ସେଇ କଳାଜାଇ

ସେଇ କଳାଜାଇ

 ମୁଁ ସାନ ଥିବା ବେଳେ ସେ ଆମ ଘରକୁ ଅନେକ ସମୟରେ ଆସନ୍ତି l ତାଙ୍କ ବାହାଘରକୁ ମୁଁ ଯାଇଥିଲି l ଏବେ ବି ତାଙ୍କ ବାହାଘର ବେଳର ଛବି ମୋ ଆଖି ସାମ୍ନାରେ ଭାସି ଉଠେ l ବାହାଘର ଦିନ ସେ ବହୁତ ସୁନ୍ଦରୀ ଦିଶୁଥିଲେ l ସେ ଦେଖିବାକୁ ଯଦିଓ ବହୁତ ବେଶି ସୁନ୍ଦରୀ ନୁହଁନ୍ତି ତଥାପି ମନେ ରହିଲା ଭଳି ମୁହଁଟିଏ ତାଙ୍କର l ତାଙ୍କର ଗୋରା ରଙ୍ଗ, ପତଳା ଶରୀର, ବଡ଼ ବଡ଼ ଆଖି ଆଉ ଡାହାଣ ଆଖି ଭିତରେ ଛୋଟ ଗୋଟେ କଳାଜାଇ l ସେହି କଳାଜାଇ ପାଇଁ ମୁଁ ତାଙ୍କ ମୁହଁକୁ ବାରମ୍ବାର ଦେଖେ ଆଉ ସେ ମୋତେ ଦେଖି ହସନ୍ତି l ପିଲାଦିନେ ମୋତେ ଲାଗୁଥିଲା କଳା ବିନ୍ଦିଟେ ବୋଧେ ତାଙ୍କ ଆଖି ଭିତରେ ଭାସୁଛି l କେତେ ଥର ମୁଁ ତାଙ୍କୁ ପଚାରିଛି, "ତୁମ ଆଖିରୁ ସେ ଟିକିଲିଟା କାଢ଼ି ହେବ ?" ସେ ଫେଁ ଫେଁ ହେଇ ହସନ୍ତି ମୋ କଥା ଶୁଣି l ହସିଲେ ତାଙ୍କ ମାଢି ଦିଶେ l ସମସ୍ତେ କହନ୍ତି ସେ କାଳେ ମୁଖଦାନ୍ତୀ l କିନ୍ତୁ ତାଙ୍କ ମୁହଁକୁ ଭଲ ମାନେ ତାଙ୍କ ଦାନ୍ତ ଆଉ ତାଙ୍କ ମନଖୋଲା ହସ l 

   ସେ ମୋ ନିଜ ମାଉସୀ ନୁହଁନ୍ତି l ମାଆର ସମ୍ପର୍କୀୟା ଭଉଣୀ l ମାଆର ଜଣେ ସମ୍ପର୍କୀୟ ପିଉସା କିମ୍ବା ମଉସା ମୋର ଠିକରେ ମନେ ପଡୁନି, ତାଙ୍କରି ସବା ସାନ ଝିଅ କୁନି ମାଉସୀ l କୁନି ମାଉସୀଙ୍କ ବାପା ବହୁତ ଗରିବ ଥିଲେ l ତାଙ୍କର ଛଅଟା ପୁଅ, ତିନିଟା ଝିଅଙ୍କ ଭିତରେ କୁନି ମାଉସୀ ସବୁଠାରୁ ସାନ l ଗରିବ ଅବସ୍ଥାକୁ ଏତେ ଗୁଡ଼ାଏ ପିଲା ପାଳିବା ସେ ଅଜାଙ୍କ ପାଇଁ କଷ୍ଟକର ହେଇ ପଡିଥିଲା l ସେଥିପାଇଁ ସେ କୁନି ମାଉସୀଙ୍କୁ ମୋ ମାଆର ବାପଘରେ ମାନେ ମୋ ମାମୁଁଘରେ ଛାଡ଼ିଦେଇଥିଲେ l ମାଆ ଠାରୁ କୁନି ମାଉସୀ ବହୁତ ସାନ ଥିଲେ l ମାଆ ବାହା ହେଇ ଆସିଲା ପରେ ତାଙ୍କୁ ବି କିଛି ଦିନ ପାଇଁ ଆମ ଘରେ ରହିବାକୁ ସାଙ୍ଗରେ ନେଇ ଆସିଥିଲା l ଆମ ଘରେ କୁନି ମାଉସୀଙ୍କୁ ସମସ୍ତେ ବହୁତ ଭଲ ପାଉଥିଲେ l ସେ ଆମ ଗାଁକୁ ବରାବର ଯିବା ଆସିବା କରିବା ଭିତରେ ଆମ ପଡିଶା ଲୋକଙ୍କ ସହ ବି  ଖୁବ୍ ମିଶିଯାଇଥିଲେ l

