କବିତାର ଭାବନା ଓ ଭାରଂଡ ପକ୍ଷୀ
ପୃଥିବୀ ଜୟ କରିବା ପରେ ମହାବୀର ଆଲେକଜାଣ୍ଡରଂକର ବିବେକ ବା ଜ୍ଞାନୋଦୟ ହେଲା ଯେ ଜଗତ ଜୟ କରିବାର ପୌରୁଷର ଅର୍ଥ କିଛି ନାଇଁ। ଅବଦମିତ କରିବାର ଗୌରବ ଦିନେ ଅବନମିତ ହେଇଯାଏ ଏବଂ ଏହା ଉପରେ ମୃତ୍ୟୁ ହସେ ! ଏ ଦେହ ଶେଷରେ ଧ୍ବଂସ ହଏ ! ସେଥିପାଇଁ ମଲା ପରେ ତାଂକ ଦୁଇ ହାତ ଖୋଲା ରଖି ବାହାରକୁ ଲୋକ ଦେଖିବା ପାଇଁ ଝୁଲେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେତେ ଅର୍ଜି ଥିଲେ ବି କିଛି ଏ ଜଗତରୁ ନେଇ ସାଥୀରେ ଯିବାର ନାଇଁ।
ଓ.କେ। ନେଇ ଯିବାର ନାଇଁ ସିନା, ଦେଇ ଯିବାର ଅଛି ତ!
ଦେବା ପ୍ରକ୍ରିୟାଟି ଆମ ରକ୍ତରେ ଅଛି, କୁଂଡଳିନୀ ଶକ୍ତି ପରି ତାକୁ ଜାଗ୍ରତ କରିବାକୁ ପଡ଼ିବ। ପାଇବାରେ ଯେମିତି ଜଣେ ଆନଂଦ ପାଏ, ଦେବାରେ ସେମିତି ଆନଂଦ ମିଳେ; ଖାଲି ମୁକ୍ତ ମନା ହେଲେ ହେଲା। କୂଅ ଭିତରୁ ବାହାରିଲେ ଏ ଜଗତ କେମିତି ଦେଖିଲେ ହେଲା। ମାଗଣାରେ, ବିନା ବଂଡ୍ ସାଇନ୍ରେ ସୂର୍ଯ୍ୟ ଚଂଦ୍ର ତାରା ଆଲୁଅ ଯୋଗଉଚଂତି ଯୁଗଯୁଗ ଧରି, ମାଗିଲେଣି କିଛି, କାହାକୁ? ବିନା ବାକ୍ଯ ବ୍ୟୟରେ ଏକ ମାଟି ଆମ ଅଦଉତି ସହୁଚି, କହୁଚି କିଛି? ମାଗଣାରେ ପବନ ଯୋଗଉଚି ଅମ୍ଳଜାନ ଲେପୁଚି ଚଂଦନ-ସ୍ପର୍ଶ ଅହର୍ନିଶି ଦାବି ଅଛି କିଛି? ଅଥଚ଼ ମଣିଷର ନାନାଦି ଦାବି, ନାନାଦି ଅଭିଯୋଗ। ହଜାରେ ପାଇଲେ ଶଏ ଦେଲା ବେଳକୁ ଛାତି ଫାଟିଯାଏ! ଯୋଉ ଅଂଧାର ଭିତରୁ ସେମାନେ ଆସିଥାଂତି, ଆଲୁଅରେ ରହି ବି ସେଇ ଅଂଧାର ତାକୁ ଜାବୁଡ଼ି ଧରିଥାଏ କାଇଁକି?
