ପିତା ଓ ପୁତ୍ର : ବିଜୁ ବାବୁ ଏବଂ ନବୀନ ବାବୁ

ପିତା ଓ ପୁତ୍ର : ବିଜୁ ବାବୁ ଏବଂ ନବୀନ ବାବୁ

ଭାରତୀୟ ରାଜନୀତିରେ ବଂଶବାଦ କିଛି ନୂଆ କଥା ନୁହେଁ, ବରଂ ଏହା ଏକ ସାଧାରଣ ଗ୍ରହଣୀୟ ରାଜନୈତିକ ବ୍ୟବସ୍ଥା । ସେହି କ୍ରମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସମ୍ପର୍କର ଏକ ତୁଳନାତ୍ମକ ଚିତ୍ର ଆଜି ଆଂକିବା ନିତାନ୍ତ ଜରୁରୀ । ଆଜିର ଦିନ ବିଜୁ ବାବୁଙ୍କ ୧୦୭ ତମ ଜନ୍ମଦିନ । ଆଜିର ଦିନରେ ନବୀନ ପଟ୍ଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ଭାବରେ ୨୩ ବର୍ଷ ପୂରଣ କରିଛନ୍ତି । ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ସବୁଠୁ ଅଧିକ ଶାସନ କରିଥିବା ଭାରତୀୟ ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ନବୀନ ବାବୁ ହେଉଛନ୍ତି ତୃତୀୟ । ଆଉ ୧୩୮ ଦିନ ପରେ ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଅତିକ୍ରମ କରିବେ । ଆଜିର ଦିନରେ ଏହି ପିତା–ପୁତ୍ରଙ୍କର ଏକ ରାଜନୈତିକ ତୁଳନା ପ୍ରସ୍ତୁତ କରିବା ଜରୁରୀ । ସେହି କ୍ରମରେ କିଛି ତଥ୍ୟଗତ ବିଶ୍ଳେଷଣ –

  • ରାଜନୈତିକ ଉତ୍ତରାଧିକାର ଦୃଷ୍ଟିରୁ ନବୀନ ପଟ୍ଟନାୟକ ଏକ ବ୍ୟତିକ୍ରମ କାରଣ ତାଙ୍କୁ ବିଜୁ ବାବୁଙ୍କ ଜୀବନକାଳରେ ରାଜନୀତିକୁ ଆସିବାର ସୁଯୋଗ ମିଳି ନ ଥିଲା । ବିଜୁ ବାବୁ ନିଜ ପରିବାରକୁ ରାଜନୀତି ଠାରୁ ସବୁବେଳେ ଦୂରରେ ରଖି ଆସିଥିଲେ । ୧୭, ଏପ୍ରିଲ, ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନବୀନ ପଟ୍ଟନାୟକ ଜଣେ ଅନିଚ୍ଛୁକ ରାଜନେତା ଭାବରେ ଓଡିଶା ରାଜନୀତିକୁ ଆସିଥିଲେ
  • ବିଜୁ ବାବୁଙ୍କ ସ୍ମୃତିରେ ନବୀନ ବାବୁ ବିଜୁ ଜନତା ଦଳର ନେତା ହୋଇଥିଲେ ଏବଂ ବିଜୁ ବାବୁଙ୍କ ସ୍ଵପ୍ନର ଓଡିଶା ଗଠନ ବିଜେଡ଼ିର ଲକ୍ଷ୍ୟ ବୋଲି ସେତେବେଳେ କୁହାଯାଇଥିଲା । ତେବେ ବିଜୁ ବାବୁଙ୍କ ରାଜନୀତି ଏବଂ ନବୀନ ବାବୁଙ୍କ ରାଜନୀତି ଭିତରେ ସମାନତା କେବେ ବି ନଥିଲା ।
