କ୍ରୀସ୍ମାସ
ଜନ୍ ହାମିଲଟନ୍ ଶୂନ୍ୟକୁ ଚାହିଁ ହତାଶାର ଏକ ଦୀର୍ଘ ନିଃଶ୍ୱାସ ମରିଲେ । ଆଜି ଡିସେମ୍ବର ପଚିଶ । କ୍ରୀସ୍ମାସ ଡେ । ଏଇ ଦିନଟିକୁ ସେ କେତେ ଆନନ୍ଦର ମହୋତ୍ସବ ମଧ୍ୟରେ ଉପଭୋଗ କରି ଆସୁଥିଲେ । କିନ୍ତୁ ବିଗତ କିଛି ବର୍ଷ ହେଲା ସବୁ ଓଲଟ ପାଲଟ ହୋଇଯାଇଛି ।
ରେଳବାଇ କଲୋନୀଠାରୁ ଅଳ୍ପ ଦୂରର ଆଂଲୋଇଣ୍ଡିଆନ୍ ବସ୍ତିର ଏକଦା ସଂଭ୍ରାନ୍ତ ବାସିନ୍ଦା ଜନ୍ ହାମିଲ୍ଟନ୍ ଆଜି ନିଜକୁ ଏକାନ୍ତ ଅସହାୟ ମନେକରୁଥିଲେ । କ୍ରୀସ୍ମାସ ଦିନର ଆନନ୍ଦରେ ସେ ଶିହରି ଉଠିବା ପରିବର୍ତ୍ତେ ବିଷାଦଗ୍ରସ୍ତ ହୋଇ ଉଠୁଥିଲେ । ବହୁ ଶତାବ୍ଦୀ ବ୍ୟାପୀ ତାରୁଣ୍ୟର ସବୁଜିମାରେ ଭରପୂର ହୋଇ ସାରାବିଶ୍ୱରେ ଆନନ୍ଦ ଉଲ୍ଲାସରେ ଢେଉ ଖେଳାଉଥିବା ବେଳେ, ଜନ୍ ହାମିଲିଟନ୍ଙ୍କ ହୃଦୟରେ ଏକ ଭୟପ୍ରଦ ଶିହରଣ ସୃଷ୍ଟି କରୁଥିଲା ।
ସତୁରି ବର୍ଷ ବୟସ୍କ ବୃଦ୍ଧ, ଜନ୍ ହାମିଲଟନ୍ ଭଙ୍ଗା ଇଜି-ଚେୟାରଟି ଉପରେ ବସି, ଶୂନ୍ୟ ଦୃଷ୍ଟିରେ ବାରମ୍ବାର ଆକାଶକୁ ଚାହୁଁଥିଲେ ଓ ଦୀର୍ଘଶ୍ୱାସ ଛାଡୁଥିଲେ ।
ଶୈଶବରୁ ସେ ଏଇ ଦିନଟିକୁ କେତେ ଆନନ୍ଦ ଉତ୍ସବରେ କଟାଇ ଆସୁ ନଥିଲେ ସତେ! ବର୍ଷସାରା ଏଇ ଶୁଭଦିନଟିର ପ୍ରତୀକ୍ଷା, ମନର ଆନନ୍ଦ ଉଦ୍ଦୀପନାକୁ କେବେହେଲେ କ୍ଲାନ୍ତକରି ତୋଳୁ ନଥିଲା । ଇଂରେଜ ଜନକ ଓ ଦକ୍ଷିଣ ଭାରତୀୟ ଜନନୀଙ୍କର ଏକମାତ୍ର ସନ୍ତାନ ଜନ୍ ହାମିଲଟନ୍ । ପିତା ରିଚାର୍ଡ ଥିଲେ ରେଳବାଇରେ ଗାର୍ଡ ସାହେବ । ରିଚିାର୍ଡଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା ୱାଲଟିୟରରେ । ସେଇଠାରେ ହିଁ ମେରୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ମେରୀ ଥିଲେ ଜଣେ ଦକ୍ଷିଣ ଭାରତୀୟ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକଙ୍କ ଭଉଣୀ । ଚର୍ଚ୍ଚରେ ମେରୀଙ୍କୁ ଦେଖିବା ପରେ ରିଚାର୍ଡ ତାଙ୍କପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ ଓ ପରେ ବିବାହ କରିଥିଲେ । ସେହି ସୁଖୀ ଦାମ୍ପତ୍ୟ ଜୀବନର ଏକମାତ୍ର ସନ୍ତକ ଜନ୍ ହାମିଲଟନ୍ ।
