ଲୁହରେ ବତୁରା କବିତା "କେଶବ କୋଇଲି"-୧

ଲୁହରେ ବତୁରା କବିତା "କେଶବ କୋଇଲି"-୧

*ଲୁହରେ ବୁତୁରା କବିତା "କେଶବ କୋଇଲି"*
(

ଲୁହ ହିଁ ମଣିଷର ପ୍ରଥମ ଆତ୍ମପ୍ରକାଶ ....... ।

ସଂଜ ହେଲେ ବରିହା ଘର ସଜନା ଗଛ ଡାଳରେ ଫଳେ ଗୋଲ୍ ଜହ୍ନ । ଦିନଯାକର ଜଞ୍ଜାଳ ପରେ ଆକାଶସାରା ଘୋଟିଯାଇଥିବା ଅନ୍ଧାର ଭିତରେ ମୁଁ ମାଆର ପଣତ ଖୋଜେ । ଆହାଃ, ମାଆ କୋଳରେ ରାତି କେତେ ସ୍ବପ୍ନମୟ । କେତେକେତେ ରାଜକୁମାର ରାଜକୁମାରୀ ପ୍ରଣୟର ପଥ ଦେଇ ଓହ୍ଲାଇ ଆସୁଥାନ୍ତି , କେତେକେତେ ବୁଢ଼ୀ ଅସୁରୁଣୀ ନିଜ ଜୀବନର ଗୋପନ ରହସ୍ୟ ଉନ୍ମୋଚନ କରି ଛଟପଟ ହୋଇ ମରୁଥାନ୍ତି ତାର ହିସାବ ନଥାଏ । ଦିନେ ଦିନେ  ସଂସାରର ବାରମିଶା କୋଳାହଳରେ ମାଁ ମୋର ନୀରବି ଯାଇଥାଏ । ଦୀର୍ଘଶ୍ବାସର ଅଜସ୍ର କୁହୁଡିରେ ପହଁରି ପହଁରି ଓଦା ସରସର ହେଲାପରି ଦିଶୁଥାଏ । ଦୁନିଆର ସବୁଯାକ ଘନୀଭୂତ କାରୁଣ୍ୟଠୁଳ ହେଲା ପରି ତା ଆଖିର ବେଗମତୀ ନଈ ଉଛୁଳୁଥାଏ । ସେତେବେଳେ ସେ ଗୋଟେ ଗୀତ ଗାଏ ...ଲୁହରେ ବୁତୁରା ଗୋଟେ କବିତା । ଫେରି ନଥିବା ଗୋଟେ ପୁଅ ପାଇଁ ମାଁର ଆକୁଳତାର କବିତା ...


'କୋଇଲି ଲୋ କେଶବ ଯେ ମଥୁରାକୁ ଗଲା                

କାହାବଳେ ଗଲାପୁତ୍ର ବାହୁଡି ନଇଲା ,ଲୋ କୋଇଲି        

କୋଇଲି ଲୋ ,ଖଣ୍ତ କ୍ଷୀର ଦେବି ମୁଁ କାହାକୁ                  

ଖାଇବାର ପୁତ୍ର ଗଲା ମଥୁରା ପୁରକୁ ,ଲୋ କୋଇଲି

ମାଆର ଉଦାସ ଉଦାସ ସ୍ବରରେ ଗୋଟେ ନିଶାଥାଏ । ସେ ନିଶାରେ ମାତାଲ୍ ହୋଇ ଫି'ଥର ମୁ ସୋଇପଡେ । ଜାଣେନା ନିଦର ଗହଳ ମାଣ୍ତିଆ କିଆରୀରେ ଶୋଇବା ପୂର୍ବରୁ ମା ଆଖିର ଉଛୁଳା ନଈ କେତେଥର ଅତଡା ଭାଙ୍ଗିଥିବ , କେତେଥର ସେଇ ନଈର ଲୁହ ମୋ ଓଠକୁ ଭିଜେଇଥିବ ।
କେତେଥର ଅନାଗତ ଜୀବନକୁ ନେଇ ସେ ଆତଙ୍କିତ ହୋଇଥିବ, ମଥୁରା ନଗରୀ ନାଁ ଶୁଣି ଭୟରେ ତାଳବରଡା ପରି ଥରିଥିବ , ଜାଣେନା । ଶୋକର ଦରବାରରେ ଅସହାୟ ପ୍ରାର୍ଥନୀ ଟେ ପରି କାକୁସ୍ଥ ଚାହାଣିରେ ଚିରକାଳ ଚାହିଁଥାଏ କାହାପାଇଁ ତା ବି ଜାଣେନା....


ମୋର ପିଲାଦିନ ବିତିଛି  ପୁତ୍ରବିଧୂରା ମାଆର ଦୁଃଖଦୋହା ଶୁଣିଶୁଣି । ମୁଁ ଏବେ ଜଣେ ସାହିତ୍ୟର ଛାତ୍ର । ମୁ ଜାଣେ କେଶବ କୋଇଲି କବିତାକୁ ନେଇ ଅନେକ ସାହିତ୍ୟିକ ସୁତ୍ର । ପୁଣି ଲେଖକଙ୍କ ପରିଚୟକୁ ନେଇ ରହିଥିବ ଅନେକ ଐତିହାସିକ ତତ୍ତ୍ବ । କିନ୍ତୁ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢିଥିବା ମୋ ମାଁ ଯାହା ଶିଖିଛି ସେତକ ଏ ଯାଏଁ ପାରିନି । ସେ ଶିଖିଛି କବିତାରେ ବୁତୁରିଯିବାର , କବିତାରେ ମରମକୁ ନେସି ଦେବାର , ଶବ୍ଦର ନାଡି ଚିପି ଅକଳନୀୟ ବେଦନାକୁ ଅନୁଭବ କରିବାର କଳା । ଜୀବନ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ ମୋ ମାଁ ,ମୋର ସମସ୍ତ ଅଧ୍ୟୟନର ଅହମିକାର ନିଆଁକୁ ତା ଲୁହର କାକର ପଣରେ ଥଣ୍ତା କରିଦିଏ ।

କୃଷ୍ଣ ବିହୁନେ ଶୋଭାହୀନ ଦିଶୁଥିବା ଗୋପପୁର ଓ କପଟି ଅସୁରଙ୍କ ମଥୁରା ନଗର ମଝିରେ ବୋହୁଥିବା ଯମୁନାର ବାତ୍ସଲ୍ୟ ଭରା ସୁଅ ପରି ମାଁ ମୋର ବୋହିଯାଉଥାଏ । ପର ଦୁଃଖରେ ନିଜ ଦୁଃଖ ମିଶାଇ ଜୀବନର ଗୀତ ଗାଇ ଚାଲିଥାଏ  । 

ସତ କହିବାକୁ ଗଲେ ଲୁହ ମଣିଷର ଅନ୍ତିମ ପରିପ୍ରକାଶ ମଧ୍ୟ .....।