ଅନାର୍ୟ

ଅନାର୍ୟ

ସେମାନଙ୍କୁ କେହି ଭଲ ପାଆନ୍ତିନି
କି ସେମାନଙ୍କ କାମ କାହାକୁ ଭଲ ଲାଗେନି !
ସେମାନଙ୍କ ଛାଇ ମାଡିଲେ ଆମ ନାହି ଡିଏଁ
ସେମାନଙ୍କ ଦେହରୁ କୁଆଡେ ମାଟି ଝରୁଥାଏ
ତାଙ୍କ ଲୁଙ୍ଗି ଗଞ୍ଜି ଧୁଳିରେ ଲିପା ହୋଇଥାଏ
ସେମାନଙ୍କ ଦେହରୁ କୁଆଡେ ଗୋଟେ ଅଜବ ଗନ୍ଧ ବାହାରେ ?

ସେମାନେ କୁଆଡେ ଖୁବ୍ ଅସଜଡା
କୋଳଥ ବିଲର ଡଙ୍କ ପରି
ସେମାନେ କୁଆଡେ ଭାରି ବେଦାୟିତ୍ଵ
ବାଦାମ ବିଲର ଗଇଛ ଶାଗ ପରି
ସେମାନେ କୁଆଡେ ଅସନା କରନ୍ତି ଘରଦ୍ୱାର
ବୈଶାଖୀ ଦିପହର ଧୂଳି ପରି
ସେମାନେ ରୁହନ୍ତି ଆମ ସହ 
ବାଇଗଣ ଗଛର କଣ୍ଟା ଭଳି !

ସେମାନଙ୍କ ଆଙ୍ଗୁଠି ସନ୍ଧିର ପୁଳାପୁଳା କାଦୁଅରେ
କ୍ଷତାକ୍ତ ହୁଏ ଧଳା ରଙ୍ଗର ମାର୍ବଲ୍
ସେମାନଙ୍କ ଗୋଇଠି ଫାଟର ବଳକା ଧୁଳିରେ
ଅଣନିଃଶ୍ବାସୀ ହୁଏ ଡଲପ ଗଦି
ସେମାନଙ୍କ ଚୁଟିରୁ ଝରିପଡିଥିବା ବୋତି ଗୁଣ୍ଡରେ
ମାରା ହୋଇଯାଏ ଥ୍ରୀଡି ପେଣ୍ଟ୍ କାନ୍ଥ ।

ସେମାନେ ଏଠିସେଠି ଗେଞ୍ଜନ୍ତି ଜାବତୀୟ ଅଳିଆ
ସିଡିତଳେ ଧାନ ଅଖା
ଡାଇନିଂ ରେ ବାଦାମ୍ ବସ୍ତା
ଟେବୁଲ୍ ତଳେ ବିରିଅଖା 
ଛାତ ଉପରେ ବାଦାମ ବୋତି
ସେମାନେ ଆମ ସହ ନରହିଲେ ହୁଅନ୍ତାନି ?

ତଥାପି ଆମେ ଖୋଜୁ ସେମାନଙ୍କୁ
ଯେବେ ଅମଳର ଋତୁଟିଏ
ଉଡୁଥାଏ ତାଂକ ଚାରିପାଖେ
ଆମେ ଲୋଡୁ ସେମାନଙ୍କୁ
ଅଷ୍ଟମୀ ଏଣ୍ଡୁରିର ମହକରେ
ରଜର ପୋଡପିଠାରେ
ଚିତଉ ପିଠାର ସେଁ ରେ
ଜହ୍ନି ଓଷାର ମଣ୍ଡାରେ
ଖୁଦୁରୁକୁଣୀ ଖଇରେ
ସଜଧାନର ବାସ୍ନାରେ
କଷି ମୁଗର ଡେମ୍ଫରେ।

ଏତେ ସବୁ ବାସ୍ନା ପରେ ବି
ଆମ ନାକ ଖାଲି ବାରିପାରେ
କାଖ ସନ୍ଧିର ଝାଳ, ପଚା ବୋତିର ଗନ୍ଧ
ଆମ ଆଖିକୁ ଖାଲି ଦିଶିଯାଏ
ନୁଖୁରା ଗୋଟେ ପିଠି, ଫଟା ଗୋଇଠି
ଲୁଙ୍ଗି ଗଞ୍ଜିରେ ମାଟି, ଅଗାଧୁଆ ଗୋଟେ ଦେହ !

ଏ ଆର୍ଯ୍ୟ ସମାଜରେ, ଅନାର୍ଯ୍ୟଟେ କଣ ଚାଷୀ ?
ସେମାନେ ଯଦି ମାଟି ସହ ମାଟି ନହୁଅନ୍ତେ 
ସେମାନେ ଯଦି ମାଟି ଛାତିରେ ଆଖି ନିଦ ସବୁ ନବୁଣିଦିଅନ୍ତେ
ସେମାନେ ଯଦି  ପେଟଭୋକକୁ
ମାଟିରେ ପୋତୁନଥାନ୍ତେ
ସେମାନେ ରକ୍ତ ଆଉ ଝାଳକୁ
ପାଣିକରି ଛିଞ୍ଚୁନଥାନ୍ତେ 
ପୃଥିବୀଟେ ପତ୍ରେଇପାରନ୍ତା ତ ?

ହେ ଆର୍ଯ୍ୟ ସମାଜ
ଅନାର୍ଯ୍ୟ ଚାଷୀଟିଏ ବିନା
ପୃଥିବୀଟେ ଗଢିକି ତ ଦେଖ ?