ଜନ୍ ହାମିଲଟନ୍ଙ୍କ ଦେହର ରଙ୍ଗ ସମ୍ପୂର୍ଣ୍ଣ ସାହେବୀ ନହେଲେ ମଧ୍ୟ ତାଙ୍କର ବାଳ କହରା ଓ ଆଖି ଦୁଇଟି ଚିଲା । ମା’ ମେରୀ ସବୁବେଳେ ତାଙ୍କୁ କହନ୍ତି ସେ ହେଉଛନ୍ତି ରିଚାର୍ଡଙ୍କର ଅବିକଳ କାର୍ବନ କପି ।
ୱାଲଟିୟରରୁ ଖୋର୍ଦ୍ଧାରୋଡ଼କୁ ବଦଳିହୋଇ ଆସିବାପରେ ରିଚାର୍ଡ ରେଳବାଇ କଲୋନୀ ପାଖରେ ଥିବା ଆଂଲୋଇଣ୍ଡିଆନ୍ ବସ୍ତିରେ ଘରଟିଏ ତିଆରି କରି ରହିଥିଲେ । ଅବସର ପରେ ଏହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମା’ ମେରୀ ଅବଶ୍ୟ ତା’ର କିଛି ବର୍ଷ ପୂର୍ବରୁ ସ୍ୱର୍ଗାରୋହଣ କରିଥିଲେ । ରିଚାର୍ଡଙ୍କ ରିଟାୟରମେଣ୍ଟ ପୂର୍ବରୁ ଅବଶ୍ୟ ଜନ୍ ହାମିଲଟନ୍ ରେଳବାଇରେ ଗାର୍ଡ ଚାକିରିରେ ଭର୍ତ୍ତି ହୋଇ ଯାଇଥିଲେ ।
ଆଜି କ୍ରୀସ୍ମାସ ଦିନରେ, ରେଳବାଇର ଅବସରପ୍ରାପ୍ତ ଗାର୍ଡ ସାହେବ ଜନ୍ ହାମିଲଟନ୍ଙ୍କର ପିଲାଦିନ କଥା ମନେପଡୁଥିଲା । ସେହି ସ୍ନେହମୟ ପିତା ରିଚାର୍ଡ ଓ ଜନନୀ ମେରୀଙ୍କ ସ୍ମୃତି ତାଙ୍କୁ କିମିତି ଅସହାୟ କରି ପକାଉଥିଲା ।
ରିଚାର୍ଡ ଓ ମେରୀଙ୍କ ଏକମାତ୍ର ସନ୍ତାନ ଜନ୍ ହାମିଲଟନ୍ ପିଲାଦିନରୁ କେତେ ଅୟସ ଭିତରେ ବଢ଼ିଥିଲେ । ରେଲ୍ଗାଡ଼ିର ଗାର୍ଡ ସାହେବ ରିଚାର୍ଡଙ୍କର ଆର୍ଥିକ ସ୍ଥିତି ଓ ପ୍ରତିପତ୍ତି ଯୋଗୁ ଆଂଲୋଇଣ୍ଡିଆନ୍ ବସ୍ତିରେ ତାଙ୍କ ପରିବାର ସର୍ବାପେକ୍ଷା ଅଧିକ ସମ୍ମାନର ଅଧିକାରୀ ଥିଲା । ପ୍ରତି କ୍ରୀସ୍ମାସର ଦଶଦିନ ଆଗରୁ ଓ ‘ନଉଇୟର୍ସ ଡେ’ ର ଦଶଦିନ ପର୍ଯ୍ୟନ୍ତ ତାଙ୍କ ଘର ଆନନ୍ଦ, ଉଲ୍ଲାସ ଓ ଭୋଜିଭାତର ଧୁମ୍ଧାମ୍ ଭିତରେ ମୁଖରିତ ହୋଇଉଠୁଥିଲା । ରାତି ରାତି ଧରି ବାପାଙ୍କର ବନ୍ଧୁ ଓ ସେମାନଙ୍କ ସହଧର୍ମିଣୀମାନେ, ରେକର୍ଡ ସଙ୍ଗୀତ ସହ ତାଳଦେଇ ବଲ୍ ନାଚ କରି ବିତାଇ ଦେଉଥିଲେ । ଅଜସ୍ର ଉପହାରରେ ଘର ପୂରି ଯାଉଥିଲା ।
