ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୬

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୬

ଭାଗ-୬

କେତେବେଳୁ ପ୍ରତ୍ୟୁଷ ଆସି ତା ପାଖରେ ନଙ୍ଗଭଙ୍ଗ ହୋଇ ଶୋଇ ପଡ଼ିଲାଣି। ଏଇ ସମୟରେ ପ୍ରତ୍ୟୁଷ ପାର୍କରେ ଖେଳେ। ପ୍ରକୃତରେ ସକାଳୁଆ ଅଫିସ ଥିଲେ, ପ୍ରୀତି ଆସିବା ଯାଏ, ପ୍ରତ୍ୟୁଷ ଥାଏ ଶାଶୂ ଶ୍ୱଶୁରଙ୍କ ପାଖରେ। ଦିନ ଏଗାରଟା ବେଳେ ସ୍କୁଲରୁ ଆସି ପ୍ରଥମେ ଗାଧୁଆ ଖିଆ କରି ସେ ଶୋଇପଡେ଼। ତା'ର ସବୁ କାମ କରନ୍ତି ନିଜେ ଶାଶୂ। ତା କାମ କରିବାକୁ ଘରେ ପିଲାଟିଏ ଅଛି। କିନ୍ତୁ ଶାଶୂ ତା ଦ୍ୱାରା କାମ କିଛି କରାନ୍ତି ନାହିଁ। ବିଡ଼ିବଡ଼ି ହୋଇ କହନ୍ତି- "ଅନାଥ ପିଲାଟା ପରି ତା'ର କାମ ଅନ୍ୟକେହି କରିବ ତା ମୁଁ ସହିପାରିବି ନାହିଁ । ମୋ ପିଲାର କାମ ମୁଁ ହିଁ କରିବି।'

 ପ୍ରତ୍ୟୁଷ ମଧ୍ୟ ଶାଶୂଙ୍କୁ ଆଦରି ଗଲାଣି। ଶୋଇକି ଉଠିଲା ପରେ ପ୍ରୀତି ଆସିବା ପର୍ଯ୍ୟନ୍ତ ସେ ଖେଳୁଥାଏ ଶ୍ୱଶୁରଙ୍କ ସହିତ। ମାଆ ଆସିଗଲେ ଚାଲେ ତା ସହିତ ଖେଳ। ଥକା ହୋଇ ଫେରିଥିଲେ ବି ପ୍ରୀତି ଧୁଆଧୁଇ ହୋଇ ଚା’ ପିଇ ପୁଅକୁ ନେଇ ବାହାରିଯାଏ ପାର୍କକୁ। ଆଜି କିନ୍ତୁ ତାର ଇଚ୍ଛା ନଥିଲା। ପ୍ରତ୍ୟୁଷ ମଧ୍ୟ ଆଉ ଅଝଟ ନକରି ଅନ୍ୟମନସ୍କରେ ଗୁଣୁଗୁଣୁ ହୋଇ କିଛି ସମୟ ଗୀତ ଗାଇ ମାମା ଉପରେ ସୁନାପିଲାଟି ପରି ଶୋଇ ପଡ଼ିଛି।

 ସବୁ ଚେଷ୍ଟା ସତ୍ୱେ ପ୍ରୀତି ଏକନିଷ୍ଠ ହୋଇ ରହିବାରୁ ଧୀରେ ଧୀରେ ଶାଶୂ ଶ୍ୱଶୁର ସବୁକିଛି ଭୁଲି ଯାଇଥିଲେ। ଆଉ ବାହାଘର କଥା ଉଠାଇ ନଥିଲେ। ଘରେ ପୁଣିଥରେ ସେ କଥା ଉଠିବା ଆଗରୁ ପ୍ରତ୍ୟୁଷର ଆଗମନ ଖବର ଖେଳିଯାଇଥିଲା ସାରା ଅଗଣାରେ। ପ୍ରୀତିର ମନେଅଛି ସେଇ ଦିନଟିର କଥା। ସେଦିନ ବୋଧେ ଦୀପାବଳି ପୂର୍ବସଂଧ୍ୟା। କଲୋନୀର ପିଲାମାନେ ପୂର୍ବଦିନରୁ ହିଁ ବାଣ ମାରିବା ଆରମ୍ଭ କରିଦେଇଥାନ୍ତି। ସବୁଠି ଠୋ ଠୋ, ଢୋ ଢା ଶବ୍ଦ। ପ୍ରୀତିର ଦେହ ଖରାପ। ଘରୁ ପାଦ କାଢିବାକୁ ଇଚ୍ଛା ନଥାଏ। ଶାଶୂ ଜୋର‌୍‍ କରି ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ ତାକୁ। ଡାକ୍ତର ଅଙ୍କଲ କିଛି ସମୟ ଚେକପ‌୍‍ କରିବା ପରେ ବଡ ପାଟିରେ ହସି ଦେଇଥିଲେ। ତାଙ୍କ ହସରେ ହଠାତ ପରିବେଶଟା ହାଲୁକା ହୋଇଗଲା। ସେ କହିଲେ- "ଆରେ ଗୋଟେ ବଡ ଖୁସି ଖବର ଆସି ପହଞ୍ଚିଛି ତମ ଘରେ। କିନ୍ତୁ ତମେମାନେ ଏତେ ଚିନ୍ତାରେ କାହିଁକି ପଡ଼ିଛ?'

