ରମଜାନ୍ : ଏକ ସଂକ୍ଷିପ୍ତ ଦୃଷ୍ଟିପାତ
ପବିତ୍ର ରମଦାନ ବା ରମଜାନ ପୃଥିବୀରେ ସର୍ବପ୍ରଥମେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ପାଳିତ ହୋଇଥିଲା । ଇତିହାସ ଦୃଷ୍ଟିରୁ ଦେଖିଲେ ଏହା ଗୋଟିଏ ପୁରାତନ ସାମୁହିକ ଧାର୍ମିକ ଉତ୍ସବ । ଏବଂ ଏହି ଉତ୍ସବ ବସ୍ତୁତଃ ରମଦାନ ମାସ ବୋଲି ଗୋଟିଏ ମାସ ରେ ଗୋଟିଏ ବିଜୟ କୁ ସ୍ମାରକୀ ଆକାରରେ ପ୍ରତିସ୍ଥାପନ କରିବା ପାଇଁ ପରିକଳ୍ପନା କରାଯାଇଥିଲା । ସେହି ଯୁଦ୍ଧରେ ମୁସଲମାନ ମାନେ ବିଜୟ ଲାଭ କରିଥିଲେ ଆଉ ସେହି ଯୁଦ୍ଧର ନାଆଁ ଥିଲା ବଦର୍ ଯୁଦ୍ଧ ।
ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ରମଜାନ ହେଉଛି ଏକ ପବିତ୍ର ମାସ,ଯେଉଁମାସରେ ଉପବାସ ରଖାଯାଏ ଆଉ ଏହି ଉପବାସ ପଛର ଅବବୋଧ ହେଉଛି ନିଜର ମାନବିକ ପାପ ସମୂହର ପ୍ରାୟଶ୍ଚିତ ପାଳନ । ଇହୁଦୀମାନେ ବି ଏହିଭଳି ଏକ ଉପବାସ ପାଳନ କରିଥାନ୍ତି ଯାହାକୁ ୟମ୍ କିପୁର୍ ବୋଲି କୁହାଯାଏ । ପୃଥିବୀର ସମସ୍ତ ଆବ୍ରାହାମକେନ୍ଦ୍ରିତ ଧର୍ମାଚରଣରେ ପାପରୁ ପରିତ୍ରାଣ ନିମନ୍ତେ ପ୍ରାୟଶ୍ଚିତ ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଛି । ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଆଶ୍ ୱେଡନେଶ ଡେ ଠାରୁ ଇଷ୍ଟର ଯାଏଁ ଚାଳିଶ ଦିନର ସମୟକୁ ଏକ ଉତ୍ସବ ହିସାବରେ ପାଳନ କରିଥାନ୍ତି । ଏହାକୁ "ଲେଣ୍ଟ ର ଚାଳିଶଦିନ" ବୋଲି କୁହାଯାଏ । ଏହି ସମୟକାଳରେ ପବିତ୍ର ଖ୍ରୀଷ୍ଟାନ ମାନେ ପ୍ରଭୂ ଯୀଶୁଙ୍କର ସମର୍ପଣ ଏବଂ ଜୀବନକଥାକୁ ସ୍ମରଣ କରି ଅତ୍ୟନ୍ତ ସଂଜତ ଜୀବନଯାପନ କରିଥାନ୍ତି । ଏହି ଚାଳିଶଦିନର ଲେଣ୍ଟ ର ଶେଷରେ ଇଷ୍ଟର ଆସେ । ଇଷ୍ଟର ହେଉଛି ସେହି ଆନନ୍ଦର ପର୍ବ ଯେଉଁ ଦିନ କ୍ରୁଶବିଦ୍ଧ ପ୍ରଭୂ ଯୀଶୁଙ୍କର ପୃଥିବୀରେ ପୁନରୁତ୍ଥାନ ହୋଇଥିବା କଥା କୁ ବିଶ୍ୱାସ କରାଯାଏ । ତେଣୁ ଏଠାରେ କହିବା