ଅଙ୍କୁର ତରଫରୁ ଶିକ୍ଷକଙ୍କ ପାଇଁ ରାବଣ ଛାୟା କର୍ମଶାଳା

ଅଙ୍କୁର ତରଫରୁ ଶିକ୍ଷକଙ୍କ ପାଇଁ  ରାବଣ ଛାୟା କର୍ମଶାଳା

ଭୁବନେଶ୍ୱରର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଅଙ୍କୁର ଫାଉଣ୍ଡେସନ ତରଫରୁ ଲୁପ୍ତ ପ୍ରାୟ ଛାୟା କଣ୍ଢେଇ ନାଟକ "ରାବଣ ଛାୟା"ର ପ୍ରଚାର ଓ ସଂରକ୍ଷଣ ପାଇଁ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା । ୨୮, ମାର୍ଚ୍ଚ ଦିନ ବୁଦ୍ଧ ମନ୍ଦିର ରେ ଆୟୋଜିତ ଏକ ସ୍ବତନ୍ତ୍ର କର୍ମଶାଳାରେ "ରାବଣ ଛାୟା" ନାଟକର ବିଶିଷ୍ଟ ଗୁରୁ ତଥା ଗବେଷକ ଡଃ. ଗୌରାଙ୍ଗ ଚରଣ ଦାଶ ଶତାଧିକ ସ୍କୁଲ ଶିକ୍ଷକଙ୍କୁ ଏହି ଲୁପ୍ତ ପ୍ରାୟ କଳା ସମ୍ପର୍କରେ ତାଲିମ ଦେଇଥିଲେ । "ରାବଣଛାୟା" ଓଡିଶାର ସର୍ବ ପୁରାତନ ଛାୟା କଣ୍ଢେଇ ନୃତ୍ୟ ଭାବରେ ଆଜି ମଧ୍ୟ ଅନୁଗୁଳ ଜିଲାରେ ବଞ୍ଚିରହିଛି । ଏହାକୁ ଶିଖିଥିବା ଓ ପରିବେଷଣ କରୁଥିବା କଳାକାର ସଂଖ୍ୟା ଯଥେଷ୍ଟ କମ । ସେହି ଦୃଷ୍ଟିରୁ ଏହାକୁ ସ୍କୁଲ ପିଲାଙ୍କ ଭିତରକୁ ନେଇ ସେମାନଙ୍କ ମଧ୍ୟରେ ଏହାର ପ୍ରଚାର ଜରୁରୀ ବୋଲି ଆଖୁର ଫାଉଣ୍ଡେସନ ଏହି ସ୍ଵତନ୍ତ୍ର କର୍ମଶାଳାର ଆୟୋଜନ କରିଥିଲେ । 

  ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହି ବିଶିଷ୍ଟ କଳା ପରବର୍ତ୍ତୀ ପିଢ଼ି ପାଖରେ ପହଞ୍ଚାଇବାକୁ ଅଙ୍କୁର ଫାଉଣ୍ଡେସନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ମଧୂସୁଦନ ଦାସ ଏବଂ ଶିକ୍ଷାବିତ୍ ସୌରୀନ୍ଦ୍ର ମହାପାତ୍ର ଏହି ଉତ୍ସବରେ ନିଜର ବକ୍ତବ୍ୟ ରଖିଥିଲେ। ଶିକ୍ଷା ଓ କଳାର ସମ୍ପର୍କକୁ ନେଇ ବିଜୟ ଭାରତୀ ଶର୍ମା, ଚିନ୍ମୟୀ ସାହୁ ଏବଂ ଚନ୍ଦନ କୁମାର ସିଂ ଆଲୋଚନା କରିଥିଲେ। ଏହି କର୍ମଶାଳାକୁ ଆହୁରି ବ୍ୟାପକ କରିବା ସହିତ ଆଗାମୀ ଦିନରେ ସ୍କୁଲ୍ ପିଲାଙ୍କ ମଧ୍ୟରେ ଓଡ଼ିଶାର କଳା ଓ ସଂସ୍କୃତି ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ପାଇଁ ଅଙ୍କୁର ଫାଉଣ୍ଡେସନ ତରଫରୁ ଉଦ୍ୟମ ଜାରି ରହିବ ବୋଲି ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଛନ୍ତି। ଏଥିରେ ଖମାର ଗ୍ରାମର ରାବଣ ଛାୟା କଳାକାର ମାନେ ଛାୟା ନାଟକ ପରିବେଷଣ କରିଥିଲେ।