 ଖୁସି ଖବରଟି ଜାଣିବା ପାଇଁ ସମସ୍ତେ ତାଙ୍କ ମୁହଁକୁ ଅନେଇ ରହିଛନ୍ତି । ପ୍ରୀତି ଧୀରେ ଧୀରେ ସ୍ପଷ୍ଟ ହେଉଥିଲା। ସେ ଆଉ ଗର୍ଭବତୀ ନୁହେଁ ତ? ତା ଅନୁମାନ ଠିକ‌୍‍ ବାହାରିଲା। ଅଙ୍କଲ ବଡପାଟିରେ ଘୋଷଣା କଲେ- ଆପଣଙ୍କ ଘରକୁ ନୂଆ ଅତିଥି ଆସୁଛି। ବୋହୂମା’ ପ୍ରେଗ‌୍‍ନାଣ୍ଟ।

 ଖବରଟି ଶୁଣି କଇଁ କଇଁ ହୋଇ କାନ୍ଦି ପକାଇଥିଲେ ଶାଶୂ। ଇଏ ଦୁଃଖର ନୁହେଁ, ଥିଲା ଆନନ୍ଦର ଅଶ୍ରୁ। ସେ ବୋଧେ ଭାବୁଥିଲେ, ଏବେ ପୁଅ ଥିଲେ କେତେ ଖୁସି ହେଉଥାନ୍ତା ସତେ... କିନ୍ତୁ ଭଗବାନ ବେଳେବେଳେ ସବୁ ସୁଖ ସମସ୍ତଙ୍କୁ ଦିଅନ୍ତି ନାହିଁ। ସେ ସବୁକୁ ବାଣ୍ଟି ବାଣ୍ଟି ଅଳ୍ପ ଅଳ୍ପ କରି ଜଣ ଜଣକୁ ଦିଅନ୍ତି। ଯେମିତି ସାରା ସଂସାରରେ ସୁଖ ଆଉ ଦୁଃଖ ମିଶିକି ରହିବ।

 ପ୍ରୀତି ମହାନ୍ତି ସେଇ ଚେକିଂବେଡ‌୍‍ରେ ରହି ପରେଶଙ୍କୁ ସ୍ମରଣ କରିଥିଲା... ତମେ ସେଇ ଉପରେ ରହି ହିଁ ଦେଖ, ତମରି ସନ୍ତକ ଏବେ ଆସୁଛି ପୃଥିବୀର ଆଲୋକ ଦେଖିବାକୁ। ତମେ ଥିଲେ ତା ପାଇଁ ଅପେକ୍ଷା କରିଥାନ୍ତ। ସେ ଆସିବା ଆଗରୁ ସବୁଦିନ ସଂଧ୍ୟାରେ ତା ପାଇଁ ଖେଳଣା ଗୋଟିଏ ଲେଖା ଆଣି ରଖିଥାନ୍ତ। ଧୀରେ ଧୀରେ ଖେଳଣାର ସଂଖ୍ୟା ବଢ଼ି ଯାଇଥାନ୍ତା। ଆଉ ସେ ଆମ କୋଳକୁ ଆସିଲା ବେଳକୁ ହୁଏତ ସବୁଯାକ ଖେଳଣା ଆଉଟ‌୍‍ ଡେଟେଡ‌୍‍ ହୋଇଯାଇଥାନ୍ତା। ସେ ଜିଦ‌୍‍ ଧରିଥାନ୍ତା ନୂଆ ପ୍ରକାର ଖେଳଣା ଆଣିବାକୁ। ତମେ ପୁଣି ଧାଇଁଥାନ୍ତ ଦୋକାନରୁ ଦୋକାନ। ଏମିତି ଚାଲିଥାନ୍ତା ବାପ-ପୁଅଙ୍କ ଲୁଚକାଳି ଓ ଧାଁ-ଦଉଡ଼ ଖେଳ।

