ଏବଂ ଅବୋଲକରା
ଦ୍ୱିତୀୟ ଥର ପାଇଁ ପଣ୍ଡିତ ଅବୋଲକରା ନିକଟରେ ପରାଜୟ ସ୍ୱୀକାର କରି, ପେଡି ସାଇତା ଲୁଗା ପିନ୍ଧି ମ୍ୟାଚ୍ ଦେଖିବା ଲାଗି ବାହାରିଲେ । ଅବୋଲକରା ଏକ ବାଧ୍ୟ ଛାତ୍ର ଭଳି ତାଙ୍କୁ ଅନୁସରଣ କଲା ।
ଷ୍ଟାଡିୟମ୍ ନିକଟରେ ପ୍ରଚୁର ଜନଗହଳି । ଷ୍ଟାଡିୟମ୍ ଗେଟ୍ ନିକଟରେ ଆଜିର ମୁଖ୍ୟ ଆକର୍ଷଣ ଥିବା ଖେଳାଳୀମାନଙ୍କର ବିରାଟକାୟ ଫଟୋମାନ ଫ୍ଲେକ୍ସରେ ଲଗାଯାଇଛି । ଫୁଟ୍ବଲ୍ ଖେଳ ପ୍ରତି ଅବୋଲକରାର ଯଥେଷ୍ଟ ଦୁର୍ବଳତା । ତେଣୁ ଟିଭି ଓ ଖବରକାଗଜରୁ ଖେଳାଳୀମାନଙ୍କୁ ଦେଖି ଅନେକଙ୍କୁ ଚିହ୍ନି ସାରିଥିଲା । ସେମାନଙ୍କ ମଧ୍ୟରୁ କେହି ଆଜିର ମ୍ୟାଚରେ ସାମିଲ୍ ହୋଇଥିବେ ବୋଲି ଭାବି ସେ ଫ୍ଲେକ୍ସ ଫଟୋଗୁଡିକ ତନ୍ନ ତନ୍ନ କରି ଦେଖିଲା । ନା.... ସେମାନଙ୍କ ମଧ୍ୟରୁ ଜଣେ ହେଲେ ନାହାନ୍ତି । ସବୁଗୁଡିକ କିନ୍ତୁ କିନ୍ତୁ ଚିହ୍ନା ମୁହଁ । ଟିଭି ପରଦାରେ ଅଧିକାଂଶଙ୍କୁ ବିଭିନ୍ନ ସମୟରେ ଦେଖିଛି । ଫୁଟ୍ବଲ୍ ଖେଳାଳୀ ଭାବରେ ନୁହେଁ ନେତା, ବଡ ବଡ ଅଫିସର ଓ ସାମ୍ବାଦିକ ଭାବରେ ।
ଅବୋଲକରା ଫଟୋଗୁଡିକ ଦେଖି ଅନ୍ୟମନସ୍କ ହୋଇ ପଡୁଥିବା ଦେଖି ପଣ୍ଡିତ କହିଲେ, ‘ଭିତରକୁ ଚାଲ.... ଖେଳାଳୀମାନେ ଓ ଆୟୋଜକ ମଧ୍ୟ ଆସି ଯିବେଣି’ ଏତିକି କହି ସେ ଆଗକୁ ଚାଲିଲେ । ଅବୋଲକରା ତାଙ୍କୁ ଅନୁସରଣ କଲା ।
