ମରୁଛି ମହାନଦୀ

ମରୁଛି ମହାନଦୀ

ମହାନଦୀର ଅକାତକାତ ପାଣି ସମୁଦ୍ରରେ ନଷ୍ଟ ହୋଇ ଯାଉଛି , ତେଣୁ ଛତିଶଗଡ ସରକାର ଯଦି ବନ୍ଧ ବାନ୍ଧି ମହାନଦୀ ପାଣିକୁ ସଂରକ୍ଷିତ କରୁଛନ୍ତି, ଅସୁବିଧା କଣ ? ଗୋଟେ ସମୟରେ ଯେତେବେଳେ ମହାନଦୀ ଜଳ ବିବାଦକୁ ନେଇ ଓଡିଶା ଏବଂ ଛତିଶଗଡ ଭିତରେ ବିବାଦ ଆରମ୍ଭ ହେଲା, ସେତେବେଳେ ଏମିତି ଏକ ପ୍ରଶ୍ନ ପଚାରୁଥିଲେ, ବିଜେପି ନେତା, କିଛି ସାମ୍ବାଦିକ ଓ  ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅବଶ୍ୟ ସେତେବେଳେ ଛତିଶଗଡରେ ବିଜେପି ସରକାର ଥିଲା ।  ଏ ଯୁକ୍ତି ଆଧାରରେ କଣ ଆମେ ବିଶ୍ଵାସ କରିବା ଯେ ମହାନଦୀର ଟୋପାଏ ମଧ୍ୟ ପାଣି ସମୁଦ୍ରକୁ ଯିବା ଉଚିତ ନୁହଁ ? ଆମ ଜାଣିବାରେ ନଦୀର ପ୍ରବାହ ବିଷୟରେ ସାଧାରଣ ଜ୍ଞାନ ଥିବା ଲୋକଟିଏ ଏମିତି ପ୍ରଶ୍ନ ପଚାରିବ ନାହିଁ।

ମହାନଦୀର ଉପର ମୁଣ୍ଡର ପ୍ରବାହ ବନ୍ଦ ହୋଇଗଲେ ମହାନଦୀର ମୃତ୍ୟୁ ହେବନାହିଁ ବୋଲି ଯେଉଁମାନେ ଭାବୁଥିଲେ, ସେମାନେ ଆଜି ଭୁଲ ପ୍ରମାଣିତ ହୋଇଛନ୍ତି। ଆଗରୁ ଲାଗୁଥିଲା ଯେହେତୁ ହୀରାକୁଦ ତଳକୁ ଭେଡେନ, ଜୀରା, ଅଙ୍ଗ, ସୁକତେଲ, ତେଲ, ବାଘ, ମେହେରୁଣୀ ଭଳି ବଡ ନଦୀ ସବୁ  ମହାନଦୀରେ ମିଶୁଛନ୍ତି, ସେମାନଙ୍କ ଜଳଧାରା ହୁଏତ ମହାନଦୀକୁ ଚିରସ୍ରୋତା କରିରଖିବସେ ଆଶା ଆଜି ମଉଳି ଯାଇଛି। ମହାନଦୀର ମୁଖ୍ୟ ସ୍ରୋତର ପ୍ରଭାବ ଏହାର ଉପନଦୀ ଗୁଡିକ ଉପରେ ମଧ୍ୟ ପଡୁଛି। ବନ୍ୟା ଜଳକୁ ଆଧାର କରି ସୃଷ୍ଟି ହୋଇଥିବା ମହାନଦୀ ଭଳି ବଡ ନଦୀର ପ୍ରାକୃତିକ ପ୍ରବାହ କୁ ଅଟକାଇବାର ଅନ୍ତିମ ପରିଣତି ହେବ ମହାନଦୀର ମୃତ୍ୟୁ। ଏକଥା ଆମ ପଣ୍ଡିତ ମାନେ ବୋଧେ ବୁଝିପାରୁନାହାନ୍ତି। ସେମାନେ ଛତିଶଗଡର ବନ୍ଧ ବାନ୍ଧିବା ପ୍ରକ୍ରିୟାକୁ ବିକାଶ ବୋଲି ଭାବି ଏଠି ଓଡିଶା ସରକାରଙ୍କୁ ଗାଳି ଦେଇ ଚାଲିଛନ୍ତି। ମହାନଦୀକୁ ଦେଖିନଥିବା ଓ ତାର ଭୌଗୋଳିକ ଅବସ୍ଥିତି ବିଷୟରେ ଅବଗତ ନଥିବା ଲୋକମାନେ ଏ ପ୍ରକାର ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି।