କ୍ରୀସ୍ମାସ ଟ୍ରି କରିବାରେ ମେରୀଙ୍କର ଅଦ୍ଭୁତ ଦକ୍ଷତା ଥିଲା, ତେଣୁ ତାଙ୍କ ଘରେ ସେ ଯେଉଁ କ୍ରୀସ୍ମାସ ଟ୍ରି କରୁଥିଲେ ତାହା ବସ୍ତିର ସମସ୍ତଙ୍କ ପ୍ରଶଂସାପୂର୍ଣ୍ଣ ଦୃଷ୍ଟି ଆକର୍ଷଣ କରୁଥିଲା । ... ମେରୀଙ୍କ ମୃତ୍ୟୁପରେ ସବୁ ଅତୀତ ହୋଇଗଲା । ତଥାପି ଏବେ ମଧ୍ୟ କଲୋନୀର ଅନେକ ଲୋକ କ୍ରୀସ୍ମାସ ଦିନ ମେରୀଙ୍କୁ ମନେପକାନ୍ତି ଓ ତାଙ୍କ ଭଳି ଆଉ କେହି ଏତେ ସୁନ୍ଦର କ୍ରୀସମାସ୍ ଟ୍ରି କରିପାରିବେ ନାହିଁ ବୋଲି କହନ୍ତି ।
ଜନ୍ ହାମିଲଟନ୍ ବାରଣ୍ଡା କାନ୍ଥରେ ଟଙ୍ଗା ଯାଇଥିବା ଏକ ପୁରୁଣା ଫଟୋକୁ ଚାହିଁଲେ । କାଚ ଉପରେ ମଳିର ଏକ ତେଲିଆ ଆସ୍ତରଣ ଭିତରୁ ଫୋଟି ଝାପ୍ସା ଦେଖାଯାଉଛି । ବହୁବର୍ଷ ତଳେ କ୍ରୀସ୍ମାସ ଦିନରେ, ତାଙ୍କ ମା’ ତିଆରି କରିଥିବା କ୍ରୀସମାସ ଗଛ ସମ୍ମୁଖରେ ଠିଆ ହୋଇଛନ୍ତି ବାପା, ମା’ ଜନ୍ ହାମିଲଟନ୍ ଓ ଜୁଲି । ଜୁଲି ଜନ୍ଙ୍କ ଧର୍ମପତ୍ନୀ । ବିବାହର ପ୍ରଥମ ବର୍ଷର ଫଟୋ ଏଇଟି । ସେତେବେଳେ ଜନ୍ ହାମିଲଟନ୍ ଓ ଜୁଲି ତାରୁଣ୍ୟର ଜୁଆରରେ ଉବୁଟୁବୁ । ଜନ୍ ହାମିଲଟନଙ୍କ ଭଳି ଇଂରେଜ ପିତା ଓ ଭାରତୀୟ ମାତାଙ୍କର କନ୍ୟା ଜୁଲି । ତାଙ୍କ ଚେହେରା ମାଆଙ୍କ ଭଳି ସୁନ୍ଦର - ପିତାଙ୍କ ଭଳି ସାହେବୀ ରଙ୍ଗର ଦେହ । ଜୁଲି ଭରା ଯୌବନରେ କେତେ ରୋମାଣ୍ଟିକ୍ ଓ ସୁନ୍ଦର ଦେଖା ଯାଉ ନଥିଲେ - ବବ୍କରା କେଶଗୁଛ, ସ୍ଲିମ୍ ଚେହେରା । ଜୁଲିଙ୍କ ଓଠରେ ରାଗ ଓ ଲାଜମିଶା ହସ କି ଚମତ୍କାର ଦେଖାଯାଏ ସତେ! ... ଜନ୍ ହାମିଲଟନ୍ ସ୍ୱପ୍ନାଭିଦ୍ଭୂତ ଭାବରେ ସେଇ ବିରାଟ ଫଟୋଟିକୁ ଚାହିଁ ରହୁଥିଲେ । ଦୀର୍ଘ ବହୁବର୍ଷ ଧରି ଫଟୋଟି ଏହି ନିର୍ଦ୍ଧିଷ୍ଟ ସ୍ଥାନରେ ଟଙ୍ଗା ଯାଇଥିଲେ ମଧ୍ୟ, ତାହା କେବେହେଲେ ଜନ୍ ହାମିଲଟନ୍ଙ୍କୁ ସାମାନ୍ୟତମ ସ୍ୱପ୍ନାଭିଭୂତ କରି ପାରି ନଥିଲା ତ!
