ବେଆଇନ ବାଲି କାରବାର: କେତେ ବ୍ୟାପକ ଏହାର ପରିସର!

ବେଆଇନ ବାଲି କାରବାର: କେତେ ବ୍ୟାପକ ଏହାର ପରିସର!

୨୦୨୬ ଜୁନ୍ ୮ ତାରିଖ। ଏଇ ଦିନ ଆମ ଘରକୁ ଆସୁଥିବା ଦୈନିକ ଖବରକାଗଜରେ ଆମ ରାଜ୍ୟରେ ହେଉଥିବା ବେଆଇନ ବାଲି କାରବାର ସମ୍ପର୍କିତ ୩ଟି ଖବର ମୋ’ ନଜରକୁ ଆସିଲା। ସେ ପୁଣି ସବୁ ଗୁଡ଼ିକ ଏଇ ଆଖପାଖର ମାନେ ଗୋଟେ ଖବର ଚନ୍ଦକା ସମ୍ପର୍କିତ ହୋଇଥିବା ବେଳେ ଅନ୍ୟ ଦୁଇଟି କଟକ ଓ ପାହାଳ ସମ୍ପର୍କିତ। ଆଉ ପୁଣିଥରେ ମୁଁ ଏ ସମ୍ପର୍କରେ ଲେଖିବି ବୋଲି ଚିନ୍ତା କଲି। ଆଗରୁ ଏ ବିଷୟରେ ଲେଖିଥିଲେ ବି ବାରମ୍ବାର ଓ ପ୍ରାୟ ସବୁଦିନେ ଏଭଳି ବେଆଇନ ବାଲି ଖନନ ସମ୍ପର୍କିତ ଖବର ସବୁ ପଢ଼ି/ଶୁଣି ପ୍ରକୃତିର ସୁରକ୍ଷା ଦିଗରେ ସାମାନ୍ୟ ସଚେତନ ଯେ କେହି ମଣିଷ ଗଭୀର ଚିନ୍ତାରେ ପଡ଼ିଯିବା ସ୍ବାଭାବିକ। 

   ଦୁଃଖର ବିଷୟ- ଗଙ୍ଗା, ଯମୁନାଠୁ ଆରମ୍ଭ କରି ନର୍ମଦା, କାବେରୀ, କ୍ରିଷ୍ଣା, କୋଷି, ଚମ୍ବଲ, ମହାନଦୀ ପୁଣି ସୋନ; ଦେଖିବାକୁ ଗଲେ ଦେଶର ଆଜି ପ୍ରାୟ ଅଧିକାଂଶ ନଦୀ ଶଯ୍ୟା ଓ ଗର୍ଭ ବେଆଇନ ବାଲି ମାଫିଆ ମାନଙ୍କ କବ୍‌ଜାରେ। ତେବେ ଖାଲି ଭାରତରେ ନୁହେଁ, ଏବେ ସମଗ୍ର ବିଶ୍ବରେ ବେଆଇନ ବାଲି ଉଠାଣ-ଚାଲାଣ ଏକ ବିରାଟ ସମସ୍ୟା ହୋଇ ଉଭା ହେବା ସହ ପରିବେଶବିତ୍ ଓ ପରିବେଶ ସଚେତନ ଲୋକ ମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଆଉ ଏଥିପାଇଁ ବହୁ ସଂଖ୍ୟକ ହତ୍ୟା ଓ ଅନ୍ୟାନ୍ୟ ଅପରାଧ ମାନ ସଂଘଟିତ ହେଉଛି। ଆମ ଦେଶର, ଖାସ୍ କରି ଉତ୍ତର ଭାଗରେ ବେଆଇନ ବାଲି ଖନନ ଅତ୍ୟନ୍ତ ଉଦ୍‌ବେଗର କାରଣ ପାଲଟିଛି। ଯଦିଓ ଏ ନେଇ ବିଶେଷ କିଛି ସଲିଡ୍ ଡାଟା ମିଳେନାହିଁ ତେବେ ଉପଲବ୍ଧ ତଥ୍ୟ ଅନୁସାରେ ଏପ୍ରିଲ୍ ୨୦୨୨ରୁ ଫେବ୍ରୁଆରୀ ୨୦୨୩ ମଧ୍ୟରେ କେବଳ ଉତ୍ତର ଭାରତରେ ବେଆଇନ ବାଲି କାରବାର ଯୋଗୁଁ ୭୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଡିସେମ୍ବର ୨୦୨୦ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଦେଶରେ ଏଇ ସମାନ କାରଣରୁ ପ୍ରାୟ ୪୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ତତଃ ୪୩୮ ଜଣ ଆହତ/ଆଘାତପ୍ରାପ୍ତ ହୋଇଥିଲେ। ୨୦୨୦ରେ 'ସାଉଥ୍ ଏସିଆ ନେଟୱର୍କ ଅନ୍ ଡେନ୍ସ ରିଭରସ୍ ଆଣ୍ଡ୍ ପିପୁଲ(SANDRP)' ଦ୍ବାରା ପ୍ରଦତ୍ତ 'ସ୍ୟାଣ୍ଡ୍ ମାଇନିଂ ଭାଓଲେନସ୍, ଇଣ୍ଡିଆ' ରିପୋର୍ଟ ଅନୁଯାୟୀ ଜାନୁଆରୀ ୨୦୧୯ରୁ ନଭେମ୍ବର ୨୦୨୦(୨୨ ମାସର ସମୟ) ମଧ୍ୟରେ ବେଆଇନ ବାଲି ଖନନ ଯୋଗୁଁ ୧୯୩ ଜଣଙ୍କ ହତ୍ୟା/ମୃତ୍ୟୁ ସଙ୍ଘଟିତ ହୋଇଥିଲା। ତେବେ ଏହି ରିପୋର୍ଟ କେବଳ ଟ୍ରାକ୍ କରାଯାଇ ପାରିଥିବା ଘଟଣା ଗୁଡ଼ିକ ଉପରେ ପର୍ଯ୍ୟବେସିତ ଥିଲା। ତେଣୁ ବାସ୍ତବ ସଂଖ୍ୟା ହୁଏତ ଏହାଠାରୁ ଅଧିକ ହୋଇପାରେ। ଏସବୁ ମୃତ୍ୟୁ/ହତ୍ୟାର ଶିକାର ଲୋକଙ୍କ ମଧ୍ୟରେ ବେଆଇନ ବାଲି କାରବାର ସହ ସମ୍ପୃକ୍ତ ବ୍ୟକ୍ତିମାନେ ତ ଥା’ନ୍ତି (ଯେମିତି ଖନନ ବେଳେ ଖଣି ଧସି ଯାଇ, ଖଣିରେ ଅଚାନକ ପାଣି ପଶିଯିବାରୁ ଏବଂ ଖଣିରେ ପଡ଼ିଯାଇ କିମ୍ବା ବୁଡି ଯାଇ ତଥା ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦିତା ଓ ଆକ୍ରମଣ କାରଣରୁ ଘଟିଥିବା ମୃତ୍ୟୁ); ଏମାନଙ୍କ ବ୍ୟତୀତ ବହୁ ସଂଖ୍ୟକ ଗ୍ରାମବାସୀ ଓ ଚାଷୀ, ରିପୋର୍ଟର(ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୨୫ ମଧ୍ୟରେ ଦେଶର ପ୍ରାୟ ୨୮ଜଣ ସାମ୍ବାଦିକ ବାଲି ମାଫିଆଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି) ଓ ସାମାଜିକ କର୍ମୀ ତଥା ବିଭିନ୍ନ ପଦ-ପଦବୀର ସରକାରୀ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁ ମାନଙ୍କୁ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇ ପ୍ରାଣ ହରାଇବାକୁ ପଡ଼ିଥାଏ। ଯେମିତି କି ନିକଟରେ ମଧ୍ୟପ୍ରଦେଶ ମୋରେନାର ଜଣେ ଫରେଷ୍ଟ୍ ଗାର୍ଡଙ୍କ ଉପରେ ବାଲି ମାଫିଆଙ୍କ ଦ୍ବାରା ଟ୍ରାକ୍ଟର ଚଢ଼ାଇ ହତ୍ୟା କରାଯାଇଥିଲା। ଏସବୁ ଛଡ଼ା ଏ କ୍ଷେତ୍ରରେ ଜୀବନରୁ ମାରିଦେବାର ଧମକ, ଜୋର୍ କରି ବଟି ଆଦାୟ ଏବଂ ଖଣି ଜବରଦଖଲ ଭଳି ଅପରାଧ ମାନ ମଧ୍ୟ ନିୟମିତ ଘଟିଥାଏ। 

