ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୭
ଭାଗ-୭
ଖଣ୍ଡଗିରି ପାହାଡ଼ ଉପରୁ ଅପରାହ୍ଣର ଆକାଶ ବେଶ୍ ମନୋରମ ଦିଶୁଥିଲା। ଗଛ ଉହାଡ଼ ସବୁ ଧୀରେ ଧୀରେ ଆଲୋକ ହରାଇ ବସୁଥିଲେ। ଇଆଡେ଼ ସିଆଡେ଼ ସବୁଆଡେ଼ ଲୋକବାକ ବୁଲୁଥିଲେ। ଏଇ ଅପରାହÙରେ ଏଠାରେ ପ୍ରାୟ ବାହାର ପର୍ଯ୍ୟଟକଙ୍କ ଭିଡ଼ ନଥାଏ। ଅଧିକାଂଶ ଲୋକାଲ ଲୋକ। ଅବସର ସମୟ କଟେଇବା ସମସ୍ତଙ୍କ ଲକ୍ଷ୍ୟ। ଖଣ୍ଡଗିରିର ଐତିହ୍ୟ ପ୍ରତି କାହାର ଆଗ୍ରହ କିମ୍ୱା ଚିନ୍ତା ନଥାଏ। ଖଣ୍ଡଗିରି କିନ୍ତୁ ସମସ୍ତଙ୍କ ଇଚ୍ଛା ଓ ଅନିଚ୍ଛା ଭିତରେ ସେମିତି ବସି ରହିଥାଏ। ସେ ମଧ୍ୟ ନିର୍ବିକାର। ବ୍ୟସ୍ତ ନାହିଁ ବିବ୍ରତ ନାହିଁ। ସେମିତି ବସି ବସି କେବଳ ବୟସ ବଢ଼ାଉଥାଏ। ଖଣ୍ଡଗିରିକୁ ନେଇ ଧୀରେ ଧୀରେ ଭାବପ୍ରବଣ ହୋଇଯାଉଥିଲା ପ୍ରୀତି ମହାନ୍ତି।
ଅପରାହ୍ଣ ଆକାଶରେ ଉଡ଼ିଯାଉଥିବା ମାଳମାଳ ଧୋବଲା ମେଘଙ୍କୁ ସେ ଚାହିଁ ରହିଥିଲା। ଏମିତି ମେଘଙ୍କୁ ଦେଖିଲେ ସେ ବେଶ୍ ଦୁଃଖୀ ହୋଇଯାଏ। ତାକୁ ଏକୁଟିଆ ଏକୁଟିଆ ଲାଗେ। ବେଳେବେଳେ ଲାଗେ, ତାକୁ ଛାଡ଼ି ସମସ୍ତେ ଯେମିତି ନିଜ କାମରେ, ନିଜ ସଂସାରରେ ଭାରି ବ୍ୟସ୍ତ। ସମସ୍ତଙ୍କର ଗୋଟେ ପରିପୂର୍ଣ୍ଣ ସଂସାର ଅଛି। କେବଳ ତା ବିନା। ସମସ୍ତେ ତାକୁ ଏକୁଟିଆ ଛାଡ଼ି ଯିଏ ଯୁଆଡେ଼ ପଳେଇ ଯାଉଛନ୍ତି ନିଜ ନିଜ ଘରକୁ। ଏଇ ମେଘମାନଙ୍କ ପାଇଁ ଆକାଶର ଆର କୋଣରେ ନିଶ୍ଚୟ ଅପେକ୍ଷାରେ ଥିବ ତାଙ୍କ ପ୍ରେମିକ କି ପ୍ରେମିକା। ମେଘମାନେ କ'ଣ ସେଇଥି ପାଇଁ ଧାଇଁ ଚାଲିଛନ୍ତି, କାହାକୁ ଅପେକ୍ଷା ନକରି? ବାଃରେ ପ୍ରେମିକ !