ମନେକରନ୍ତୁ, ହୀରାକୁଦ ପରେ ମହାନଦୀର ପ୍ରବାହକୁ ଉପଯୋଗ କରିବା ଲାଗି କେତୋଟି ବ୍ୟାରେଜ ନିର୍ମାଣ କରାଯିବ, ସେଥିରେ ମହାନଦୀର ମୃତ୍ୟୁକୁ ଅଟକେଇ ହେବ କି ? କୃତ୍ରିମ ବନ୍ଧ ସହାୟତାରେ ଜଳ ସଂରକ୍ଷଣ ନଦୀର ସବୁଠୁ ବଡ କ୍ଷତି ଘଟାଏ ବୋଲି ଆମେ ବୋଧେ ଜାଣିନାହୁଁ। ହୀରାକୁଦ ପରେ ମହାନଦୀର ଉଭୟ ପାର୍ଶ୍ଵରେ ଘଞ୍ଚ ଜନବସତି ରହିଛି, ତେଣୁ ହିରାକୁଦରୁ ଟିକରପଡା ଭିତରେ ଯେଉଁଠି ବନ୍ଧ ବାନ୍ଧିଲେ ମଧ୍ୟ ପଶ୍ଚିମ ଓଡିଶାର ଏକ ବଡ ଅଞ୍ଚଳ ସବୁଦିନ ଲାଗି ବୁଡିଯିବ। ପଶ୍ଚିମ ଓଡିଶାକୁ ବୁଡାଇ ମହାନଦୀର ୫୧% ଜଳ ସଂରକ୍ଷଣ କଥା ଉଠାଇବା ପଛରେ କେଉଁ ମାନସିକତା ରହିଛି, ସେକଥା ଆମେ ସହଜରେ ବୁଝି ପାରୁଛୁ। ଅତୀତରେ ଯେତେବେଳେ ବି ମଣିଭଦ୍ରା ବା ଟିକରପଡା ପ୍ରକଳ୍ପ କଥା ଉଠିଛି, ତା ବିରୋଧରେ ପଶ୍ଚିମ ଓଡିଶାରେ ତୀବ୍ର ଆନ୍ଦୋଳନ ହୋଇଛି। ଆଜି ଯଦି ପୁଣି ସେକଥା ଉଠେ, ଆନ୍ଦୋଳନ ପୁଣି ତୀବ୍ର ହେବ ଓ ଏହା ଓଡିଶାରେ ରାଜନୈତିକ ବିଭାଜନର ବିଷମଞ୍ଜି ବୁଣିବ, ଏକଥା ଭୁଲିଯିବା ଉଚିତ ନୁହେଁ। ଏପରିକି ସିଣ୍ଢୋଲ, ଗୋଧନେଶ୍ଵର ଓ କପାସିରା ମଧ୍ୟମ ଜଳ ପ୍ରକଳ୍ପ କୁ ମଧ୍ୟ ସହଜରେ ଗ୍ରହଣ କରିହେବ ନାହିଁ।

