ସ୍ୱପ୍ନ
(ରବର୍ଟୋ ବୁଲେନୋଙ୍କ କବିତା ପଢୁ ପଢୁ...)
ସେଦିନ ସେ ଲୋକଟି ନିଦ ଗଲା ଆଉ ସ୍ୱପ୍ନରେ ଦେଖିଲା
ତା’ଠାରୁ ତା'ର ଅଧିକାର ଛଡାଇ ନିଆଯାଇଛି
ତା’ ପାଖରେ ଏବେ ଆଉ ଦେଶ ବୋଲି କିଛି ନାହିଁ
ବିନା ଦେଶରେ ଲୋକଟି ଏପଟ ସେପଟ ହେଲା
ଗଳି ଗଳି ବୁଲିଲା, ପୋଲିସଠୁ ଲୁଚିଲା ଓ କ୍ଲାନ୍ତ ହୋଇ
ଗୋଟିଏ ଅଳିଆ ଗଦାର ଉହାଡରେ ଶୋଇ ପଡିଲା
ଦେଶ ନଥିବା ଲୋକଟି ଏଥର ସ୍ୱପ୍ନରେ ଦେଖିଲା ଯେ
ତା' ପାଖରେ କେବଳ ଯେ ଏଥର ଦେଶ ନଥିଲା ତା' ନୁହେଁ
ତା' ପାଖରେ ଆଜି ଇତିହାସ ନଥିଲା, ପରଂପରା ନଥିଲା
ଉତ୍ତରାଧିକାର ସୂତ୍ରରେ ଯାହା ଯାହା ମିଳିଥିଲା
ସେସବୁ କିଛି ବି ନଥିଲା
ଓ ଲୋକଟି ସେଇମିତି ସ୍ୱପ୍ନରେ ବିବ୍ରତ ହୋଇପଡିଲା
ଲୋକଟି ନିଦରେ କଡ ଲେଉଟାଇଲା
ଏଥର ସ୍ୱପ୍ନରେ ସେ ଦେଖିଲା
ତା' ପାଖରେ କିଛି ନଥାଇ ବି ସ୍ୱପ୍ନ ଅଛି,
ସ୍ୱେଦ ଅଛି, ରକ୍ତ ଅଛି, ଅସ୍ଥି ଅଛି,
ହୃଦୟ ଅଛି ଓ ଗୋଟାଏ ସ୍ୱପ୍ନ ଅଛି
ସେ ପୁଣି ସ୍ୱପ୍ନରେ ଦେଖିଲା
ଯେ ସେ ଏକା ନାହିଁ
ତା'ରି ପରି ଅନେକ ଅଛନ୍ତି
ଯେଉଁମାନେ ବଞ୍ଚିଛନ୍ତି
ହେଲେ ସେମାନେ ବଞ୍ଚିଛନ୍ତି ବୋଲି ବିଶ୍ୱାସ କରନ୍ତି ନାହିଁ
କାରଣ ସେମାନଙ୍କୁ ଅନ୍ୟମାନେ ଏଭଳି ଏକ ବିଶ୍ୱାସରୁ
ବଞ୍ଚିତ କରି ରଖିଛନ୍ତି
ଏଥର ଲୋକଟି ପୁଣି କଡ ଲେଉଟାଇଲା
ଓ ତା'ର ସ୍ୱପ୍ନ ଦେଖିବା ଜାରି ରଖିଲା
ସେ ଦେଖିଲା ଜଣେ ସୁନ୍ଦରୀ ତରୁଣୀ ତାକୁ
ହାତଠାରି ଡାକୁଛି - କହୁଛି - ଆସ,
ମୋ ଦେହରେ ବିଲୀନ ହୋଇଯାଅ
ମୁଁ ହିଁ ତୁମ ପ୍ରେମ, ମୁଁ ହିଁ ତୁମ ପ୍ରଣୟ, ମୁଁ ହିଁ ତୁମ ସ୍ୱପ୍ନ
ଆସ -
ଲୋକଟି ଏଥର ବୁଝିଗଲା ଯେ
ଏହି ତରୁଣୀଟି ହିଁ ତା'ର ଭବିଷ୍ୟତ
ଆଉ ସେ ଦେଖୁଥିବା ସ୍ୱପ୍ନ ହିଁ
ତା'ର ପୁଞ୍ଜି, ତା'ର ସାହସ ।
*