ଚରିତ୍ରନାମା
ଅସଭ୍ୟତାର ମାପକାଠିରେ ହିଁ ଆଜି
ପରୀକ୍ଷଣ କରାଗଲା ମୋର,
ଚରିତ୍ର ସଂହାର କରିବାର ଲାଳସା ଖୁବ ପ୍ରାଚୀନ!
ସମାଜ ଗୋଟେ ନିର୍ଦ୍ଦିଷ୍ଟ ଗାର ଟାଣି କୁହେ
ଏଇ ତୋର ସୀମାରେଖା
ତୁ ଗୋଟେ ନାରୀର ଦେହରେ , ଏଥର ଚୁପରହ।
ଯେଉଁ ମାନେ ଏଠି ଧାର୍ମିକ ହେବାର ମାପଦଣ୍ଡ
ଧରି ବିଚରଣ କରୁଛନ୍ତି ,
ସେମାନେ ମୋତେ ନିର୍ବାସିତ କଲେ , କହିଲେ- ବିଧର୍ମୀ!
ତୁମକୁ ଆରଧନା କରି ଆସେ ନାହିଁ ,
ତୁମକୁ ମଥା ନୁଆଁଇ ଆସେ ନାହିଁ ,
ତୁମକୁ ଆସେ ନାହିଁ ସାଲିସ୍!
ତୁମେ ଏଥର ବିତାଡିତ ହୁଏ , ଯାଅ ବାହାରି ଯାଅ
ନିଜର କଲମ , ଶଦ୍ଦ , ଆଚରଣ ଓ ବିଚାର କୁ ନେଇ
ନିର୍ବାସନ ଭୋଗ!
ସେମାନଙ୍କ ଏପରି କଥାରେ ହୁଏତ ମୋର ଟିକେ ଡରି ଯିବାର ଥିଲା!
କିମ୍ବା ପଳାଇ ଯିବାର ଥିଲା କେଉଁ ଏକ ନିର୍ଜନ ଦ୍ବୀପକୁ
ତସଲିମାଙ୍କ ପରି ଉଭେଇ ଯିବାର ଥିଲା ସମାଜର କ୍ୟାନଭାସ ଉପରୁ!
ସେ ପାରିଲେ , କାରଣ ତାଙ୍କର ପରିବାର ନଥିଲା।
ମୋର ମୋ ପରିବାର ସହ ତଥାପି ଏକାଠି ରହିବାର ଥିଲା
ଭୋଗିବାର ଥିଲା ମୋ ବରର ଦେହକୁ,
ମୋ ପିଲାମାନଙ୍କୁ ଆହୁରି ବଡ କରିବାର ଦାୟିତ୍ବ ତୁଲେଇବାର ଥିଲା।
ମୋର ଆହୁରି ଯୁଦ୍ଧ ଲଢିବାର ଥିଲା , ଏକାକି!
ସେମାନେ ମୋତେ ରାକ୍ଷସୀ ବୋଲି ଡାକିଲେ
ଆଉ ମୁଁ ଉଲ୍ଲସିତ ହେଲି, ଦେବୀତ୍ବର ଦେବତ୍ୱ ଠୁ ମୁକ୍ତି ପାଇ ଆନନ୍ଦରେ ନାଚିଲି।
ମୋର ମନେ ପଡିଗଲା,
କେଉଁ ଏକ ନିର୍ଜନ ଦ୍ବୀପରେ ଜଣେ ରାକ୍ଷସ ମୋତେ ପ୍ରେମ
ଯାଚିଥିଲା।
ଆଉ ସେହି ଦିନ ପରଠୁ ମୋ ଚରିତ୍ର ସବୁବେଳେ
ଏକ କଜ୍ଜଳପାତିର ଚାରିକଡେ ଭିଡିମୋଡି ହେଉଥିଲା।
ନାରୀର ଚରିତ୍ର ଗୋଟେ ଖୁବ ପ୍ରାଚୀନ ସଂହିତା
ଯାହାର ଫର୍ଦମାନେ ଫାଟି ଗଲେଣି,
ଅସଭ୍ୟତାର ମାପକାଠିରେ ସେମାନେ ମୋତେ ପୋତିଦେବା ବେଳେ
ମୁଁ କିନ୍ତୁ ମଞ୍ଜିରୁ ଗଜା ମେଲି ବିସ୍ତରି ଯାଉଥିଲି
ଭୂମିରୁ ଭୂମା ଯାଏଁ!!