ସିଣ୍ଢୋଲ ପ୍ରକଳ୍ପ ହୁମା ଓ ଧମା ସମେତ ସମ୍ବଲପୁର ର ମାନେଶ୍ବର ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିବ। ଗୋଧନେଶ୍ଵର ଓ କପାସିରା ପ୍ରକଳ୍ପ ସୋନପୁର, ବିନିକା ଓ ଉଲୁଣ୍ଡା ଅଞ୍ଚଳର ବହୁ ଜନବସତି ଉଜାଡିଦେବ। ଏ ସବୁ ପ୍ରକଳ୍ପର ଲାଭ ତୁଳନାରେ ବିସ୍ଥାପନ ଜନିତ କ୍ଷତି ବହୁ ପରିମାଣରେ ଅଧିକ। ତେଣୁ ମହାନଦୀର ମୁଖ୍ୟ ପ୍ରବାହ ଉପରେ ବନ୍ଧ ବାନ୍ଧିବାର ଅର୍ଥ ହେଉଛି, ଓଡ଼ିଶାକୁ ଫାଳ ଫାଳ କରିବାର ଯୋଜନା କରିବା। ମହାନଦୀ ଓଡିଶାକୁ ଏକସୂତ୍ରରେ ଯୋଡିଛି, ସେଥିରେ ବନ୍ଧ ବାନ୍ଧି ଏହି ଏକତା କୁ ଭାଙ୍ଗିବାଲାଗି ଉଦ୍ୟମ ହେଲେ ତାହାର ପରିଣତି ଭୟାବହ ହେବ। ତେବେ ମହାନଦୀର ଉପନଦୀ ଗୁଡିକରେ ଛୋଟ ଛୋଟ ବନ୍ଧ ନିର୍ମାଣ ଚାଲିଛି । ତେବେ ପ୍ରତିଟି କୃତ୍ରିମ ବନ୍ଧ ଗୋଟେ ନଦୀର ଆୟୁଷକୁ କ୍ଷୁଣ୍ଣ କରିଥାଏ । ଲୋଅର ଇନ୍ଦ୍ରାବତୀ ଓ ଲୋଅର ସୁକତେଲ ପ୍ରକଳ୍ପ ଫଳରେ ହାତୀ ନଦୀ ଓ ତେଲ ନଦୀର ଜଳ ପ୍ରବାହ ଅତ୍ୟନ୍ତ ଅନିୟମିତ ଓ ବିପଦ ସଙ୍କୁଳ ହୋଇପଡିଛି। ଅଙ୍ଗ ଓ ତେଲ ନଦୀ ଉପରେ ଯେଉଁ କେତୋଟି ଜଳ ପ୍ରକଳ୍ପ କରାଯାଇଛି, ସେଗୁଡିକର ସଂପ୍ରସାରଣ ହୁଏତ ଆଜିର ଆବଶ୍ୟକତା କୁ କିଛି ମାତ୍ରାରେ ପୂରଣ କରିପାରିବ।

ଆଜି ଯେଉଁମାନେ ମହାନଦୀରେ ଯଥେଷ୍ଟ ପାଣି ରହିଛି ବୋଲି ଚିତ୍କାର କରୁଛନ୍ତି ସେମାନେ ମହାନଦୀର ଶ୍ରୀହୀନ ରୂପ ବୋଧେ ଦେଖିପାରୁନାହାନ୍ତି। ଏକଦା ବିନିକା ସହର ତଳକୁ ବିନିକେଇ ଦରହ (ପଶ୍ଚିମ ଓଡିଶାରେ ଗଣ୍ଡ କୁ ଦରହ ବୋଲି କୁହାଯାଏ) ଓ ସୋନପୁର ସହରର ଲଙ୍କେଶ୍ଵରୀ ଦରହରେ ଖରା ଦିନରେ ମଧ୍ୟ ଅତିକମରେ ୧୦୦ ମିଟର ଗଭୀର ପାଣି ରହୁଥିଲା। ଆଜି ସେଠି ମହାନଦୀର ଜଳସ୍ତର ଅତ୍ୟନ୍ତ ଦୟନୀୟ ସ୍ତରକୁ ଖସି ଆସିଛି। ସେ ବିଷୟରେ ବିଜେପି ନେତା, କୁହାଳିଆ ସାମ୍ବାଦିକ ବା ପ୍ରଧାନମନ୍ତ୍ରୀ ବୋଧେ କିଛି ଜାଣନ୍ତି ନାହିଁ।

ଆଜି ଆମ ଲାଗି ରାଜନୀତି ବଡ ଚିନ୍ତାର ବିଷୟ ନୁହେଁ। ମହାନଦୀର ରାଜନୀତିରୁ କିଏ ଫାଇଦା ପାଇବ ବା କିଏ କ୍ଷତି ସହିବ, ସେକଥା ଭାବିବାକୁ ଆହୁରି ଅନେକ ଅବସର ଅଛି। ଆଜିର ପ୍ରଥମ ଚିନ୍ତା ଓ ଉଦବେଗର ବିଷୟ ହେଉଛି, ମହାନଦୀର ଜୀବନ। ମହାନଦୀକୁ ମାରିଦେବା କିମ୍ବା ଏହାର କୁଳକୁ ବୁଡାଇଦେବାର କୁଳବୁଡା ରାଜନୀତି କରୁଥିବା ଲୋକଙ୍କୁ ଆମକୁ ଜବାବ ଦେବାକୁ ପଡିବ।