ଏକ ରଂଗୋତ୍ସବ ର ସମାଜତତ୍ତ୍ବ

ଏକ ରଂଗୋତ୍ସବ ର ସମାଜତତ୍ତ୍ବ

ଏକ

ଶ୍ରୀ ଗୌରୀ ଉବାଚ:

ଅଥଃ କୈଳାଶଶିଖରାସୀନ ଗୌରୀ ପୃଚ୍ଛତି ଶଙ୍କର 
ଅଧୁନା ବୃହି ମେ ନାଥ ନବପଂଜି ଶୁଭାଶୁଭମ୍।

ଶ୍ରୀ ଶଙ୍କର ଉବାଚ:

ଶୃଣୁ ଦେବୀ ପ୍ରବକ୍ଷାମି ନବପଂଜି ଶୁଭାଶୁଭମ୍
ଯସ୍ଯ ଶ୍ରବଣ ମାତ୍ରେଣ ଦିବ୍ଯଜ୍ଞାନ ଭବେନ୍ନର।

ଦୋଳପୂର୍ଣ୍ଣମୀ । ଦୋଳପୂର୍ଣ୍ଣମୀର  ସଂଜରେ ଆମର  ଦୋଳଭାଡିରେ ନବପଂଜିକା ର ଶୁଭାଶୁଭ ପାଠ କରାଯିବ। ଶ୍ରୀଶ୍ରୀ ଶଙ୍କର ମହାପ୍ରଭୂ ତାଙ୍କର ପ୍ରାଣପ୍ରିୟା ଶ୍ରୀ ଶ୍ରୀ ଗୌରୀଙ୍କୁ ଆମର ଚଳିତ ବର୍ଷର ଶୁଭାଶୁଭ ବର୍ଣ୍ଣନ କରିବା ଛଳରେ  ଆରମ୍ଭ ହେବ ଏହା ପର ଠାରୁ ଆମର ନବବର୍ଷର ପାଂଜି ।

ଶ୍ରୀଶ୍ରୀ ଶଙ୍କର ଆନନ୍ଦର ସହ ଦେଶର ଓ ଦଶର  କେବଳ ଶୁଭ ବିବରଣୀମାନ ଶ୍ରୀଶ୍ରୀ ଗୌରୀଙ୍କ ସମ୍ମୁଖରେ ବର୍ଣ୍ଣନ କରୁଥାନ୍ତୁ ବୋଲି ଏ ଅକିଂଚନର ପ୍ରାର୍ଥନା ଓ ଚିରକାଳର ଅଭିଳାଷ ।

ଦୋଳପୂର୍ଣ୍ଣମୀ । ଭାରତବର୍ଷର ସର୍ବତ୍ର ଯେଉଁ ତିନୋଟି ପର୍ବ ମୂଖ୍ଯତଃ ପାଳନ କରାଯାଇଥାଏ ତାହା ମଧ୍ଯ ରୁ ଦୋଳପର୍ବ ଅନ୍ଯତମ ।  ଆର ଦୁଇଟି ହେଲା ଦଶହରା ଆଉ ଦୀପାବଳୀ। ଏଇ ତିନୋଟି ସର୍ବଜନପ୍ରିୟ ପର୍ବ ମଧ୍ଯ ରୁ ଦଶହରା ଓ ଦୀପାବଳୀରେ ସାଧାରଣତଃ  ଧାର୍ମିକ ଅନୁସଂଗ ଟି ଅଧିକ ପ୍ରାଧାନ୍ଯ ପାଇଥିଲା ବେଳେ କେବଳ ଏହି ଦୋଳପର୍ବଟି ସେତେ ପରିମାଣରେ ଧର୍ମାନୁଷ୍ଠାନଜୈନ୍ଦ୍ରିକ  ନହୋଇ ଅଧିକତର ଲୋକାନୁଷ୍ଠାନ ଭାବରେ ପାଳିତ ହୋଇଥାଏ।

ଦୋଳପର୍ବ ର ବସ୍ତୁତଃ  ତିନୋଟି ପ୍ରଧାନ ଆଂଗିକ,ତାହା ହେଉଛି ଅଗ୍ନିଉତ୍ସବ,ରଂଗଉତ୍ସବ ଓ ମଦନଉତ୍ସବ। ଏଇ କଥାକୁ ଆଉ ଟିକିଏ ବିସ୍ତାରରେ ବୁଝିବାକୁ ହେଲେ ଆମେ ଦେଖିବା ଯେ,ଏହି ବିଶେଷ ଉତ୍ସବମୁଖର ପର୍ବ ଯାହାର ଧାର୍ମିକ ଅନୁସଂଗଟି ତାହାର ଉତ୍ସବପାଳନର ଆଡମ୍ବର ସାମ୍ନାରେ ଅନେକ ପରିମାଣରେ  ମ୍ଳାନ ପଡିଯାଇଥାଏ, ସେଇଠି ସେହି ଦୋଳପର୍ବରେ ଉତ୍ସବପାଳନ ଆଳରେ ଆମେ ସାଧାରଣତଃ ନିଆଁରେ କିଛି ପୋଡିଥାଉ,ଭିନ୍ନଭିନ୍ନ ରଂଗରେ ପରସ୍ପରକୁ ମଖାମଖି କରିଥାଉ ଏବଂ ନାଚଗୀତ ଆଉ ବ୍ୟକ୍ତିଗତ  ଆନନ୍ଦର ସାମୁହିକ ପ୍ରକାଶ ପାଇଁ ଏକ ବାଧାହୀନ ନାରୀ-ପୁରୁଷ ଘନିଷ୍ଠତା କୁ ପ୍ରତିଷ୍ଠିତ କରିଥାଉ । ଏଇ ଭଳି ଯେଉଁ ତିନୋଟି ସାମୁହିକ କ୍ରିୟା ଏଇ ପର୍ବ ପାଳନ ର ସର୍ବାଙ୍ଗ ଆକାରରେ ଆମ ସମାଜରେ ଦେଖାଦିଏ ତାହା ଅଗ୍ନି ଉତ୍ସବ, ରଙ୍ଗ ଉତ୍ସବ ଆଉ ମଦନ ଉତ୍ସବ ବୋଲି କହିପାରିବା । ଏଇଠି ଆମକୁ ଗୋଟିଏ କଥା ସ୍ମରଣରେ ରଖିବା ଆବଶ୍ୟକ ଯେ,ଆମେ ବ୍ୟକ୍ତିଗତ ଭାବରେ ବା ସାମୁହିକ ଭାବରେ ଯେଉଁ କାମଟିକୁ ଏକ ଉତ୍ସବ ଆକାରରେ ପାଳନ କରିବାକୁ ଯେତେବେଳେ ଆରମ୍ଭ କରିଥାଉ ସେତେବେଳେ ତାହା କେବଳ ଆମର  ଗୋଟିଏ ସାଧାରଣ ମାନବିକ କର୍ମ ବୋଲି ଆଉ ଗୃହୀତ ହୁଏନାହିଁ । ଆମର ଏଇ ବ୍ୟକ୍ତିଗତ କର୍ମଟି ସହିତ କିଛି ପ୍ରତୀକ ଜଡିତ ହୋଇଯାଇ ତାହାକୁ ଏକ ଉତ୍ସବର ରୂପରେଖା ପ୍ରଦାନ କରିଥାଏ । ଉଦାହାରଣ ସ୍ୱରୂପ ଆମେ ଆଉ ଜଣକର  ଦେହରେ  କିଛି ରଂଗ ଲଗାଇଦେଲୁ  ସେତେବେଳେ ଏଇ ଭଳି ରଂଗ ମାଖିବାଟି ଆମର ଏକ ସ୍ୱାଭାବିକ କ୍ରିୟା ବା କୌଣସି କ୍ରିୟାର ଏକ ପ୍ରତିକ୍ରୀୟା ହୋଇପାରେ,ମାତ୍ର ଦୋଳପର୍ବରେ ଆମେ ଯେତେବେଳେ ଆଉ କାହାର ଦେହରେ ମୁହଁରେ (ବିଶେଷତଃ ପରସ୍ପରର ମୁହଁରେ ରଂଗ ମଖାମଖି ହେବା ଦୋଳପର୍ବର ଏକ ବୈଶିଷ୍ଟ୍ୟ) ରଂଗ ମାଖିବା ପଛରେ କୌଣସି କ୍ରୀୟା,ପ୍ରତିକ୍ରୀୟା ବଦଳରେ କିଛି ପ୍ରତୀକାତ୍ମକତା ସେଥିରେ ସଂଯୋଜିତ ହୋଇ ଏଇ ସମଗ୍ର ଅନୁଷ୍ଠାନକୁ ଉତ୍ସବମୁଖର କରିଦେଇଥାଏ ।