ଷ୍ଟାଡିୟମ୍ ଭିତରେ ପଶିବା ପରେ ଅବୋଲକରା ଦେଖିଲା ଜଣେ ଭଦ୍ରବ୍ୟକ୍ତିଙ୍କ ନିକଟରେ ଯଥେଷ୍ଟ ଭିଡ ଜମିଛି । ତାଙ୍କୁ ଘେରି ରହିଛନ୍ତି ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ବ୍ୟକ୍ତି । ଅଳ୍ପ ସମୟ ଭିତରେ ବଡ ବଡ ପେଟି ଧରି କେତେ ଜଣ ଲୋକ ଆସି ପହଞ୍ଚିଲେ । ସେମାନଙ୍କୁ ଦେଖି ଉପସ୍ଥିତ ବ୍ୟକ୍ତିମାନଙ୍କ ମୁହଁରେ ହସ ଫୁଟିଲା । ଭଦ୍ରବ୍ୟକ୍ତି ଏଥର କହିଲେ, ‘ନୀଳ ରଙ୍ଗର ଜର୍ସିଗୁଡିକ ବ୍ୟୁରୋକ୍ରାଟ୍ମାନଙ୍କ ପାଇଁ ହଳଦିଆ ଜର୍ସି ସାମ୍ବାଦିକମାନଙ୍କ ପାଇଁ ସବୁଜ ଜର୍ସି ପଲିଟିସିଆନ୍ ଏôଂ ଧଳା ଜର୍ସି ଆମ କମ୍ପାନୀର ଖେଳାଳୀମାନଙ୍କ ପାଇଁ । ଆଗରୁ ଆପଣମାନଙ୍କ ଗୋଡର ମାପ ଅନୁଯାୟୀ ବୁଟ୍ ଯୋଗାଇ ଦିଆଯାଇଥିଲା । ତେଣୁ ସମସ୍ତେ ନିଜ ନିଜର ୟୁନିଫର୍ମ ପିନ୍ଧି ଖେଳିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ।
ତାଙ୍କ କଥା ଶୁଣି ଆଜ୍ଞାନୁବର୍ତ୍ତୀ ଛାତ୍ର ଭଳି ଉପସ୍ଥିତ ରାଜନେତା, ଅମଲାତନ୍ତ୍ରୀ ଓ ସାମ୍ବାଦିକମାନେ ଜର୍ସିଗୁଡିକ ଝାମ୍ପି ନେଇ ପିନ୍ଧିବାକୁ ଆରମ୍ଭ କଲେ । ସମସ୍ତଙ୍କ ପାଦରେ ଦାମି ନୂଆ ବୁଟ୍ ଯାହାର ଦାମ ହଳ ପ୍ରତି ପାଞ୍ଚ ହଜାର ଟଙ୍କା ବୋଲି ଖେଳାଳୀମାନଙ୍କ ମଧ୍ୟରୁ କେହି କେହି କଥା ହେଉଥିଲେ । ଖେଳ ପୋଷାକ ପିନ୍ଧି ସାରିବା ପରେ ଥଣ୍ଡା ମୃଦୁ ପାନୀୟ ଆସର ଆରମ୍ଭ ହେଲା । ଆୟୋଜନକାରୀ କମ୍ପାନୀର କର୍ମଚାରୀମାନେ ସମସ୍ତଙ୍କର ତତ୍ତ୍ୱବଧାନରେ ବ୍ୟସ୍ତ । ସେଠାରେ ଉପସ୍ଥିତ ଥିବା କମ୍ପାନୀର ଉଚ୍ଚକର୍ତ୍ତା ଗୋଟିଏ ଚଉକିରେ ବସି ରହି ସବୁ ଅନୁଧ୍ୟାନ କରୁଥାନ୍ତି । ହଠାତ୍ ତାଙ୍କ ଆଖି