    ତେବେ ଅତି ସାଧାରଣ ଦିଶୁଥିବା ବାଲିକୁ ନେଇ କାହିଁକି ଏତେ ଅପରାଧ? କ'ଣ ଏମିତି ଥାଏ ଏଥିରେ ଯେ, ଏଥିପାଇଁ ଏତେ ସବୁ ବେଆଇନ କାର୍ଯ୍ୟ! 'ମାଇନ୍ସ ଆଣ୍ଡ୍ ମିନେରାଲ୍ସ(ଡେଭଲପମେଣ୍ଟ୍ ଆଣ୍ଡ୍ ରେଗୁଲେସନ୍) ଆକ୍ଟ୍ ବା MMDR act-୧୯୫୭' ଅନୁଯାୟୀ, ବାଲି ଏକ ଗୌଣ ବା ଲଘୁ ଖଣିଜ ପଦାର୍ଥ। ତେବେ ଏହାର ବ୍ୟବହାର ଦୃଷ୍ଟିରୁ ଏହା ଆଦୌ ଗୌଣ ନୁହେଁ। ଆମ ମାନଙ୍କ ଘର, ରାସ୍ତାଘାଟ, ସ୍କୁଲ୍-କଲେଜ, ହସ୍ପିଟାଲଠୁ ଆରମ୍ଭ କରି ଦୁନିଆ ଯାକରେ ଆବଶ୍ୟକ ପଡୁଥିବା କାଚ, କୃଷି ଉପଯୋଗୀ ସାର ଓ କମ୍ପ୍ୟୁଟର ତଥା ଇଲେକ୍ଟ୍ରୋନିକ୍ ଚିପ୍ସ୍ ଆଦି ତିଆରି ପାଇଁ ବାଲିର ଆବଶ୍ୟକତା ପଡ଼ିଥାଏ। ଏପରିକି ପୀତ ସୁନା(yellow gold)ଭାବେ ପରିଚିତ ଏଇ ଖଣିଜ ହେଉଛି ପାଣି ପରେ ଏଭଳି ଦ୍ବିତୀୟ ପ୍ରାକୃତିକ ଉତ୍ସ/ସମ୍ବଳ ବା ପଦାର୍ଥ ଯାହାର ସର୍ବାଧିକ ବ୍ୟବହାର (ଶୋଷଣ କହିଲେ ଚଳେ) ହୋଇଥାଏ। ଖାଲି ସେତିକି ନୁହେଁ, ପୃଥିବୀର ତଳ ଭାଗରୁ ଖନନ କରି ବାହାର କରାଯାଉଥିବା ପ୍ରାକୃତିକ ସମ୍ବଳ ଗୁଡ଼ିକ ମଧ୍ୟରୁ ବାଲିର ମାତ୍ରା ହେଉଛି ଦୁଇ ତୃତୀୟାଂଶରୁ କିଛିଟା ଅଧିକ। ସମଗ୍ର ବିଶ୍ବରେ ଏସବୁ କାରଣ ପାଇଁ ପ୍ରତି ବର୍ଷ ଅନ୍ତତଃ ୪୦ରୁ ୫୦ ବିଲିଅନ୍ ଟନ୍ ବାଲି ବ୍ୟବହାର କରାଯାଇଥାଏ। ବାଲିର ବ୍ୟବହାରକୁ ନେଇ ଭାରତ ପରିପ୍ରେକ୍ଷୀରେ ବିଚାର କଲେ, ଚୀନ୍(ବାର୍ଷିକ ପ୍ରାୟ ୨୦ବିଲିୟନ୍ ଟନ୍ ବାଲି ବ୍ୟବହାର କରିଥାଏ) ପରେ ବିଶ୍ବରେ ଭାରତ ହେଉଛି ଦ୍ବିତୀୟ ରାଷ୍ଟ୍ର। ଆମ ଦେଶରେ ବାର୍ଷିକ ପ୍ରାୟ ୯୦୦ ମିଲିୟନରୁ ୧ବିଲିୟନ୍ ଟନ୍ ବାଲି ବ୍ୟବହୃତ ହୋଇଥାଏ। ଏଇ କାରଣରୁ ଭାରତର ବାଲି କାରବାର ବା ସ୍ୟାଣ୍ଡ୍ ଇଣ୍ଡଷ୍ଟ୍ରିର ଭ୍ୟାଲୁ ହେଉଛି ପ୍ରାୟ ୭୦,୦୦୦ କୋଟି ଟଙ୍କା। ତେବେ ଆଇନଗତ ଭାବେ ଖନନ କରାଯାଉଥିବା ବାଲି ଦେଶର ଆବଶ୍ୟକତା ଅନୁପାତରେ ମାତ୍ର ୪୦ରୁ ୬୦ ପ୍ରତିଶତ ଯାଏଁ ହିଁ ପୂରଣ କରିପାରେ। ତା’ ହେଲେ ଆଉ ବାକି ଚାହିଦା ଯାହା ରହିଲା ତାକୁ କିଏ ପୂରଣ କରେ? ଏଇଠି ଆସେ ବେଆଇନ ବାଲି କାରବାର ଓ ତାହା କରୁଥିବା ବାଲି ମାଫିଆଙ୍କ କଥା। ଏମାନେ ଚଳାଇଥିବା ବେଆଇନ ବାଲି କାରବାରର ସ୍ୟାଡୋ ବା ପାରାଲାଲ୍ ଇକୋନୋମିର ମୂଲ୍ୟ ହେଉଛି ପାଖାପାଖି ୫୦,୦୦୦ କୋଟି ଟଙ୍କା।

  ତେବେ 'ୟୁନାଇଟେଡ୍ ନେସନସ୍ ଏନଭାଇରନମେଣ୍ଟ୍ ପ୍ରୋଗ୍ରାମ୍(UNEP)ର ରିପୋର୍ଟ ଅନୁଯାୟୀ, ଏକ ପ୍ରାକୃତିକ ସମ୍ବଳ ହିସାବରେ ବାଲି ସୀମିତ ମାତ୍ରାରେ ଉପଲବ୍ଧ ଓ ଏହା କ୍ରମେ ଏକ ଦୁର୍ଲଭ ବସ୍ତୁରେ ପରିଣତ ହେବାକୁ ଯାଉଥିବା ଦୃଷ୍ଟିରୁ ଖୁବ୍ ଶୀଘ୍ର ଆମେ ମାନେ ଏହାର ଅଭାବ ଅନୁଭବ କରିବା। ବିଶେଷଜ୍ଞ ମାନଙ୍କ ଆକଳନ ଅନୁସାରେ, ବର୍ଷ ୨୧୦୦ ବେଳକୁ ବାଲିର ଚାହିଦାରେ ପ୍ରାୟ ୩୦୦% ବୃଦ୍ଧି ଓ ଏହାର ମୂଲ୍ୟରେ ପ୍ରାୟ ୪୦୦% ବୃଦ୍ଧି ଘଟିବାର ଆଶଙ୍କା ରହିଛି। 'ନେଚର' ପତ୍ରିକା ଅନୁଯାୟୀ, ବାଲିକୁ ନେଇ ଖୁବ୍ ଶୀଘ୍ର ଏକ ବୈଶ୍ବିକ ଏଜେଣ୍ଡାର ଆବଶ୍ୟକତା ରହିଛି। 

   ଅନେକ ହୁଏତ ଭାବି ପାରନ୍ତି, ବାଲିକୁ ନେଇ ସାରା ବିଶ୍ୱରେ କାହିଁକି ଏତେ ଉଦବେଗ! ବାସ୍ତବରେ ପରିବେଶ ସୁରକ୍ଷା, ଖାସ୍ କରି ନଦୀ ଓ ସମୁଦ୍ର ତଟ ଆଦିର ସଂରକ୍ଷଣ କ୍ଷେତ୍ରରେ ବାଲି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ। ଏହା ନଦୀର ଗତି ଓ ପ୍ରକୃତିକୁ ନିୟନ୍ତ୍ରିତ କରେ ତଥା ଜଳସ୍ତରକୁ ସ୍ବାଭାବିକ ରଖିଥାଏ। ବାଲି ଏକ ପ୍ରାକୃତିକ ଫିଲ୍ଟର ଭଳି କାର୍ଯ୍ୟ କରେ। ଏହା ପାଣିକୁ ବିଭିନ୍ନ ଦୂଷିତ ତତ୍ତ୍ଵରୁ ସୁରକ୍ଷା ଦେଇଥାଏ ଓ ତା’ର ପୋଷକ ତତ୍ତ୍ଵ ବଜାୟ ରଖେ। ନଦୀ ଜଳର ପ୍ରବାହ କମ୍ ଥିବା ସମୟରେ ବାଲି ନିଜ ଭିତରେ ଜଳୀୟ ଅଂଶ ଧରି ରଖି ନଦୀର ସ୍ବାଭାବିକ ପ୍ରବାହ ଜାରି ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଖାଲି ସେତିକି ନୁହେଁ, ଏହା ବିଭିନ୍ନ ଜଳଚର ପ୍ରାଣୀଙ୍କ ପାଇଁ ପ୍ରାକୃତିକ ବାସସ୍ଥାନ ମଧ୍ୟ ହୋଇଥାଏ।

    ଭାରତ ଭଳି ଏକ ବିକାଶଶୀଳ ତଥା ବିଶାଳ ଅର୍ଥନୀତି ବିଶିଷ୍ଟ ଦେଶରେ ନିୟମିତ ଭାବେ ଓ ବହୁ ସଂଖ୍ୟାରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏଠାରେ ବାଲିର ଚାହିଦା ଅତ୍ୟନ୍ତ ଉଚ୍ଚା ରହିବା ସ୍ବାଭାବିକ (UNEPର ସ୍ୟାଣ୍ଡ୍ ଆଣ୍ଡ୍ ସସ୍‌ଟେନେବିଲିଟି ରିପୋର୍ଟ-୨୦୧୯ ଅନୁସାରେ, ଅବୈଧ ବାଲି ଖନନ କ୍ଷେତ୍ରରେ ଚୀନ୍ ଓ ଭାରତର ସ୍ଥାନ ସର୍ବାଗ୍ରେ)। ହ୍ରଦ, ନଦୀ କୂଳ ଓ ସମୁଦ୍ର ବେଳାଭୂମିରୁ ଏଇ ବାଲି ଖନନ କରାଯାଇଥାଏ। କିନ୍ତୁ ମରୁଭୂମି ଓ ବେଳାଭୂମିର ବାଲି (ମରୁଭୂମି ବାଲିର ଆକାର ଦୃଷ୍ଟିରୁ ଏଥିରେ ବଣ୍ଡିଂ ଏଲିମଣ୍ଟ କମ୍ ଥାଏ ଓ ସମୁଦ୍ର ତଟ ବାଲି ଅତ୍ୟନ୍ତ କ୍ଷୟଶୀଳ ହୋଇଥାଏ) ତୁଳନାରେ ନିର୍ମାଣ କାର୍ଯ୍ୟ ପାଇଁ ମୁଖ୍ୟତଃ ନଦୀ ବାଲି ହିଁ ଆବଶ୍ୟକ ହୋଇଥାଏ। ତେବେ ଅବିଚାରିତ ଭାବେ ନଦୀ ତଟଦେଶ ଓ ନଦୀ ଗର୍ଭରୁ ବାଲି ଖନନ କରିବା ଆମ ପରିବେଶ ଉପରେ ଅତି ଭୟଙ୍କର ପ୍ରଭାବ ପକାଇଥାଏ। ଯେପରିକି ଏକ ସାଟେଲାଇଟ୍ ଷ୍ଟଡିରୁ ଏକଥା ଜଣା ପଡ଼ିଛି ଯେ, ଏଭଳି ହେବା ଦ୍ୱାରା ଗୋଟିଏ ନଦୀର ଗତିପଥ ସମ୍ପୂର୍ଣ୍ଣ ବଦଳି ଯିବାର ଆଶଙ୍କା ଥାଏ। ତା' ଛଡ଼ା ନଦୀରେ ପାଣିର ସ୍ତର ମଧ୍ୟ ହ୍ରାସ ପାଇଥାଏ ଏବଂ ନଦୀର ତଟରେ ବାରମ୍ବାର ପରିବର୍ତ୍ତନ ଘଟି ବନ୍ୟା ଆଶଙ୍କା ମଧ୍ୟ ବହୁ ମାତ୍ରାରେ ବଢିଯାଏ। ଉତ୍ତୋଳନ ସମୟରେ ଓ ପରେ ବାଲି ଉଡ଼ି ଆଖପାଖର ପରିବେଶ ଦୂଷିତ କରିବା ସହ ଛୋଟ ଛୋଟ ବାଲି କଣିକା ନିଃଶ୍ବାସ-ପ୍ରଶ୍ବାସ ମାଧ୍ୟମରେ ଆମମାନଙ୍କ ଫୁସ୍‌ଫୁସ୍‌କୁ ପ୍ରବେଶ କରି ଶ୍ବାସ ସମ୍ବନ୍ଧିତ ରୋଗ ମାନ ସୃଷ୍ଟି କରିଥାଏ। ଅନେକ ସମୟରେ ଏହି ବାଲି କଣା ଆଖି ପାଇଁ ବି କ୍ଷତିକାରକ ହୋଇଥାଏ। ନଦୀ ତ ନଦୀ, ସମୁଦ୍ର ବେଳାରୁ ଅବିଚାରିତ ଭାବେ ବାଲି ଉତ୍ତୋଳନ ମଧ୍ୟ କିଛି କମ୍ କ୍ଷତିକାରକ ନୁହେଁ। ଏମିତି ହେବା ଦ୍ୱାରା ବେଳାଭୂମିର ଅବକ୍ଷୟ ଘଟିବା ସହ ସଂଲଗ୍ନ ନଦୀ ମୁହାଣ ଗୁଡ଼ିକ ଚଉଡ଼ା ହୋଇଯାଏ ଓ ନିକଟସ୍ଥ ସ୍ଥଳଭାଗକୁ ସମୁଦ୍ରର ଲୁଣି ପାଣି ସହଜରେ ପଶି ଆସେ। ବେଳାଭୂମିରେ ରହୁଥିବା ବିଭିନ୍ନ ଜଳଜୀବଙ୍କ ଜୀବନ ପାଇଁ ଆବଶ୍ୟକ ପାରିପାର୍ଶ୍ବିକ ପରିବେଶ ମଧ୍ୟ ସମ୍ପୂର୍ଣ୍ଣ ବିଗିଡ଼ି ଯାଏ। ତା' ଛଡ଼ା ସମୁଦ୍ର ଜଳରେ ବିଭିନ୍ନ ଦୂଷିତ ପଦାର୍ଥର ମାତ୍ରା ବୃଦ୍ଧି ପାଇ ପାଣି ତା'ର ସ୍ବଚ୍ଛତା ହରାଇ ବସେ। ଫଳରେ ସୂର୍ଯ୍ୟ କିରଣ ଜଳରେ ପ୍ରବେଶ କରିପାରେ ନାହିଁ। ଆଉ ଏପରି ଘଟିବା ପ୍ରବାଳ ଓ ଅନ୍ୟାନ୍ୟ ଜଳଜୀବଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ। କିନ୍ତୁ ଆଉ ଏକ ଉଦ୍‌ବେଗଜନକ ବିଷୟ ହେଲା- ଆମେ ଏତେ ଦୃତ ଗତିରେ ଓ ଏତେ ଅଧିକ ପରିମାଣର ବାଲି ବ୍ୟବହାର କରୁଛେ ଯେ, ପ୍ରକୃତିକୁ ସେତିକି ପରିମାଣରେ ବାଲି ଭରଣା କରିବା ପାଇଁ ଆଦୌ ସମୟ ଦେଉନେ। ଉଦାହରଣ ସ୍ବରୂପ, ଏକ ସ୍ୟାଟେଲାଇଟ୍ ଷ୍ଟଡିରୁ ଏହା ପଡ଼ିଛି ଯେ, ଗଙ୍ଗା-ବ୍ରହ୍ମପୁତ୍ର-ମେଘନା ବେସିନ୍ ଭଳି ଏକ ବୃହତ୍ ନଦୀ କ୍ଷେତ୍ରରୁ ବାର୍ଷିକ ପ୍ରାୟ ୧୧୫ନିୟୁତ ଟନ୍‌ରୁ ଅଧିକ ବାଲି ଉତ୍ତୋଳନ କରାଯାଇଥାଏ, ଯାହାକି ନଦୀର natural sediment replenishment rate ଠାରୁ ଯଥେଷ୍ଟ ଅଧିକ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯଦି ମାଫିଆ ମାନେ କୌଣସି ଏକ ସ୍ଥାନକୁ ବାଲି ଖନନ ପାଇଁ ବାଛି ନିଅନ୍ତି ତେବେ ସେମାନେ ସେଠାରେ ଏକାସାଙ୍ଗରେ ଶହଶହ ଲୋକଙ୍କୁ ନିୟୋଜିତ କରି ଦିନରାତି ବିପୁଳ ପରିମାଣର ବାଲି ବାହାର କରି ଚାଲାଣ କରିଥାନ୍ତି। ଏପରିକି ଗୋଟିଏ ସ୍ଥାନରୁ ଦିନକରେ ୩୦୦ ବଡ଼ ବଡ଼ ଟ୍ରକ୍ ଭର୍ତ୍ତି ବାଲି ମଧ୍ୟ ଚାଲାଣ କରିଦିଆଯାଏ। ଆଉ ଏଭଳି ହେବାରେ ସହାୟକ ହୋଇଥାଏ ବାଲି ମାଫିଆ, ବହୁ ଅସାଧୁ ରାଜନେତା ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଥିବା ଏକ ଅସାଧୁ ନେଟୱର୍କ। ଉପଲବ୍ଧ ତଥ୍ୟ ଅନୁସାରେ, ଦେଶରେ ଗୋଟିଏ ଟ୍ରକ୍ ବାଲିର ବଜାର ମୂଲ୍ୟ ପ୍ରକୃତରେ ୧୮ରୁ ୩୦ହଜାର ଟଙ୍କା ହୋଇଥିଲା ବେଳେ ମଝିରେ ଥିବା ଅସାଧୁ କର୍ମଚାରୀ, ବେଆଇନ ସ୍ୟାଣ୍ଡ୍ ସିଣ୍ଡିକେଟ୍ ଓ କାର୍‌ଟେଲ୍ ଆଦିଙ୍କ ରୟାଲ୍‌ଟି ଯୋଗୁଁ ଏହାର କଳାବଜାରୀ ଘଟି ମୂଲ୍ୟ ୪୦ରୁ ୮୦ହଜାର ଯାଏଁ ପହଞ୍ଚି ଯାଇଥାଏ।