ତେଣୁ ପ୍ରତ୍ୟେକ ଉତ୍ସବକୁ ବୁଝିବାକୁ ହେଲେ ସଂପୃକ୍ତ ଉତ୍ସବର  ପଛରେ  ସଂଯୁକ୍ତ ରହିଥିବା ସମସ୍ତ ପ୍ରତୀକାତ୍ମକତାକୁ ବୁଝିବା ଆବଶ୍ୟକ । ଆଉ ଏହିଭଳି କାଳକ୍ରମରେ ସଂଯୁକ୍ତ ହୋଇଆସିଥିବା ପ୍ରତୀକଗୁଡିକୁ କେବଳ ଆଳଙ୍କାରିକ ପାରମ୍ପରିକତାରେ  ତଥା ନିର୍ବିଚାରରେ ଗ୍ରହଣ କରିନେଲେ ଆମେ ଆମର ଉତ୍ସବ ମାନଙ୍କୁ କେବଳ କିଛି ଅନୁଷ୍ଠାନ ପାଳନ କରିବା ଆଉ ସେହି ଅନୁଷ୍ଠାନ ପାଳନକୁ  ଆଗାମୀ ସମୟ ପାଇଁ ମନେରଖିବା ଭଳି ତୁଚ୍ଛା ଗୌଣତାରେ ରଖିଦେବା। ଆମକୁ ଏହି ଉତ୍ସବ ପାଳନ ଅନୁଷ୍ଠାନ ପଛରେ ଥିବା ପ୍ରତୀକ ମାନଙ୍କୁ ଉତ୍ସବ ପାଳନର ଅବସରରେ ବୁଝିବା ଏକାନ୍ତ ଆବଶ୍ୟକ। କୌଣସି ଊତ୍ସବ ସହ ସଂଯୋଜିତ ପ୍ରତୀକମାନେ ହେଉଛନ୍ତି ଆମର ସମସାମୟିକ ଚଳନୀର ଉପଜ ଏବଂ ଏହା ଆମର ସମାଜର ବିବର୍ତ୍ତନକୁ ବୁଝିବାରେ ସହାୟକ ହୋଇଥାଏ । ଆଉ ସାମାଜିକ ବିବର୍ତ୍ତନକୁ ବୁଝିବାର ଅର୍ଥ ହେଉଛି ଆମେ ମଣିଷ ହିସାବରେ ଆମର ସାମାଜିକ ସଂହତିକୁ  ଠିକ୍ ଭାବରେ ହୃଦୟଙ୍ଗମ କରିପାରିଛୁ ।