କଥା ହେଉଛି ଜୁଡାଇଜମ୍ ର ୟମ୍ କିପୁର ଏବଂ ଖ୍ରୀଷ୍ଟଧର୍ମର ଏଇ "ଫର୍ଟି ଡେୟଜ୍ ଅଫ୍ ଲେଣ୍ଟ" ଭଳି ତଥା ପୃଥିବୀର ତୃତୀୟ ଶ୍ରେଷ୍ଠ ଏକେଶ୍ୱରବାଦୀ ବିଚାର ପୋଷଣ କରୁଥିବା ଧର୍ମ ଇସଲାମ୍ ତାହାର ସେହିଭଳି ଏକେଶ୍ୱରବାଦୀ ବିଚାର ରଖୁଥିବା ଆର ଦୁଇଟି ସମାନ ବିଚାର ର ଧର୍ମ ଅର୍ଥାତ୍ ଜୁଡାଇଜମ୍ ଏବଂ ଖ୍ରୀଷ୍ଟିଆନିଟି ଦ୍ୱାରା ପ୍ରଭାବିତ ହୋଇ ଏହି ଭଳି ଗୋଟିଏ ପବିତ୍ର ମାସ ପାଳନ
କରିଥାଏ ।
ବସ୍ତୁତଃ ରମଜାନ ଭଳି ପବିତ୍ର ମାସଟି ହେଉଛି ଇସଲାମଧର୍ମାବଲମ୍ବୀ ଙ୍କ ପାଇଁ ଆତ୍ମ ନିରୀକ୍ଷଣ ଏବଂ ବିଳାସ ବର୍ଜନ କରିବା ଭଳି ଏକ ଆତ୍ମନିୟନ୍ତ୍ରଣର ମାସ ।
ସେହି ରକ୍ତକ୍ଷୟୀ ବଦର୍ ଯୁଦ୍ଧ ରମଜାନରେ ୧୫ ମାର୍ଚ୍ଚ ୬୨୪ ଖ୍ରୀଅ ରେ ହୋଇଥିଲା । ଏହି ଯୁଦ୍ଧରେ ଗୋଟିଏ ପକ୍ଷରେ ଥିଲେ ନବିଜୀଙ୍କର ଅଳ୍ପ କିଛି ଅନୁଗତ ଏବଂ ଆରପଟରେ ଥିଲେ ସେ ସମୟ ର ମକ୍କାର କିଛି ପ୍ରମୁଖ ଶକ୍ତି,ଯେଉଁମାନେ କି ଉଭୟ ଶକ୍ତିବଳ ଏବଂ ବାଣିଜ୍ୟ ବଳ ରେ ବେଶ୍ ସମୃଦ୍ଧ ଥିଲେ । ମକ୍କାର ଏହି କ୍ଷମତାଶାଳୀ ଦଳର ଉଦ୍ଦେଶ୍ୟ ଥିଲା ପୟଗମ୍ବର ମହମ୍ମଦଙ୍କର ଏହି ଅନୁଗାମୀ ଦଳକୁ ସଂପୂର୍ଣ୍ଣ ବିନାଶ କରିବା ସହିତ ତାଙ୍କର ପ୍ରବର୍ତ୍ତିତ ବିଶ୍ୱାସ ବା ଧର୍ମମତକୁ ସଂପୂର୍ଣ୍ଣ ଅବଲୁପ୍ତ କରିଦେବା । ଏହି ଅସମ ଯୁଦ୍ଧରେ ନବିଜୀଙ୍କ ଅନୁଗାମୀମାନେ ଏକ ଅପ୍ରତ୍ୟାଶିତ ବିଜୟ ଲାଭ କରିଥିଲେ । ମକ୍କାର ସେହି ପ୍ରଭୂତ୍ୱସଂପନ୍ନ ପ୍ରତିପକ୍ଷ ସଂପୂର୍ଣ୍ଣ ଭାବରେ ପରାଭୂତ ହୋଇଥିଲେ । ନବିଜୀ ଏହି ବିଜୟକୁ ଈଶ୍ୱରକୃତ ଆଶୀର୍ବାଦ ତଥା ତାଙ୍କର ନବିପଣକୁ ଈଶ୍ୱରକୃତ ସମର୍ଥନ ପ୍ରାପ୍ତି ବୋଲି ବିବେଚନା କରିଥିଲେ । ବଦର୍ ଯୁଦ୍ଧର ଏହି ବିଜୟ କହିବାକୁଗଲେ ଇସଲାମ୍ ଧର୍ମ ଦୃଷ୍ଟିକୋଣରୁ ଏକ ଯୁଗାନ୍ତକାରୀ ମୋଡ ପରିବର୍ତ୍ତନର ସୂଚକ ଥିଲା । ଏହା ପରଠାରୁ ସମଗ୍ର ଆରବ ଜଗତରେ ଇସଲାମର ଜୟଯାତ୍ରା ଏକ ଧର୍ମମତ ଆକାରରେ ଅପ୍ରତିହତ ହୋଇ ରହିଥିଲା । ଏହା ପରେ ମାତ୍ର ଦଶ ବର୍ଷ ର ସମୟ ଭିତରେ ଗୋଟିଏ କ୍ଷୁଦ୍ର ଅନୁଗତ ଦଳ ର ଆଧ୍ୟାତ୍ମିକ ଉତ୍ସ ପୟଗମ୍ବର ମହମ୍ମଦ, କେନ୍ଦ୍ର ଏବଂ ପଶ୍ଚିମ ଆରବ ର ଏକ ବୃହତ ଅଂଚଳର ପ୍ରଧାନ ଧର୍ମଶକ୍ତି ତଥା ପ୍ରଧାନ ରାଜଶକ୍ତି ପାଲଟିଯାଇଥିଲେ ।
ବଦର ଯୁଦ୍ଧର ଠିକ୍ ଦୁଇବର୍ଷ ଆଗରୁ ଅର୍ଥାତ୍ ୬୨୨ ଖ୍ରୀଅରେ ନବିଜୀଙ୍କ ଉପରେ ମକ୍କା ସହରରେ ଆକ୍ରମଣ କରିବାର ଯୋଜନା ହୋଇଥିଲା । ତାହାକୁ ଜାଣି ସେ ନିଜର କିଛି ଅନୁଗତଙ୍କ ସହ ମକ୍କା ସହରରୁ ମଦିନାକୁ ପଳାୟନ କରିଥିଲେ ।ମଦିନାରେ ତାଙ୍କର ଆବିର୍ଭାବର ତାରିଖ ଟି ଥିଲା ଖ୍ରୀଷ୍ଟୀୟ ୬୨୨ ସାଲର ସେପ୍ଟେମ୍ବର ମାସ ୨୪ ତାରିଖ । ନବିଜୀଙ୍କର ଏହାପରେ ମଦିନା ସହରରେ ପହଞ୍ଚିବା କୁ ଇସଲାମୀୟ ଇତିହାସରେ "ହିଜରା" ବା ପଳାୟନ ବୋଲି କୁହାଯାଏ । ସେହି ଦିନଠାରୁ ଇସଲାମୀୟ ପଂଜିକାରେ ନୂଆବର୍ଷ ଆରମ୍ଭ ହେଲା। ଖ୍ରୀଷ୍ଟୀୟ କାଲେଣ୍ଡରରେ ଯାହା ୧୬ ଜୁଲାଇ ୬୨୨ ଖ୍ରୀଅ ସେଇ ଦିନଠାରୁ ଗଣନା କରାଗଲା ହିଜରା ନାମରେ ଗୋଟିଏ ଅବ୍ଦ । ତାହାପରେ ଠାରୁ ସମୟର କୌଣସି ସୂଚନା ଦେବା ପାଇଁ ଯେମିତି ଖ୍ରୀଷ୍ଟୀୟ ପଞ୍ଜିକାରେ ଲେଖାଯାଉଥିଲା ଅମୁକ ଖ୍ରୀଅ ଅର୍ଥାତ୍ ଅମୁକ ଏ ଡି ବା ଆନୋ ଡୋମିନି ,ଠିକ୍ ସେମିତି ଇସଲାମୀୟ ପଞ୍ଜିକା ଅନୁସାରେ ଲେଖାଗଲା ଅମୁକ ହିଜରା ବା ଅମୁକ ଏଏଚ୍ ଅର୍ଥାତ୍ ଅମୁକ ଆନୋ ହିଜରା ।
ଇସଲାମିକ୍ ବିଶ୍ୱାସ ଅନୁସାରେ ବର୍ଷର ନବମ ମାସଟି ହେଉଛି ଅତି ପବିତ୍ର, ବିଶେଷରେ ଏହି ରମଜାନ ମାସର ୨୭ ତମ ଦିନଟି ହେଉଛି ସବୁଠାରୁ ଅତି ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ଦିନକୁ "ଦୈବିକ ନିର୍ଦ୍ଦେଶନାମାର ଦିନ " ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ପୟଗମ୍ବର ମହମ୍ମଦଙ୍କୁ ଯେଉଁ ଦୈବିକ ନିର୍ଦ୍ଦେଶ ଅର୍ଥାତ୍ "ଲେଲାତ୍-ଅଲ୍-କଦର୍" ମିଳିଥିଲା ତଦନୁଯାୟୀ ସେ ସେହି