ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟର ସମ୍ମାନକୁ ନେଇ ସତରେ ଚିନ୍ତିତ କି?

ଓଡ଼ିଶା ହାଇକୋର୍ଟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଗୋଟେ ଚମତ୍କାର କଥା କହିଛନ୍ତି। ଗଣତାନ୍ତ୍ରିକ ସମାଜରେ ବିଚାରପତି ମାନଙ୍କର ପ୍ରଜ୍ଞା ଉପରେ ପ୍ରଶ୍ନବାଚୀ ଲଗାଇବା ସମିଚୀନ ନୁହେଁ ଏବଂ ବର୍ତ୍ତମାନ ସମୟରେ କିଛି ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ଅଦାଲତର ମର୍ଯ୍ୟାଦା କ୍ଷୁଣ୍ଣ କରିବାର ଉଦ୍ୟମ କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଆଇନ ମନ୍ତ୍ରୀଙ୍କର କଥା ଅକ୍ଷରେ ଅକ୍ଷରେ ସତ। ହେଲେ ପ୍ରଶ୍ନ ଉଠୁଛି, ଦେଶର ବିଚାର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି କିଏ ? ଗତ ତିନି ଚାରି ମାସର ସମ୍ବାଦ ପତ୍ର ଓଲଟାଇଲେ ଏହାର ଉତ୍ତର ସହଜରେ ମିଳିଯିବ।
ଖୋଦ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ସୁପ୍ରିମକୋର୍ଟର ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଏକାଧିକ ବାର ସର୍ବୋଚ୍ଚ ଅଦାଲତଙ୍କୁ ସମାଲୋଚନା କରିଛନ୍ତି। ଏପରି କି ବିଚାରପତିମାନେ ନିର୍ବାଚନ ଲଢୁନାହାନ୍ତି, ତେଣୁ ସେମାନଙ୍କ ଉତ୍ତର ଦାୟିତ୍ଵ ରହୁନାହିଁ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ସହିତ ତାଳ ଦେଇ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ୍ ମଧ୍ୟ ସୁପ୍ରିମକୋର୍ଟଙ୍କୁ ରାଜ୍ୟସଭା ଭିତରେ ସମାଲୋଚନା କରିଥିଲେ। ଉପ ରାଷ୍ଟ୍ରପତି ସୁପ୍ରିମକୋର୍ଟର ଦୁଇଟି ଐତିହାସିକ ରାୟକୁ ସମାଲୋଚନା କରିଥିଲେ ଏବଂ ଏଠି କହି ରଖିବା ଉଚିତ ହେବ ଯେ ସେହି ଦୁଇଟି ଯାକ ରାୟ ଆମର ଗଣତନ୍ତ୍ର ଓ ସମ୍ବିଧାନର ରକ୍ଷା କବଚ ଭାବରେ ଦୀର୍ଘ ବର୍ଷ ଧରି କାମ କରି ଆସୁଛି।
ସଂସଦ ତିଆରି କରୁଥିବା ଆଇନକୁ ସୁପ୍ରିମକୋର୍ଟ ଗ୍ରହଣ ନ କରିବା ଲୋକମତ ବିରୋଧୀ ବୋଲି ବର୍ତ୍ତମାନ ସରକାରର ବହୁ ବିଶିଷ୍ଟ ଲୋକ ମତ ଦେଇଛନ୍ତି। ସଂସଦର ଆଇନ ତିଆରି କରିବାର ଅଧିକାର ଯଦିଓ ରହିଛି, ହେଲେ ଏହାର ସାମ୍ବିଧାନିକ ସମୀକ୍ଷା କରିବାର ଅଧିକାର ସୁପ୍ରିମକୋର୍ଟର। ଏହି ଅଧିକାର ଉପରେ ମୋଦୀ ସରକାରର ଆଇନ ମନ୍ତ୍ରୀ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି। ତେଣୁ ନ୍ୟାୟାଳୟର ମର୍ଯ୍ୟାଦା ପ୍ରତି କିରଣ ରିଜିଜୁ ଯେ କେତେ ସଚେତନ, ସେ କଥାର ପ୍ରମାଣ ଆଉ କାହିଁକି ଖୋଜିବା!!