ହଠାତ୍ ଜନ୍ ହାମିଲଟନ୍ଙ୍କ ସ୍ୱପ୍ନ ଭଙ୍ଗ କଲେ ପତ୍ନୀ ଜୁଲି । ଏକ ଭଙ୍ଗା କପ୍ରେ ନାଲି ଚା’ ଧରି ଆସି ସ୍ୱାମୀଙ୍କ ହାତକୁ ବଢ଼ାଇ ଦେଲେ ସେ ।
ଜନ୍ ହାମିଲଟନ୍ ତନ୍ଦ୍ରାଳୁ ଆଖିରେ ଜୁଲିକୁ ଚାହିଁଲେ । ସେଇ ଫଟୋର ଜୁଲି ଆଉ ଏଇ ଜୁଲିଙ୍କ ଭିତରେ କେତେ ତଫାତ୍ ସତେ । ବୟସ, ଅସ୍ୱାଭାବିକ ଭାବରେ ଜୁଲିଙ୍କ ଶରୀରର ମେଦ ବୃଦ୍ଧି ଘଟାଇ ଦେଇଥିଲା ଓ ଏକଦା ବଲ ନୃତ୍ୟରେ ପାରଙ୍ଗମା ରୂପେ ସମଗ୍ର ଆଂଲୋଇଣ୍ଡିଆନ କଲୋନୀର ଖ୍ୟାତି ଅର୍ଜନ କରିଥିବା ଜୁଲିଙ୍କ ବାମଆଣଣ୍ଠୁ ର୍ୟୁମାଯିକ୍ ଆର୍ଥରାଇଟିସ୍ରେ ଆକ୍ରାନ୍ତ ହେବା ପରଠୁ ସେ ଛୋଟେଇ ଛୋଟେଇ ଚାଲୁଥିଲେ । ଜୁଲିଙ୍କ ଆଖିରେ ସେଇ ପ୍ରଗଳ୍ଭତା ଆଉ ନାହିଁ । ତା’ର ଫ୍ରେମର ଏକ ଶସ୍ତା ଚଷମାର ମୋଟା କାଚତଳୁ ତାଙ୍କ ଆଖି ଗୁଡ଼ିକ କିମିତି ଢିମା ଢିମା ବିକୃତ ଦେଖାଯାଉଛି ।
ଜନ୍ ହାମିଲ୍ଟନ୍ ଜୁଲିଙ୍କ ହାତରୁ ଚା’ କପ୍ଟି ନେଲେ । କପ୍ଟିର ଦୁଇଟି ସ୍ଥାନରେ ଫଟା ଦାଗ ଓ ମଙ୍ଗଟିର ଗୋଟିଏ ଗୋଟିଏ ଅଂଶ ଭାଙ୍ଗି ଯାଇଛି । ଇଂଲଣ୍ଡରୁ ଭାରତ ଭ୍ରମଣରେ ଆସିଥିବା ବାପାଙ୍କର ଫାଷ୍ଟ କଜିନ୍ ବହୁବର୍ଷ ତଳେ ଜନ୍ ହାମିଲଟନ୍ଙ୍କୁ ଗୋଟିଏ ଚାଇନିଜ୍ ଟି-ସେଟ୍ ଉପହାର ଦେଇଥିଲେ । ସବୁ ଭାଙ୍ଗି ଭାଙ୍ଗି ଏଇ ଗୋଟିଏ ଅଛି । ଏମିତି ଚାଇନିଜ୍ ଟି କପ୍ ଭାରତର କେଉଁ ରାଜା ମହାରାଜା ବା ନିଜାମ୍ଙ୍କ ଘର ବ୍ୟତୀତ ଆଉ କେଉଁଠି ଥିବ କି ନା ସନ୍ଦେହ । ତା’ ଉପରେ ଅଙ୍କା ଯାଇଥିବା ନୀଳ ବର୍ଣ୍ଣର ଡ୍ରାଗନ୍ର ରକ୍ତିମ ଆଖି ଓ ଜିହ୍ୱାକୁ କିଛି ସମୟ ନିରୀକ୍ଷଣ କରିବା ପରେ ଜନ ହାମିଲଟନ୍ ଚା’ର ଏକ ଲୁଣିଆ ସ୍ୱାଦୁ ଅନୁଭବ କଲେ । କିନ୍ତୁ ସେ କିଛି ନ କହି ଜୁଲିଙ୍କ ମୁହଁକୁ ଚାହିଁଲେ ।
ଜୁଲି ହୁଏତ ତାଙ୍କ ଚାହାଣୀର ଅର୍ଥ ବୁଝିପାରି କହିଲେ, ‘ଘରେ ଚିନି ନାହିଁ ।’
ଜନ୍ ହାମିଲଟନ୍ ତାଙ୍କର ଦି’ଧାଡ଼ି ନକଲି ଦାନ୍ତ ଦେଖାଇ କହିଲେ, ‘ଠିକ୍ ଅଛି ।.... ଦିସ୍ ଇଜ୍ ଫାଇନ୍ । ୟା’ର ମଧ୍ୟ ଏକ ସୁନ୍ଦର ସ୍ୱାଦ ଅଛି ।’