ଦୋଳପର୍ବ ସହିତ ଯେଉଁ ତିନୋଟି ଆଙ୍ଗିକର କଥା ଟିକିଏ ଆଗରୁ ଉଲ୍ଲେଖ କରାଯାଇଛି ଯଥା ଦୋଳପର୍ବ ବସ୍ତୁତଃ ହେଉଛି ଏକ ଅଗ୍ନି-ଉତ୍ସବ,ଏକ ରଂଗ-ଉତ୍ସବ ଏବଂ ଏକ ମଦନ-ଉତ୍ସବ ,ତାହାର ପଛରେ ଯେଉଁ ପ୍ରତୀକାତ୍ମକତା ରହିଛି ତାହା ଭିତରକୁ ଯିବା ପୂର୍ବରୁ ଏହି ପର୍ବର ଆବହ କୁ ଟିକିଏ ବୁଝିବା ଆବଶ୍ୟକ। ଦୋଳପର୍ବର ଆବହଟି ବିଶେଷତଃ ବସନ୍ତଋତୁର ପୃଷ୍ଠଭୂମୀରେ ରଚନା କରାଯାଇଛି । ଶ୍ରୀମଦ ଭଗବତ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନକୁ ବିଶ୍ୱରୂପ ଦର୍ଶନ ଦେଲାବେଳେ ଈଶ୍ୱରଙ୍କର  ଯେଉଁ ଦୃଶ୍ୟମାନ ଅଭିଧାନ ବା ଭିଜୁଆଲ୍ ଡିକ୍ସିନାରୀଟିର ଉପସ୍ଥାପନା କରିଥିଲେ ସେଥିରେ ଈଶ୍ୱରଙ୍କୁ ଯେଉଁ ଋତୁ ର ପରିଚୟରେ ଚିହ୍ନିତ କରିଥିଲେ ତାହା ଥିଲା ବସନ୍ତଋତୁ (ଋତୁନାଂ କୁସୁମାକରଂ) ଯାହା ସମସ୍ତ ପୁଷ୍ପରାଜିର ସମୁଦ୍ରତୁଲ୍ୟ ଏକ ପର୍ଯ୍ୟାୟଭିତ୍ତିକ କାଳ । ତେଣୁ ଆମର ବୈବାହାରିକ ଜୀବନରେ ଏହି ପୁଷ୍ପଗ୍ରାହୀ ଋତୁର ବସ୍ତୁସ୍ଥିତିମୂଳକ ଉପସ୍ଥିତି ରହିବା ଏକାନ୍ତ ଆବଶ୍ୟକ । ବସନ୍ତ ଋତୁର ମଳୟ ଆମପାଇଁ ସର୍ବଶ୍ରେଷ୍ଠ ଆନନ୍ଦପ୍ରଦାୟକ ବତାସ । ବସନ୍ତଋତୁର ମଳୟର ସ୍ପର୍ଶରେ ଆମର ଚତୁର୍ଦିଗ ର ପ୍ରକୃତି ଉଲ୍ଲସିତ ହୋଇ ନିଜର ଆନନ୍ଦ ପଣକୁ ସଚରାଚର ବ୍ୟକ୍ତ କରୁଥାନ୍ତି । ମଳୟର ସ୍ପର୍ଶଜନୀତ ଉଲ୍ଲାସରେ ସମସ୍ତେ ଏକ ପ୍ରକାର ଆନନ୍ଦମୁଖର ଅସ୍ଥିରତାକୁ ବରଣ କରିନେଉଥାନ୍ତି । ପ୍ରକୃତିର ଏହି ଆନନ୍ଦମୁଖର ଅସ୍ଥିରତା ତଥା "ଦୋଳନ" କୁ ଆମେ ଆମର ଜୀବନକୁ ଆମର ସମାଜକୁ ଆମନ୍ତ୍ରଣ କରିଥାଉ । ପ୍ରକୃତିର ଏହିଭଳି ଦୋଳନ ରୁ ଆସିଛି ଏ ଦୋଳପର୍ବ ,ବସନ୍ତ ଆଉ ଉଲ୍ଲାସ ରେ ମଖାମଖି ହୋଇ । ଏଇଠି ତାହାପରେ କ୍ଷମତାର ଅନୁପ୍ରବେଶ ଘଟିଛି । ରାଜା କ୍ଷମତାର ବଳୟର ଶୀର୍ଷରେ ରହି ପ୍ରଜାମାନଙ୍କ ଠାରୁ ଶାସନ ଏବଂ ସୁରକ୍ଷା ନାମରେ ଯେଉଁ ଦୂରତ୍ୱଟି ନିର୍ମାଣ କରିଥାଏ ତାହାର ଏକ ପ୍ରଜାନୁରଞ୍ଜନଭିତ୍ତିକ ସାମୁହିକତା ପାଳନ କରିବା ପାଇଁ ବସନ୍ତୋତ୍ସବକୁ ନିର୍ବାଚନ କରିଥାଏ । ଆମର ସମାଜଜୀବନରେ ଆମକୁ ସାମୁହିକତା ପ୍ରଦାନ କରିବା କ୍ଷେତ୍ରରେ ଆମର ଫସଲ ଅମଳ,ଆମର ଧର୍ମ ଆଉ ଆମର ରାଜା ,ଏଇ ତିନୋଟି ପ୍ରମୁଖ କାରଣ । ରାଜା ନିଜର କ୍ଷମତା ର କାରଣରୁ ଆମର ଫସଲ ଅମଳ ଆଉ ଆମର ଧର୍ମ ଉପରେ ଅଂକୁଶ ଜାହିର କରିପାରୁଥିବା କାରଣରୁ ଆମର ସାମୁହିକତା କହିବାକୁ ଗଲେ ରାଜା ବା କ୍ଷମତା ଦ୍ୱାରା ହିଁ ପ୍ରାୟତଃ ନିରୂପିତ ଏବଂ ପ୍ରତିଷ୍ଠିତ ହୋଇଥାଏ । ତେଣୁ ଏଇଠି ବସନ୍ତକାଳର ପ୍ରାକୃତିକ ଦୋଳନକୁ ରାଜା ଯେତେବେଳେ ନିଜର ଏବଂ ନିଜର ପ୍ରଜାସକଳଙ୍କ ଭିତରେ ଥିବା ବ୍ୟବଧାନକୁ ଘଡିଏ ବୁଜି ଦେବାପାଇଁ ବସନ୍ତୋତ୍ସବ ର ପରିକଳ୍ପନା କରିଥାନ୍ତି ସେଥିରେ ସାଧାରଣ ଜନଗଣ ଅଧିକ ଉତ୍ସାହର ସହିତ ସେଥିରେ ଯୋଗ ଦେଇଥାନ୍ତି । କାଳିଦାସକୃତ ମାଳବିକାଗ୍ନିମିତ୍ର ଏବଂ ଅଭିଜ୍ଞାନଶକୁନ୍ତଳମ୍ ରେ ଏହିଭଳି ବସନ୍ତଉତ୍ସବର ବର୍ଣ୍ଣନା ରହିଛି । ପ୍ରକୃତି ଆଉ ପ୍ରକୃତିଠାରୁ ରାଜା ,ଏଇ ଭଳି ଯେଉଁ ବସନ୍ତ ଉତ୍ସବର ଆୟୋଜନ ତାହା ରାଜାକୈନ୍ଦ୍ରିକ ହୋଇଗଲା ପରେ ସେହି ଉତ୍ସବପାଳନରେ କିଛି ବିଭ୍ରାଟ ଦେଖାଯିବାକୁ ଆରମ୍ଭ କରିଥିଲା । ବସନ୍ତଉତ୍ସବ ସର୍ବସାଧାରଣଙ୍କର ଉତ୍ସବ ହେବାକୁ ଆରମ୍ଭ କଲାବେଳେ ରାଜାଙ୍କର ଉପସ୍ଥିତି ସର୍ବତ୍ର ସମ୍ଭବ ନୁହଁ । ତେଣୁ ସେଇଠି ସର୍ବସାଧାରଣ ବସନ୍ତଉତ୍ସବ ପାଳନ କରିବା ସମୟରେ ପ୍ରମୁଖ ସ୍ଥାନରେ ରାଜାଙ୍କ ଅନୁପସ୍ଥିତିର ସେହି ଶୂନ୍ୟ ସ୍ଥାନକୁ ରାଧା-କୃଷ୍ଣ ଙ୍କୁ ଏକାଠି ଦୋଳି ରେ ଝୁଲାଇ ଆଉ ରଙ୍ଗମାଖି ସାମଗ୍ରିକ ଭାବରେ ପାଳନ କରିବାକୁ ଲାଗିଲେ। ବସନ୍ତଉତ୍ସବ ପାଳନର  କେନ୍ଦ୍ରସ୍ଥଳକୁ ରାଧା ଆଉ କୃଷ୍ଣ ଚାଲିଆସିବା ପଛର କାରଣ ସ୍ପଷ୍ଟ । କାରଣ ରାଧା ଆଉ କୃଷ୍ଣ ହେଉଛନ୍ତି ନିଷେଧାଜ୍ଞା ତଥା ବନ୍ଧନହୀନ ନିବିଡ ସଂପର୍କକୁ ସବୁବେଳେ ଉଜାଗରକରୁଥିବା ଦୁଇଟି ଦୈବିକ ନାରୀ-ପୁରୁଷ ଅଧ୍ୟାତ୍ମ ଚରିତ୍ର । ବସନ୍ତଉତ୍ସବ ଭଳି ଗୋଟିଏ ଉନ୍ମୁକ୍ତ ଆନନ୍ଦ (ଉଭୟ ବୌଦ୍ଧିକ ଏବଂ ଶାରୀରିକ ଭାବରେ) ର ଉତ୍ସବ ପାଇଁ ରାଧା ଆଉ କୃଷ୍ଣ ଙ୍କ ବ୍ୟତୀତ ଆଉ କୌଣସି ବିକଳ୍ପ ଚରିତ୍ର ଆମର ଭାରତୀୟ ଦେବତତ୍ତ୍ୱରେ ଦେଖିବାକୁ ମିଳିବ ନାହିଁ । ତେଣୁ ଆମର ଏଇ ଦୋଳପର୍ବ ବସ୍ତୁତଃ ରାଧା ଆଉ କୃଷ୍ଣଙ୍କୁ ନେଇ ଏକ ବସନ୍ତୋତ୍ସବର ଆବହରେ ରଚିତ ଏକ ରଂଗୋତ୍ସବ ।

ଏବେ ଆମେ ଏହାର ଅନ୍ୟ ପ୍ରତୀକାତ୍ମକତାକୁ ଅନୁଧ୍ୟାନ କରିବା।

ଆଗ ଏହି ଦୋଳପର୍ବରେ ଅଗ୍ନି ର ପ୍ରମୁଖତା କାହିଁକି ସେକଥା ଦେଖାଯାଉ । ଏମିତିରେ କହିଲେ ଯେଉଁ ଉତ୍ସବାଦିରେ ଅଗ୍ନି ଙ୍କର ଆବାହନ କରାଯାଏ ତାହା ମୂଖ୍ଯତଃ ଦୁଇଟି କାର୍ଯ୍ଯକୁ ସଂପାଦନ କରିବା ଉଦ୍ଦେଶ୍ଯରେ ହୋଇଥାଏ। କୌଣସି ଆରାଧ୍ଯ ଦେବତାଙ୍କ ଉଦ୍ଦେଶ୍ଯରେ ନିବେଦିତ ବଳିଭୋଗ କୁ ସେହି  ନିର୍ଦ୍ଦିଷ୍ଟ  ଦେବତାଙ୍କ ପ୍ରୀତ୍ଯର୍ଥେ ସଂପ୍ରଦାନ କରିବା ବା କୌଣସି ଆସୁରିକ ଶକ୍ତିକୁ ଦହନ କରିବା।ଏଇ ପ୍ରସଂଗରେ ଆମେ ଅଗ୍ନିଦେବଙ୍କୁ ଦେଖୁ ଏକ ବାହକ-ଦେବ ହିସାବରେ ଯିଏ ନିଷ୍ଠାର ସହ ଆମର ଅର୍ପଣକୁ ଅନ୍ଯ ଦେବତାଙ୍କ ନିକଟରେ ପହଂଚାଇ ଦେବା ସହିତ ସେହି ଅର୍ପଣ ରୁ ଅଳ୍ପ କିଛି ନିଜେ ସଂତୁଷ୍ଟର ସହ ଗ୍ରହଣ କରି ଆମର ଉନ୍ନତି ବିଧାନ ରେ ସହାୟକ ହୋଇ ରହିଅଛନ୍ତି।ଋଗବୈଦିକ ଯୁଗରେ ମଣିଷର ଆରାଧନାର ପଦ୍ଧତିରେ ଦ୍ବିତୀୟ ସ୍ଥାନରେ ଥିବା ଅଗ୍ନିଦେବ (ପ୍ରଥମ ସ୍ଥାନରେ ଇନ୍ଦ୍ର ।ଅବଶ୍ଯ ଇନ୍ଦ୍ର ସେତେବେଳେ ଆବହାୱାର ଦେବତା ନଥିଲେ ,ଥିଲେ ଯୁଦ୍ଧର ଦେବତା) ପରିବର୍ତ୍ତୀ କାଳରେ ବ୍ରହ୍ମା,ବିଷ୍ଣୁ ଓ ରୁଦ୍ରଙ୍କ ସାର୍ବଭୌମତ୍ୱକୁ ସ୍ବୀକାର କରି ସାଧାରଣ ଦେବତା ଟିର ଜୀବନଚର୍ଯ୍ୟାକୁ ଗ୍ରହଣ କରିନେଇଥିବା ଏଇ ଅଗ୍ନିଦେବ ମୋର ଅନ୍ଯତମ ପ୍ରିୟ ଦେବତା।

ଏହା ସହିତ ଅଗ୍ନିଦେବ ହେଉଛନ୍ତି ଜଣେ ଉପନାଶକ-ଦେବ। ଜଣେ ଚିକିତ୍ସକ ଯେପରି ଆମର ସମସ୍ତ ରୋଗର ଉପନାଶନ କରିଥାଏ ଠିକ୍ ସେହିପରି ଅଗ୍ନି ସବୁ ଅଶୁଭ ଶକ୍ତି କୁ ଦହନ କରି ଆମ ସାମାଜିକ ଜୀବନକୁ ରୋଗମୁକ୍ତ କରନ୍ତି ବୋଲି ଆମର ବିଶ୍ବାସ ରହିଛି।

