ଅଖିଳ ନାୟକ : ଦୁଇଟି କବିତା

ଆଜି ଅଖିଳ ନାୟକଙ୍କର(୧୩, ମାର୍ଚ୍ଚ,୧୯୭୦-୧୪, ନଭେମ୍ବର,୨୦୨୧) ଜନ୍ମଦିନ । ବଞ୍ଚିଥିଲେ ଆଜି ତାଙ୍କୁ ୫୩ ପୂରି ୫୪ ଚାଲିଥାନ୍ତା । ଓଡିଆ କବିତାରେ ଅଳ୍ପ ସମୟର ସବୁଠୁ ସାର୍ଥକ ଗଳ୍ପ କହିଥିବା ଅଖିଳ ଆମ ସମୟର ଏକ ତେଜୀୟାନ ସ୍ଵର ।

ଅଖିଳ ନାୟକ : ଦୁଇଟି କବିତା

ବାସନ ମଜା

କୋଉ କାଳର ବାସନ କେଜାଣି,
ଗନ୍ଧଉଛି ।

ରାନ୍ଧି ଚାଲିଛୁ, ଯେ ରାନ୍ଧିଚାଲିଛୁ, ଯେ ରାନ୍ଧିଚାଲିଛୁ,
ରାନ୍ଧୁଚୁ, ବାଢୁଚୁ, ଖାଉଚୁ
ବାଢୁଚୁ, ରାନ୍ଧୁଚୁ, ଖାଉଚୁ
ଧୁଆ ନାଇଁ କି ରୁଆ ନାଇଁ ।

ରାତି ପାହିଲେ ନୂଆଁଖାଇ,
ଆ’ ସଙ୍ଗାତ ଆ’
ବାସନ ମାଜିବା ।

କିଣା ହୋଇ ଆସିଚି ନୂଆ କପଡା,
କ୍ଷେତରୁ ଖୁଣ୍ଟା ହୋଇ ଆସିଚି ନୂଆ ଧାନ,
ରଙ୍ଗ ବୋଳି ପୁରୁଣା କାନ୍ଥକୁ କରା ହୋଇଚି ନୂଆ,
ଅଥଚ
ମଜା ହୋଇନି ବାସନ ।

କଣ ନା,
ବାସନ କାହିଁକି ମାଜିବା,
କିଏ ଦେଖୁଚି ?
ରୋଷେଇ ଘରେ ତ ଅଛି ।

ସଙ୍ଗାତ !
ବାସନ ଇ ସବୁ
ଚାଉଳ ଚୋବେଇବୁ ?
ନା ।

ଭୂଇଁରେ ଭାତ ବାଢିବୁ ?
ନା ।

ତ, ଆ’
ବାସନ ମାଜିବା ।

ଆମ ବାପାଙ୍କ ବାପାଙ୍କ ବାପାଙ୍କ .....
କିଏ ଗଢିଥିଲେ କେଜାଣି,
ଯୁଗ ଯୁଗର ଧୂଆଁ ଧୁଳି ଶିଉଳି ଜମିଚି,
ମଜା ହୋଇନି ।

ଇସ, କେଡେ ଅସନା !
ଏମିତି ବାସନରେ ନବାନ୍ନ ତ ଛାଡ
ଯଦି ରାନ୍ଧିବୁ, ବାଢିବୁ, ଖାଇବୁ, ଅମୃତ
ବି, ମୃତ୍ୟୁ ନିଶ୍ଚିତ ।

ସଙ୍ଗାତ !!
ବାସନ ମୂଳେ ଏ ଜଗତ ।

ରାତି ପାହିଲେ ନୂଆଁଖାଇ ।
ଆ’ ଆ’
ବାସନ ମାଜିବା ।
ନାଇଁ ତ ଜଙ୍ଗଲକୁ ଯା’
ନଙ୍ଗଳା ହ’ ଓ
ଫଳମୂଳ, କଞ୍ଚାମାଂସ ଖା’ ।

ପ୍ରେମିକ

ଖୁନୀ ବୋଲି ମୋତେ କହନା
ତମାମ ଜୀବନ
କେବଳ ଭଲ ପାଇଛି ମୁଁ ।

ଭଲପାଇବା ଶିଖିଚି
ଲାଉମନ୍ଦାରେ
ପାଣି ଢାଳୁଥିବା ହାତ ଠୁ,
କୁରାଢି ଠୁ ।

ନିଜ କାନ୍ଧରେ ଜୁଆଳି ଯୋଚି
ଜମି ଚଷିଚି, ତଳି ରୋଇଚି
କୋଉ ସାଲୁବାଲୁ
କ୍ଷେତରେ ପଶି ଘାସ ବାଛିଚି
ଶାଗପଟାଳିରେ
ନିଜେ ତରଳି ତେଣ୍ଡେଇ ହୋଇଚି,
ହଁ, ଭଲ ପାଇଚି ।

ଅବିକା ମୋର
ଗଉଣି ଗଉଣି ଧାନ
ପାଛିଆ ପାଛିଆ ପରିବା
ଗୋଛା ଗୋଛା ହାତର ହାତ, ଗୋଡ, ପଞ୍ଜରା ।
ଚୁଲି ଜାଳିବି, ରାନ୍ଧିବି,
ପେଟ ଜଳୁଛି ।

ଭୋକ ମେଣ୍ଟାଇବା ପାଇଁ ହିଁ
ଯେତେ ଯେତେ ଭଲ ପାଇବା, ହେ
ଧାନଗଛମାନେ
ବନ୍ଧୁମାନେ, କୁକୁଡାମାନେ, ସୋଦରମାନେ
ମୋତେ ଖୁନୀ ବୋଲି କହନା ।

ବେଳ ପଡିଲେ
ମୁଁ ବି ଦିନେ ପହଞ୍ଚିଯିବି
ଭୋକ ପାଖରେ ତମର
ଖୁଦ ହୋଇ, କାକର ହୋଇ
ନିଆଁ ହୋଇ, ନିଃଶ୍ଵାସ ହୋଇ
ହେ ଭାଇ ମାନେ
ମୋତେ ଖୁନୀ ବୋଲି କହନା ।