କବିତା ଜରୁରୀ

କବିତା ଜରୁରୀ

ଶବ୍ଦମାନେ ତଣ୍ଟି ଚିପୁଛଂତି ମୋର

ଦୁଇପାଖେ ହାତ ପ୍ରସରିଯାଉଛି ଡେଣା ଭଳି

 ଏଇ ଯେମିତି ମୁଁ ଉଡ଼ିଯିବି

ଡାକିଛି ମତେ ତାରାଭରା ମହାକାଶ ।

 

ସେପଟେ ଉଡ଼ୁଛି ତୁମରି ଗୁଡ଼ି ଭଳିକି ଭଳି

ସବା ଉଚ୍ଚ ଛାତରୁ ଝରକାରୁ ଚିତ୍ରମୟ ଚୌକାଠରୁ

ପ୍ରତିଯୋଗିତା କଲା ପରି

କାହାର କଇଁଫୁଲ ଶାଢି , କାହାର ବାସଂତୀ ରଂଗର ରୁମାଲ

ବା ସୀମାର ଚୁକ୍ତିପତ୍ର ପରି ହସ ହସ ଧଳା ।

 

 ଏଣେ ଶବ୍ଦମାନେ ଡୋର ପରି ଭିଡ଼ି ଧରିଥାଂତି

ଏକଦା ଏସବୁକୁ ନେଇ ପାପୁଲି ମୋର

ଗଢିଥିଲା ଆକାର କେତେ ଜାତି

 ତ୍ରିଶୂଳ , ଡମ୍ବରୁ , କୁକୁଡ଼ା ଗୋଡ଼ର ଫାଶ ।

 

ଶବ୍ଦମାନେ ଏବେବି ଦିଶଂତି ପିଲାବେଳ ପରି

ନିରୀହ ଆଶ୍ୱାସନାର ପ୍ରାଚୀନ ଶିଉଳି ଯେମିତି ସବୁଜାଭ ।

 

ତୁମର ସବୁ ଶିବିରରେ ଜଳେ ମଶାଲ ଷଡ଼ଯଂତ୍ରର

ମୋର ଆଖି ଝଲସେଇ ଦିଏ ।

କାଂଥରେ କାହାର ଛାୟା ସବୁ ମାତଂତି , ନାଚଂତି , ଗଡ଼ିଯାଂତି

ହାସ୍ୟମୟ କୋରସ ବୃଂଦଗାନ ।

 

ଅନେକ ପାହାଡ଼ ନଦୀ ପାର ହେଇ ଜିତିଆଣିଥିବା ଆକାଶମାନେ

ଏବେ ମୋର ଛାତରେ

ସବୁ ରାତି ମିଶି ଅଂଧାରରୁ ଚିପୁଡ଼ୁଥାଂତି ନିଦ ।

 

ମୁଁ ଏବେ ପହଂଚିବାକୁ ଚାହେଁ କାହା ପାଖରେ

କେଉଁମାନେ ଚାଲୁଛଂତି ଅପହଂଚ ଲାଗୁଥିବା

ହଜାର ହଜାର ମାଇଲ

କାହାଣୀ ନଥିବା ମୋଟାମୋଟା ବହି ପରି

ପାଦ କ୍ଷତମୟ , ଶୋଷରେ ଚିରା ଚିରା ଜିଭ

କେଉଁ କୁଡ଼ିଆରେ ଶୀତଳ ମସିଣା ବିଛାଇ

ଅପେକ୍ଷା କରୁଛି ବସିପଡ଼ିବାର ସୁଖ ।

 

ତୁମକୁ ଦିଶିବେନି ମତେ ରୁଂଧି ଦେଉଥିବା ଶବ୍ଦ

ଯେଉଁମାନେ ଟିହାଉଛଂତି , ଟିକିଏ ପବନର ମୂଲ୍ୟ କଣ ଏବେ ବୁଝ

ଯେଉଁ ନଦୀକୁ ହାତର ନିରୁଦ୍ଦେଶ୍ୟ ରେଖା ଭାବି ଡେଇଁ ଆସିଥିଲି

ଏବେ ସେ ଦିଗରେ ଲମ୍ବିଯାଏ

ପଛକୁ ଟାଣି ହେଉଥିବା ମୋର ଜିଭ ।

ଶିବିରହୀନ ଠିଆ ନିରୀହ ହସବାଲା ଯୁବା

ଆଉ ନାହିଁ ବୋଲି କହିଗଲ ଦିପହରର ପବନ ।

 

ଡେଣା ମେଲାଇ ଉଡ଼ିଯିବାକୁ ତତ୍ପର ଥିଲେ ହାତମାନ

ପଛରେ ପକାଇ ଡାଳିମ୍ବ ରସ ଗିଲାସ ପରି

ଦରଜାରେ କରାଘାତ କରୁଥିବା ପ୍ରେମ

କାଂଥ ଚଟାଣ କୋଣର ତ୍ରିଭୁଜରେ

 ଉଛୁଳି ପଡ଼ୁଥିବା ମ୍ୟାଟଫିନିସ ସୁଖ ।

 

ଶିବିରରେ ଜଳୁଥିବା ମଶାଲ

ପୋଡ଼ିଦେଇଛି ମୁହଁ ତାର

ପ୍ରତ୍ୟାଖାନ ପରିହାର ଅସ୍ୱୀକାରମାନ

ଖୋଳି ନେଇଛି ପାଦ ତଳର ମାଟି

ରାତି ରାତି ଅନିଦ୍ରା ଥିବା ମତେ

ଯେବେ ବାଂଧିରଖିଥିଲା

ତାରା ଖଚିତ କବିତାକାଶ ।