ଦୋଳପର୍ବ ରେ ମେଣ୍ଢା ପୋଡିବାର ବିଧାନ ଥିଲା।ବାସ୍ତବ ମେଣ୍ଢାଟିକୁ ପୋଡାଯାଇ ଅଶୁଭ ଶକ୍ତିର ପ୍ରତୀକ କୁ ଦହନ କରାଗଲା ବୋଲି ଆଜିକାଲିର ଦଶହରାରେ ରାବଣପୋଡି ଭଳି ଉଲ୍ଲାସ ଆଗରୁ ଦେଖାଯାଉଥିଲା।କିଂତୁ ବାସ୍ତବ ମେଣ୍ଢାଟି ଏବେ ପ୍ରତୀକ ହୋଇଯାଇଛି।ଭାରତବର୍ଷର କିଛି ସ୍ଥାନରେ ବାଉଁଶରେ ତିଆରି ମେଣ୍ଢାକୁ ଦହନ କରାଯାଏ ଓ ସେହି ପାଉଁଶ କୁ ଶସ୍ଯକ୍ଷେତ୍ର ଓ ଘରେ ପକାଯାଏ ଅଶୁଭ ଶକ୍ତି ମାନଙ୍କ କବଳରୁ ସୁରକ୍ଷିତ ହୋଇ ରହିବା ପାଇଁ।ଏହାଛଡା ଦୋଳପର୍ବର ଏହି ପବିତ୍ର ଅଗ୍ନିରେ ବିଭିନ୍ନ ଖାଦ୍ଯଶସ୍ଯ  ସଂପ୍ରଦାନ କରାଯାଏ ଆମର ଶସ୍ଯଦେବତାଙ୍କ ସଂତୋଷ ବିଧାନ ନିମନ୍ତେ।

ଏହି ପବିତ୍ର ଦୋଳପର୍ବର ସର୍ବଶେଷ ସଂଯୋଜନ ହେଉଛି ହୋଲିକା ଦହନ। ହୋଲିକା ହେଉଛି ଦୈତ୍ଯରାଜ ହିରଣ୍ୟକଶିପୁର କନ୍ଯା।ହୋଲିକା ବିଷ୍ଣୁଙ୍କର ଦୈତ୍ଯରୂପ ପ୍ରହ୍ଲାଦ କୁ  ନିଜ କୋଳରେ ଧରି ପୋଡିମାରିବା ପାଇଁ ଅଗ୍ନିରେ ପ୍ରବେଶ କଲା। କିନ୍ତୁ ବିଷ୍ଣୁଙ୍କ ମାୟା ବଳରେ ନିଜେ ଜଳି ଭସ୍ମୀଭୂତ ହୋଇଗଲା ଆଉ ନିଆଁରୁ ଅକ୍ଷତ ହୋଇ  ପୃଥିବୀଲୋକକୁ ଚାଲି ଆସିଲେ ସର୍ବକାଳର ବିଷ୍ଣୁଭକ୍ତ ପ୍ରହ୍ଲାଦ।ଏହି ଉପାଖ୍ୟାନଟି ବୈଷ୍ଣବ ଧର୍ମର ମାହାତ୍ମ୍ଯକୁ ପ୍ରଚାର କରିବା ପାଇଁ ପରବର୍ତ୍ତୀ କାଳରେ ସଂଯୋଜିତ ହୋଇଛି ବୋଲି ବିଚାର କରାଯାଏ।

ଦ୍ୱିତୀୟରେ ଦେଖିଲେ  ଦୋଳପର୍ବ ହେଉଛି  ରଂଗର ପର୍ବ। ମୂଖ୍ଯତଃ ଲାଲ୍ ଓ ସବୁଜ ରଂଗରେ ଏଇ ପର୍ବଟି ରଂଗୀନ ଦିଶେ।କହିବାକୁ ଗଲେ ଏଇ ଦୁଇଟି ରଂଗ ତାରୁଣ୍ଯ ଓ ଯୌବନର ଦ୍ଯୋତନା ବହନ କରେ।ଏଇ ଦୁଇଟି ରଂଗ ସହ କାମନା ଓ ଯୌବନର ଅନୁଭୂତିର ସଂଚାର ଜଡିତ।ବସନ୍ତ କାଳର ଏଇ ପର୍ବ ରାଧାକୃଷ୍ଣଙ୍କ ରାସଲୀଳାକୁ ହୋଲିର ରଂଗରେ ରୂପାୟନ କରେ।ନିବିଡ କରେ। ବୈଷ୍ଣବ ଧର୍ମର ଆପାତ ସରଳ କଥା ଦ୍ବାରା ଆମର ସାମାଜିକ ଜୀବନର ନାନ୍ଦନୀକ ଦିଗଟି ରାଧାକୃଷ୍ଣଙ୍କ ଅନ୍ତରଂଗ ଓ ବହିରଂଗ ଦ୍ବାରା ବହୁଳ ଭାବରେ ପ୍ରଭାବିତ।ତେଣୁ ଆମେ ଦୋଳପର୍ବ ର ଅନୁସଂଗ ହିସାବରେ ରଂଗ ଖେଳୁ।ରଂଗରେ ନିଜେ ନିଜର ଅସ୍ତିତ୍ବକୁ ଅସ୍ବୀକାର କରୁ।ରଂଗର ମାର୍ଫତ ରେ ଆମେ ଆମର ଚିରପରିଚିତ ପୃଥିବୀକୁ କିଛିକାଳ ଛାଡିଦେଇ ଏକ ଅନାସ୍ବାଦିତ ଆନନ୍ଦଲୋକରେ ବାସ କରିବାର ସୌଭାଗ୍ଯ ପ୍ରାପ୍ତ ହୋଇଥାଉ।

