କରି ଦେଇଛି । ସଂସଦ ରେ ଗତ ବଜେଟ ଅଧିବେଶନ ସମୟରେ ୨୦୦୦ଟଙ୍କିଆ ନୋଟ୍ କୁଆଡେ ଗଲା ବୋଲି ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କୁ ସମାଲୋଚନା କରିଥିଲେ। ଆପାତତଃ ସାଧାରଣ ବଜାରରେ ୨୦୦୦ ଟଙ୍କାର ନୋଟ୍ ପ୍ରାୟ ଦେଖିବାକୁ ମିଳୁ ନଥିଲା। ଏହି ଟଙ୍କା ଲୁଚାଇ ରଖାଯାଇଥିବାରୁ ଏହାକୁ ନିଷିଦ୍ଧ ଘୋଷଣା ଜରୁରୀ ବୋଲି ଭାରତ ସରକାର କହିଛନ୍ତି । ବାସ୍ତବରେ ଟଙ୍କା ଲୁଚାଇବାକୁ ଓ କଳାଧନ ବଢାଇବା କ୍ଷେତ୍ରରେ ୨୦୦୦ ଟଙ୍କିଆ ମୁଦ୍ରାର ଯେ ଏକ ବିଶେଷ ସହାୟକ ଭୂମିକା ନେବା ସେକଥା ୨୦୧୬ରୁ ପ୍ରାୟ ସବୁ ଅର୍ଥନୀତିଜ୍ଞ କହୁଥିଲେ । (କେବଳ ମୋଦୀ ସରକାରର ପୋଷା ଅର୍ଥନୀତିଜ୍ଞଙ୍କ ବ୍ଯତୀତ)
୨୦୧୬ ବିମୁଦ୍ରାକରଣର ଯେଉଁ ଲକ୍ଷ୍ୟ ସବୁ ଥିଲା, ଯଥା- ଦେଶରେ ଛାପା ମୁଦ୍ରା କମାଇବା, ଡିଜିଟାଲ ଲେଣଦେଣ ବଢାଇବା, କଳାଧନ ରୋକିବା ଏବଂ ସନ୍ତ୍ରାସବାଦ ରୋକିବା ଇତ୍ୟାଦି ସବୁକ୍ଷେତ୍ରରେ ଏହି ପ୍ରକ୍ରିୟା ବିଫଳ ହୋଇଛି । ୨୦୧୬ ବେଳକୁ ଦେଶରେ ଛାପା ମୁଦ୍ରାର ଅଙ୍କ ୧୭ ଲକ୍ଷ କୋଟି ଟଙ୍କା ଥିବା ବେଳେ ଗତ ବର୍ଷ ଡିସେମ୍ବର ସୁଦ୍ଧା ଏହା ୩୦.୮୯ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ ବିମୁଦ୍ରାକରଣ ପରେ ଛାପା ଟଙ୍କାର ସଂଖ୍ୟା ପ୍ରାୟ ଦୁଇଗୁଣ ବଢି ସାରିଛି ।
ଏବେ ପୁଣି ପ୍ରାୟ ଦଶ ଭାଗ ମୁଦ୍ରା ବ୍ୟାଙ୍କ ଗୁଡିକୁ ଫେରାଇବାକୁ ୨୦୦୦ ଟଙ୍କିଆ ନୋଟକୁ ନିଷିଦ୍ଧ କରାଯାଇଛି । ମୂଳତଃ ଏହି ଯୋଜନା ପଛରେ ବ୍ୟାଙ୍କଗୁଡିକର ଜମା ବୃଦ୍ଧି ଏକ ବିଶେଷ ଲକ୍ଷ୍ୟ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି । ଅର୍ଥନୀତିକୁ ସଜାଡିବାରେ ବିଫଳ ମୋଦୀ ସରକାର ଅନେକ ସମୟରେ ଦେଶର ଜନସାଧାରଣଙ୍କୁ ପରୀକ୍ଷାଗାରର “ଗିନିଆ ପିଗ” ଭାବରେ ବ୍ୟବହାର କରୁଛନ୍ତି । ୨୦୦୦ ଟଙ୍କା ଆଣିଲା ବେଳେ ମୋଦୀ ସରକାର କହିଥିଲେ, କଳାଧନ ବିରୋଧରେ ଏହା ସବୁଠୁ ବଡ ସର୍ଜିକାଲ ଷ୍ଟ୍ରାଇକ । ଏବେ ପୁଣି ସେଇ ସମାନ କଥା ଦୋହରା ଯାଉଛି ।
ଆଗକୁ ଚାରୋଟି ବଡ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଓ ଆବଶ୍ୟକ ପଡିଲେ ସାଧାରଣ ନିର୍ବାଚନ ସମୟ ପୂର୍ବରୁ ହେବାର ସମ୍ଭାବନା ଦିଶୁଥିବାରୁ, ମୋଦୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଚାର କରାଯାଉଛି । ପରୋକ୍ଷରେ ଗୋଟେ ବାର୍ତ୍ତା ଦିଆଯାଉଛି ଯେ ବିରୋଧୀ ରଖିଥିବା କଳାଧନକୁ ଏହା ପ୍ରହାର କରିବ । ଇଲେକ୍ଟୋରାଲ ବଣ୍ଡ ଆସିଲା ପରେ ରାଜନୈତିକ ଦଳ ଗୁଡିକ କ୍ୟାଶ ଜମା କରି ପିଳାଖେଳ ଖେଳିବାକୁ ଆଉ ଚାହାନ୍ତି ନାଇଁ । ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ଗଚ୍ଛିତ ଅଛି, ସେମାନେ ଅତି ସହଜରେ ଏହାକୁ ବଦଳାଇ ପାରିବେ ବା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଜମା କରିପାରିବେ ।
ମୋଦୀ ସରକାର ଭୁଲିଯାଉଛନ୍ତି ଯେ ୨୦୧୬ରେ ୫୦ ଦିନ ଭିତରେ ପ୍ରାୟ ୧୦୦% ନୋଟ ବଦଳି ଯାଇଥିଲା କିମ୍ବା ବ୍ୟାଙ୍କକୁ ଫେରି ଆସିଥିଲା । ଏବେ ସେପ୍ଟେମ୍ବର ୩୦ ସୁଦ୍ଧା ୧୩୦ରୁ ଅଧିକ ଦିନ ସମୟ ରହିଛି । ଏହି ସମୟ ଭିତରେ ଗୋଟେ ବି କଳା ତାଙ୍କ ନଷ୍ଟ ହେବନାଇଁ । ୨୦୧୬ ମସିହା ପରି ଏଥିରେ ବେଶ ଭଲ କମିଶନ କାରବାର ଚାଲିବ ।
ନରେନ୍ଦ୍ର ମୋଦୀ ଏବଂ ମୂହମ୍ମଦ ବିନ ତୁଗଲକଙ୍କ ନୀତି ସବୁବେଳେ ସମାନ ରହିଆସିଛି । ଦେଶର ଅର୍ଥନୀତିକୁ ସଜାଡିବା ଅପେକ୍ଷା ଏହାକୁ ବିଗାଡିବାରେ ମୋଦୀ ସରକାରର ଫରମାନ ସବୁବେଳେ ଦେଶ ଉପରେ ବୋଝ ପାଲଟୁଥିବ ।