ପାଖରେ ପଡ଼ିଥିବା ଟୁଲ୍ଟି ଉପରେ ବସିପଡ଼ି ଜୁଲି କହିଲେ, ‘ତମେ କ’ଣ ଭୁଲି ଯାଇଛ, ଆଜି ପରା କ୍ରୀସ୍ମାସ ଡେ ।’
ଜନ୍ ହାମିଲଟନ୍ ଶୂନ୍ୟତାର ଆଖିରେ ଜୁଲିଙ୍କୁ ଚାହିଁଲେ । କ୍ରୀସ୍ମାସ ଚିର ସବୁଜ । ସେ ଜୁଲିଙ୍କ ଭଳି କେବେ ବୁଢ଼ୀ ହୁଏନା । ସେଇ ଫଟୋର ଜୁଲି ଆଉ ତାଙ୍କ ସାମ୍ନାରେ ବସିଥିବା ଜୁଲିଙ୍କ ମଧ୍ୟରେ କେତେ ପାର୍ଥକ୍ୟ । ତାଙ୍କ ଜୀବନରେ ସେଇ କ୍ରୀସ୍ମାସ ଓ ଆଜିର କ୍ରୀସ୍ମାସ୍ ଭିତରେ ସିମିତି ଅନେକ ପାର୍ଥକ୍ୟ । ସେ ଆଜି ନିଃସ୍ୱ । ଅସହାୟ ବୃଦ୍ଧ । ସାନ୍ତାକ୍ଲାଉସ୍ ଭଳି ସେ ତ ଚିର ବସନ୍ତମୟ ବୃଦ୍ଧ ନୁହନ୍ତି, ଯେ କି ଥଳିରୁ ନାନା ଉପହାର ବାହାର କରି ଦେଇ ପାରିବେ!
ସ୍ୱାମୀ ନିରୁତ୍ତର ରହିବା ଦେଖି ଜୁଲି ପୁନର୍ବାର କହିଲେ, ‘ଠିକ୍ ଅଛି ମୁଁ ଜାଣେ ଆଜି କ୍ରୀସ୍ମାସ ଡେ’ । ତା’ପରେ ସେ ସାମ୍ନା ରାସ୍ତାକୁ ଚାହିଁଲେ ।
ରାସ୍ତା ଉପରେ ଦେଇ ତାଙ୍କର ବଡ଼ ପୁଅ ଷ୍ଟିଫେନ୍ ଓ ତା ସ୍ତ୍ରୀ ବିନିତା ଯାଉଛନ୍ତି । ହାତରେ ତାଙ୍କର ଅନେକଗୁଡ଼ିଏ ପୁଡ଼ିଆ । ଆଜି ଭୋଜିଭାତର ମଉଜ ମଉଲିସ୍ ପାଇଁ ସେମାନେ ହୁଏତ ବଜାରରୁ ଏସବୁ କିଣି ଫେରୁଛନ୍ତି ।
ଷ୍ଟିଫେନ୍ ରେଳବାଇରେ ଟିକେଟ୍ କଲେକ୍ଟର । ପିଲାଦିନରୁ କୁସଙ୍ଗରେ ପଡ଼ି ପ୍ରଚୁର ମଦ୍ୟପାନ ଓ ବେଶ୍ୟାସକ୍ତ ହୋଇ, ପରିଶେଷରେ ଗୋଟାଏ ଅଜ୍ଞାତକୁଳଶୀଳା ବେଶ୍ୟାକୁ ବିବାହ କଲା । ତା’ ନାଁ ବିନିତା । ଷ୍ଟିଫେନ୍କୁ ବାହାହେଲା ପରେ ସେ ହେଲା ବିଉଟି ହ୍ୟାମିଲ୍ଟନ । ହୁଁଃ ... ସେଇଟାକୁ ବିଉଟି ବୋଲି ଡାକିବା ଅର୍ଥ ବିଉଟି ଶବ୍ଦଟିର ଅପବ୍ୟବହାର କରିବା! ... ବିବାହ ପରେ ଷ୍ଟିଫେନ୍ ରେଳବାଇ କଲୋନୀରେ କ୍ୱାର୍ଟର ପାଇ ଚାଲିଗଲା । ସେଇଦିନଠୁ ସେ ବାପା ମା’ଙ୍କୁ ପଚାରେନା । ସେମାନେ ବଞ୍ôଚଛନ୍ତି କି ମଲେଣି ସେ ଖବର ରଖେନା ଷ୍ଟିଫେନ୍ ।