 ପ୍ରୀତି ମହାନ୍ତି ପ୍ରତ୍ୟୁଷର ମୁଣ୍ଡରେ ହାତ ସାଉଁଳେଇଲା। ଧୀରେ ଧୀରେ ସେ ନିଜେ ଆଉ ପରିବାରର କେନ୍ଦ୍ରବିନ୍ଦୁ ହୋଇ ରହିନାହିଁ। ଏବେ ପ୍ରତ୍ୟୁଷ ହେଉଛି ସମସ୍ତଙ୍କ ଦୃଷ୍ଟି । ତାଆରି ପଛରେ ଲାଗି ଲାଗି ଶାଶୂ ଶ୍ୱଶୁର ସମୟ କାଟନ୍ତି। ପ୍ରତ୍ୟୁଷ ପକ୍ଷରୁ ଦିଅରଙ୍କ ପାଇଁ ଦୈନିକ ଥାଏ ଫରମାସୀ। ତାଙ୍କୁ ପ୍ରତ୍ୟୁଷ ସମ୍ୱୋଧନ କରେ- ହାଏ ଗୌତମ‌୍‍ ! ଦାଦା ପୁତୁରାଙ୍କ ବ୍ୟବହାରରେ ଟିକିଏ ବୋଲି ବଡ଼ସାନର ଫରକ ନାହିଁ। ଗୌତମ ଯେମିତି ବଡ଼ ଲୋକଟିଏ ଭାବି ପ୍ରତ୍ୟୁଷକୁ କଥା ହୁଅନ୍ତି, ପ୍ରତ୍ୟୁଷ ମଧ୍ୟ ସେମିତି ବ୍ୟବହାର ଫେରାଏ।

 ପ୍ରତ୍ୟୁଷର ଖାଇବାଠାରୁ ଶୋଇବା ଯାଏ, ସବୁ ଦାୟିତ୍ୱ ଶାଶୂଙ୍କର। ଶାଶୂ ଆଦରରେ ତାକୁ ଡାକନ୍ତି "ଛୋଟବର'। ସେ କାଳେ ତାଙ୍କ ଲିଟିଲ ବୟଫ୍ରେଣ୍ଡ । ଆଉ ଶ୍ୱଶୁରଙ୍କ ପାଇଁ ସେ ଫ୍ରେଣ୍ଡ। ପ୍ରତ୍ୟୁଷ ସ୍କୁଲ‌୍‍ରେ ଶ୍ୱଶୁର ହିଁ ଯାଆନ୍ତି ଗାର୍ଡିଆନ ହୋଇ। ସ୍କୁଲ ତରଫରୁ କୁହାଯାଏ, ମାଆଙ୍କୁ ପଠାନ୍ତୁ । କିନ୍ତୁ ପ୍ରୀତି ମହାନ୍ତି ସେଠିକୁ ଯିବାକୁ ଚାହେଁ ନାହିଁ। କାରଣ ତା ଜୀବନରେ ରହିଛି ଗୋଟେ ବଡ଼ ଇତିହାସ। ସେ ଇତିହାସକୁ କିଏ ପଢ଼ିଛି ତ କିଏ ପଢ଼ିନାହିଁ। ସେ ଟିଭିରେ ନ୍ୟୁଜ‌୍‍ ପଢ଼େ। ଚିହ୍ନା ମୁହଁ। ତା ବିଷୟରେ ଅନେକ ଖୋଳତାଡ଼। ତେଣୁ କିଏ କୋଉଠି ଦେଖାହେଲେ, କିମ୍ୱା ଅନ୍ତରଙ୍ଗ ହେଲେ କାଳେ ସେ ଇତିହାସ ପୃଷ୍ଠା ପୁଣି ଓଲଟି ଆସିବ ସମସ୍ତଙ୍କ ଆଗକୁ ! ଏଇ ଭୟ ପ୍ରୀତି ମହାନ୍ତିକୁ ଗୋଡ଼ାଏ। ତା ପରେ ଏମିତିରେ ତା'ର ବ୍ୟସ୍ତତା ମଧ୍ୟ କିଛି କମ‌୍‍ ନୁହେଁ।

ବରେଣ୍ୟ ସବୁବେଳେ କହେ, ଚବିଶି ଘଣ୍ଟା ନିଜ ଲ୍ପୋରିରେ ବୁଡ଼ି ରହିଲେ ହିଁ ଏ ଲାଇନ‌୍‍ରେ କ୍ୟାରିୟର ଭଲ ରହିବ। ଆଜିକାଲି ଯାହା କମ୍ପିଟିସନ ହେଲାଣି, କର୍ମଚାରୀଙ୍କଠାରୁ ମାଲିକମାନେ ଅନେକ ଆଶା ରଖୁଛନ୍ତି । ଖବର କାଗଜରେ ହେଲେ କୁଆଡେ଼ କେମିତି ଫୋନ‌୍‍ଫାନ‌୍‍ କରି ରିପୋର୍ଟଟିଏ ତିଆରି କରିଦେବ। କିନ୍ତୁ ଏ ଟିଭି ମିଡିଆରେ ସେମିତି ହୁଏନା। ଏଠି ରିପୋର୍ଟର ନିଜକୁ ଇଣ୍ଟେଲେକ‌୍‍ଚୁଆଲ ବୋଲି କହିବା ଠିକ‌୍‍ ନୁହେଁ ବୋଲି କହେ ବରେଣ୍ୟ।