   ପିଲାଦିନେ ସେ ଆମ ଘରକୁ ଆସିଲେ ଆମକୁ ଭାରି ଖୁସି ଲାଗେ l ସେ ମୋ ବାଳ କୁଣ୍ଡେଇ ଦେଇ ମୁଣ୍ଡ ଉପରେ ଗୋଟେ ମନ୍ଦାର ଫୁଲ ପରି ଜଟ କରିଦିଅନ୍ତି l ମୋ ଆଖିରେ ଲମ୍ବା ଲାଞ୍ଜି କଳା ଆଉ ମୁହଁରେ ପାଉଡର୍ ମାଖି ଦିଅନ୍ତି l ମୋତେ ସେ ଖୁଆଇଦେଉଥିବା କଥା ମୋର ସ୍ପଷ୍ଟ ମନେ ଅଛି l ସନ୍ଧ୍ୟା ବେଳେ ଆମ ପାଇଁ ମୁଢ଼ି଼ ମିକ୍ସଚର୍, ବାଦାମ ଆଣି ଥୁଅନ୍ତି ଆଉ ବଢିଆ ବଢିଆ ମଜାଳିଆ ଗପ ସବୁ କହନ୍ତି l

    କୁନି ମାଉସୀ ବେଶି ପାଠ ପଢିନଥିଲେ l ମାଟ୍ରିକ୍ ପରୀକ୍ଷା ଦେଇ ଅନେକ ଦିନ ଘରେ ରହିଲା ପରେ ତାଙ୍କ ବାହାଘର ପାଇଁ ବର ଖୋଜାଖୋଜି ହେଲା l କୁନି ମାଉସୀଙ୍କ ବାପା ଦିନେ ଆମ ଘରକୁ ଆସି ବାପାଙ୍କୁ ଅନୁନୟ ବିନୟ ହେଇ କହିଲେ, "କୁନି ପାଇଁ ପାତ୍ରଟିଏ ଯୋଗାଡ଼ କରିଛୁ l ଭଲ ଥିଲା ଵାଲା ଘର l ତାକୁ ସେମାନେ ଏଇ ରଇବାର ଦିନ ଦେଖା ଦେଖି କରିବା କଥା କହୁଛନ୍ତି l ଆମ ଘର ତ କେମିତିକା ଜାଣିଥିବ l ତୁମେ ଯଦି କୁହନ୍ତ ଆମେ ଦେଖାଦେଖି ବ୍ୟବସ୍ଥାଟା ଏଇଠି କରିଦିଅନ୍ତେ l"

  ବାପା କହିଲେ, "କିଛି ଅସୁବିଧା ନାହିଁ l କୁନି ତ ଏଇ ଘରର ଝିଅ ଭଳି l ଆସନ୍ତୁ ସେମାନେ l "

       ପୁଅଘର ବାଲା ଆସିଲେ l କୁନି ମାଉସୀଙ୍କୁ ପସନ୍ଦ କରି ଚାଲିଗଲେ l କୁନି ମାଉସୀଙ୍କ ପାଇଁ ସମସ୍ତେ ଖୁସି ଥିଲେ, କିନ୍ତୁ ସେ ନିଜେ ଏତେଟା ଖୁସି ଜଣା ପଡୁନଥିଲେ l ତାଙ୍କ ଆଖିରେ ବେଳେ ବେଳେ ପାଣି ଜକେଇ ଆସୁଥିଲା ଆଉ ସେ ପାଣି ଭିତରୁ ତାଙ୍କ ଆଖିର କଳାଜାଇଟା ଅପେକ୍ଷାକୃତ ବଡ଼ ଦିଶୁଥିଲା l