  ଏମିତି ନୁହେଁ ଯେ, ବେଆଇନ ବାଲି ଖନନକୁ ରୋକିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବରଂ ଉତ୍ତରପ୍ରଦେଶ ସମେତ ଦେଶର ଅନ୍ୟାନ୍ୟ ବହୁ ରାଜ୍ୟରେ ଏହା ବିରୋଧରେ ଅତି କଡ଼ା ଆଇନ ରହିଛି। ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସ୍ପେସ୍ ଟେକ୍ନୋଲୋଜିର ବ୍ୟବହାର ଦ୍ବାରା ବିକଶିତ ଏକ ମାଇନିଙ୍ଗ୍ ସର୍ଭେଲାନ୍ସ୍ ପଦ୍ଧତି ମଧ୍ୟ ରାଜ୍ୟ ସରକାର ମାନଙ୍କ ପାଇଁ ଉପଲବ୍ଧ କରାଯାଇଛି, ଯାହାକି ସେମାନଙ୍କୁ ବେଆଇନ ବାଲି କାରବାର ଉପରେ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇ ପାରିବ। ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ ପକ୍ଷରୁ ମଧ୍ୟ କୌଣସି ଭାରୀ ଯାନ ସହାୟତାରେ ବାଲି ଉଠାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ଛଡ଼ା ନଦୀର ସଫେଇ କାର୍ଯ୍ୟ ସମୟରେ ନଦୀଗର୍ଭରୁ ବାହାରୁଥିବା ବାଲିକୁ ଖୋଲା ବଜାରରେ ବିକ୍ରି କରାଯିବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଖାଲି ସେତିକି ନୁହେଁ, NGTର ଗାଇଡ୍ ଲାଇନ୍ ଅନୁଯାୟୀ, ପୋଲ ଓ ଆବାସିକ ସ୍ଥଳୀ ନିକଟରେ ତଥା ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନ ଓ ବନ କ୍ଷେତ୍ରରେ ମଧ୍ୟ ବାଲି ଉତ୍ତୋଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି। 

   ଏମିତି ଦେଖିଲେ, ଆମ ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ବାଲି ଖନନ କାର୍ଯ୍ୟ ମଧ୍ୟରୁ ଅନେକ ହୁଏତ ସମ୍ପୂର୍ଣ୍ଣ ରୂପେ ବେଆଇନ ନୁହେଁ। କିନ୍ତୁ ଦୁଃଖର କଥା ହେଲା, ବହୁ ସମୟରେ ଦେଖାଯାଇଛି ଯେ, ଥରେ ଯଦି ଜଣେ ବ୍ୟବସାୟୀ/ସଂସ୍ଥାଙ୍କୁ କୌଣସି ଏକ ସ୍ଥାନରୁ ବାଲି ଖନନ ପାଇଁ ଅନୁମତି ମିଳିଯାଏ ତେବେ ସେ ସ୍ଥାନରୁ ଅନୁମତି ଠାରୁ ଅନ୍ତତଃ ୨୦ରୁ ୩୦ଗୁଣ ଅଧିକ ପରିମାଣର ବାଲି ଉତ୍ତୋଳନ କରି ନିଆଯାଏ। ତେବେ ଆମ ଦେଶରେ କାହାକୁ କୁହାଯାଏ ବେଆଇନ ବାଲି କାରବାର? ବିନା ଲାଇସେନ୍ସରେ ଖନନ, ଲାଇସେନ୍ସ ପ୍ରାପ୍ତ କ୍ଷେତ୍ର ବାହାରେ ଖନନ କାର୍ଯ୍ୟ, ସ୍ବୀକୃତ ମାତ୍ରା ଠାରୁ ଅଧିକ ପରିମାଣର ଖନନ ତଥା ଲାଇସେନ୍ସ ଅବଧି ଶେଷ ହେବା ପରେ ମଧ୍ୟ ଖନନ କାର୍ଯ୍ୟ ଜାରି ରଖିବା ହେଉଛି ଏଭଳି କାରବାର ଅନ୍ତର୍ଗତ। ଆଉ ଏସବୁ ଅତି ବ୍ୟାପକ ମାତ୍ରାରେ ଘଟିବା ବାସ୍ତବିକ୍ ଦୁଃଖଦାୟକ।

   ତେବେ ଏଭଳି ଅସତ୍ କାରବାରକୁ ରୋକିବା ପାଇଁ ଖାଲି ନିୟମ ତିଆରି ନୁହେଁ, ତାହା ପାଳନ ହେବା ଦିଗରେ ମଧ୍ୟ ଉଦ୍ୟମ ହେବା ଆବଶ୍ୟକ। ପ୍ରାକୃତିକ ବାଲିର ମାତ୍ରାଧିକ ଖନନ ଓ ବ୍ୟବହାର ଛାଡ଼ି ତା’ ବଦଳରେ ଏମ୍. ସ୍ୟାଣ୍ଡ୍ ବା ମ୍ୟାନୁଫ୍ୟାକ୍ଚର୍ଡ ସ୍ୟାଣ୍ଡ୍(ଖଣିର ପଥର ଓ ବଡ଼ ବଡ଼ ପଥର ଚଟ୍ଟାଣକୁ ମେସିନ୍ ସହାୟତାରେ ଗୁଣ୍ଡ କରି ପ୍ରସ୍ତୁତ ହୋଇଥାଏ)ର ବ୍ୟବହାରକୁ ପ୍ରୋତ୍ସାହନ ଦେବା, ନିର୍ମାଣ ନିମନ୍ତେ ବାଲିର ଅନ୍ୟାନ୍ୟ ବିଭିନ୍ନ ବିକଳ୍ପ ପ୍ରସ୍ତୁତି ଦିଗରେ କାର୍ଯ୍ୟ କରାଯିବା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ସ୍ଥାନୀୟ ହିତାଧିକାରୀ ମାନଙ୍କୁ ଏ ସମ୍ପର୍କିତ ବିଭିନ୍ନ ଯୋଜନାରେ ସାମିଲ କରିବା ଆଦି ଏମିତି ହେବାରେ ସାହାଯ୍ୟ କରିବ। ଏହା ଛଡ଼ା ବେଆଇନ ବାଲି କାରବାର ରୋକିବା ସମ୍ପର୍କିତ ଆଇନ ପ୍ରସ୍ତୁତି ସମୟରେ ଏଥିରେ ନଦୀ ବିଜ୍ଞାନୀ, ପରିବେଶବିତ୍ ଓ ନଦୀର ଜୈବ ବିବିଧତା ସମ୍ପର୍କରେ ଜ୍ଞାନ ଥିବା ବ୍ୟକ୍ତି ମାନଙ୍କୁ ସାମିଲ କରାଯିବା ଆବଶ୍ୟକ। ଏସବୁ ଛଡ଼ା ବାଲି ପରିବହନ କାର୍ଯ୍ୟରେ ନିୟୋଜିତ ଟ୍ରକ୍ ଗୁଡ଼ିକ ପାଇଁ ଏକ କଲର କୋଡ୍ ନିର୍ଦ୍ଦିଷ୍ଟ କରାଯିବା ମଧ୍ୟ ଆବଶ୍ୟକ। ଏମିତି ହେବା ଦ୍ୱାରା ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଯାନ ଗୁଡ଼ିକର ଟ୍ରାକ୍ ରଖିବା ସହଜ ହେବା ସହ ଦରକାର ପଡିଲେ ଏଗୁଡିକୁ ଜବତ କରିହେବ। ଆଉ ସବୁ ପରେ ବେଆଇନ ବାଲି କାରବାର ରୋକିବା ପାଇଁ ବ୍ୟାପକ ଜନ ସଚେତନତାର ମଧ୍ୟ ଆବଶ୍ୟକତା  ରହିଛି।