ଷ୍ଟିଫେନ୍ ପରେ ପରେ ଅନ୍ୟ ଦୁଇ ପୁଅ, ଉଇଲିୟମ୍ ଓ ବରର୍ଟ ମଧ୍ୟ ଘରୁ ଚାଲିଗଲେ । ସେମାନେ ଏଇ ପାଖ ରେଳବାଇ କଲୋନୀରେ ନିଜ ନିଜର ସ୍ତ୍ରୀ ଓ ଛୁଅମାନଙ୍କ ସହ ରହନ୍ତି । କିନ୍ତୁ ଯେଉଁ ବାପା ସେମାନଙ୍କୁ ପାଠଶାଠ ପଢ଼ାଇ ମଣିଷ କରିବାଠାରୁ ଆରମ୍ଭ କରି, ଚାକିରିରେ ଭର୍ତ୍ତି କରିବା ପର୍ଯ୍ୟନ୍ତ ସବୁକିଛି କରିଥିଲେ ତାଙ୍କୁ ଘୂଣାକ୍ଷରରେ ମଧ୍ୟ ପଚାରନ୍ତି ନାହିଁ । ବରଂ କେଉଁଠି କହନ୍ତି ବାପା ଗୋଟାଏ ଇଣ୍ଡିଆନ୍ ଲେଡ଼ିକୁ ବାହା ହୋଇ ଏଠି ରହିଯିବା ଯୋଗୁ, ସେମାନଙ୍କର ଭବିଷ୍ୟତକୁ ସେ ମର୍ଡର କରି ଦେଇଛନ୍ତି । ତା’ ନ ହୋଇଥିଲେ ସେମାନେ ଇଂଲଣ୍ଡର କେଉଁ ସହରରେ ବସବାସ କରି ଆରାମରେ ଥାଆନ୍ତେ ।
ପିଲାମାନେ ଜୀବନରେ ଇଂଲଣ୍ଡ ଦେଖିବାର ସ୍ୱପ୍ନରୁ ବଞ୍ôଚତ ହେବା ଯୋଗୁଁ କ୍ଷୁବ୍ଧ ଓ ଅନୁତପ୍ତ । ଜନ୍ ହାମିଲଟନ୍ କିନ୍ତୁ ଏଥିଲାଗି ସାମାନ୍ୟତମ ଅନୁତପ୍ତ ନୁହଁନ୍ତି । ସେ ବାପା, ମା’ଙ୍କ ସହ ବାଲ୍ୟାବସ୍ଥାରେ ବହୁବାର ଇଂଲଣ୍ଡ ଯାଇଛନ୍ତି । କିନ୍ତୁ ସେଠାକାର କୃତ୍ରିମ ସଭ୍ୟତା ତାଙ୍କୁ ସାମାନ୍ୟମାତ୍ର ଆକୃଷ୍ଟ କରିପାରି ନାହିଁ । ସେଠି ସବୁ କିଛି ର ପ୍ରାଚୁର୍ଯ୍ୟ ଭିତରେ ଲୋକମାନେ ଶାନ୍ତି ପାଇପାରୁ ନାହାଁନ୍ତି । କିନ୍ତୁ ଭାରତ ମାଟିରେ ସବୁ କିଛିର ଅଭାବ ସତ୍ତ୍ୱେ ଅଛି ପର୍ଯ୍ୟାପ୍ତ ଶାନ୍ତି ।
ଜନ୍ ହାମିଲଟନ୍ ଅନ୍ୟମନସ୍କ ହେବାର ଦେଖି, ଜୁଲି ପୁନର୍ବାର ନୀରବତା ଭାଙ୍ଗି କହିଲେ, “ଏଣିକି ମୁଁ ତ ସବୁବେଳେ ବେମାର ପଡୁଛି! କିଏ ଜାଣେ ଯେ ଏଇଟା ହୁଏତ ମୋ’ ଜୀବନର ଶେଷ କ୍ରୀସ୍ମାସ ନ ହେବ! ଅନେକ ଦିନ ହେଲା ପାଟିରେ ମାଂସ ଟିକିଏ ବାଜିନି । .... ଆଜି ବହୁତ ଇଚ୍ଛା ହେଉଛି । ..... କିନ୍ତୁ ତମ ପାଖରେ ତ ପଇସା ନ ଥିବ ।”
