ଶୁଆପକ୍ଷିଆ ସ୍ବେଟର

ଗୋଟେ ଶୁଆପକ୍ଷିଆ ରଙ୍ଗର
ସ୍ଵେଟରଟେ ବୁଣିବାର ଥିଲା !
ରେଶମର କି ଉଲ୍ର,
କପଡ଼ା ଅବା ଟସରର
ସେ କଥା ଜାଣିନଥିଲି ।
ବାସ୍ ଯାହା ଶୁଆପକ୍ଷିଆ ରଙ୍ଗର
ସ୍ଵେଟରଟେ ଇଛ୍ଥିଥିଲି ।
ଆଖିକୁ ଖବରି କଲି
ଇଚ୍ଛା ମାନଙ୍କୁ କବର ଦେଲି ।
ଯେତେଯେତେ ବଡ଼ ହେଲି
କେବଳ ରଙ୍ଗ ଖୋଜିଲି !
ସେ ଶୁଆ ରଙ୍ଗର ହେଉ
ଅବା ପକ୍ଷୀ ରଙ୍ଗର !
ବାସ୍ କେବଳ ସେଇ ରଙ୍ଗର ସ୍ଵେଟରଟେ ଖୋଜିଲି !
ଯେତେ ବାଟ ଚାଲିଲି
ପକ୍ଷୀ ମିଳିଲେ ରଙ୍ଗ ମିଳିଲାନି !
ରଙ୍ଗ ମିଳିଲେ ପକ୍ଷୀ !
ଏବେ ଆଖିକୁ କବର୍ ଦେଲି
ଆଉ, ଇଛା ମାନଙ୍କୁ ଖବର କରି କାଗଜରେ ଛାପିଲି !
ସୂର୍ଯ୍ୟ କଡ଼ ଲେଉଟେଇଲେ
ଏଠି ଆକାଶର ରଙ୍ଗ ବଦଳେ
ବୟସ ହାଇ ମାରିଲେ
ଇଛା ମାନଙ୍କ ମୁହଁ ଫିକା ଦିଶେ !
ଏ ଦେହର ଛାଇ ଯେତେ ଲମ୍ବା ହେଲା
ଆଉ ରଙ୍ଗ ନୁହେଁ, କେବଳ ସ୍ଵେଟରଟେ ଖୋଜିଲି !
ଯେବେଠୁଁ ସ୍ବେଟର ଖୋଜିଲି,
ସେବେଠୁଁ ଆଖି ଆଉ ରଙ୍ଗ ବାରିପାରିଲାନି !
କିନ୍ତୁ, ଶୁଆପକ୍ଷିଆ ରଙ୍ଗର ସ୍ଵେଟରଟେ ଇଛ୍ଥିଥିଲି ବୋଲି ତ,
ସ୍ବେଟରଟେ ବୁଣିଲି !
ହେଲେ କେଉଁ ରଙ୍ଗର ବୁଣିଲି କେଜାଣି ?