    ତାଙ୍କ ବାହାଘର ପାଖେଇ ଆସିଲା ଆଉ ସେ ତାଙ୍କ ନିଜ ଘରକୁ କିଛି ଦିନ ପାଇଁ ଚାଲିଗଲେ l କୁନି ମାଉସୀଙ୍କ ବାହାଘର ଫେବୃଆରୀରେ ହେଇଥିଲା l ସେଦିନ ପାଗ ମେଘୁଆ ଥିଲା l ଅଦିନିଆ ବର୍ଷା ଅସରାଏ ବି ହେଇଗଲା l ବହୁତ ଥଣ୍ଡା ପଡିଥିଲା l ବାହାଘର ହେଲା ଗୋଟେ ଛୋଟ ମଣ୍ଡପରେ l ଦିନ ବାହାଘର l ସନ୍ଧ୍ୟା ବେଳକୁ ବର, କନ୍ୟା ମଣ୍ଡପରୁ ବିଦା ହେଇଗଲେ l ସବୁ ଜିନିଷ ଉଠା ଉଠି କରି ଆମ ଘରଲୋକ ଆଉ କୁନି ମାଉସୀଙ୍କ ଘରଲୋକ ଆମ ଘରକୁ ଫେରିଆସିଲେ l

        ବାହାଘର ପରେ କୁନିମାଉସୀ ଆମ ଘରକୁ ଆଉ କେବେ ଆସିନାହାଁନ୍ତି l ମାଆ ସହ କେବଳ ଫୋନରେ ଥରେ ଅଧେ କଥା ହେଇଛନ୍ତି l କୁନି ମାଉସୀ ତାଙ୍କ ଶାଶୂଘର ଲୋକଙ୍କ ସହ ଭୁବନେଶ୍ୱରରେ ରହୁଥିଲେ l ଆମ ଘର ଲୋକ କେବେ ଭୁବନେଶ୍ୱର ଗଲେ ଭାବନ୍ତି କୁନି ମାଉସୀକୁ ଭେଟି ଆସିବେ l କିନ୍ତୁ ଯେବେ ବି ଯିବା ଆଗରୁ ତାଙ୍କୁ ଫୋନ୍ କରନ୍ତି ସେ କହନ୍ତି, "ଆମେ ଗାଁକୁ ପଳେଇ ଆସିଛୁ " l ମୋ ମାଆ କହେ , "କୁନିର ଶାଶୂଘର ଲୋକ ବୋଧେ ଆମ ସହ କୁନିକୁ ଭେଟେଇ ଦେବାକୁ ଚାହାଁନ୍ତିନି l ସେମାନେ ଭଲ ଲୋକ ନୁହଁନ୍ତି l " l ମୋ ଜେଜେମାଆ କହନ୍ତି, "ଛାଡ଼ ସେ ତା ଶାଶୂଘରେ ଭଲରେ ରହୁ l ଆମର କ'ଣ ଯାଉଛି ଯେ ପର କଥାରେ ମୁଣ୍ଡ ପୂରେଇବା" l