ଗାର୍ଡ ଚାକିରିରୁ ଅବସର ନେବା ପରେ ମାତ୍ର ଶହେ ସତେଇଶ ଟଙ୍କା ପେନ୍ସନ ପାଆନ୍ତି ଜନ୍ ହାମିଲ୍ଟନ୍ । ସେଥିରେ ଦୁଇପ୍ରାଣୀ ଚଳିବେ । ଚାକିରିରେ ଥିବାବେଳେ ଦରମା ଯାହା ମିଳୁଥିଲା, ତା’ର ଦଶଗୁଣ ଉପୁରି । ଏପରି ଏକ ଦିନ ନଥିଲା ଯେଉଁଦିନ ଜନ୍ ହାମିଲ୍ଟନ ଡିଉଟିରୁ ଫେରିବାବେଳେ ତାଙ୍କ ପକେଟରୁ ଅନ୍ୟୁନ ଶହେଟି ଟଙ୍କା ବାହାରୁ ନଥିଲା । ସେତେବେଳେ କେତେ ଟଙ୍କା ଆସୁଥିଲା ଓ କେତେ ଟଙ୍କା ଯାଉଥିଲା ଜନ୍ ହାମିଲଟନ ତା’ର ହିସାବ ରଖୁ ନଥିଲେ ।
କିନ୍ତୁ ବର୍ତ୍ତମାନ ପ୍ରତିଟି ପଇସାର ହିସାବ ରଖି ମାପିଚୁପି ଚଳିବାକୁ ପଡୁଛି । ଅଟା, ଚାଉଳ ଠାରୁ ଆରମ୍ଭ କରି ସବୁ କିଣିବାକୁ ପଡୁଛି । ତା’ ସାଙ୍ଗକୁ ଜୁଲିଙ୍କ କ୍ରମାଗତ ଅସୁସ୍ଥତା ଯୋଗୁଁ ପ୍ରତିମାସରେ ଔଷଧ ବାବଦରେ କିଛି ଟଙ୍କା ଖର୍ଚ୍ଚ ହେଉଛି, ଅବଶ୍ୟ ଏବେ ଜୁଲିଙ୍କୁ ଏଲୋପ୍ୟାଥି ଔଷଧ କିଣିଦେବା ଲାଗି ପଇସା ନ ଥିବାରୁ ସେ ହୋମିଓପ୍ୟାଥିକ୍ ଚିକିତ୍ସାରେ ଅଛନ୍ତି ।
ଜନ୍ ହାମିଲଟନ୍ ଜୁଲିଙ୍କ ମୁହଁକୁ ପୁନର୍ବାର ଚାହିଁଲେ । ରାସ୍ତା ଉପରେ ବଜାର ସଉଦା କରି ଫେରୁଥିବା ଲୋକମାନଙ୍କ ଉପରେ ତାଙ୍କର ଦୃଷ୍ଟି ନିବଦ୍ଧ ଥିଲା । ଅଧିକାଂଶ ହାତରେ ମାଂସଭରା ବ୍ୟାଗ୍ ।
ଜନ୍ ହାମିଲ୍ଟନ୍ ନିଜକୁ ଖୁବ୍ ଅସହାୟ ମନେକଲେ । ତାଙ୍କର ମନେହେଲା ପ୍ରଭୁ ଯୀଶୁ କ୍ରୀସ୍ମାସର ପ୍ରଥମ ସପ୍ତାହରେ ଜନ୍ମ ନ ହୋଇ, ଶେଷ ସପ୍ତାହରେ ଜନ୍ମ ହୋଇ ଗୋଟାଏ ମସ୍ତବଡ଼ ଭୁଲ କରି ପକାଇଛନ୍ତି । ଯୀଶସ୍ ଶେଷ ସପ୍ତାହାରେ ଜନ୍ମ ନ ହୋଇ ପ୍ରଥମ ସପ୍ତାହରେ ଜନ୍ମ ହୋଇଥିଲେ ହୁଏତ ବିଶେଷ କିଛି ଅସୁବିଧା ହୋଇ ନଥା’ନ୍ତା । ସେ ପାଉଥିବା ସ୍ୱଳ୍ପ ପେନସନ୍ ଅର୍ଥରେ ଜୁଲିଙ୍କୁ ମାଂସ ଖୁଆଇ କ୍ରୀସ୍ମାସ ସେଲିବ୍ରେଟ୍ କରିପାରି ଥାଆନ୍ତେ ।
ଜୁଲିଙ୍କ ଉପରୁ ଆଖି ଫେରାଇବାକୁ ଚେଷ୍ଟା କଲେ ସେ, କିନ୍ତୁ ପାରିଲେନି । ଜୁଲିଙ୍କର ଗାଉନ୍ଟି ଅନେକ ସ୍ଥାନରେ ଚିରି ତାଳି ପଡ଼ିଚି । .... ଆଃ ଜୁଲି ବିଚାରୀଃ କେତେ ସଉକରେ ସେ ଜୀବନ ଅତିବାହିତ କରୁ ନଥିଲେ! ହେଲେ ଏଇ ଦାରିଦ୍ର୍ୟ ଲାଗି ଦିନେ ହେଲେ ତ ସେ ଅନୁଶୋଚନା କରି ନାହାନ୍ତି, ବରଂ ସ୍ୱାମୀଙ୍କର ସମସ୍ତ ଦୁଃଖ ଓ ଦୈନ୍ୟକୁ ଭାଗ ବାଣ୍ଟି ନେଇଛନ୍ତି ଆନନ୍ଦରେ ।