ଶେଷରେ ଦୋଳପର୍ବ ହେଉଛି ଏକ ମଦନୋତ୍ସବ। ରକ୍ଷା,ଏଇ ଦିନ କୌଣସି ସ୍ଥାନରେ ଭାଲେଣ୍ଟାଇନ ଦିବସର ନୈତିକ-ରକ୍ଷୀ ମାନଙ୍କୁ ଦେଖିବାକୁ ମିଳେନାହିଁ ଯଦିଓ ଏହା ନାରୀ-ପୁରୁଷ ନିବିଡତାର  ମଧ୍ଯ ଏକ ପର୍ବ।ଆଦିମ କାଳରୁ  ବିଭିନ୍ନ ସଭ୍ଯତାରେ ନାରୀ-ପୁରୁଷର ଯୌନାଚାର ଭିତ୍ତିକ ପର୍ବ ପାଳନର ଏକ ପରଂପରା ରହି ଆସିଛି।ଏଇ ପ୍ରକାରର ପର୍ବ ପାଳନର ଆବଶ୍ୟକତା ହେଉଛି ନାରୀ-ପୁରୁଷ ଭିତରେ ସଂଗୁପ୍ତ ଉର୍ବର ଉତ୍ପାଦକ ଶକ୍ତିକୁ ବୈଧ ଓ ଏକ ସାର୍ବଜନୀନ ଉତ୍ସବରେ ପରିଣତ କରିବାର ପ୍ରକ୍ରିୟାକରଣ।ଉର୍ବରତା ମାନବ ସଭ୍ଯତାର ପ୍ରାଥମିକ ଆବଶ୍ଯକତା,ତାହା ଖାଦ୍ଯଶସ୍ଯର ଉତ୍ପାଦନ ପାଇଁ ହେଉ କି ପ୍ରଜନନ ପାଇଁ ହେଉ କି ଆମର ଯାବତୀୟ ବିଚାର ହେଉ।ସଭ୍ୟତାର ବିକାଶସହିତ ଆମର ଯୌନାଚାର ମଧ୍ଯ ଅନେକ ପରିଚ୍ଛନ୍ନ ହୋଇଛି।ନାରୀ ପୁରୁଷର ପାରସ୍ପରିକ ଅଧିକାର କୁ ନେଇ ଅନେକ ସଂଘର୍ଷମୂଳକ ଅପ୍ରୀତିକର ପ୍ରଶ୍ନ ଉଠିବାରେ ଲାଗିଛି। କିଂତୁ ଦୋଳପର୍ବର ରଂଗ ନାରୀ-ପୁରୁଷ ର ନିବିଡ଼ତାକୁ ପ୍ରତିଷ୍ଠିତ କରେ ।ସମସ୍ତ ସଂଘର୍ଷ କୁ ସ୍ଥଗିତ ରଖେ ଅଳ୍ପ ସମୟ ପାଇଁ ହେଉ ପଛକେ।

ଆଜି ସଂଧ୍ଯାରେ ଆମର  ସବୁ ଗାଁଆର ଦୋଳଭାଡିରେ ନୂଆ ପାଂଜି ପଢା ହେବ।କଷି ଆଂବ ଭୋଗ ହେବ। ଅବିର ଲାଗି ହେବ।

ଦୋଳପର୍ବ ଏମିତିରେ ଦେଖିଲେ ବୈଷ୍ଣବ,ଶୈବ ଓ ଶାକ୍ତ ତିନୋଟି ଧର୍ମ ଧାରାର ମିଳନ।

ସଂସାର ପ୍ରତି ଅତ୍ୟନ୍ତ ନିବିଷ୍ଟ ତଥା ଚିରଯୋଗୀ ଶ୍ରୀଶ୍ରୀ ଶଙ୍କର ମହାପ୍ରଭୂ କୈଳାସ ଶୀଖରରେ ଶ୍ରୀ ଶ୍ରୀ ଗୌରୀ ମାତାଙ୍କୁ ନୂଆ ପାଂଜିର ଶୁଭାଶୁଭ କହନ୍ତି। ଶଙ୍କର ଆଉ ଗୌରୀଙ୍କର ଏହିଭଳି କଥାବାର୍ତ୍ତାକୁ ଆମେ  ଆମର  ଲୋକକଥାରେ ଢେର୍ ବ୍ୟବହାର କରିଥାଉ। ଆମେ ତେଣୁ ଶଙ୍କର ଆଉ ଗୌରୀଶଙ୍କର ପାରସ୍ପରିକ କଥନୀକାର ମାର୍ଫତ୍ ରେ   ଶୁଣିବାକୁ ପ୍ରୟାସ କରିଥାଉ  ଅନେକ ଚମକପ୍ରଦ କାହାଣୀ।ସେହି କାହାଣୀ ସବୁରେ "ଲେଖକର ଅନୁପ୍ରବେଶ "ବା ଅଥରିଆଲ୍ ଇଣ୍ଟ୍ରୁଜନ୍  ଭଳି ଶଙ୍କର ଗୌରୀଙ୍କ ମାତ୍ରାଧିକ ଅନୁପ୍ରବେଶ ଘଟିଥାଏ।ସେହି ଅନୁପ୍ରବେଶ ସବୁବେଳେ ସୁଖପ୍ରଦ।ସେମାନେ କାହାଣୀ ଭିତରକୁ ଅନୁପ୍ରବେଶ କରି କଥାନାୟକର ସମସ୍ୟାକୁ ସହଜ ଭାବରେ ଅପସାରଣ କରିଦେଇଥାନ୍ତି । 

ଶଙ୍କରଙ୍କ ମୁଁହରୁ ଏହିଭଳି ନବପଂଜିକାର ଶୁଭାଶୁଭ ଶୁଣିବା ଦିବ୍ଯଜ୍ଞାନ ସଦୃଶ ଫଳପ୍ରାପ୍ତି ବୋଲି ବିଶ୍ଵାସ କରାଯାଏ। ତେଣୁ ଶଙ୍କର-ଗୌରୀଙ୍କ କୃପାରୁ ଆମେ ସମସ୍ତେ ଦିବ୍ଯଜ୍ଞାନ ପ୍ରାପ୍ତ ହେବା।

ଦୁଇ

ଦେବଗଣ ଏବେ ଅନ୍ୟତ୍ର। କେହି ଆଉ ନିଜନିଜର ଆସ୍ଥାନରେ ନାହାଁନ୍ତି ।

ଏକ ରଂଗୋତ୍ସବ ହିସାବରେ ଦୋଳପର୍ବର ଏଇଟି ହେଉଛି ସବୁଠୁ ବଡ କଥା।

ସେମାନେ ମାନେ ସେଠିକାର ସ୍ଥାନୀୟ ଲୋକେ ନିଜେ କଥାବାର୍ତ୍ତା କରୁଥିବା ଭାଷାରେ ଏହାକୁ କହିବେ,ଜମାଣ। ଜମାଣ କହିଲେ ଏକାଠି ହେବା ଭଳି କଥାକୁ ବୁଝାଇ ଥାଏ । 

ଏଇଠି କିନ୍ତୁ ଯିଏ ସବୁ ଏକାଠି ହୋଇଛନ୍ତି ସେମାନେ କେହି ସାଧାରଣ ଆମର ପରିଚିତ ପୃଥିବୀରେ ଗତାଗତ ହେଉଥିବା ଭଳି ଲୋକଜନ ନୁହଁନ୍ତି । ସେମାନେ ସମସ୍ତେ ହେଉଛନ୍ତି ଦେବତା। ମନ୍ଦିରର ଗର୍ଭଗୃହରେ ଫୁଲ ଚନ୍ଦନ ଆଉ ସୁଗଂଧରେ ସବୁବେଳେ ପରିମାର୍ଜିତ ହୋଇ ସେଇଠି ବସବାସ  କରୁଥିବା ଦେବତା । ସେମାନେ ଏବେ ନିଜ ନିଜ ଗାଆଁରୁ ବେଶ ଦଳବଳ, ଆଲଟଚାମର ଆଉ ହାଲୋଳ କରିଦେଉଥିବା ଆଲୁଅ ସହ ମହା ଆଡମ୍ବରରେ ବିମାନରେ ବସି ରଙ୍ଗ ସରସର ହୋଇ  ଏଠିକୁ ପଟୁଆର କରି ଆସିଛନ୍ତି ।

