ରଙ୍ଗ ଓ ରେଖାର ଚିରନ୍ତନ ବିଦ୍ରୋହୀ : ବିଭାନ ସୁନ୍ଦରମ
ଦୁଇ ଦିନ ତଳେ ଚିତ୍ରଶିଳ୍ପୀ ବିଭାନ ସୁନ୍ଦରମ ୭୯ ବର୍ଷ ବୟସରେ ପ୍ରାଣତ୍ୟାଗ କଲାବେଳେ ତାଙ୍କର ୨୫ ଟି ଡ୍ରଇଙ୍ଗକୁ ନେଇ କୋଚିର ପ୍ରସିଦ୍ଧ ବିନାଲେରେ ଏକ ପ୍ରଦର୍ଶନୀ ଚାଲିଛି । କୋଚିକୁ ଯାଇ ବିଭାନଙ୍କ କାମ ଦେଖିବାର ପ୍ରତ୍ୟକ୍ଷ ସୁଯୋଗ ଆମର ନାହିଁ । ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ ଜରିଆରେ କିଛି କିଛି ଚିତ୍ର ଆମେ ଦେଖିଛୁ । ଏ ପ୍ରଦର୍ଶନୀର ନାଁ “ହାଇଟ ଅଫ ମାଚୁପିଚୁ” । ବିଭାନ ସୁନ୍ଦରମଙ୍କ ଚିତ୍ରର ସୂତ୍ର ରହିଛି ପାବଲୋ ନେରୁଦାଙ୍କ ପ୍ରସିଦ୍ଧ କବିତା “ହାଇଟ ଅଫ ମାଚୁପିଚୁ”ରେ । ନେରୁଦାଙ୍କ ପରି ବିଭାନ ମଧ୍ୟ ରାଜନୀତି ଭିତରେ କଳାର ସୂକ୍ଷ୍ମ କାରିଗରୀକୁ ପ୍ରୟୋଗ କରନ୍ତି । ବିଭାନ ଆମ ସମୟର ଚିତ୍ରକଳାରେ ସବୁଠୁ ସ୍ପଷ୍ଟ ରାଜନୀତିର ବ୍ୟାଖ୍ୟାକାର । ତେଣୁ ସ୍ଵାଭାବିକ ଭାବରେ ତାଙ୍କ ଚିତ୍ରକଳାର ପ୍ରେରଣା ପାବଲୋ ନେରୁଦାଙ୍କ କବିତାରୁ ଆସିଛି । “ହାଇଟ ଅଫ ମାଚୁପିଚୁ” କବିତାରେ ନେରୁଦା ନେରୁଦା ପଚାରନ୍ତି – “ମାନବିକତା କଣ ? ଦୋକାନ ଓ ଟ୍ରେନ ହୁଇସିଲ ମଝିରେ ଅଳସ ଗପର ଚିରାଚରିତ ଗତି ଭିତରେ ଆମେ ଆବିଷ୍କାର କରୁ କେବେ ହେଲେ ନିଃଶେଷ ହେଉନଥିବା, ଧ୍ଵଂସ ହେଉନଥିବା ଜୀବନକୁ” । କୋଳାହଳ ଏବଂ ଚିତ୍କାର ଭିତରେ ଜୀବନ ଖୋଜିବାର ଗୋଟେ ଦୁର୍ବାର ଅଭିଯାନ ହେଉଛି ବିଭାନଙ୍କ ଚିତ୍ରକଳା ।
ଚିତ୍ର ସୌଜନ୍ୟ- କିରଣ ନାଦର ମ୍ୟୁଜିୟମ ଅଫ ଆର୍ଟ
ଶିଳ୍ପୀ ବିଭାନ ସୁନ୍ଦରମଙ୍କ କାନ୍ଧରେ ଗୋଟେ ପରମ୍ପରା ସ୍ଵାଭାବିକ ଭାବରେ ଥୁଆ ହୋଇଥିଲା । ସମ୍ପର୍କରେ ଭାରତୀୟ ଚିତ୍ରକଳାର ମହାନାୟିକା ଅମୃତା ଶେର୍ଗିଲ ତାଙ୍କର ମାଉସୀ । ଭାରତୀୟ ଚିତ୍ରକଳାକୁ ନୂଆ ପ୍ରତୀକ ଓ ଓ ନୂଆ ଅର୍ଥ ଦେଇଥିବା ଅମୃତା ଶେର୍ଗିଲ ବିଭାନଙ୍କ ଶିଳ୍ପୀ ଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିଲେ । କାନଭାସ, ରଙ୍ଗ, ରେଖାର ଗତି ଏବଂ ତୂଳିର ଖେଳକୁ ବିଭାନ ପିଲାଦିନରୁ ଦେଖିଥିଲେ । ତାଙ୍କ ଲାଗି ଚିତ୍ର ଆଂକିବା ଏକ ସହଜ ଉତ୍ତରାଧିକାର ବୋଲି କୁହାଯାଇପାରେ ।