ପରେଶଙ୍କ ପାଇଁ କିନ୍ତୁ ଏ ସବୁ ପ୍ରାକୃତିକ ବିଭବର କିଛି ଗୁରୁତ୍ୱ ନଥିଲା। ସେ ଥିଲେ ମ୍ୟାନେଜମେଣ୍ଟର ଷ୍ଟୁଡେଣ୍ଟ। କର୍ପୋରେଟ୍ ଦୁନିଆରେ ରହି ସେ ପ୍ରକୃତିକୁ ଦେଖିବାର ସୁଯୋଗ ବୋଧେ ପାଇନଥିଲେ। ଖୁବ୍ ଲଢ଼ିଥିଲେ ସେ ନିଜ ଆସନ ଖଣ୍ଡକ ଯୋଗାଡ଼ କରିବା ପାଇଁ। ଓଡ଼ିଶାର କାହିଁ କେଉଁ ଏକ ଗାଁରୁ ମୁମ୍ୱାଇର କର୍ପୋରେଟ୍ ଜଗତରେ ପହଞ୍ଚିବା ପାଇଁ ବେଶ୍ ଉଚ୍ଚ ଉଚ୍ଚ ପାହାଚ ଚଢ଼ିବାକୁ ପଡ଼ିଥିଲା ତାଙ୍କୁ। ତା ଭିତରେ ସୂର୍ଯ୍ୟ ଚନ୍ଦ୍ରଙ୍କ ଚଳନ ବୋଧହୁଏ ଅଲକ୍ଷ୍ୟରେ ରହିଯାଉଥିଲା। ବରେଣ୍ୟ କିନ୍ତୁ ପୂରା ଓଲଟା। ସେ ପ୍ରକୃତିରେ ମିଶିଯାଏ। ବର୍ଷା ହେଲେ ଭିଜିବାକୁ ଦୌଡ଼ିଯାଏ ଛାତ ଉପରକୁ। ମୁହଁକୁ ଉପରକୁ ଟେକି ଏକପ୍ରକାର ଆତ୍ମସ୍ଥ ହୋଇଯାଏ। ଆଉ ଛୋଟ ପିଲାଙ୍କ ପରି ହାତ ମେଲେଇ ନୃତ୍ୟ ଆରମ୍ଭ କରିଦିଏ। ବର୍ଷା ହେଲେ ସେ ଅଧିକାଂଶ ସମୟରେ ବିଅର୍ ପିଇ ଓଦା ହୋଇ ରାସ୍ତାରେ ବୁଲେ। ପାଗଳ !!
ପ୍ରୀତି ମହାନ୍ତି ଅନ୍ୟମନସ୍କତାରେ ହାତ ବଢ଼େଇଲା ଆକାଶରେ ଉଡ଼ିଯାଉଥିବା ଚଢେଇମାନଙ୍କ ଆଡ଼କୁ। ସେ ସେମାନଙ୍କୁ ମନେମନେ ଡାକୁଥିଲା- ଏମିତି ଧାଇଁବାରେ କିଛି ମାନେ ନଥାଏରେ ଚଢେଇମାନେ... ଆସ, ମୋ ପାଖରେ ଘଡ଼ିଏ ବସ... ଗପସପ ହୁଅ... ତା’ପରେ ଫେରିଯାଅ। ଜୀବନକୁ ଏମିତି ଅନୁଭବ କର। ନହେଲେ ଖୁବ୍ ଏକୁଟିଆ ହୋଇଯିବ ବେଳେବେଳେ।
ଠିକ୍ ପାଞ୍ଚଟାରେ ପହଞ୍ଚିବାକୁ କଥା ଦେଇଥିଲା ସ୍ୱରୂପା। କହିଥିଲା, ଅଫିସ ସରୁ ସରୁ ସେ ପଳେଇ ଆସିବ। କିନ୍ତୁ କାହିଁ? କୁଆଡେ଼ ଗଲା ସେ? ସ୍ୱରୂପା ସାମନ୍ତରାୟ ସହ ପ୍ରୀତି ମହାନ୍ତିର ସ୍କୁଲ ବେଳୁ ବନ୍ଧୁତା। ସ୍ୱରୂପାର ବାପା ଏଇ ଭୁବନେଶ୍ୱରରେ ସେଟେଲ୍ଡ। ନିଜ ଘର ଯାଜପୁରରେ। କାହିଁ କେବେଠୁ ସେମାନେ ଏଠାକାର ବାସିନ୍ଦା ହୋଇଯାଇଥିଲେ। ସ୍ୱରୂପା କହେ, ସେତେବେଳେ ମାଟ୍ରିକ୍ ପାସ୍ କରୁ କରୁ ତା ବାପାଙ୍କ ପାଖକୁ ସେକ୍ରେଟାରିଏଟରେ ଚାକିରି କରିବାକୁ ସରକାରୀ ଚିଠି ଆସିଯାଇଥିଲା।