ଶହ ଶହ ବର୍ଷ ଧରି ଏମିତି କଥା ବର୍ଷକୁ ବର୍ଷ ଚାଲି ଆସିଛି ।

ଦେବତା ମାନେ ଏଇଲେ ଦଳବଳ ସହିତ ଯେଉଁଠି ପହଞ୍ଚିଛନ୍ତି ସେଇ ଜାଗାଟି ଗର୍ଭଗୃହ ଭଳି ସେମିତି ସଂକୁଚିତ ନୁହଁ । ଜାଗାଟି ବେଶ୍ ପ୍ରଶସ୍ତ । ଏତେ ପ୍ରଶସ୍ତ ଯେ ସେଇଠି ଦେବତା ମାନଙ୍କର ସବୁ ବିମାନ ,ଖଜା ଦୋକାନ,ମନୋହାରୀ ଦୋକାନ ମାନ ରହିବା ପରେ ଲାଗୁଥାଏ ଏମିତି ଏକ ଜାଗାରେ ଯେତେ ଲୋକବାକ ଆସି ଗହଳି କରନ୍ତୁ ତଥାପି କେହି ଟିକିଏ ବୋଲି ଭୀଡ ଅଛି ବୋଲି ମନେ କରିବେ ନାହିଁ ।

ଭୀଡ ଜାଗାରେ ନଥାଏ ,ମନରେ ଥାଏ ବୋଲି ପଣ୍ଡିତ ମାନେ କହନ୍ତି ।

ଏମିତିରେ ଦେବତା ମାନଙ୍କ ପାଇଁ କଥାରେ କହିଲେ ଭୀଡ କ'ଣ ? ମଣିଷ ମାନେ ଯେତେବେଳେ ଭୀଡ ବୋଲି ଯାହା କିଛି ରହିଛି ତାହାକୁ ଅସ୍ୱୀକାର କରି ଏଠିକୁ ଆସୁଛନ୍ତି ତେବେ ବିଚରା ଦେବତା ର ଆଉ ଅଧିକ କ'ଣ କହିବାର ଅଛି ।

ଦେବତା ମାନେ ଏଇଠି ଏଇ ସୁଯୋଗରେ ନିଜ ନିଜ ଭିତରେ ଘଡିଏ ସୁଖ ଦୁଃଖ ହେଉଛନ୍ତି । ଏମିତି ସୁଯୋଗ ସେମାନଙ୍କୁ ପୁଣି ଆଉ ଗୋଟିଏ ବର୍ଷ ପରେ ଯାଇ ମିଳିବ । ଅବଶ୍ୟ ସେମାନଙ୍କ କ୍ଷେତ୍ରରେ ମରଣ ବୋଲି କୌଣସି ବାଧକ ନାହିଁ ତେଣୁ ସେମାନେ ମଣିଷ ଭଳି ଆଉ ବର୍ଷଟିଏ ପରେ ବଂଚି ରହିଥିବି କି ନାହିଁ ସେମିତି ଦୀର୍ଘଶ୍ୱାସ ଛାଡୁଥିବାର କଥା କେହି କେବେ ଦେଖି ନାହାଁନ୍ତି । 

ଦେବତା ମାନେ ଜାଣନ୍ତି ଏକଥା ସ୍ଥିର ଆଉ ଅବଧାରିତ । ସେମାନେ ନିଶ୍ଚିତ ଅଛନ୍ତି ଯେ ଆର ବର୍ଷ ଏଇ ତିଥି ବାର ଆଉ ନକ୍ଷତ୍ରରେ ଏଇଭଳି ସମାନ ଭାବରେ ଆଉ ସମାନ ରୂପରେ ସେମାନେ ଏଇଠି ଆସି ଉପସ୍ଥିତ ହେବେ । ଦେବତା ମାନଙ୍କର କହିବାକୁ ଗଲେ ଅସୁବିଧାଟି ସେଇଠି । ଅମରତ୍ୱ ସେମାନଙ୍କୁ  ସବୁବେଳେ ଏକ  ନିହାତି ବିରକ୍ତିକର ଅପରିବର୍ତ୍ତନୀୟ ପୁନରାବୃତ୍ତିରେ ସ୍ଥାପିତ କରି ରଖିଥାଏ । ସେମାନଙ୍କ ନିକଟରେ ମଣିଷମାନଙ୍କ ଭଳି ଅଧାକଥା ର କୌଣସି ପ୍ରସଂଗ ନାହିଁ । ଯାହା କିଛି କହିଛି ତାହାର  ବାକି ଅଧକ ପଛକୁ ରହିଗଲା ସେମିତି ମଣିଷ ସୁଲଭ ଆଶା ଆଉ ଉତ୍ତେଜନା ବିଚରା ଦେବତା ର ଆଗରେ  ନାହିଁ । 

କଥା ଅଧା ରହିଯାଇଥିବା ଭଳି ସୁଖ କୁ ଏକାନ୍ତ ଭାବରେ ଭୋଗିବା ଭଳି  ଦେବତା ର ମଣିଷ ସୁଲଭ ଆଗ୍ରହ ବି ରହିଛି । ସେଇଥିପାଇଁ ତ ସେମାନେ ଗତ ବର୍ଷର ଯାହା କିଛି ବାକି ରହିଯାଇଥିଲା ସେଇ ଅଧକ କଥାକୁ ନିଜ ନିଜ ଭିତରେ ସହଭାଗ କରିବା ପାଇଁ ଏଇଠି ଏବେ ଏକାଠି ।

ବାକି ଅଧକ କଥା ପାଇଁ ଦେବତା ମାନଙ୍କର ଏଇଠି ଏମିତି ଏକାଠି ହେବାର କଥାକୁ ମଣିଷ ମାନଙ୍କ ସ୍ଥାନୀୟ ଭାଷାରେ କୁହାଯାଏ ,
ମେଲଣ ।