ତେବେ ବିଭାନଙ୍କ ସମସାମୟିକ ଚିତ୍ରକଳାରେ କଳାତ୍ମକ ଉତ୍କର୍ଷ ଏବଂ ରହସ୍ୟର ପ୍ରାବଲ୍ୟ ଦେଖିବାକୁ ମିଳୁଥିବା ବେଳେ ବିଭାନ ରାଜନୀତି ଓ ସାମାଜିକ ବାସ୍ତବତାକୁ ନେଇ ନୂଆ ନୂଆ ପ୍ରୟୋଗ କରିଛନ୍ତି । ସମୟ ସହିତ କଳା ଓ ଶିଳ୍ପର ସବୁ ମାଧ୍ୟମରେ ସେ କିଛି କିଛି କରିବାର ଚେଷ୍ଟା କରିଛନ୍ତି । ପେଣ୍ଟିଙ୍ଗ, ଡ୍ରଇଙ୍ଗ, ପ୍ରିଣ୍ଟ ମେକିଂ, ଭାସ୍କର୍ୟ, ଫଟୋଗ୍ରାଫି ଏବଂ ଇନଷ୍ଟଲେସନ ଇତ୍ୟାଦି ସବୁ ମାଧ୍ୟମରେ ସେ ନିଜକୁ ବ୍ୟକ୍ତ କରିବାର ଚେଷ୍ଟା କରିଛନ୍ତି ।
ଚିତ୍ର ସୌଜନ୍ୟ- କିରଣ ନାଦର ମ୍ୟୁଜିୟମ ଅଫ ଆର୍ଟ
ନବେ ଦଶକରେ ଭାରତରେ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ରାଜନୀତି ସବୁ ଶିଳ୍ପୀ ଓ କଳାକାରଙ୍କୁ ଅସ୍ତବ୍ୟସ୍ତ କରିଛି । ଏହି ସମୟର ସାହିତ୍ୟ, ଚିତ୍ରକଳା, ସିନେମା ଏବଂ ଅନ୍ୟାନ୍ୟ ସବୁ କଳାର ମାଧ୍ୟମରେ ଦଙ୍ଗାଗ୍ରସ୍ତ ଭାରତର ଚିତ୍ର ଆମେ ଦେଖିଛୁ । ବିଭାନ ଏହି ସମୟରେ ବମ୍ବେରେ ଘଟିଥିବା ଭୟଙ୍କର ଦଙ୍ଗାର ଚିତ୍ରକୁ ଗୋଟେ ସିରିଜରେ ଆଙ୍କିଛନ୍ତି । ଭାରତର ରାଜନୀତିରେ ସାମ୍ପ୍ରଦାୟିକତାର ଭୟଙ୍କର ଚିତ୍ରସବୁ ତାଙ୍କ ଅଙ୍କନରେ ବାରମ୍ବାର ଫୁଟି ଉଠିଛି । ନିଜ ଚିତ୍ରକଳାକୁ ଏକ ଶକ୍ତିଶାଳୀ ରାଜନୈତିକ ଅଭିବ୍ୟକ୍ତି ବୋଲି ଭାବିବାରେ ବିଭାନଙ୍କର କୌଣସି ଭୟ ନଥିଲା । ଏହି ସମୟ ଖଣ୍ଡରେ ଭୟ ଯୋଗୁଁ ହେଉ ବା ଲୋଭର ବଶବର୍ତ୍ତୀ ହୋଇ ଆମ ସମୟର ପ୍ରାୟ କଳାକାର ନିଜକୁ ରାଜନୀତିଠୁ ଦୂରରେ ବୋଲି ଦେଖାଇବାର ଉଦ୍ୟମ କରିଛନ୍ତି । ସେହି ସମୟରେ ବିଭାନ ଥିଲେ ଏକ ବ୍ୟତିକ୍ରମ । ଚିତ୍ରକଳାରେ ସେ ରାଜନୀତିକୁ ସୌନ୍ଦର୍ୟ ଭାବରେ ବ୍ୟବହାର କରିଛନ୍ତି ।
ନେରୁଦାଙ୍କ “ହାଇଟ ଅଫ ମାଚୁପିଚୁ” କବିତାରେ ସବୁ ରାସ୍ତା, ସବୁ ଘର, ସବୁ ସହର, ସବୁ ନଦୀର ପ୍ରତ୍ୟାଖ୍ୟାନକୁ ପିଠିରେ ବୋହି ନିଜେ ନିଜର ମୃତ୍ୟୁକୁ ଭୋଗୁଥିବା କବି ପରି ବିଭାନ ସୁନ୍ଦରମ ନିଜ ଜୀବନ ଓ ସମୟର ବୋଝକୁ ନିଜ ଚିତ୍ରରେ ବୋହି ଚାଲିଛନ୍ତି ।