ସେତେବେଳେ ଚାକିରି ସେମିତି କିଛି ବଡ଼ ଚିଜ ନଥିଲା। ଅନ୍ୟ କାହା ପାଖରେ କାମ କରିବାକୁ ଲୋକେ ଘୃଣା ଦୃଷ୍ଟିରେ ଦେଖୁଥିଲେ। ସ୍ୱରୂପାଙ୍କ ବାପା କିନ୍ତୁ କାଳବିଳମ୍ୱ ନକରି ଚାଲି ଆସିଥିଲେ ଭୁବନେଶ୍ୱର। ସେବେଠୁ ଯାହା ଆସିଛନ୍ତି ତ ଆସିଛନ୍ତି। ଏଇଠି ଜାଗା କିଣା, ଏଇଠି ଚାକିରି, ଏଇଠି ସଂସାର। ପ୍ରୀତି ମହାନ୍ତି ପରିବାର ବି ଏଠି ଏଷ୍ଟାବ୍ଲିଶ୍ଡ। ପାଞ୍ଚ ଛଅ ବର୍ଷ ତଳେ ତା ବାପା ଘରଟିଏ ତିଆରି କରିଛନ୍ତି ଭୁବନେଶ୍ୱରର ଗୋଟେ ପଟକୁ।
ସ୍କୁଲରେ ପଢ଼ିବା ବେଳେ ସ୍ୱରୂପା ଥିଲା ବେଶ୍ ମେଧାବୀ। ସବୁବେଳେ ତା'ର ଇଚ୍ଛା ଚାକିରି କରି ବେଶ୍ ମଜାରେ ରହିବ। ମୁକ୍ତ ଜୀବନ ତା'ର ପସନ୍ଦ। କିନ୍ତୁ ନାରୀଟିଏ କ'ଣ କେବେ ନିଜ ସ୍ୱାଧୀନତା ମଧ୍ୟରେ ରହିପାରେ? ସେ ସବୁବେଳେ କାହାର ନା କାହାର ଅଧୀନରେ ରହେ ମାଧବୀ ଲଟା ପରି। ପିଲାଠାରୁ ବାହାଘର ଯାଏଁ ବାପାଭାଇ, ବାହାଘର ପରେ ସ୍ୱାମୀ ଶ୍ୱଶୁର। ବୁଢ଼ୀ ହେବା ପରେ ସ୍ୱାମୀ ନହେଲେ ପିଲା।
ପ୍ରୀତି ମହାନ୍ତି ଦୃଷ୍ଟିରେ ପୁଅଟିଏ ହେଲେ ବେଶ୍ କିଛି ସ୍ୱାଧୀନତା ରହିଛି। ସ୍ୱରୂପା କିନ୍ତୁ ପ୍ରକୃତରେ ବେଶ୍ ଆଜାଦ୍ ଜୀବନ କାଟୁଛି। ସେ ଚାକିରି କରିଛି। ସ୍ୱାମୀ ତା'ର ସେ ଦୃଷ୍ଟିରୁ ବେଶ୍ ଲିବେରାଲ। ଡିସିସନ୍ ନେବାରେ ସେ ସ୍ୱରୂପାକୁ ସଂପୂର୍ଣ ସ୍ୱାଧୀନତା ଦିଏ। ଛୁଟି ଦିନରେ ଦିହେଁ କୁଆଡେ଼ ବୁଲିବାକୁ ଯାଆନ୍ତି। ଏ ପର୍ଯ୍ୟନ୍ତ ପିଲାପିଲି କରୁନାହାନ୍ତି। ସେମାନଙ୍କ ଇଚ୍ଛା, ଆଉ କିଛିଦିନ ପରେ କେଉଁ ଗୋଟେ ଅନାଥାଶ୍ରମରୁ ପିଲାଟିଏ ଆଣି ରଖିବେ ନିଜ ପାଖରେ। ଏମିତିରେ ଗୋଟେ ଅନାଥ ପିଲା ହେଲେ ଘରଟିଏ ପାଇଯିବ ତ ! ବେଶ୍ ଭଲ ଚିନ୍ତାଧାରା ଦୁହିଁଙ୍କର। କିନ୍ତୁ ଏ ସବୁ କାର୍ଯ୍ୟକାରୀ କରିବା ବଡ଼ କଷ୍ଟ।
