ଚିତ୍କାର ବି ହୋଇପାରେ ଚମତ୍କାର ସଙ୍ଗୀତ : ଧଉଳି-କଳିଙ୍ଗ ଉତ୍ସବର ପ୍ରଥମ ସନ୍ଧ୍ୟା

ଚିତ୍କାର ବି ହୋଇପାରେ ଚମତ୍କାର ସଙ୍ଗୀତ : ଧଉଳି-କଳିଙ୍ଗ ଉତ୍ସବର ପ୍ରଥମ ସନ୍ଧ୍ୟା

ଚିତ୍କାର ବି ଚମତ୍କାର ସଙ୍ଗୀତ ହୋଇପାରେ । ମନ ଭିତରର ବ୍ୟାକୁଳତା ଯେତେବେଳେ ଅସହ୍ୟ ବିସ୍ଫୋରଣ ଭଳି ଫାଟିଯାଏ, ସେଇଠି ସର୍ଜନ ହୁଏ କଳା । ଐତିହାସିକ ଧଉଳି ପାହାଡର ପାଦଦେଶରେ ଆଜି ଆରମ୍ଭ ହୋଇଥିବା ଉନବିଂଶ ଧଉଳି-କଳିଙ୍ଗ ମହୋତ୍ସବର ଶେଷ କାର୍ଯକ୍ରମ ଏମିତି କିଛି ଚମତ୍କାରିତା ଦେଖାଇଥିଲା । କଲାରିପାୟତ୍ତୁ ଏବଂ ମୟୂରଭଞ୍ଜ ଛଉ ନୃତ୍ୟର ସମନ୍ଵୟରେ ବୀର ଏବଂ କରୁଣ ରସର ଏକ କାହାଣୀ ଦର୍ଶକଙ୍କୁ ବିହ୍ଵଳ କରିଥିଲା ।     

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ ଦ୍ୱାରା ଆୟୋଜିତ ୧୯ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦ୍‍ଘାଟନ ସଂଧ୍ୟା ଓ ଏହି ସନ୍ଧ୍ୟାରେ ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁଙ୍କ ଓଡିଶୀ, ଗୁରୁ ପାର୍ଶ୍ଵନାଥ ଉପାଧ୍ୟାୟଙ୍କର ଭରତନାଟ୍ୟମ ଏବଂ କାରୋଲିନ ପ୍ରଦାଙ୍କ ସମର ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲ । 

ଉଦ୍‍ଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବିଚିତ୍ରାନନ୍ଦ ସ୍ୱାଇଁଙ୍କ ରୁଦ୍ରାକ୍ଷ ଫାଉଣ୍ଡେସନର ଶିଳ୍ପୀମାନଙ୍କ ଦ୍ୱାରା  ଓଡ଼ିଶୀ ନୃତ୍ୟ । ସେମାନଙ୍କର ଉପସ୍ଥାପନାରେ  "କାଳିକୃଷ୍ଣ" ରାଗ ରାଗମାଳିକା ଓ ତାଳ ତାଳମାଳିକା ଉପରେ ନିବଦ୍ଧ ଥିଲା । ମର୍ଦ୍ଦଳରେ କାଳି ଏବଂ ମୃଦଙ୍ଗରେ କୃଷ୍ଣ ତତ୍ତ୍ଵର ନୃତ୍ୟ ରୂପକୁ ଏକ ଚମତ୍କାର ଶୈଳୀରେ ଗୁନ୍ଥା ଯାଇଥିଲା । ନିଖୁଣ ମଞ୍ଚ ଉପସ୍ଥାପନା, ସାବଲୀଳ ଓ ଶ୍ରୁଙ୍ଖଳିତ ଅଙ୍ଗବିନ୍ୟାସ ତଥା ଭାବ ଓ ରସର ପ୍ରବାହ ଏଥିରେ ଦେଖିବାକୁ ମିଳିଥିଲା ।      ଉକ୍ତ ପ୍ରସ୍ତୁତିଟିର ସଙ୍ଗୀତ ସଂଯୋଜନା ଗୁରୁ ରାମହରି ଦାସ, ବାଦ୍ୟ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା ଗୁରୁ ବିଚିତ୍ରନନ୍ଦ ସ୍ୱାଇଁ କରିଥିଲେ ।  

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଗୁରୁ ପାର୍ଶ୍ଵନାଥ ଉପାଧ୍ୟାୟଙ୍କ ନେତୃତ୍ୱରେ ବାଙ୍ଗାଲୋରର ପୂଣ୍ୟ ଡ଼୍ୟାନ୍ସ କମ୍ପାନୀର କଳାକାରମାନଙ୍କ ଦ୍ୱାରା ଭରତନାଟ୍ୟମ ନୃତ୍ୟ ପରିବେଷଣ । ଓଡିଶୀରେ ଶକ୍ତି ଓ ଅଙ୍ଗ ଚାଳନାର ଚମତ୍କାରିତା ରହିଥିବା ବେଳେ ଭରତନାଟ୍ୟମ ଭକ୍ତି ଓ ଆଧ୍ୟାତ୍ମିକତାର ଚରମ ପ୍ରତିଫଳନ ଦେଖିବାକୁ ମିଳିଥିଲା । ଅମୂର୍ତ୍ତ ଓ ରହସ୍ୟମୟ ଭାବକୁ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିବାର କଳାତ୍ମକ କୌଶଳ ପାର୍ଶ୍ଵନାଥଙ୍କର ନୃତ୍ୟରେ ରହିଛି । 

ସନ୍ଧ୍ୟାର ଅନ୍ତିମ ପ୍ରସ୍ତୁତିଟି ଥିଲା କାରୋଲିନା ପ୍ରଦା ଓ ସାଥୀଙ୍କ ଦ୍ୱାରା କଲାରିପାଇଟ୍ଟୁ ଓ ମୟୁରଭଞ୍ଜ ଛଉର ସମ୍ମିଶ୍ରିତ ସମରକଳା ନୃତ୍ୟ । "ବିରାନ" ଗୋଟେ କାହାଣୀ ଯାହାକୁ ଦୁଇଟି ପ୍ରାଚୀନ ସମରକଳା ମାଧ୍ୟମରେ ନୃତ୍ୟରୁପ ଦିଆଯାଇଥିଲା । କଲାରି ଏବଂ ଛଉର ସମନ୍ଵୟ ଏହି ନୃତ୍ୟର ଭାବ ସବୁକୁ ଗୋଟେ ଭିନ୍ନ ଦିଗନ୍ତ ପ୍ରଦାନ କରିଥିଲା । ସଙ୍ଗୀତ ଏହି ନୃତ୍ୟର ଭାବକୁ ଏମିତି ଗୋଟେ ଉଚ୍ଚତାକୁ ନେଇ ଯାଇଥିଲା ଯେଉଁଠି ଆଖି ବୁଜି ଜଣେ ପୂରା କାହାଣୀକୁ ନିଜ ଭିତରେ ଅନୁଭବ କରିପାରିବ ।   

ଉଦ୍‍ଘାଟନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଆ ଭାଷା, ସାହିତ‎୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ; ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଗୁରୁ  ରାମହରି ଦାସ; ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବୋଧ ଆଚାର୍ଯ୍ୟ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‍ର ସଚିବ ଇଲିୟାନା ସିତାରିଷ୍ଟ ଏବଂ ସଂଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲାମ ।