ବଂଶବାଦ, ଭ୍ରଷ୍ଟାଚାର ଓ ତୁଷ୍ଟିକରଣ

ବଂଶବାଦ, ଭ୍ରଷ୍ଟାଚାର ଓ ତୁଷ୍ଟିକରଣ

ଅଗଷ୍ଟ ୧୫ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାରୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ଯେଉଁ ତିନୋଟି ଶବ୍ଦ ଉପରେ ଜୋର୍ ଦେଲେ, ତାକୁ ଆମେ ଏ ଲେଖାର ଶୀର୍ଷକ କରିଛୁ । ବଂଶବାଦ, ଭ୍ରଷ୍ଟାଚାର ଓ ତୁଷ୍ଟିକରଣ - ଆମ ଦେଶର ସବୁଠୁ ବଡ଼ ସଙ୍କଟ ବୋଲି ମୋଦୀ କହିଛନ୍ତି। ଏହା ସେ ପ୍ରଥମ ଥର ଅବଶ୍ୟ କହିନାହାନ୍ତି - ଗୋଟେ କଥାକୁ ବାରମ୍ବାର କହିବାର ଏକ ବିଚିତ୍ର ଅଭ୍ୟାସ ପ୍ରଧାନମନ୍ତ୍ରୀଙ୍କର ରହିଛି । ତାଙ୍କ ପାଇଁ ରାଜନୀତି ହେଉଛି କେତୋଟି ପଦ ମାତ୍ର ଯାହାକୁ ଇଂରାଜୀରେ କୁହାଯାଏ "ଏକ୍ରୋନିମ୍"।‌ ତାଙ୍କ ଭାଷଣ ଗତ ଦଶ ବର୍ଷ ଭିତରେ ବିରକ୍ତିକର ଏକ୍ରୋନିମ୍ ମାନଙ୍କର ଏକ ବିଚିତ୍ର ସମାହାର ବ୍ୟତୀତ ଅଧିକ କିଛି ନୁହେଁ ।

ମୋଦୀଙ୍କ ପାଖରେ ଜଓ୍ବାହରଲାଲ ନେହେରୁଂକ ବୌଦ୍ଧିକ ଗଭୀରତା କିମ୍ବା ଅଟଳ ବିହାରୀ ବାଜପେୟୀଙ୍କ ଚାତୁରୀ ନାହିଁ, ସେ ଚନ୍ଦ୍ରଶେଖରଙ୍କ ପରି ଓଜସ୍ବୀ ବକ୍ତା ନୁହନ୍ତି କି ତାଙ୍କ ପାଖରେ ଇନ୍ଦିରା ଗାନ୍ଧୀଙ୍କର କୁହୁକ ନାହିଁ, ସେ ରାଜୀବ ଗାନ୍ଧୀଙ୍କ ପରି କସ୍ମୋପଲିଟାନ୍ ନୁହନ୍ତି କି ତାଙ୍କ ପାଖରେ ମନମୋହନ ସିଂଙ୍କ ବିଦ୍ଵତ୍ତା ନାହିଁ - ସେ କେବଳ ଘୋଷା ଭାଷଣକୁ ମାତ୍ରାଧିକ ନାଟକୀୟ କରି କହିବା କଳାଟି ଜାଣନ୍ତି । ସେଥିପାଇଁ ତାଙ୍କର ପ୍ରାୟ ସବୁ ଭାଷଣ କେବଳ ପ୍ରତିକ୍ରିୟା, ଉତ୍ତେଜନା ଏବଂ ପ୍ରତିଶୋଧର ଭାବନାରୁ ଆସିଥାଏ । ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ଵବୋଧ ଏବଂ ଅନୁଭବରୁ କହିବା ଅପେକ୍ଷା ସେ ମୂଳତଃ ନାଟକୀୟ ବକ୍ତବ୍ୟ ରଖନ୍ତି, ଯାହା ଜଣେ ଅଭିନେତାର ଘୋଷାପାଠ ପରି ମନେହୁଏ