ତେବେ ସ୍ୱରୂପା ଯେଉଁ ଚିନ୍ତାଧାରାର ଝିଅ ତାକୁ ଏ କାମ ବଳେଇ ଯିବନି। ମଝିରେ ସେ ପ୍ରୀତିକୁ କହିଥିଲା, ତା ପିଲାଟାକୁ ତାକୁ ଦେଇ ଦେବାକୁ। କଥାଟା ସେ ଥଟ୍ଟାରେ କହିଥିଲା କି ସରିୟସ୍ ହୋଇ କହିଥିଲା, ପ୍ରୀତି ତାହା ଠଉରେଇ ପାରିନଥିଲା। କିନ୍ତୁ ପ୍ରୀତି ମହାନ୍ତିର ଯେଉଁ ଅବସ୍ଥା, ସେ ଆଉ ତା' କଥା ଶୁଣିବା ଅବସ୍ଥାରେ ନଥିଲା। ଏବେ ତା ପାଇଁ ପ୍ରତ୍ୟୁଷ ହେଉଛି ବଂଚିବାର ଏକମାତ୍ର ସାହାରା। ତାଆରି ମୁହଁକୁ ଚାହିଁ ସେ ସବୁ ଭୁଲିଯାଇଛି। ଆଉ ବାଟରେ ଆସିଯାଇଛି ବରେଣ୍ୟ।
- ହାଏ ସ୍ଲିମ୍ ଆଣ୍ଡ ବିଉଟିଫୁଲ...
ସ୍ୱରୂପା ଆସିଗଲା। ସେ ପ୍ରୀତିକୁ କଲେଜ ବେଳୁ ଏଇମିତି ସମ୍ୱୋଧନ କରିଆସିଛି। ତା ଦୃଷ୍ଟିରେ ପ୍ରୀତି ବେଶ୍ ସୁନ୍ଦର। ତା ଉପରେ ଅନେକ ପୁଅ ଫିଦା। ପ୍ରୀତିର କିନ୍ତୁ ନିଜକୁ ନେଇ ସେମିତି କିଛି ଉତ୍ତେଜନା ନଥିଲା କି ନାହିଁ। ତା ଇଚ୍ଛାରେ ନୁହେଁ, ଏବେସୁଦ୍ଧା ଯାହା କିଛି ଆସିଛି ତା ଜୀବନରେ, ସେ ସବୁ ଆସିଛି ଅକସ୍ମାତ। ହଠାତ୍। ତେବେ ବଡ଼କଥା ହେଲା ତାଆରି ଭିତରେ ସେ ନିଜକୁ ଠିଆ କରିବାକୁ ବାଟ ଖୋଜି ନେଇଛି।
- କ'ଣ ପାଇଁ ଏମିତି ଗୋଟେ ରୋମାଣ୍ଟିକ୍ ପରିବେଶକୁ ହଠାତ୍ ଡାକିଲୁ ଟିକେ ଶୁଣେ...
ଏ ପର୍ଯ୍ୟନ୍ତ ପ୍ରୀତି ମହାନ୍ତି ସ୍ୱରୂପାକୁ କିଛି କହିପାରି ନାହିଁ। ସେ ଭୀଷଣ ଭାବେ ଅନ୍ୟମନସ୍କ।
- ଆରେ କ'ଣ ହେଲା ଆଗ କହ? ଆଜି ପରେଶଙ୍କ କଥା ବହୁତ ବେଶୀ ମନେପଡ଼ୁଛି କି?
- ଆରେ ନା, ସେମିତି କିଛି ନୁହେଁ। ମନେପଡ଼ିଲେ କ'ଣ ହେବ, ସେ କ'ଣ ଫେରି ଆସିବେ?
