ମଦୁଆ-ଗଞ୍ଜଡ଼ ଉବାଚ
ମଦୁଆ
କି ମଧୁର ଆହା ଧନ ରେ ଏ ପାଣି
ସତେ ଅମୃତ ସମାନ,
ଠିପି ବୁଜି ଅବା ଠିପି ଖୋଲି ପିଅ
ନାହିଁ କିଛି ଅବ୍ଜେକ୍ସନ।
ଢୋକେ ପଡ଼ିଗଲେ ଦିଲ୍ ପୁରା ନାଲ୍
ଦିଶେ ଚଉଦ ଭୁବନ,
ନ ପିଇଲା ଲୋକ କରେ ସିନା ଛି ଛି
ସେ ବିଚରା ମୂର୍ଖ ଜାଣ।
ଅମୋଘ ଏ ଦୱା କାଟିବାକୁ ସବୁ
ଟେନସନ ଫ୍ରଷ୍ଟ୍ରେସନ,
ନିଶା ଚଢ଼ିଲେ ଖଟ ବାଟ ମଶାଣି
ନାଳ ନର୍ଦ୍ଦମା ସମାନ।
ପର ଆପଣାର ଭେଦଭାବ ଭୁଲି
ସଭିଙ୍କୁ କରୁ ସଲାମ,
ଶୋଧା ଗାଳି ଯିଏ ଯେତେ ଦଉ ପଛେ
ବାଧିବନି ଅପମାନ।
ଆହା ଏ ପାଣି ମହାନ,
ତା ପାଇଁ ଜାନ୍ କୁରୁବାନ।
**
ଗଞ୍ଜଡ଼
ହୁକା ଦି ଶୋଷଡ଼ା ମାର ରେ ମଦନା
ହାଲୁକା କରିଦେ ମନ,
ନାଲିପାଣି ମାରି ବଦନାମ ଆଉ
ହଉଥିବୁ କେତେଦିନ।
ଏଇଠି ତ ବାବୁ ଜଞ୍ଜାଳରୁ ମୁକ୍ତି
ସଂସାର ଯାକର ଜ୍ଞାନ,
ଆଖି ବୁଜିଦେଲେ ଈଶ୍ବର ପ୍ରାପତି
ସାକ୍ଷାତ ପ୍ରଭୁ ଦର୍ଶନ।
ସରକାର ସିନା ଲୋକ ଜାଣିବାକୁ
ଲଗେଇଚି ଗୋଟେ ବ୍ଯାନ,
ଭୋଳାବାବା ଯା'ର ବ୍ରାଣ୍ଡ ଆମ୍ବାସଡ଼ର
ଆମେ ଅଟୁ ତା'ର ଫ୍ୟାନ ।
ରାସ୍ତାକଡ଼ ଗଛମୂଳ ଅବା ପାର୍ଟି
ଆମକୁ ସବୁ ସମାନ,
ମୁଣ୍ଡରେ ଲଗେଇ ମାର ଦି ଶୋଷଡ଼ା
ୟେ ତ ପ୍ରଭୁ ବରଦାନ।