   ଏମିତି ଅନେକ ଦିନ ବିତିଯାଏ l ଆମେ କୁନି ମାଉସୀକୁ ଭୁଲିଯିବାକୁ ଲାଗୁ l ସପ୍ତମ ଶ୍ରେଣୀ ବୋର୍ଡ୍ ପରୀକ୍ଷା ଅଳ୍ପ ଦିନ ଥାଏ l ଦିନେ ଛାତ ଉପରେ ବସି ପଢୁଥାଏ l ଆମ ଘର ପାଖରେ ଗୋଟେ ଅଟୋ ରହିବାର ଦେଖିପାରିଲି l ଅଟୋ ଭିତରୁ କୁନି ମାଉସୀଙ୍କ ବାପା ବାହାରି ଆସିଲେ l ମୁଁ ତଳକୁ ଆସି ଦେଖିଲି ସେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଶୁଣିବାକୁ ପାଇଲି କୁନି ମାଉସୀ ତାଙ୍କ ଶାଶୂଘର ଛାଡ଼ି କେଉଁ ଆଡ଼େ ଚାଲିଯାଇଛନ୍ତି l ଆମ ଘରେ କେହି ବିଶ୍ୱାସ କରି ପାରୁନଥିଲେ ଯେ ସେ କୁଆଡ଼େ ଚାଲିଯାଇଥିବେ l ତାଙ୍କ ଶାଶୂଘର ଲୋକଙ୍କର ଅଭିଯୋଗ ଥିଲା କୁନି ମାଉସୀ କୁଆଡ଼େ କାହା ସହ ଲୁଚି ଲୁଚି ଦେଖା କରୁଥିଲେ l ଫୋନରେ ବି ଗପୁଥିଲେ l ଏସବୁ କଥା ଆମ ଘରେ କାହା ପାଇଁ ବିଶ୍ୱାସଯୋଗ୍ୟ ନଥିଲା l କୁନି ମାଉସୀଙ୍କୁ ଖୋଜିବାକୁ ଯିବା ମଧ୍ୟ ସମ୍ଭବ ନଥିଲା l କେବଳ ଥାନାରେ ଗୋଟେ ମିସିଂ ରିପୋର୍ଟ୍ କରି ସମସ୍ତେ ଚୁପଚାପ୍ ରହିଲେ l

        କୁନି ମାଉସୀ କାହା ସହ ଚାଲିଯିବାର ଅନେକ ଦିନ ବିତିଗଲା l ସେ ଆଉ ଫେରିଲେନାହିଁ l ଶୁଣିଥିଲୁ କୁନି ମାଉସୀ ଚାଲିଯିବା ପରେ ତାଙ୍କ ସ୍ୱାମୀ ଆଉଥରେ ବାହା ହେଇଯାଇଥିଲେ l କୁନି ମାଉସୀଙ୍କର କିଛି ପିଲାପିଲି ନଥିଲେ l ତାଙ୍କ ସ୍ୱାମୀଙ୍କର ଦ୍ୱିତୀୟ ବିବାହ ପରେ ତାଙ୍କର ଆଉ ପିଲାପିଲି ହେଲେ କି ନାହିଁ ଆମେ ଆଉ ସେକଥା ବୁଝିନଥିଲୁ l

      ସେହି ଘଟଣାର କିଛି ବର୍ଷ ପରେ ମୁଁ ହଷ୍ଟେଲରେ ରହି କଲେଜରେ ପଢୁଥାଏ l ସେହି ସମୟରେ ମୋ କଲେଜ ପାଖରେ ଆମର ଜଣେ ଦୂର ସମ୍ପର୍କୀୟ ବନ୍ଧୁ ରହୁଥାନ୍ତି l ତାଙ୍କ ଝିଅ ଆମ କଲେଜରେ ପଢ଼ନ୍ତି l ମୋ ପରିଚୟ ପାଇ ସେ ମୋତେ ତାଙ୍କ ଘରକୁ ଡ଼ାକି ନେଇଥିଲେ l ତାଙ୍କ ଘରେ ଦେଖିଲି ଜଣେ ମହିଳା ବାସନ ମଜା ଆଉ ଝାଡୁ ପୋଛା କାମ କରୁଛନ୍ତି l ମହିଳାଙ୍କର ଜୀର୍ଣ୍ଣ ଶୀର୍ଣ୍ଣ ପତଳା ଶରୀର, ଦେହରେ ଶସ୍ତା ସୂତା ଲୁଗା, ମୁହଁଟି ଶୁଖିଲା ଶୁଖିଲା ଓ ଆଗ ଦାନ୍ତ ଗୁଡ଼ିକ ସାମାନ୍ୟ ବଡ଼, କଥା କହିଲା ବେଳେ ମାଢି ଦିଶିଯାଉଛି l ତାଙ୍କୁ ଦେଖି ଲାଗିଲା ମୁଁ ତାଙ୍କୁ ଆଗରୁ ଚିହ୍ନିଛି l ତାଙ୍କ ସ୍ୱର ବି ମୋତେ ଚିହ୍ନା ଚିହ୍ନା ଲାଗିଲା l ମୋତେ ସବୁଠୁ ବେଶି ଚିହ୍ନା ଲାଗିଲା ତାଙ୍କ ଆଖିର କଳାଜାଇ l ସେ ତାଙ୍କ ରୋଷେଇ ଘର ଚଟାଣରେ ବସି ଚାହା ପିଉଥିବା ବେଳେ ମୁଁ ଡାକିଦେଲି, "କୁନି ମାଉସୀ !"