ଯିଏ ହଉ, ଯୋଉ ଅନୁଷ୍ଠାନ ବା ବ୍ୟକ୍ତି ( ଚାଂଦା ମାଗି ବା ବଣିଜ କରି) କୋଟିକୋଟି ଟଂକା କି କଣ ଠୁଳ କରିଚଂତି ଓ ନିଜକୁ ଜଗତର ଈଶ୍ବର ବୋଲି ଭାବୁଚଂତି, ସିଏ ଆଲେକଜାଂଡାରଂକ ଗୋଟାଏ ପାଦକୁ ନିଅଂଟ ବୋଲି ଭାବଂତି ନାଇଁ। ଭାବନାର ମୁହଁ ଏମାନଂକର ଗୋଟିଏ ଓ ମୁହଁ ବି ଗୋଟିଏ ଦିଗକୁ। ଆଲେକଜାଂଡାର ପରି ଏ ଭାବନା, ଏ ମୁହଁ ଗୋଟାଏ ଦିଗରେ କିଂତୁ ଜୀବନର ସାରାଂଶ ଆଲେକଜାଂଡାର ଭାବିବା ପରି ନୁହଁ। ଆଶ୍ଚର୍ଯ୍ୟ ଲାଗୁନି କି! ବ୍ୟାଧି ବା ଆସନ୍ନ ମୃତ୍ୟୁ ଦେଖିଲେ ଇ ଭାବନା ବଳେ ଆସେ।
ମନେ ପକେଇ ଦିଏ ଏଇ ପୃଥିବୀର ଜଣେ ବ୍ୟବସାୟୀ,ପ୍ରଥମ ଆମେରିକୀୟ କୋଟିପତିଂକ କଥା। ମିଷ୍ଟର ଜନ ଡି. ରକ୍ଫେଲର୍ ଯେତେବେଳେ ତୈଳପତି ହିସାବରେ ଶୀର୍ଷ ସ୍ଥାନରେ ପହଂଚିଥିଲେ, ସେତେବେଳେ ତାଂକର ହଠାତ୍ କୌଣସି ରୋଗର ଲକ୍ଷଣ ତାଂକ ଚମଡ଼ାରେ ଦୃଶ୍ୟମାନ ହେବାଂତେ ଚିକିତ୍ସା ପାଇଁ ଯେତେବେଳେ ସେ ଉପସ୍ଥିତ ହେଲେ, ଡାକ୍ତରମାନେ ଚିହ୍ନଟ କରି ପାରିଲେ ନାଇଁ ବରଂ ସୂଚିତ କଲେ ଆସନ୍ନ ମୃତ୍ୟୁର ସମୟ। ମହାଶୟ ଫେରିଲେ ଚିକିତ୍ସାଳୟରୁ, ମୋଟରଗାଡ଼ିରେ ବସିଲେ ଓ ଆରଂଭ ହେଲା ଫେରିବା। ଫେରିବା ବାଟରେ ହିଁ ସମସ୍ତ ସଂପତ୍ତିକୁ ଆରଂଭ କଲେ ଦେବା - ଏକ, ଦୁଇ, ତିନି ... କରି। ତେବେ କଥାଟି ଏଠି ନାଇଁ। କଥାଟି ହେଲା, ବାବୁଂକୁ ବାଉନ ବର୍ଷ ବୟସ ବେଳେ ଏ ଘଟଣାଟି ଘଟିଥିଲା ଓ ଡାକ୍ତର ତାଂକ ମୃତ୍ୟୁର ଭବିଷ୍ୟତ ବାଣୀ କରିଥିଲେ ତିନିରୁ ଚାରି ବର୍ଷ। କିଂତୁ ତାଂକର ପ୍ରତିବର୍ଷର ଦାନ ସ' ତାଂକ ଆୟୁଷ ବିପରୀତ ଦିଗରେ ଫେରିଲା। ଧୀରେ ଧୀରେ ତାଂକ ମୃତ୍ୟୁ ବଦଳରେ ଦାନର ସମାନୁପାତିକ ଭାବେ ଯେମିତି ଆୟୁଷ ବଢ଼ିଲା! ଡାକ୍ତର ପୁଣି ସେତେବେଳର ଆମେରିକୀୟ ଡାକ୍ତରଂକ ବାଣୀ ବଣା ହେଇଗଲା!! ତାଂକୁ କୌଣସି ଏକ ଭିଡିଓରେ ଦେଖି ମୁଁ ବି ଟାଣି ହେଇ ଗଲି! ଭଦ୍ରଲୋକ ଅବଶ୍ୟ ତାଂକ ଦାନ ଅର୍ଥରୁ ଚିକିତ୍ସାଳୟ ଓ ରୋଗ ସଂବଂଧୀୟ ଗବେଷଣା ପାଇଁ ବି ଦେଇଥିଲେ ପ୍ରଚୁର ଅର୍ଥ। ଭାବନାର ଓଲଟ ତରଂଗ ଏମଂତ।
ପ୍ରତ୍ୟେକ ଭାବନା ପଛରେ ତେଣୁ ଏମିତି କିଛି ନା କିଛି କାରଣ ଥାଏ। ସେ ବୈରାଗ୍ୟର ହଉ କି ବିତୃଷ୍ଣାର, ସେ ପ୍ରେମର ହଉ କି ପ୍ରତିବାଦର। ଅଥଚ଼ ଆଜି ଭାବନାକୁ ଭୋଗ ପାଇଁ ବିଳାସ ପାଇଁ ସର୍ବାଧିକ ଗୁରୁତ୍ବ ଦିଆଯାଉଚି। କୋଉଠି ବକ୍ସାଇଟ୍ ଲୋଭ ତ କୋଉଠି ତେଲ ତ କୋଉଠି ଇଉରାନିଅମ୍ ଲାଳସା ଦିନୁଦିନ ବଢିଚାଲିଚି। ଯୁଦ୍ଧ ଏକରକମ ବଳ ଓ ବୈଭବର ପ୍ରଦର୍ଶନ ହେଇଯାଉଚି। କେହି ସୁବିଚାରର ଧାର୍ ଧରୁନାହାଂତି। ବିଚାରକ ଯେତେବେଳେ କାଣୀ ଆଂଗୁଠିଏ ସ୍ବର୍ଗ ସୁଖ ପାଇବା ନେଇ ବ୍ୟସ୍ତ ଓ ସେଥିପାଇଁ ଅବିଚାରୀତାର ଆଶ୍ରୟ ନଉଚି ସେତେବେଳେ ସତ୍ର ସ୍ଥାନ ଓ ମାନ ଉଭୟ ଲୋପ ପାଇବା ସ୍ବାଭାବିକ।ନିଜକୁ ମହୀୟାନ୍ ଗରୀୟାନ୍ ଦେଖେଇବା ନିଶାରେ ସମସ୍ତେ ମସଗୁଲ। ଏଇ ଗୋଟିଏ ଭାବନାରେ ଇ ସମସ୍ତେ ସ୍ଥିର!