- ଡୋଣ୍ଟ ବି ଇମୋସନାଲ୍। ଜୀବନକୁ ନିଜ ଇଚ୍ଛାରେ ବଂଚିବା ଶିଖ ପ୍ରୀତି ମାଡାମ୍। ଜୀବନ ସହ ସାଲିସ୍ କରି ବଂଚିବାକୁ ମୁଁ ନାପସନ୍ଦ କରେ।
- ମୁଁ ଗୋଟେ ଭୀଷଣ ସମସ୍ୟାରେ ପଡ଼ିଯାଇଛି ସ୍ୱରୂପା...
- କି ସମସ୍ୟା? ଘରେ କି ଅଫିସରେ କେହି କିଛି କହିଛି?
- ଆରେ ନା... ସେମିତି କିଛି ନୁହେଁ। ତେବେ ସମସ୍ୟାଟା କିନ୍ତୁ ବଡ଼ ଗମ୍ଭୀର...
ପ୍ରୀତି ମହାନ୍ତିର କଥାରେ ସ୍ୱରୂପା ଧୀରେ ଧୀରେ କୌତୂହଳୀ ହେଉଥିଲା। ତା' ଭିତରର ପିଲାଳିଆ ଚରିତ୍ରଟି ଧୀରେ ଧୀରେ ବଡ ମଣିଷ ପାଲଟି ଯାଉଥିଲା। ପ୍ରୀତି ମହାନ୍ତିକୁ ସେ ଚାହୁଁଥିଲା ଗୋଟେ ବହୁଦିନର ପୁରୁଣା ଅବ୍ୟବହୃତ ରାଜ ଦରବାରର କୋଠାଗୁଡିକୁ ଦେଖିଲା ପରି। ଯେମିତି ଅନେକ କିଛି ଲୁଚି ରହିଛି ତା ଭିତରେ।
ହଠାତ୍ ପ୍ରୀତି ମହାନ୍ତି କହିଲା- ତତେ ଯଦି କେହି ଏବେ ବିବାହ ପ୍ରସ୍ତାବ ଦିଏ...
ପ୍ରୀତି ମହାନ୍ତିର ଏ ପ୍ରଶ୍ନଟା ଶୁଣି ହଠାତ୍ ସ୍ୱରୂପା ଏତେ ସହଜ ହୋଇଗଲା ଯେ, ସେ ଜୋର୍ରେ ହସି ପକାଇଲା।
କହିଲା- ଆହାଃ ! କ'ଣ କଲୁ ତୁ ପ୍ରୀତି... ଗୋଟେ ସସ୍ପେନ୍ସ ସିନ୍କୁ ହଠାତ୍ ଏମିତି ଗୋଟେ କମେଡିରେ ଏଣ୍ଡ୍ କରିଦେଲୁ...
- କଥାଟାକୁ ଟିକେ ସିରିୟସ୍ଲି ନେ ସ୍ୱରୂପା...
ପ୍ରୀତି ମହାନ୍ତି ଚିଡ଼ିଗଲା। କଲେଜ ବେଳୁ ସ୍ୱରୂପା ଏମିତି। ସବୁ କଥାକୁ ସେ ଏମିତି ହସରେ ଉଡେ଼ଇ ଦେବ। ସେ ଆସିଲେ ସବୁ ପରିବେଶ ସହଜ ହୋଇଯାଏ। ସେଇଥିପାଇଁ ପିକ୍ନିକ୍ କିମ୍ୱା ଗେଟ୍- ଟୁଗେଦରରେ ସମସ୍ତେ ସ୍ୱରୂପାକୁ ହିଁ ଖୋଜନ୍ତି। ଏମିତିକି ଅନେକଥର ସେ ନଗଲେ ତା ପାଇଁ ଡେଟ୍ କ୍ୟାନସଲ ହୋଇଛି ମଧ୍ୟ। ଆଉ ସବୁଠାରୁ ବଡ଼ କଥା ହେଲା, ତାଆର ଏ ଗୁଣ ପାଇଁ କଲେଜ ସମୟରେ ସେ କାହା ପ୍ରେମରେ ପଡ଼ି ପାରିନଥିଲା। କାରଣ ତାକୁ ଯଦି କିଏବି ସିରିୟସ୍ଲି ପ୍ରେମ ନିବେଦନ କରୁଥିଲା, ସେ ତାକୁ ଏମିତି ହାଲୁକା ଭାବେ ଗ୍ରହଣ କରିବ ଯେ ପ୍ରେମ ନିବେଦନ କରିଥିବା ଯୁବକଟି ହିଁ ଅପଦସ୍ତ ଅନୁଭବ କରିବ।
ଉତ୍ତର ଦେଇ ସ୍ୱରୂପା କହିଲା- ମୋ'ଠାରୁ ଖୁସି ଆଉ ବୋଧେ କିଏ ହେବନାହିଁ... ଆଃ... ପୁଣି ଜଣେ ପୁରୁଷ ସହ ଜୀବନଯାପନ !... ରୋମାଣ୍ଟିକ୍... ସତରେ ବଡ଼ ରୋମାଣ୍ଟିକ ପରିବେଶ ସୃଷ୍ଟି ହେବ ଡାର୍ଲିଂ... ଖେଳ ପୂରା ଜମିବ...