    ସେ ମହିଳା ତରବର ହେଇ ମୋତେ ଦେଖୁ ଦେଖୁ ତାଙ୍କ ଚାହା କପ୍ ରୁ କିଛି ଚାହା ଚହଲି ପଡ଼ି ତଳେ ଢାଳି ହେଇଗଲା l ମୁଁ ତାଙ୍କୁ କୁନି ମାଉସୀ ଡାକୁଥିବା ଦେଖି ମୋ ସମ୍ପର୍କୀୟା ଭଉଣୀ ଆସି ମୋତେ କହିଲା, "ଆରେ ତାଙ୍କ ନାଁ କୁନି ନୁହେଁ, ଠୁକୁରୀ l ତାଙ୍କୁ ଠୁକୁରୀ ମାଉସୀ ଡାକେ " l

       ମୁଁ ସେହି ଠୁକୁରୀ ମାଉସୀଙ୍କ ମୁହଁକୁ ଦେଖିଲି l ତାଙ୍କ ଆଖି ଭିତର କଳାଜାଇଟା ଆଖିର ପାଣିରେ ଭାସୁଥିଲା ଭଳି ମୋତେ ଦିଶିଲା l ମୁଁ ଆଉ କିଛି କହିଲିନି, ତାଙ୍କ ପାଖରୁ ଚାଲିଆସିଲି l ସେ ତାଙ୍କ କାମସାରି ଚାଲିଗଲେ l

       କିଛି ଦିନ ପରେ ହୋଲି ଆସିଲା l ସବୁ ହୋଲିରେ ମୁଁ ଘରକୁ ଯାଏ l ସେଥର ହୋଲି ପରେ ପରୀକ୍ଷା ଥିଲା l ସେଥିପାଇଁ ମୁଁ ଘରକୁ ନଯାଇ ମୋର ସେହି ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଚାଲିଗଲି l ସେଥର ତାଙ୍କ ଘରେ ସକାଳ ଓ ସଞ୍ଜେ ସେ ଠୁକୁରୀ ନାମ୍ନୀ ମହିଳାଙ୍କୁ କିନ୍ତୁ ଆଉ ଦେଖିବାକୁ ପାଇଲିନି l ମୋର ସମ୍ପର୍କୀୟ ପିଉସୀଙ୍କୁ ପଚାରିଲାରୁ ସେ କହିଲେ, "ତା ଦେହ ଭଲ ନାହିଁ l ତା ସ୍ୱାମୀ ବି ତାକୁ ଡାକ୍ତର ଦେଖେଇବାକୁ ନେଉନି l ପନ୍ଦର ଦିନ ହେଲା ଆସିନି l ଘର କାମ କରି କରି ମୋତେ ବଡ଼ କଷ୍ଟ ହେଲାଣି l ଫୋନ୍ କରିଥିଲି ତାକୁ l ଆଉ କାହାକୁ ରଖିଦେବି କହିଲାରୁ ସେ କହିଲା କାଲିଠୁଁ ତା ଝିଅକୁ ପଠେଇବ l ଏଡିକି ମେଞ୍ଚଡ଼ ଝିଅଟେ ତା'ର l ସେ କି କାମ କରିବ ? ହଉ ଆସୁ, ବାସନ ଦୁଇଟା ନହେଲେ ମାଜି ଦେଇ ଯିବ l"