 ତା ଭାଷାରେ ସବୁ ରିପୋର୍ଟର ଗୋଟାଏ ଲେଖାଏଁ ଯୋଗାଡ଼ିଆ। ୟା ଷ୍ଟେଟ‌୍‍ମେଣ୍ଟ, ତା ଇଣ୍ଟରଭ୍ୟୁ ଯୋଗାଡ଼ କରି ରିପୋର୍ଟଟିଏ ତିଆରି କରିବାକୁ ପଡ଼ିବ। ସେଥିରେ ପୁଣି ଷ୍ଟୋରୀ ଟିକିଏ ବାଲାନ‌୍‍ସ ହରେଇଲେ ନାନା ପ୍ରଶ୍ନ। ଆଉଟ‌୍‍ପୁଟ‌୍‍ ଏଡିଟର କହିବେ, ଯେମିତି ହେଲେ ଦୁଇପକ୍ଷର ରିଆକ୍ସନ ଜରୁରି। ବୁଲେଟିନ‌୍‍ ପ୍ରଡ୍ୟୁସର କହିବ, ଷ୍ଟୋରୀ ହୋଲ‌୍‍ଡ। ତା ପରେ ସାରା ଦିନର ପରିଶ୍ରମ ପାଣିରେ ପଡ଼ିଯିବ। ରିପୋର୍ଟରଟିଏ ଦିନସାରା ଖରାତରାରେ ବୁଲିବୁଲି କରିଥିବା ରିପୋର୍ଟର ଭାଗ୍ୟ ନିର୍ଦ୍ଧାରଣ କରିବ ଥଣ୍ଡା ଘରେ ବସିଥିବା ବସ‌୍‍।

 ଅନ୍ୟମନସ୍କତା ଭିତରୁ ବାହାରି ଆସି ଉଠିଲା ପ୍ରୀତି ମହାନ୍ତି। ଏବେ ଚାରିଟା ବାଜିଲାଣି। ତରତର ହୋଇ ଦଉଡ଼ି ଗଲା ବାଥ‌୍‍ରୁମ‌୍‍କୁ। ଆଉ ଅଧଘଣ୍ଟାଏ ପରେ ତାକୁ ଖଣ୍ଡଗିରିରେ ପହଞ୍ଚିବାକୁ ପଡ଼ିବ। ସ୍ୱରୂପାକୁ ସମୟ ଦେଇଛି। ଚାହିଁଥିଲେ ସେ ତାକୁ ଘରକୁ ଡାକି ପାରିଥାନ୍ତା। କିନ୍ତୁ ନା, ଏସବୁ କଥା ଘରେ ଆଲୋଚନା କରାଯାଇ ପାରିବ ନାହିଁ। ହୁଏତ ତା'ର ସବୁ ପ୍ରଶ୍ନର ଉତ୍ତର ଥାଇପାରେ ସ୍ୱରୂପା ପାଖରେ। ହଁ ପ୍ରୀତି ମହାନ୍ତିର ସେ ଭରସା ସ୍ୱରୂପା ଉପରେ ଅଛି।

(କ୍ରମଶଃ)

(ଭାଗ-୭ର ଆକର୍ଷଣ: - ହାଏ ସ୍ଲିମ‌୍‍ ଆଣ୍ଡ ବିଉଟିଫୁଲ... ସ୍ୱରୂପା ଆସିଗଲା। ସେ ପ୍ରୀତିକୁ କଲେଜ ବେଳୁ ଏଇମିତି ସମ୍ୱୋଧନ କରିଆସିଛି। ତା ଦୃଷ୍ଟିରେ ପ୍ରୀତି ବେଶ‌୍‍ ସୁନ୍ଦର। ତା ଉପରେ ଅନେକ ପୁଅ ଫିଦା। ପ୍ରୀତିର କିନ୍ତୁ ନିଜକୁ ନେଇ ସେମିତି କିଛି ଉତ୍ତେଜନା ନଥିଲା କି ନାହିଁ। ତା ଇଚ୍ଛାରେ ନୁହେଁ, ଏବେସୁଦ୍ଧା ଯାହା କିଛି ଆସିଛି ତା ଜୀବନରେ, ସେ ସବୁ ଆସିଛି ଅକସ୍ମାତ। ହଠାତ‌୍‍। ତେବେ ବଡ଼କଥା ହେଲା ତାଆରି ଭିତରେ ସେ ନିଜକୁ ଠିଆ କରିବାକୁ ବାଟ ଖୋଜି ନେଇଛି।)

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୫