ଭାବନାର କାମ ହେଲା ଭସେଇ ନବା। ମନକୁ ଚେତନା ଠେଲି ଠେଲି ନେଇ ଚାଲେ, ଆଗପଛ ନ ଅନେଇ। ଗୋଟେ ରୁଦ୍ଧ ଚେତନା ଭିତରକୁ ଅମାନିଆ ମନ ପଶିଯାଇଚି ଆଉ ତାକୁ ପେଲିପେଲି କାଢ଼ିବାକୁ ଚାହୁଚି ଘର ଭିତରୁ! ମନ ବାରୁବାରୁ ହେଇ କଣ କହୁଚି ତ ଚେତନା ବି ତାକୁ ୟାଡୁସ୍ୟାଡୁ କଣ କହିବାରେ ଲାଗିଚି ! ଇଏ ପ୍ରକୃତରେ ମନ ଆଉ ନିଦରୁ ଉଠିଥିବା ଚେତନାର ଯାତ୍ରା ପର୍ବ। ଏହା ହିଁ ହଏ କବିତାରେ। ବେଳେଅଧେ ଓଲଟା ବି ହେଇଥାଏ। ଚେତନା ପଶି ଆସିଥାଏ ବହୁ ରୂପ ଧରି ମନ ଭିତରକୁ । ବିଚରା କବି! ସାମାନ୍ୟ ବିଚ୍ଯୁତି ତାକୁ ଚୂନା କରିଦିଏ। ଗଢ଼ୁଥିବା ମୂର୍ତ୍ତି ମାଟିରେ ମିଶିଯାଏ।
ସାବଧାନ ଯଦି କହିବା କଥା ତେବେ କବିକୁ ହିଁ କହିବା ଶ୍ରେୟସ୍କର।
ଅନ୍ୟର କଷ୍ଟ କି ଯାତନାକୁ ହସି ଉଡ଼େଇ ଦିଅଂତି ବା ଅବହେଳା କରିବାରେ କୌଣସି ଦ୍ୱିଧା ରଖଂତି ନାଇଁ । ଯିଏ ଅନ୍ୟର ଦୁଃଖସୁଖରେ ସାମିଲ ହେଇପାରଂତି ନାଇଁ, ଅନ୍ୟର ଭାବନାକୁ କଦର କରଂତି ନାଇଁ, ଡରରେ ସାଧାରଣ ମଣିଷ ପାଖରେ ପହଂଚତି ନାଇଁ ସେମାନେ କବିତାକୁ ପ୍ରସାଧନ ସାମଗ୍ରୀ ଭାବେ ଗଣତି କରିଥାଂତି। ସେଥିରେ ଅସୁବିଧା ବି ନାଇଁ। ଅସୁବିଧା ରହିଚି ଆମଠି, ଆମ ଦୃଷ୍ଟିରେ ଆମ ମାନସିକତାରେ ଆମ ଭାବନାରେ। ଆମକୁ ବଦଳିବାକୁ ପଡ଼ିବ ପ୍ରଥମେ, ବଦଳେଇବାକୁ ପଡ଼ିବ ରାସ୍ତା ତା'ପରେ।
ମଣିଷ ପାଇଁ ବିଚାରଶୀଳ ଭାବନା ଯେତିକି ଆବଶ୍ୟକ, କବି ପାଇଁ ସେତିକି ଭାବନାସିକ୍ତ ବିଚାରବୋଧ ଆବଶ୍ୟକ। ମଣିଷ ସ' ମଣିଷର ବାଂଧେଣୀ ଏମିତି ଏଇ ଭାବନା ଦ୍ବାରା ରହିଚି। ଏହା ହିଁ ସଂହତି। ମଣିଷ ପାଇଁ ମଣିଷ ପରି କବିତାରେ ବି ସଂହତି (Integrity) ଜରୁରୀ। ଆଉରି ଜରୁରୀ ଦେଶର ଅବିଭାଜ୍ଯତା ପରି କବିତାରେ ଏକକତ୍ବ (Unity)। ସଂହତିରେ ବ୍ୟତିକ୍ରମ ହେଇପାରେ କିଂତୁ ଏକକତ୍ବ ବିନା କବିତା ଭଲରେ ଗଣା ହେଇ ପାରେ ନାଇଁ। ଜାଗତିକ ଦୃଷ୍ଟିରୁ ମଣିଷ ଓ ବକ୍ତବ୍ୟ ଦୃଷ୍ଟିରୁ କବିତାକୁ ବେଶ୍ ରୋଚକ ବି କରିଥାଏ ଏହି ଏକକତ୍ବ।