  • ବିଜୁ ବାବୁ ସ୍ଵାଧୀନତା ଆନ୍ଦୋଳନ ଏବଂ ନେହେରୁଙ୍କ ସମାଜବାଦୀ ରାଜନୀତିର ଉତ୍ତରାଧିକାରୀ ଥିଲେ । ବୃତ୍ତିରେ ସେ ଥିଲେ ଶିଳ୍ପପତି କିନ୍ତୁ ରାଜନୀତିରେ ସମାଜବାଦୀ । ଧର୍ମ ନିରପେକ୍ଷତା ଏବଂ ସମାଜବାଦ ତାଙ୍କ ରାଜନୀତିରେ ମୌଳିକ ଗୁଣ ଥିଲା । ନବୀନ ବାବୁ କିନ୍ତୁ ନବେ ପରବର୍ତ୍ତୀ ଉଦାରବାଦୀ ଅର୍ଥନୀତି ଏବଂ ମୁକ୍ତ ବଜାର ରାଜନୀତିର ପ୍ରତିନିଧି । ନବୀନ ବାବୁ ଧର୍ମନିରପେକ୍ଷତା ଏବଂ ଗାନ୍ଧୀବାଦକୁ ନିଜର ଅସ୍ଥିମଜ୍ଜାଗତ ଆଦର୍ଶ ବୋଲି ଅନେକ ସମୟରେ କହିଛନ୍ତି, ହେଲେ ବିଭିନ୍ନ ସମୟରେ ବିଜେପି ଏବଂ ସଂଘ ପରିବାର ସହିତ ରାଜନୈତିକ ବୁଝାମଣା କରିଛନ୍ତି
  • ବିଜୁ ବାବୁଙ୍କ ରାଜନୀତିରେ ବିଫଳତାର ଭାଗ ବହୁତ ଅଧିକ । ୧୯୫୧ରୁ ସେ ବିଧାନସଭାକୁ ପ୍ରଥମେ ନିର୍ବାଚିତ ହୋଇଥିଲେ । ତାର ଦଶ ବର୍ଷ ପରେ ସେ ଓଡିଶାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବରେ ୧୯୬୧ ରୁ ୧୯୬୩, ପ୍ରାୟ ଦୁଇ ବର୍ଷ ଚାରି ମାସ ଶାସନ ଦାୟିତ୍ବରେ ରହିଥିଲେ । ୧୯୬୩ ରୁ ୨୭ ବର୍ଷ ପରେ ୧୯୯୦ରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜୁ ବାବୁ ବହୁ ଦଳ ଗଢିଥିଲେ ଓ ଭାଙ୍ଗିଥିଲେ । କଂଗ୍ରେସରୁ ଜନତାଦଳ ପର୍ଯନ୍ତ ;ଲମ୍ବା ରାଜନୈତିକ ଯାତ୍ରାରେ ବିଜୟ ଅପେକ୍ଷା ପରାଜୟ ତାଙ୍କୁ ବେଶୀ ମିଳିଥିଲା । ତେବେ ଜୟ ପରାଜୟର ଉର୍ଦ୍ଧ୍ଵରେ ସେ ଥିଲେ ଓଡିଶାର ସର୍ବାଧିକ ଲୋକପ୍ରିୟ ଜନନେତା ।
  • ବିଜୁ ବାବୁଙ୍କ ରାଜନୀତିର ଠିକ ବିପରୀତରେ ନବୀନ ବାବୁଙ୍କ ରାଜନୀତି । ବିଜୁ ବାବୁ ବାରମ୍ବାର ହାରିଥିବା ବେଳେ ନବୀନ ବାବୁ ପରାଜୟ କଣ ଜାଣି ନାହାନ୍ତି । ଏପ୍ରିଲ ୧୯୯୭ରେ ବିଜୁ ବାବୁଙ୍କ ଆସ୍କା ଲୋକସଭା ଆସନରୁ ନବୀନ ବାବୁ ବିଜୟୀ ହେବା ପରଠୁ ସେ କିମ୍ବା ତାଙ୍କ ନେତୃତ୍ବରେ ଗଠିତ ବିଜୁ ଜନତା ଦଳ କୌଣସି ନିର୍ବାଚନରେ ପରାଜୟ ଦେଖିନାହାନ୍ତି । ନବୀନ ବାବୁ ସବୁବେଳେ ବିଜେତା ଭାବରେ ରାଜନୀତିକୁ ଦେଖିଛନ୍ତି ।  