      ପର ଦିନ ସକାଳୁ ଉଠୁ ଉଠୁ ପିଉସୀ ନାନୀଙ୍କ ପାଟି ଶୁଭିଲା l ରୁମ୍ ରୁ ବାହାରକୁ ଆସି ଦେଖିଲି ସେ ଗୋଟେ କୁନି ଝିଅକୁ ଗାଳି କରି କହୁଛନ୍ତି, "ତତେ କିଏ କହୁଥିଲା ସେ କପ୍ ଟାକୁ ଧୋଇବାକୁ ? ଭାଙ୍ଗିଦେଲୁ ଟି ? ଏଡିକି ବକଟେ ଛୁଆକୁ ପଠେଇ ଦେଇଛନ୍ତି କାମ କରିବାକୁ ! ଖେଳିବା ବୟସରେ କାମ କରିବ ! ତୁ ଯାଆ, ଯାଇକରି ସେଇଠି ବାରଣ୍ଡାରେ ବସ୍,ମୁଁ ବିସ୍କୁଟ୍ ଦେଉଛି ଖାଇକରି ପଳେଇବୁ ଘରକୁ l ମାଆକୁ ଯାଇକରି କହିବୁ ତା ଦେହ ଭଲ ହେଲେ ସେ ଆସିବ l ମୁଁ ଆଉ କାହାକୁ କାମରେ ରଖୁନି l "

    ମୁଁ ଝିଅଟାକୁ ଦେଖିଲି l ବହୁତ ଛୋଟ ଝିଅଟେ l ମୁଣ୍ଡରେ ମେଞ୍ଚେ ବାଳ l ବଡ଼ ବଡ଼ ଆଖି l ଆଖିରେ ଭାସୁଛି ଛୋଟ କଳାଜାଇଟେ l ଝିଅଟା କାନ୍ଦ କାନ୍ଦ ହେଇ ବସିଥାଏ l ପିଉସୀ ତାକୁ କିଛି ବିସ୍କୁଟ ଦେଲେ l ସେ ତା ଫ୍ରକ୍ ଦେଖେଇ ବିସ୍କୁଟ ନେଲା ଆଉ ସେଇଠି ବସି ଖାଇଲା l ଖାଇ ସାରି ଘରୁ ବାହାରିଲା ବେଳକୁ ମୁଁ ତାକୁ ପଚାରିଲି, "ତୋ ନାଁ କ'ଣ ?"

  ସେ ଡରି ଡରି କହିଲା, "ପ୍ରୀତି " l

ମୁଁ ପୁଣି ପଚାରିଲି, "ତୋ ମାଆର କ'ଣ ହେଇଛି ?"

ସେ ପାଟି ଲଗେଇ କହିଲା, "ମୁଁ ଜାନିନି l ଖାଲି ବାନ୍ତି କଲୁଚି l"

--ଆଉ ତୋ ବାପା କୋଉଠି ଅଛନ୍ତି?

--ମୁଁ ଜାନିନି l ସେ ଆଉ ଆମ ପାଖଲେ ରଉନାଆନ୍ତି l

    ଝିଅଟାଠାରୁ ଏମିତି କଥା ଶୁଣି ମୋ ଛାତିରେ ଭୀଷଣ ଯନ୍ତ୍ରଣା ହେଲା l ମୁଁ ତାଙ୍କ ଛାତ ଉପରକୁ ଯାଇ ମୋ ମାଆକୁ ଫୋନ୍ କରି ସବୁକଥା କହିଲି l ମାଆ କହିଲା, "ହେତ୍ ସେ କୁନି ନୁହେଁ, ସେ ସ୍ତ୍ରୀଲୋକ ଠୁକୁରୀ ହିଁ ହେଇଥିବ l କୁନି ପା ଗୋଟେ ମେଡ଼ିସିନ୍ ରିପ୍ରେଜେଣ୍ଟଟେଟିଭ୍ ସାଙ୍ଗରେ ପଳେଇଥିଲା l ସେ ତାକୁ ବାହା ହେଇକରି ଭଲରେ ଅଛି l ଛାଡ୍ ତା କଥା l ବଦମାସ ଝିଅ କାହାକୁ କିଛି ନକହି ପଳେଇଯାଇ ଆମକୁ ବହୁତ ହଇରାଣ କଲା l "

