ନିମ ଗଛ
କାଲି ରାତିର ନିଷ୍ପତ୍ତିକୁ
ସ୍ବୀକାରି ନେବାକୁ
ନାରାଜ ଥିଲା ସେ ।
ପୈତୃକ ଭୂଗୋଳର ପରିବର୍ତ୍ତନ
ଆଉ କାହା ଶରୀର-ବ୍ୟବଚ୍ଛେଦ
ନିର୍ଧାରିତ ହେବାର ଘୋର ବିରୋଧରେ
ସାରାରାତି ଉଜାଗର ଥିଲା ସେ ।
ମନ ଭାଙ୍ଗିଲେ ଦେହ
ଭାଙ୍ଗିବାଟା ସୁନିଶ୍ଚିତ;
ତେଣୁ କାଲି ରାତି
ମନକୁ ଲୁଚେଇ ଦେଇ
ଆମେ କେବଳ ଦେହକୁ
ଭାଙ୍ଗିବାରେ ବ୍ୟସ୍ତ ଥିଲୁ ।
ଆମ ସହିତ ଭାଙ୍ଗୁଥିଲା
ଆହୁରି ଅନେକ କିଛି;
କାନ୍ଥ ଛପର ସୁନା ରୂପା
ଶେଷରେ ଘର ଓ ପୁରୁଖା ସିନ୍ଧୁକ
ଆଉ ବାକି ଥିଲା ଭୂଇଁ
କେଉଁ ନିର୍ଦ୍ଦିଷ୍ଟ ସୂତ୍ରରେ
ପାଦତଳ ଭୂଇଁକୁ ଛିଣ୍ଡା ଯାଇପାରେ,
ତାହା ବୁଝିବାକୁ ଅସମର୍ଥ ଥିଲୁ
କାରଣ
ଭଗ୍ନାଂଶରେ ଥିଲା ନିମଗଛଟି ଆଉ
ଏହା ଥିଲା ଆମ ଅନ୍ତରାୟ
ଆମ ପୂର୍ବ ପୁରୁଷଙ୍କ ମୁକସାକ୍ଷୀ
ତେଣୁ ଇତିହାସର ରକ୍ତ
ଦେଖିବାକୁ ଅସମର୍ଥ ଥିଲା ସେ ।
"ମନ ଭାଙ୍ଗିବା ସୂତ୍ରରେ
ଘର ଭାଙ୍ଗିବା ସୁନିଶ୍ଚିତ,
ମାତ୍ର ନିମ ଗଛର ଶିର ଛେଦ କରିବା; ଏ କେଉଁ ଅଧିକାର
ଯାହା ମୋ ସଂସାରକୁ ବଞ୍ଚାଇଛି
ଏଯାଏ"
କେବେ ଅଧିକାର ମାଗିନଥିବା ସେ,
ବାହୁନୁଥିଲା ଏକ ବିକଳ ଅସହାୟତାରେ ଆଉ
କିଛି ଅସ୍ପଷ୍ଟ ଶବ୍ଦ ଝରୁଥିଲା ତା' ଓଠରୁ
" ଭାଗବଣ୍ଟା ର ସୂତ୍ରରେ
ମୋ ପରିବାର ସଲାମତ ରହୁ" ।
କେଉଁ ପରିବାରର ସମର୍ଥନରେ
କହିବାକୁ ଚାହୁଁଥିଲା ସେ !!
ଆମେ କେବଳ ଅବୁଝା ରହିବା ଭଳି
ଛଳନାରେ ବ୍ୟସ୍ତ ଥିଲୁ ।
…….
ମୁମ୍ବାଇ