ଦେବତା ମାନେ କେଉଁ ଭାଷାରେ କଥା ହୁଅନ୍ତି ? ସେମାନଙ୍କ ଭିତରେ କ'ଣ  ତମ ଆମ ଭଳି ତୁ ତା ରେ କଥାବାର୍ତ୍ତା ଚାଲେ ? ମଝିରେ ମଝିରେ ସେମାନଙ୍କ ପାଟିରୁ କ'ଣ ତମ ଆମ ଭଳି ଅପଶବ୍ଦ ଅଜାଣତରେ ବାହାରି ଆସେ ? ନା,ସେମାନଙ୍କ କଥାବାର୍ତ୍ତା କ'ଣ ପୋଥି ଭାଷା ଭଳି ସବୁବେଳେ ମାର୍ଜିତ ଆଉ ବିଶୁଦ୍ଧ ? ଯେମିତି କୌଣସି ନାଟକର ଚରିତ୍ର କହୁଥିବା ସଂଳାପ ଭଳି ନିର୍ଦ୍ଦିଷ୍ଟ ଆଉ ସ୍ପଷ୍ଟ ? କାର୍ଯ୍ୟ କାରଣ ରହିତ ଅସଂଲଗ୍ନ କଥା କ'ଣ ଦେବତାର ମୁହଁରୁ କେବେ ବାହାରି ଆସେ ନାହିଁ ? ଯଦିଓ ସବୁକଥା ସେମାନଙ୍କର ସ୍ଥିର ଆଉ ନିର୍ଦ୍ଦିଷ୍ଟ ବୋଲି ଅର୍ଥାତ୍ ସଂଭାବନାର ଘର ଶୂନ୍ୟ ବୋଲି ବିଚାର କରି ପଣ୍ଡିତ ମାନେ କହିଥାନ୍ତି ଯେ ଦେବତା ମାନେ ଗୋଟିଏ ଖେଳ ପ୍ରତି ଚିରକାଳ ଅନିଚ୍ଛୁକ,ଦେବତାମାନେ କେବେହେଲେ ପଶା ଖେଳନ୍ତି ନାହିଁ । ସେଇଭଳି ପଣ୍ଡିତମାନେ ବି କହିଥାନ୍ତି ଯେ ଆକାଶରେ ଯେଉଁ ଦେବତା ମାନେ ଅଛନ୍ତି ସେମାନେ ଯେମିତି ସୁବିଧାରେ ତଳକୁ ଓହ୍ଲାଇ ଆସିବେ ସେଇଥିପାଇଁ ମଣିଷ ମାନେ ଗୋଟିଏ ବେଶ୍ ବଡ ସ୍ତମ୍ଭ ନିର୍ମାଣ କରିଥିଲେ । ତାହାର ଗୋଟିଏ ନାଆଁ ରଖିଥିଲେ,ବାବେଲ୍ ସ୍ତମ୍ଭ । ହେଲେ ସେହି ଟାୱାର୍ ଅଫ୍ ବାବେଲ୍ ଦେଇ କୌଣସି ଦେବତା ଉପରୁ ତଳକୁ ସେମିତି ଓହ୍ଲାଇ ଆସୁନାହାଁନ୍ତି । ପଣ୍ଡିତମାନେ ତାହାର କାରଣ ଟି କହିଛନ୍ତି । ତଳେ ଥିବା ମଣିଷମାନେ ଏଯାଏଁ ସେମିତି ଗୋଟିଏ ଭାଷା ରେ କଥାବାର୍ତ୍ତା କରିବା ଆୟତ୍ତ କରିନାହାଁନ୍ତି ଆଉ ଦେବତାମାନଙ୍କର ସେମିତି ବହୁଭାଷୀ ହେବାରେ ଅନାଗ୍ରହ ରହିଛି ।
 
ଏଇଠି କିନ୍ତୁ ତଳେ ଯେଉଁ ଦେବତା ମାନେ ଏଇଲେ ଏକାଠି ଅଛନ୍ତି ସେମାନେ ଗଲା ବର୍ଷ ସାରା ନିଜ ନିଜ ଗାଆଁର ଲୋକମାନଙ୍କ ଆର୍ତ୍ତିକୁ  ଜଣାଣକୁ ଶୁଣି ଶୁଣି କହିବାକୁ ଗଲେ ଏକ ପ୍ରକାର କ୍ଳାନ୍ତ। ସେମାନଙ୍କର ଟିକିଏ ଫୁରୁସତ୍  ଦରକାର । 

ଏଇଠି ଦେବତାର ଫୁରସତ୍ କୁ ସେଇଥିପାଇଁ ରଂଗ ଅବିର ବେଶ୍ ମାନେ । ରଂଗ ବୋଳାବୋଳି ହେଲାବେଳେ ଦୁଃଖ ପଛରେ ଥାଏ ,ସାମ୍ନାରେ ଥାଏ ଆନନ୍ଦ । ନିରାସକ୍ତ ଆନନ୍ଦର ସୁକୁମାର ରୂପ ଲାବଣ୍ୟ ।

ଦେବତା ମାନେ ଏଇଠୁ କିଛିଦିନ ପରେ ଏଠିକୁ ଯେମିତି ଆସିଥିଲେ ଠିକ୍ ସେମିତି ମହାସମାରୋହରେ ନିଜ ନିଜର ବିମାନରେ ନିଜନିଜର ଆସ୍ଥାନକୁ ଫେରିଯିବେ । ଲୋକ ମାନେ ତାହାକୁ ନିଜନିଜର ଭାଷାରେ କହିବେ,ଉଠାଣ ।

ଜୀବନରେ ଯଥାସ୍ଥିତି ପ୍ରତିଷ୍ଠିତ ହେଉଥିବ ।

କିଶୋରୀ ର ବାପ ଗାଆଁରେ ଛଡ ସିମେଣ୍ଟର ବେପାର କରେ । କିଶୋର ର ବାପ ସରପଞ୍ଚଙ୍କ ଡାହାଣ ହାତ । ଏମିତି ଜମାଣ,ମେଲଣ ଆଉ ଉଠାଣ ପରେ  ସେମାନଙ୍କ ଭିତରେ ଯାହା ଅସଲ କଥା ଯଦି  କୌଣସି କାରଣବଶତଃ ସେତକ ଅଧା ରହିଗଲା ତେବେ ତାହା ପାଇଁ ଆଉ କେଉଁ ରଂଗ ଟି ସଠିକ ହେବ ତାହାର ଉତ୍ତର ଆମକୁ ଅଭିନୟ କରି ଦେଖାଇଦେବାକୁ ହେବ । 

ଆପଣମାନେ ରଂଗମୟ ହୁଅନ୍ତୁ ।

ଦୋଳପର୍ବ ଆପଣମାନଙ୍କର ଚିରତର ଆନଂଦମୟ ହେଉ।