ଏତିକି କହି ସ୍ୱରୂପା ଏକପ୍ରକାର ପ୍ରୀତି ମହାନ୍ତିକୁ କୁେ‹ଇ ପକାଇଲା। ପ୍ରୀତି ମହାନ୍ତି ଅଧିକ ବିବ୍ରତ ହୋଇଗଲା। କହିଲା- ଆରେଃ ! ଏଇଟା ତୋ କଥା ନୁହେଁ, ମୋ କଥା...
ହଠାତ୍ ଚୁପ୍ ହୋଇଗଲା ସ୍ୱରୂପା। ଗୋଟିଏ ପିଲାର ମାଆ ପ୍ରୀତି ମହାନ୍ତିକୁ ଯେ କିଏ ପୁଣି ପ୍ରେମ ନିବେଦନ କରିଛି ସେ କଥାଟାକୁ ସେ ବିଶ୍ୱାସ କଲା, କିନ୍ତୁ ଏହାର ପରିଣତି ନେଇ ସେ ଚୁପ୍ ହୋଇଗଲା। ପଚାରିଲା- କିଏ ସେ? ବରେଣ୍ୟ ନୁହେଁ ତ?
ଏମିତି ଗୋଟେ ଅନ୍ଦାଜରେ ପଚାରିଦେଲା ସ୍ୱରୂପା।
- ହଁ, ତୋ ଅନୁମାନ ଠିକ୍... ଦୀର୍ଘନିଃଶ୍ୱାସ ପକେଇ ଆକାଶରେ ଉଡ଼ି ଯାଉଥିବା ଶେଷ ଦୁଇଟି ପକ୍ଷୀଙ୍କୁ ଅନେଇ କହିଲା ପ୍ରୀତି ମହାନ୍ତି।
- କିନ୍ତୁ ହଠାତ୍ ଏମିତି ଗୋଟେ ପ୍ରସ୍ତାବ ତା ମୁଣ୍ଡକୁ ଜୁଟିଲା କେମିତ ? ତୁ କ'ଣ ତା ଭିତରର ପ୍ରେମଟାକୁ ଠଉରେଇ ପାରିଥିଲୁ?
- ପାରି ନଥିଲି ବୋଲି କହିଲେ ଭୁଲ୍ ହେବ... ଗତ କିଛିଦିନ ହେଲା ମୁଁ ତା'ଠାରେ କେମିତି ଅନ୍ୟମନସ୍କତା ବାରି ପାରୁଥିଲି। କିନ୍ତୁ ସେ ଅନ୍ୟମନସ୍କତା ଯେ ମୋ'ରି ପାଇଁ, ସେଟା ମୁଁ ବୁଝିପାରୁ ନଥିଲି।
- ଆକ୍ୟୁରେଟ୍ଲି ସେ ତତେ କ'ଣ କହିଲା ?
- ସିଧାସଳଖ ପ୍ରପୋଜ୍...
- କିନ୍ତୁ ସେ ଯେ ବ୍ୟାଚେଲର ! ତା ପରିବାର... ଘର... ସଂପର୍କୀୟ...
