ଏକ ଜଘନ୍ୟ ହତ୍ୟାକାଣ୍ଡର ରାଜନୈତିକ ସୁଆଙ୍ଗ

ଏକ ଜଘନ୍ୟ ହତ୍ୟାକାଣ୍ଡର ରାଜନୈତିକ ସୁଆଙ୍ଗ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଓଡିଶା ରାଜନୀତିର ସବୁଠୁ ଉଦ୍ଭଟ ନାଟକ ଏବେ ଦେଖିବାକୁ ମିଳୁଛି । ବିଧାନସଭାର ବଜେଟ  ଅଧିବେଶନ ଆରମ୍ଭ ହେଉ ହେଉ ଏହି ଚମକପ୍ରଦ ହତ୍ୟାକାଣ୍ଡକୁ ଏକ ରାଜନୈତିକ ଗଣନାଟ୍ୟ କରିବାକୁ ବିଜେପି ନେତୃତ୍ବରେ ରୀତିମତ ଏକ ଅଭିଯାନ ଆରମ୍ଭ ହୋଇଥିଲା । ହତ୍ୟାକାଣ୍ଡ ଘଟିବାର ପ୍ରଥମ ପନ୍ଦର ଦିନ ବିଜେପି ଏକପ୍ରକାର ନୀରବ ରହିଥିବା ବେଳେ ବିଧାନସଭା ଅଧିବେଶନ ପୂର୍ବରୁ ଏହି ପ୍ରସଙ୍ଗରେ ଦଳ ହଠାତ ମାତ୍ରାଧିକ ଉତ୍ସାହୀ ହୋଇପଡିଛି । ବିଜେଡି ବିଜେପିକୁ ଘେରିବା ପାଇଁ କୌଣସି ଜାତୀୟ ପ୍ରସଙ୍ଗରେ ପାଟି ଫିଟାଉନଥିବାରୁ ଓଡିଶା ରାଜନୀତିରେ ଏକପ୍ରକାର ନିସ୍ତରଙ୍ଗତା ରହି ଆସିଥିଲା । ବିଜେଡି ଜାତୀୟ ରାଜନୀତିରେ ବିଜେପିର ସବୁଠୁ ବଡ ଆବଶ୍ୟକତା ହୋଇ ରହିଥିବାରୁ ରାଜ୍ୟ ବିଜେପି ନେତା ମଧ୍ୟ ହାଟଗୋଡା ବାନ୍ଧି ବସିବାକୁ ବାଧ୍ୟ ହେଉଥିଲେ । ତେବେ ନବ ଦାସ ହତ୍ୟା ପ୍ରସଙ୍ଗ ବିଜେପିକୁ ରାଜରାସ୍ତାକୁ ଟାଣିବାକୁ ଏକରକମ ବାଧ୍ୟ କଲା । ବାଧ୍ୟବାଧକତାରେ ବିଜେପି  ନବ ଦାସ ପ୍ରସଙ୍ଗକୁ ବିଧାନସଭା ଅଧିବେଶନ ସମୟରେ ତେଜୀୟାନ କରିବାର ଉଦ୍ୟମ ଆରମ୍ଭ କରିଛି ।

ତେବେ ଏ ଉଦ୍ୟମରେ ବେଙ୍ଗା ପୂରେଇଛନ୍ତି ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର । ନିଜ ଚିରାଚରିତ ହୁଣ୍ଡା ଶୈଳୀରେ ଜୟ ନାରାୟଣ ପ୍ରଥମେ ସମ୍ବଲପୁରରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହି ଏକ ଷଡଯନ୍ତ୍ର ତତ୍ତ୍ଵ ଆରମ୍ଭ କଲେ । ସମ୍ବଲପୁରରେ ବିଜେପି ଆନ୍ଦୋଳନ କରୁଥିବା ସମୟରେ ଜୟ ନାରାୟଣ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଉପରକୁ ହାତ ଉଠାଇ ଅସୁବିଧାରେ ପଡିଲେ । ସେହି ଅସୁବିଧାରୁ ବର୍ତ୍ତିବା ଲାଗି ବିଧାନସଭା ପରିସରରେ ଜୟ ନାରାୟଣ ଆଉ ଏକ ନୂଆ ଷଡଯନ୍ତ୍ରର ତତ୍ତ୍ଵ ଛାଡିଲେ । ଏଥର ଷଡଯନ୍ତ୍ରର କେନ୍ଦ୍ରରେ ରହିଲେ ବିଜେଡି ବିଧାୟକ ତଥା ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ । ଜୟ ନାରାୟଣ ସିଧାସଳଖ ଏହି ଦୁହିଙ୍କୁ ନବ ଦାସ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ବୋଲି ବୟାନ ଦେଇଦେଲେ । ଜୟ ନାରାୟଣ ଭଲ ଭାବରେ ଜାଣନ୍ତି ଯେ ସେ ଯାହା କହୁଛନ୍ତି, ତାର କୌଣସି ଆଧାର ବା ପ୍ରମାଣ ତାଙ୍କ ପାଖରେ ନାଇଁ । କେବଳ ଲୋକଙ୍କ ମନରେ ବିଜେଡି ବିରୋଧୀ ଏକ ଧାରଣା ସୃଷ୍ଟି କରିବା ଲାଗି ସେ ଏମିତି ଏକ ଷଡଯନ୍ତ୍ରର ନାଟକ ରଚନା କରିଛନ୍ତି।

ଜୟ ନାରାଯଣଙ୍କ ଷଡଯନ୍ତ୍ର ନାଟକକୁ ଭଣ୍ଡୁର କରିବା ଲାଗି ବିଜେଡି ନୂଆ ଏକ ଷଡଯନ୍ତ୍ରର ନାଟକ ବଜାରକୁ ଛାଡିଲା । ପିପିଲି ବିଧାୟକ ରୁଦ୍ର ମହାରଥି ଗଣମାଧ୍ୟମରେ ବୟାନ ଦେଇ କହିଲେ ଯେ ପଦ୍ମପୁର ଉପ ନିର୍ବାଚନ ସମୟରେ ନବ ଦାସଙ୍କୁ ପଦ୍ମପୁର ଉପ ନିର୍ବାଚନକୁ ନ ଆସିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଧମକ ଦେଇଥିଲେ । ଏ କଥା ନବ ଦାସ ଖୋଦ ତାଙ୍କୁ କହିଥିବା କଥା ରୁଦ୍ର ମହାରଥି କହିଛନ୍ତି । ସେହି ସମାନ କଥା ରାଜସ୍ଵମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଉଠାଇଥିଲେ । ଜୟ ନାରାୟଣଙ୍କ ଷଡଯନ୍ତ୍ର ନାଟକର କାଉଣ୍ଟର ଭାବରେ ବିଜେଡି ଆଉ ଏକ ଷଡଯନ୍ତ୍ର କଥା ସାଧାରଣରେ ଉଠାଇଛି ।

ତେବେ ଅସଲ କଥା ହେଉଛି ଏ ଷଡଯନ୍ତ୍ର ସବୁ ନାଟକ ମାତ୍ର । ରାଜନୀତିରେ ଏ ପ୍ରକାର ନାଟକବାଜି ତଳସ୍ତରର କର୍ମୀମାନେ କଲେ, ତାକୁ ଆମେ ଗୁଜବ ବୋଲି କହିଥାଉ । ହେଲେ ଆଜି ବଡ ନେତାମାନେ ଷଡଯନ୍ତ୍ରର ଉଦ୍ଭଟ ନାଟକ ନେଇକି ଲୋକଙ୍କୁ ବିଭ୍ରାନ୍ତ କରି ଚାଲିଛନ୍ତି ।