ସମସ୍ତ ଦୈବିକ ନିର୍ଦ୍ଦେଶନାମାକୁ ଲିପିବଦ୍ଧ କରାଇଥିଲେ ଆଉ ସେଇ ସବୁ ହୋଇଗଲା ଇସଲାମୀୟ ମାନଙ୍କର ପବିତ୍ର ଧର୍ମଗ୍ରନ୍ଥ କୋରାନ୍-ଶରିଫ୍ । କୋରାନ୍ ଭଳି ଏକ ନୈସର୍ଗିକ ଉପଲବ୍ଧିର କାରଣ ସଂଭବ ହୋଇଥିବା ଦୃଷ୍ଟିରୁ ଏହି ମାସ ଅର୍ଥାତ୍ ରମଜାନ୍ ମାସଟି ଇସଲାମୀୟ ଅନୁଗାମୀଙ୍କ ପାଇଁ ପବିତ୍ର । ଇସଲାମୀୟ ନିର୍ଦ୍ଦେଶ ଅନୁସାରେ ରମଜାନ ମାସରେ ତେଣୁ ପାହାନ୍ତା ପହରରୁ ଗୋଧୂଳୀ ଯାଏଁ ସମସ୍ତ ପ୍ରକାର ଖାଦ୍ୟ ପାନୀୟ ଏବଂ ଶାରିରୀକ ସଂପର୍କ ନିଷେଧ ,ଯାହା ଫଳରେ ଜଣେ ପବିତ୍ର ଓ ନିଷ୍ଠାବାନ ହୋଇ ରହିପାରିବ ।
ପରଂପରା ଅନୁସାରେ ରମଜାନ ର ଆରମ୍ଭ ଆଉ ଶେଷ ନିର୍ଦ୍ଦିଷ୍ଟ ବିଶ୍ୱାସଯୋଗ୍ୟ ମଣ୍ଡଳୀ ଦ୍ୱାରା ନୂତନ ଚନ୍ଦ୍ର ଦର୍ଶନ କରିବା ପରେ, ସେମାନଙ୍କର ସେହି ବିବରଣୀ ସ୍ଥାନୀୟ ଧର୍ମବିଦ୍ୱାନ ମାନଙ୍କ ଆଗରେ ପ୍ରଦାନ କରିବା ପରେ ହିଁ ସ୍ଥିରୀକୃତ ହୋଇଥାଏ । ଇହୁଦୀ ଧର୍ମରେ ହନୁକାହା ବୋଲି ଛୁଟିଦିନ ଶେଷର ଆହ୍ଲାଦ ଭଳି ଇସଲାମୀୟ ମାନେ ରମଜାନ ମାସର ଶେଷକୁ ଇଦୁଲ-ଫିତର ଆକାର ଅତ୍ୟନ୍ତ ଆନନ୍ଦର ସହ ପାଳନ କରିଥାନ୍ତି । ଭୋଜିଭାତ,ନୂଆଲୁଗା ଆଉ ଗରୀବକୁ ଦାନ ଆଦିରେ ସେମାନେ ରମଜାନ ର ସମାପନ ଉତ୍ସବ ଅର୍ଥାତ୍ ଇଦ୍ କୁ ପାଳନ କରିଥାନ୍ତି । ଇଦୁଲଫିତର୍ ଭଳି ପବିତ୍ର ଦିବସ ମାନଙ୍କରେ ଇସଲାମୀୟ ଧର୍ମାବଲମ୍ବୀ ମାନେ ଆଉ ଗୋଟିଏ ସୁନ୍ଦର କାର୍ଯ୍ୟ କରିଥାନ୍ତି । ସେମାନେ ପଞ୍ଜୁରୀବଦ୍ଧ ପକ୍ଷୀ ମାନଙ୍କୁ ପଞ୍ଜୁରୀରୁ ମୁକ୍ତ କରିଦେଇଥାନ୍ତି । ସେଇ ଉଦ୍ଦେଶ୍ୟରେ ମସଜିଦ୍ ବାହାରେ ପକ୍ଷୀବିକ୍ରେତାମାନେ ପଞ୍ଜୁରୀରେ ପକ୍ଷୀମାନଙ୍କୁ ଧରି ବିକ୍ରୀ ପାଇଁ ବସିଥାନ୍ତି । ଇସଲାମ ଧର୍ମର ଶ୍ରଦ୍ଧାଳୁମାନେ ସେହି ପକ୍ଷୀମାନଙ୍କୁ କିଣି ପଞ୍ଜୁରୀରୁ ମୁକ୍ତ କରିଦେଇଥାନ୍ତି । ଏଇ ଭଳି ପ୍ରଥାକୁ "ସଦାକ୍" ବୋଲି କୁହାଯାଏ ।
ପୟଗମ୍ବର ମହମ୍ମଦ ଙ୍କ ଅନୁସାରେ ଇସଲାମ ର ଅର୍ଥ ହେଉଛି ସମର୍ପଣ । ତେଣୁ ତାଙ୍କର ଅନୁଗାମୀ ମାନେ ଯେ ଜଣେ ଜଣେ ଶରଣାଗତ ଏବଂ ଅନୁଗତ , ଏଇ କଥାକୁ ଭଲ ଭାବରେ ବୁଝିବା ପାଇଁ ଏଇ ଭଳି ଗୋଟିଏ ପବିତ୍ର ମାସ ରମଜାନ୍ ଓ ତାହାର ଉପବାସ ପାଳନବିଧିର ଆୟୋଜନ ।
ରମଜାନ୍ ସଂପର୍କରେ ଯେଉଁ କଥାଟି ସବାଶେଷରେ ଆମର ମନେ ରଖିବା ଆବଶ୍ୟକ ତାହା ହେଉଛି ରମଜାନ୍ ର ପ୍ରକୃତ ଆକ୍ଷରିକ ଅର୍ଥ । ଆକ୍ଷରିକ ଭାବରେ ଦେଖିଲେ ରମଜାନ୍ ଶବ୍ଦର ଆରବିକ୍ ଅର୍ଥ ହେଉଛି "ମଥା ଫାଟିଗଲା ଭଳି ଗରମ ବା ଶୁଖିଲାପଣ"। ଯେହେତୁ ରମଜାନ୍ ର ପ୍ରଥମ କଥା ହେଉଛି ଉପବାସ ,ତେଣୁ ଏଥିରୁ ଜଣେ ସାଧାରଣ ଲୋକର ଖାଦ୍ୟ ଏବଂ ପାନୀୟ ଜଳ ପ୍ରତି ଏକ ଉଗ୍ର କାମନା ସୃଷ୍ଟି ହେବାର ସଂଭାବନା ରହିଅଛି । ରମଜାନ୍ ସମୟରେ ବୟସ୍କ,ରୋଗାକ୍ରାନ୍ତ,ଗର୍ଭବତୀ ଏବଂ ବାର ବର୍ଷ ବୟସରୁ କମ୍ ଶିଶୁଙ୍କୁ ଉପବାସ ପାଳନ କରିବାରୁ ନିଷେଧ କରାଯାଏ । ରମଜାନ୍ ସମୟରେ ସମସ୍ତେ ସଞ୍ଜ ହେଲେ ଏକାଠି ପ୍ରତିଦିନ ର ଉପବାସକୁ ସମାପ୍ତ କରି ପୁଷ୍ଟିକର ଖାଦ୍ୟମାନ ଖାଇଥାନ୍ତି । ପରବର୍ତ୍ତି ଦିନ ଅତି ଭୋର୍ ରୁ କିଛି ଖାଦ୍ୟ ଗ୍ରହଣ କରି ସେମାନେ ସେମାନଙ୍କର ଦୈନନ୍ଦିନ ଉପବାସ ଉତ୍ସବ ପୁଣି ଆରମ୍ଭ କରିଥାନ୍ତି । ଦୈନନ୍ଦିନ ଉପବାସ ର କଠୋର ବ୍ରତକୁ ନିଷ୍ଠାପର ଭାବରେ ପାଳିବା ପାଇଁ ସମସ୍ତଙ୍କୁ ପ୍ରଥମରୁ ସତର୍କ କରି ଦେବା ଉଦ୍ଦେଶ୍ୟ ରେ ରମଜାନ୍ ଭଳି ଏକ କଠୋର ଆକ୍ଷରିକ ଶବ୍ଦର ସମ୍ଭବତଃ ଉତ୍ପତ୍ତି ।
ସବୁ ଧର୍ମ ସବୁବେଳେ ଅତ୍ୟନ୍ତ କଠୋର ଏବଂ ଅତ୍ୟନ୍ତ କୋମଳ । ପିତାମାତାଙ୍କ ଭଳି ।
ଅଧିକ କିଛି କହିବାର ନାହିଁ । ସାମର୍ଥ୍ୟ ବି ନାହିଁ ।
ଆତ୍ମ ନିରୀକ୍ଷଣ ଏବଂ ଦୈବିକ ଅନୁସଙ୍ଗ ସହିତ ଏହି ମାସଟି ଆମ ସମସ୍ତଙ୍କୁ ପବିତ୍ର ଆନନ୍ଦରେ ଉଦବେଳିତ କରି ରଖୁ।
ଆନନ୍ଦ ଭିତରେ ପବିତ୍ର ଆନନ୍ଦ ଯେ ସବୁଠାରୁ ସୂକ୍ଷ୍ମ ଆଉ ସବୁଠାରୁ ଶ୍ରେଷ୍ଠ ,ଏକଥା ଆମକୁ ଆମର ହଜାର ହଜାର ବର୍ଷର ଭାରତୀୟତା ଶିକ୍ଷାଦେଇ ଆସିଛି।