    ମାଆ କଥାକୁ ମୋର ବିଶ୍ୱାସ ହେଲାନାହିଁ l ମୁଁ ଠୁକୁରୀ ମାଉସୀଙ୍କୁ ନିରୋଳାରେ ଦେଖା କରିବାକୁ ଚାହୁଁଥିଲି l ସେଥର ଦେଖା କରିବା ସମ୍ଭବ ହେଲାନାହିଁ l ପରୀକ୍ଷା ପରେ ଘରକୁ ଯିବା ଆଗରୁ ସେହି ବନ୍ଧୁଙ୍କ ଘରକୁ ଗଲି କେବଳ ସେହି ଠୁକୁରୀ ନାମ୍ନୀ ମହିଳାଙ୍କୁ ଭେଟିବା ପାଇଁ l ସେଠି ଯାଇ ଦେଖିଲି ଆଉ ଜଣେ ସ୍ତ୍ରୀ ଲୋକ କାମ କରୁଛନ୍ତି l ଠୁକୁରୀ କଥା ପଚାରିଲାରୁ ମୋର ସେ ପିଉସୀ ମନ ଦୁଃଖ କରି କହିଲେ, "କ'ଣ ହେଇଥିଲା କେଜାଣି ତା'ର  ! ବିଚାରୀ ମରିଗଲା l ତା' ସ୍ୱାମୀ ତ ତାକୁ ଆଉ ପଚାରିଲାନି l ମାଆ, ଝିଅଙ୍କୁ ଏକୁଟିଆ ଛାଡ଼ି କୁଆଡ଼େ ଯାଇ ଅଲଗା ରହୁଥିଲା l ଠୁକୁରୀ ବିଚାରୀ ଔଷଧ ପତ୍ର କିଛି ପାଇଲାନି, ମରିଗଲା" l

    ଠୁକୁରୀ ମାଉସୀ ଆଉ ନାହାଁନ୍ତି ଶୁଣି କାହିଁକି କେଜାଣି ମୋ ଛାତି ରୁନ୍ଧି ହେଇଗଲା l ଆଖିରୁ ଠପ୍ ଠପ୍ ଲୁହ ଖସି ପଡ଼ିଲା l ମୋତେ ତାଙ୍କ କୁନି ଝିଅଟା ପାଇଁ ଭାରି ବ୍ୟସ୍ତ ଲାଗିଲା l ମୁଁ ଲୁହକୁ ଲୁଚେଇ ପୋଛି ପକେଇ ପଚାରିଲି,"ଆଉ ପ୍ରୀତି ? ତାଙ୍କ କୁନି ଝିଅଟା ! ସେ ଏବେ କୋଉଠି ?"

--ମୁଁ ଆଉ ଏତେ କଥା ଜାଣିନି l କୁଆଡ଼େ ଗଲା କେଜାଣି ? ପଳେଇଥିବ ବୋଧେ ତା ବାପା ପାଖକୁ l

        ପିଉସୀ ଏତିକି କଥା କହୁଥିଲା ବେଳେ ନୂଆ ନୂଆ କାମରେ ଥିବା ସ୍ତ୍ରୀଲୋକ ଜଣଙ୍କ କିଚେନରୁ ଥାଇ କହିଲେ, "ପ୍ରୀତିକୁ ତା ମାମୁଁଘର ଲୋକ ଆସି ନେଇଯାଇଛନ୍ତି l କୁନି ମରିବା ଆଗରୁ ତା'ର କୋଉ ଗୋଟେ ଭାଇକୁ ଖବର ଦେଇଥିଲା ଆସିବାକୁ " l

 ସେ ମହିଳାଙ୍କ ମୁହଁରୁ 'କୁନି' ନାଁ ଶୁଣି ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି, "କୁନି କିଏ ?"

ସେ ସ୍ତ୍ରୀଲୋକ ଜଣଙ୍କ କହିଲେ, "ପ୍ରୀତିର ମାଆ ପରା କୁନି ! ତାକୁ ତା' ବର ସିନା ଠୁକୁରୀ ଡାକୁଥିଲା , ଆମେ ତ ତାକୁ କୁନି ହିଁ ଡାକୁ l "