ସେ ୧୪୦ କୋଟି ଲୋକଙ୍କୁ ନିଜ ପରିବାର ଲୋକ ବୋଲି କହିବା ପରେ ପରେ ବଂଶବାଦକୁ ଗାଳି କରନ୍ତି । ଗଣତନ୍ତ୍ରର ପ୍ରଥମ ନିୟମ ହେଉଛି, ଏଠି ସବୁ ବ୍ୟକ୍ତି ନାଗରିକ ହୁଏ ଓ ନାଗରିକ ଭାବରେ ସେ ସବୁ ସୁଯୋଗ ଭୋଗିବାକୁ ଆଇନଗତ ଭାବରେ ଅଧିକୃତ । ସେଠି କାହାର ପରିବାରକୁ ଦେଶର ବିପଦ ବୋଲି କହିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଲଢ଼ି ଯଦି ଏକ ପରିବାରର ଏକାଧିକ ପିଢ଼ି କ୍ଷମତାରେ ରହୁଛନ୍ତି, ତାହା ଲୋକଙ୍କର ଇଚ୍ଛା । ଲୋକେ ଭୋଟ ଦେଇ ନେହେରୁ, ଇନ୍ଦିରା, ରାଜୀବ, ସୋନିଆ ଓ ରାହୁଲ ଙ୍କୁ ଗଢ଼ିଛନ୍ତି । ଲୋକ ଭୋଟ ଦେଇ ସିନ୍ଧିଆ, ସିଂ ଦେଓ, ପ୍ରଧାନ ପରିବାରକୁ ନିର୍ବାଚିତ କରିଛନ୍ତି । ଏମିତି କେଉଁଠି ନିୟମ ଅଛି ଯେ ପରିବାରର ଜଣେ କ୍ଷମତାରେ ରହିଲେ, ବାକିମାନଙ୍କର ଭୋଟ ଲଢ଼ିବାର ଅଧିକାର ଚାଲିଯିବ ? 

ପୃଥିବୀର ଇତିହାସରେ ଗୋଟିଏ ପରିବାରର ଏକାଧିକ ରାଷ୍ଟ୍ରମୁଖ୍ୟ ହୋଇଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟା ଦେଇ ଆସିବା ବେଳେ କେହି କାହାକୁ ବାଧା ଦେଇପାରିବେ ନାହିଁ । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଜେପିରେ ପରିବାରବାଦର ଏକ ଲାମ୍ବା ତାଲିକା ରହିଛି । ପ୍ରଥମେ ସେ ନିଜ ଦଳରୁ ଏହାକୁ ବନ୍ଦ  କରି ପାରିବେ କି ? ନିଜ ମନ୍ତ୍ରୀମଣ୍ଡଳରୁ ସେ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋୟଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅନୁରାଗ ଠାକୁର, ଅନୁପ୍ରିୟା ପଟେଲ, ଗଜେନ୍ଦ୍ର ଶେଖାବତ ପ୍ରମୁଖଙ୍କୁ ବାଦ ଦେଇପାରିବେ କି ? ସେ ତାଙ୍କର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କହିପାରିବେ କି ଯେ ତାଙ୍କ ପୁଅ ଜୟ ଶାହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ରେ କେବଳ ବଂଶବାଦ କାରଣରୁ ସମ୍ପାଦକ ହୋଇ ବସିଛନ୍ତି ?

ବଂଶବାଦ, ଭ୍ରଷ୍ଟାଚାର ଓ ତୁଷ୍ଟିକରଣ – ଏଇ ତିନୋଟି ଯାକ ଏବେ ବିଜେପି ଶାସନର ମେରୁଦଣ୍ଡକୁ ବଙ୍କା କରିସାରିଛି । ସମ୍ପ୍ରତି ଦେଶର ସିଏଜି ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଅସଂଖ୍ୟ ଆର୍ଥିକ ଘୋଟାଲାର ଚିତ୍ର ସ୍ପଷ୍ଟ ଦିଶୁଛି । ଗୋଟେ ସମୟରେ ସିଏଜି ରିପୋର୍ଟ ଆଧାରରେ ବିଜେପି କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ ବୋଲି କହୁଥିଲା । ଆଜି ସେଇ ସମାନ ରିପୋର୍ଟ ମୋଦୀ ସରକାରକୁ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ସାବ୍ୟସ୍ତ କରିଛି ।

ତୁଷ୍ଟିକରଣ କଥା ନ କହିବା ଭଲ । କଂଗ୍ରେସ ସରକାର ଅମଳରେ ଦୁର୍ବଳ ଓ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ତୁଷ୍ଟିକରଣର ଅଭିଯୋଗ ଆସୁଥିଲା । ଏବେ ମୋଦୀ ସରକାର ଘୃଣା ଓ ବିଭାଜନ ସୃଷ୍ଟି କରୁଥିବା, ସମାଜକୁ ଭାଗ ଭାଗ କରୁଥିବା ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ ତୁଷ୍ଟ କରୁଛି । ଏହା ଅଧିକ ବିପଜ୍ଜନକ ।  

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ନିଜକୁ ସମାଲୋଚନା କରିଛନ୍ତି କି ?