  • ବିଜୁ ବାବୁ ଓଡିଶା ରାଜନୀତିରେ ମାଟି ଓ ଆକାଶକୁ ଏକାକାର କରିଥିବା ନେତା । ସେ ପାଇଲତ ଭାବରେ ବହୁ ଦୁର୍ଦ୍ଦର୍ଷ କାମ କରିଛନ୍ତି, ଶିଲ୍ପପତି ଭାବରେ ବିଶାଳ ବ୍ୟବସାୟ ଗଢିଛନ୍ତି, କିନ୍ତୁ ରାଜନୀତିରେ ଗାଁ ରୁ ସହର ଯାଏ ଚାଲି ଚାଲି ବୁଲିଛନ୍ତି । ଓଡିଶାର ଏମିତି କେଉଁ ସ୍ଥାନ ନାହିଁ ଯେଉଁଠି ବିଜୁ ବାବୁଙ୍କର ବନ୍ଧୁ ନଥିଲେ ।
  • ନବୀନ ବାବୁ ଏହାର ବିପରୀତରେ ଅଳ୍ପ କହୁଥିବା ଏବଂ ଅଳ୍ପ ମିଶୁଥିବା ରାଜନେତା । ଭାରତ ଇତିହାସରେ ନବୀନ ବାବୁ ବୋଧେ ଏକମାତ୍ର ସଫଳ ମୁଖ୍ୟମନ୍ତ୍ରୀ ଯିଏ ବିଲକୁଲ ଭାଷଣ ଦିଅନ୍ତି ନାହିଁ । ଓଡିଶାରେ ନବୀନ ବାବୁଙ୍କ ବ୍ୟକ୍ତିଗତ ବନ୍ଧୁ ପ୍ରାୟ କେହି ନାହାନ୍ତି ।
  • ବିଜୁ ବାବୁଙ୍କ ରାଜନୀତିରେ ଶତ୍ରୁ ଏବଂ ମିତ୍ର ଭେଦ ପ୍ରାୟ ନଥିଲା । ସେ ଅନେକ ଶତୃଙ୍କ ସହିତ ଏକାଠି କାମ କରିଛନ୍ତି ଏବଂ ବହୁ ବନ୍ଧୁଙ୍କୁ ଗାଳି ମଧ୍ୟ କରିଛନ୍ତି । ତାଙ୍କ ରାଜନୀତିରେ ଚ୍ରସ୍ଥାୟୀ ଶତ୍ରୁତା ବୋଲି କିଛି ନଥିଲା ।
  • ନବୀନ ବାବୁଙ୍କ ରାଜନୀତିରେ ଶତ୍ରୁମାନଙ୍କର ସ୍ଥାନ ବହୁ ଦୂରରେ । ନବୀନ ବାବୁ ତାଙ୍କ ରାଜନୈତିକ ଶତ୍ରୁମାନଙ୍କୁ କଦାପି କ୍ଷମା କରିନାହାନ୍ତି । ଯିଏ ନବୀନଙ୍କ ବିରୋଧରେ ଯାଇଛି, ସେ ରାଜନୈତିକ ଭାବରେ ସବୁଦିନ ପାଇଁ ସଫା ହୋଇଯାଇଛି ।             
  • ବିଜୁ ବାବୁଙ୍କ ରାଜନୀତିରେ ସାଧାରଣ ଜନତା ଏବଂ ତାଙ୍କ ରାଜନୈତିକ କର୍ମୀ ତାଙ୍କ ଘର ଭିତରର ଅଂଶ ବିଶେଷ । ବିଜୁ ବାବୁଙ୍କ ସମୟରେ ନବୀନ ନିବାସ ଥିଲା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଏକ ସାଧାରଣ ଘର । ନବୀନ ବାବୁ ଏହାର ବ୍ୟତିକ୍ରମ । ନବୀନ ବାବୁଙ୍କ ବ୍ୟକ୍ତିଗତ ଜୀବନ ଏବଂ ରାଜନୈତିକ ଜୀବନ ସମୂର୍ଣ୍ଣ ଭାବରେ ଅଲଗା । ନବୀନ ବାବୁଙ୍କ ବ୍ୟକ୍ତିଗତ ବନ୍ଧୁଙ୍କ ସଂଖ୍ୟା ଅତ୍ୟନ୍ତ ସୀମିତ ।

ରାଜନୀତିରେ ସବୁ ପ୍ରକାର ବିପରୀତ ଗୁଣ ସତ୍ତ୍ୱେ ପଟ୍ଟନାୟକ ପିତା ଓ ପୁତ୍ର ଓଡିଶା ରାଜନୀତିର ସବୁଠୁ ପ୍ରଭାବଶାଳୀ ନିୟାମକ ।