- ତୁ କ'ଣ ବରେଣ୍ୟକୁ ଜାଣିନୁ ! ସେ କେମିତି ଭିନ୍ନ ଢଙ୍ଗର ପିଲା... କହିଲା, ଆଇ ଡୋଣ୍ଟ କେୟାର ଦି ସୋସାଇଟି... ମୁଁ ଗୋଟେ ନୂଆ ପରଂପରା ସୃଷ୍ଟି କରିବାକୁ ଚାହେଁ... ଆଇ ୱାଣ୍ଟ ଟୁ ଲିଭ୍ ୱିଥ୍ ୟୁ...
- ଇଟ୍ସ ସକିଂ... ଗୋଟେ ସମୟ ଥିଲା, ଯେତେବେଳେ ତୁ ପୂରା ଏକୁଟିଆ ଥିଲୁ, ସେ ସମୟରେ ସମସ୍ତେ ଚାହୁଁଥିଲେ ତତେ ପୁଣି ଆଉ ଗୋଟେ ସଂସାର ଦେବାକୁ। କିନ୍ତୁ ଏବେ... ଶାଶୂ ଶ୍ୱଶୁର, ଦିଅର... ସର୍ବୋପରି ପ୍ରତ୍ୟୁଷ... ଏମାନଙ୍କ ପାଖରେ ପୁଣି କେଉଁଠୁ କଥାଟା ଆରମ୍ଭ କରିହେବ? ତୁ କ'ଣ ଚାହୁଁଛୁ?
ପ୍ରଶ୍ନଟି ପଚାରି ଦେଇ ସ୍ୱରୂପା ଚାହିଁଲା ପ୍ରୀତି ମହାନ୍ତିର ମୁହଁକୁ। ସେତେବେଳକୁ ପ୍ରୀତି ମହାନ୍ତି ହାଇେୱରେ ଯାଉଥିବା ଲାଇନ୍ ଟ୍ରକ୍ ସବୁକୁ ଏକ ଲୟରେ ଦେଖୁଥାଏ। ଦେଖୁଥାଏ ଅଚିହ୍ନା ଗାଡ଼ିମାନେ କେମିତି ଛୁଟି ଚାଲିଛନ୍ତି ତାଙ୍କ ଚିହ୍ନା ଲକ୍ଷ୍ୟପଥରେ। ତା ପରି ହୁଏତ ଆଉ କାହା ଆଗରେ ଏତେ ପ୍ରଶ୍ନ ନାହିଁ। କେହି ଲକ୍ଷ୍ୟହୀନ ନୁହଁନ୍ତି। ସ୍ୱରୂପା ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ତା'ର ଆଗ୍ରହ ନାହିଁ। ସେ ଉତ୍ତର ମଧ୍ୟ ତା ପାଖରେ ନାହିଁ। ସେ ଉଠିଲା, ଆଉ କହିଲା- ଯିବା, ସଂଧ୍ୟା ଆସିଗଲାଣି...
(କ୍ରମଶଃ)
(ଭାଗ-୮ର ଆକର୍ଷଣ: ସୌନ୍ଦର୍ଯ୍ୟ ଦୃଷ୍ଟିରୁ ପ୍ରୀତି ଏ ଲୋକ ଜଣଙ୍କ ପ୍ରତି ଆକର୍ଷିତ ହୋଇପଡେ଼। ଏତେ ସୁନ୍ଦର ପୁରୁଷ ସେ ତା ଜୀବନରେ ଖୁବ୍ କମ୍ ଦେଖିଛି। କିନ୍ତୁ ଆଦିତି କହେ, ସତ୍ୟାନନ୍ଦ ବାବୁ ଟିକେ ମାଇଚିଆ ଲାଗନ୍ତି। ଏମିତିକା ବ୍ୟକ୍ତିକୁ ସ୍ୱାମୀ କରି ବାହାର ଦୁନିଆରେ ପ୍ରଦର୍ଶନ କରିହୁଏ, କିନ୍ତୁ ସେକ୍ସ ପାଇଁ ଏମାନେ ସେତେ ପ୍ରବୀଣ ନୁହଁନ୍ତି।)
ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୬