ପଣ୍ଡିତଙ୍କ ଉପରେ ପଡିଲା । ସେ ସଙ୍ଗେ ସଙ୍ଗେ ଉଠିଆସି ପଣ୍ଡିତଙ୍କୁ ସ୍ୱାଗତ ଜଣାଇଲେ ଓ ପାଛୋଟି ନେଇ ତାଙ୍କ ପାଖରେ ଥିବା ଗୋଟିଏ ଚଉକିରେ ବସାଇଲେ । ପଣ୍ଡିତେ ଅବୋଲକରାଙ୍କୁ ତାଙ୍କ ସହ ପରିଚିତ କରାଇ ଦେଲେ ଓ ପାଖରେ ଖାଲିଥିବା ଚଉକିରେ ବସିବା ପଇଁ ନିର୍ଦ୍ଦେଶ ଦେଲେ ।
ଇତି ମଧ୍ୟରେ ଖେଳାଳୀମାନେ ଜଣ ଜଣ ହୋଇ ପଡିଆ ଭିତରକୁ ଯାଇ ୱାର୍ମଅପ୍ ହେବା ଆରମ୍ଭ କରିଥାଆନ୍ତି । ଭିଆଇପି ଗ୍ୟାଲେରୀରେ କମ୍ପାନୀର କର୍ତ୍ତାଙ୍କ ସହ କେତେଜଣ ମନ୍ତ୍ରୀ, ଆଇଏଏସ୍, ଆଇପିଏସ୍ ଅଫିସର, ପଦସ୍ଥ ଇଞ୍ଜିନିୟର୍ ଓ ବୟସ୍କ ସାମ୍ବାଦିକ ବସିଥାଆନ୍ତି । କର୍ତ୍ତାଙ୍କ ଡାହାଣ ପାଖ ଚଉକିରେ ପଣ୍ଡିତ ବସିଲେ । ଅବୋଲକରା ତାଙ୍କ ପଛପାଖ ଚଉକିରେ ବସି ପଡିଲା । ଖେଳ ଆରମ୍ଭ ହେବା ମାତ୍ରେ ଅବୋଲକରା ପଣ୍ଡିତଙ୍କୁ ପଚାରିଲା, ଆଜି ମ୍ୟାଚ୍ରେ କେଉଁ ଟିମ ଚାମ୍ପିୟନ୍ ହେବ କହିଲେ ?
ପଣ୍ଡିତ କିଛି ଉତ୍ତର ଦେବା ପୂର୍ବରୁ ଅବୋଲକରା କହିଲା, ନିଶ୍ଚୟ କର୍ପୋରେଟ୍ ଟିମ୍ ଚାମ୍ପିୟନ୍ ହେବ । କାରଣ ଆଇଏଏସ୍, ଆଇପିଏସ୍ ସାମ୍ବାଦିକମାନଙ୍କର ନିଜର ଟିମ୍ ନାହିଁ କିମ୍ବା ସେମାନେ ପ୍ରାକ୍ଟିସ୍ କରନ୍ତି ନାହିଁ । କେବଳ ଚଡି, ଗଞ୍ଜିକୁ ଛାଡି ଦେଲେ ବାକି ସବୁ କମ୍ପାନୀ ଯୋଗାଇଛି । କିନ୍ତୁ କମ୍ପାନୀର ତ ନିଜସ୍ୱ ଟିମ୍ ଓ ସେମାନେ ପ୍ରାକ୍ଟିସ୍ କରୁଛନ୍ତି । କମ୍ପାନୀ ଟିମ୍ ଛଡା ଅନ୍ୟ ଟିମ୍ର ଖେଳାଳୀମାନଙ୍କ ଗୋଡରେ ବଲ୍ ବାଜିବ କି ନା ସନ୍ଦେହ ।
ପଣ୍ଡିତେ ପଡିଆକୁ ଚାହିଁଲେ । ଗୋଟିଏ ପଟେ ରାଜନେତା ଓ ଅନ୍ୟପଟେ ଅମଲାତନ୍ତ୍ରୀଙ୍କ ମଧ୍ୟରେ ମ୍ୟାଚ୍ ଚାଲିଛି । ରାଜନେତାମାନଙ୍କ ମଧ୍ୟରୁ ୃଥୁଳାକାୟ । କେହି ଧାଇଁ ପାରୁନାହାନ୍ତି । ଫୁଟ୍ବଲ୍ ବୁଟ୍ ପିନ୍ଧି ଧାଇଁବାରେ କାହାରି ଅଭ୍ୟାସ ନାହିଁ । ତେଣୁ ଲଥ୍ଲାଥ୍ ପଡୁଥାଆନ୍ତି । ଅମଲାତନ୍ତ୍ରୀମାନଙ୍କ ଆରମ୍ଭରୁ ବହୁ ବାହାସ୍ଫୋଟ ମାରୁଥିଲେ ମଧ୍ୟ, ଫୁଟ୍ବଲ୍ ପଛରେ ଧାଇଁବାର ଅଭ୍ୟାସ ନଥିବାରୁ ଅପ୍ରସ୍ତୁତ ହୋଇ ପଡୁଥାଆନ୍ତି ।
ଗଣମାଧ୍ୟମ ଟିମ୍ର ଅବସ୍ଥା ମଧ୍ୟ ଅନୁରୂପ । ଛାତ୍ର ଜୀବନ ପରେ କେବେହେଲେ ଫୁଟ୍ବଲ୍ ଖେଳିନଥିବା ସମ୍ପାଦକ ଓ ଟିଭି ଚ୍ୟାନେଲ୍ର ମାଲିକମାନଙ୍କ ଫୁଟ୍ବଲ୍କୁ ଆୟତ୍ତ କରିବାର ବିକଳ ପ୍ରଚେଷ୍ଟା ଦେଖି ଅବୋଲକରା ହୋ....ହୋ... ହୋଇ ହସି ଉଠିଲା । ପଣ୍ଡିତେ ତାର ଏତାଦୃଶ ଆଚରଣରେ କ୍ଷୁବ୍ଧ ହୋଇ ଶାସନ କରିବା ଭଙ୍ଗୀରେ ଚାହିଁଲେ କେବଳ ।
କର୍ପୋରେଟ୍ ଟିମ୍ର ଖେଳରେ ଯଥେଷ୍ଟ ଦକ୍ଷତା ଥିଲେ ମଧ୍ୟ ସେମାନେ ଗୋଲ୍ ନକରି ବାରମ୍ବାର ଆଉଟ୍ କରୁଥାଆନ୍ତି । ପଣ୍ଡିତେ ଏଥର କର୍ତ୍ତାଙ୍କୁ ପଚାରିଲେ, ଆପଣମାନଙ୍କ କଥାରେତ ଏଇ ରାଜନେତା, ଅମଲାତନ୍ତ୍ରୀ ଓ ସାମ୍ବାଦିକମାନେ ସବୁବେଳେ ଉଠ୍ ବସ୍ହୁଅନ୍ତି । ଆପର ସେମାନଙ୍କୁ ଯେଉଁ ଭଳି ନଚାନ୍ତି ସେମାନେ ନାଚନ୍ତି । ଆଇନ ଅଦାଲତ ଓ ଲୋକପାଳଙ୍କ ପାଇଁ ସେମାନଙ୍କର ଭୟ ବା ଖାତିର ନାହିଁ । ହେଲେ ସେମାନଙ୍କୁ ଆଜି ଆଣି ହଜାର ହଜାର ଲୋକଙ୍କ ଆଗରେ ନଚାଉଛନ୍ତି କାହିଁକି ?
ପଣ୍ଡିତଙ୍କ କଥା ଶୁଣି କର୍ତ୍ତା ସନ୍ତୋଷର ହସ ହସି କହିଲେ, ଏମିତି ମଝିରେ ମଝିରେ ବ୍ୟବସ୍ଥା ନକଲେ, ସେମାନଙ୍କ ସହ ଆମର ସମ୍ପର୍କ ରହିବ କିପରି ? ତା ଛଡା ସେମାନଙ୍କୁ ଖେଳାଇବାର ଅଭ୍ୟାସ ନ ରହିଲେ ଆମେ ମଧ୍ୟ ଅସୁବିଧାରେ ପଡିବୁ ।
ଖେଳରେ କମ୍ପାନୀ ଟିମ୍ ସବୁଠାରୁ ଭଲ ଖେଳୁଥିଲେ ମଧ୍ୟ ପରାଜିତ ହେଲେ । ଫାଇନାଲ୍ ହେଲା ମିଡିଆ ଓ ରାଜନେତାମାନଙ୍କ ମଧ୍ୟରେ । କାହାରି ଗୋଡରେ ପ୍ରାୟ ବଲ୍ ବାଜୁନଥାଏ । ଦର୍ଶକ ଗ୍ୟାଲେରୀରୁ ପ୍ରୋତ୍ସାହନ ପରିବର୍ତ୍ତେ ଅନେକ ଯନ୍ତ୍ରଣା ଦାୟକ କମେଣ୍ଟ ଆସୁଥାଏ । ଗୋଟିଏ ଘରୋଇ କମ୍ପାନୀ ପଇସା ବଳରେ ପଦସ୍ଥ ଅମଲାତନ୍ତ୍ରୀ, ରାଜନେତା ଓ ଗଣମାଧ୍ୟମକୁ କିଭଳି ନିର୍ଲଜ ଭାବରେ ସର୍ବସାଧାରଣରେ ନଚାଇ ପାରୁଛି ବୋଲି ଦର୍ଶକମାନେ ଆଲୋଚନା କରୁଥାଆନ୍ତି ।
ପରିଶେଷରେ ଗଣମାଧ୍ୟମ ଓ ରାଜନେତା ମଧ୍ୟରେ ଡ୍ର ରହିଲା ଏବଂ ସେମାନେ ଛଅମାସ ଲେଖାଁଏ ଚମ୍ପିୟାନ୍ ସିଲ୍ଡିଟି ରଖିବେ ବୋଲି ଘୋଷଣା କରାଗଲା । ଖୋଦ ମୁଖ୍ୟମନ୍ତ୍ରୀ ଆସି ବିଜେତାଙ୍କୁ ସିଲ୍ଡ ପ୍ରଦାନ କଲେ । ତାଙ୍କ ଭାଷଣରେ ସେ ସମ୍ପୃକ୍ତ କମ୍ପାନୀର ଜନହିତକର କାର୍ଯ୍ୟ ଓ ରାଜ୍ୟ ତଥା ଦେଶର ପ୍ରଗତିରେ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଚାରି ପୃଷ୍ଠା ବ୍ୟାପୀ ଭାଷଣ ପଢ଼ିଲେ । ଘନ ଘନ କରତାଳିରେ ଷ୍ଟାଡିୟମ୍ ପ୍ରକମ୍ପିତ ହୋଇ ଉଠିଲା ।
ଉପହାର ପାଇଥିବା ମୂଲ୍ୟବାନ ଜର୍ସି ଓ ଜୋତା ପିନ୍ଧିଥିବା ଖେଳାଳୀମାନେ ଆସି ଜଣ ଜଣ ହୋଇ ମୁଖ୍ୟମନ୍ତ୍ରୀ ସହ କରମର୍ଦ୍ଦନ କଲେ । ଏସବୁ ଦୃଶ୍ୟ ଦେଖି କର୍ତ୍ତାଙ୍କ ଛାତି ଆନନ୍ଦରେ ଫୁୁଲି ଉଠୁଥାଏ । ଖଣି, ପାଣି ଓ ଜଙ୍ଗଲ ସମ୍ପଦ ଲୁଟି କରି ହଜାର ହଜାର କୋଟି ଟଙ୍କା ଲାଭ ଉଠାଇବା ସ୍ଥଳେ ମାତ୍ର କେଇ ଲକ୍ଷ ଟଙ୍କା ବ୍ୟୟ କରି ଏଭଳି ଏକ ମ୍ୟାଚ ବ୍ୟବସ୍ଥା କରି ସେ ଗଣତନ୍ତ୍ରର ତିନୋଟି ସ୍ତମ୍ଭ ଯଥା ଜନ ପ୍ରତିନିଧି, ଅମଲାତନ୍ତ୍ରୀ ଓ ଗଣମାଧ୍ୟମକୁ କରାୟତ୍ତ କରି ପାରିଥିବା ଏବଂ ରାଜ୍ୟର ଶାସନ କଳଠାରୁ ଆରମ୍ଭ କରି ପ୍ରଭାବଶାଳୀ ଗଣମାଧ୍ୟମ ମଧ୍ୟ ତାଙ୍କ ନିର୍ଦ୍ଦେଶରେ କିଭଳି ନାଚୁଛି ତାହା ଆଜି ହଜାର ହଜାର ଦର୍ଶକମାନଙ୍କ ସମ୍ମୁଖରେ ପ୍ରମାଣ କରାଇ ପାରିଥିବାରୁ ଆନନ୍ଦରେ ଆତ୍ମହରା ହୋଇ ଉଠିଥିଲେ ।
ପଣ୍ଡିତେ ଏସବୁ ଦେଖି ମନେ ମନେ ଭାବୁଥିଲେ ନିଜର ସାମାନ୍ୟତମ ସ୍ୱାର୍ଥ ପାଇଁ ସେ ଯଦି ବାରମ୍ବାର ନିର୍ବୋଧ ଅବୋଲକରା ପାଖରେ ପରାସ୍ତ ହୋଇ ତାକୁ ଖୁସି କରାଇବା ଲାଗି ବାଧ୍ୟ ହେଉଛନ୍ତି । ନିଜ ଦଳ ତଥା ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜନେତାମାନେ, ନିଜ ସଂସ୍ଥାର ସ୍ୱାର୍ଥ ପାଇଁ ଗଣମାଧ୍ୟମର କର୍ତ୍ତାମାନେ ଏବଂ ବ୍ୟକ୍ତିଗତ ତଥା ପାରିବାରିକ ସ୍ୱାର୍ଥ ପାଇଁ ଅମଲାତନ୍ତ୍ରୀମାନେ ଏହି ପ୍ରଭାବଶାଳୀ ଶିଳ୍ପସଂସ୍ଥା ନିକଟରେ ନତମସ୍ତକ ହେବାର କଣ ବା ବିଚିତ୍ରତା ଅଛି ।
ଦେଶରେ ଶୋଷିତ ଜନସାଧାରଣଙ୍କ ଭଳି ଗୋଇଠା ମାଡ ଖାଇ ଖାଇ ପଡିଆରକେଣରେ ପଡିଥିବା ଫୁଟ୍ବଲ୍ଟିକୁ ପଣ୍ଡିତ ଉଠାଇ ଆଣିଲେ ଏବଂ ହାତରେ ଖୁବ୍ ଯତ୍ନର ସହ ସାଉଁଟିଲେ । ତାଙ୍କ ଆଖିରୁ ଦୁଇଧାର ଲୁହ ଝରି ଆସିଲା ।
ଅବୋଲକରା ବୋଧ ହୁଏ ତାଙ୍କ ମନକଥା କିଛିଟା ବୁଝି ପାରିଲା । ସେ ପଣ୍ଡିତଙ୍କ ପାଖକୁ ଯାଇ କହିଲା, ପଡିଆ ଭିତରେ ହଜାର ହଜାର ଲୋକଙ୍କ ସାମ୍ନାରେ ଗୋଇଠା ମାଡ ଖାଇ ଛଟପଟ ହେଲା ବେଳେ ସମସ୍ତଙ୍କ ଭଳି ଆପଣ ମଧ୍ୟ ତାଳି ମାରି ଉପଭୋଗ କରୁଥିଲେ । ଏବେ ତାକୁ ଆଦରରେ ସାଉଁଳେଇ ଲୁହ ଝରାଉଛନ୍ତି କାହିଁକି ?
ପଣ୍ଡିତେ କିଛି ଉତ୍ତର ନଦେଇ ଅସହାୟ ଭାବରେ ଅବୋଲକରା ମୁହଁକୁ ଚାହିଁ ରହିଲେ କେବଳ ।