ଜନ୍ ହାମିଲ୍ଟନ୍ ଅନୁଭବ କଲେ, ଜୁଲି ବାରମ୍ବାର ଯେମିତି ତାଙ୍କ କାନରେ ଫୁସ୍ ଫୁସ୍ କରି କହୁଛନ୍ତି, “ଏଇଟା ମୋ’ ଜୀବନର ଶେଷ କ୍ରୀସ୍ମାସ୍ ହୋଇପାରେ ଜନ୍ ...... ।”
ଜନ୍ ହାମିଲ୍ଟନ୍ ପକେଟରେ ହାତ ମାରିଲେ । ପ୍ୟାଣ୍ଟର ପକେଟରେ ଗୋଟିଏ ମାତ୍ର ପଚାଶ ପଇସିର ଶୀତଳ ସ୍ପର୍ଶ ସେ ଅନୁଭବ କଲେ । ତଥାପି ହାତକୁ ଫେରାଇ ଆଣିଲେ ନାହିଁ ।
ଏଥର ସେ ଅଚାନକ ଭାବରେ ଉଠି ଠିଆ ହେଲେ ଓ ଜୁଲିଙ୍କୁ କହିଲେ, “ତୁମେ ମାଂସ ରାନ୍ଧିବା ପାଇଁ ମସଲା ମସଲି ଠିକ୍ କର । ମୁଁ ଆସୁଛି ।”
ଜୁଲି ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ, “ତୁମ ପାଖରେ ପଇସା ଯେ ନାହିଁ?”
ଜନ୍ ହାମିଲ୍ଟନ୍ ତାଙ୍କୁ କୌଣସି ଉତ୍ତର ନ ଦେଇ ସେଠାରୁ ଦ୍ରୁତ ପଦକ୍ଷେପରେ ନିଷ୍କ୍ରାନ୍ତ ହେଲେ ଓ କେଇ ପାହୁଣ୍ଡ ପକାଇ ମାଂସ ବିକ୍ରି ହେଉଥିବା ସ୍ଥାନରେ ପହଞ୍ôଚଲେ ।
ଗୋଟାଏ ଗୋଟାଏ ହୋଇ ଅନେକ ଛେଳି ଓ ମେଣ୍ଢାଙ୍କ ଛାଲ ବିହୀନ ଶରୀର ସାମ୍ନାରେ ଝୁଲାଇ ବସିଥିବା ମାଂସ ବିକାଳୀକୁ ନିଃଶ୍ୱାସ ମାରିବା ଲାଗି ଫୁରୁସତ୍ ନାହିଁ । କ୍ରୀସ୍ମାସ୍ ଲାଗି ପ୍ରଚଣ୍ଡ ଭିଡ଼ । କିଲେ, ଦୁଇ କିଲୋ ମାଂସରୁ କେହି କମ୍ ମାଗୁ ନାହାନ୍ତି ଏବଂ ଗୋଟାଏ ମେଣ୍ଢା ଓ ଛେଳି କେଇ ମୁହୂର୍ତ୍ତରେ ନିଃଶେଷ ହୋଇଯାଉଛନ୍ତି ।
ଜନ୍ ହାମିଲ୍ଟନ୍ଙ୍କୁ ଦେଖି ପରିଚିତ ମାଂସ ବିକାଳୀ ଜବର ଖାଁ ପଚାରିଲା “କିତନା ମିଟ୍ ଦେଗା ସାହେବ?”
ଜନ୍ ହାମିଲ୍ଟନ୍ ତା’ ପ୍ରଶ୍ନ ଶୁଣି, ନଶୁଣିବା ଭଳି ଠିଆ ହୋଇ ରହିଲେ । ଜୁଲି ତେଣେ ମାଂସ ରାନ୍ଧିବା ଲାଗି ପ୍ରସ୍ତୁତ ହୋଇଥିବେ ।
ଅନେକ ସମୟ ଅପେକ୍ଷା କରିବା ପରେ ଗହଳି କମିଗଲା ।
ଏଥର ଜନ୍ ହାମିଲ୍ଟନ୍ ମାଂସ ଦୋକାନୀ ପାଖକୁ ଯାଇ ଠିଆ ହେଲେ ଓ ପକେଟ୍ରୁ ପଚାଶ ପଇସିଟି ବାହାର କରି ଧଡକିନା, ତା’ ହାତକୁ ବଢ଼ାଇ ଦେଉ ଦେଉ କହିଲେ, “କୁତ୍ତା କେ ଲିୟେ ମିଟ୍ ଦୋ ମ୍ୟାନ୍ ।”