ଆମର ପୃଥିବୀ ବଞ୍ଚିବା ଉପଯୋଗୀ ହୋଇ ରହିବ ତ ?

Will the world survive climate change?

ଆମର ପୃଥିବୀ ବଞ୍ଚିବା ଉପଯୋଗୀ ହୋଇ ରହିବ ତ ?

ପ୍ରଦୂଷଣ ଯୋଗୁଁ ସାରା ପୃଥିବୀରେ ବର୍ଷକୁ ୯୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ସେଥିରୁ ସର୍ବାଧିକ ୨୪ଲକ୍ଷ ଭାରତୀୟ ପ୍ରଦୂଷଣର ଶିକାର ହୋଇ ପ୍ରତିବର୍ଷ ପ୍ରାଣ ହରାନ୍ତି ଲାନ୍ସେଟ୍ ପତ୍ରିକାର ଏ ରିପୋର୍ଟ ଆମକୁ ବିଚଳିତ କରିଦେବା କଥା । ସାରା ପୃଥିବୀରେ ପ୍ରଦୂଷଣର ପ୍ରଭାବ ଭୟଙ୍କର ହୋଇ ଚାଲିଛି ବାୟୁମଣ୍ଡଳରେ ତାପମାତ୍ରା ନିୟମିତ ବଢି ଚାଲିଛି ତେବେ “ଲାନ୍ସେଟ” ପତ୍ରିକା ପ୍ରଦୂଷଣଜନିତ ମୃତ୍ୟୁର ତଥ୍ୟ ରଖିବା ପରେ ମଧ୍ୟ ଏହାକୁ ନେଇ ବିଶ୍ବରେ ସେମିତି ବିଶେଷ କିଛି ପ୍ରତିକ୍ରିୟା ନାହିଁ ଏମିତିରେ ଦେଖିଲେ ଯେ କୌଣସି ମହାମାରୀ ତୁଳନାରେ ଏ ମୃତ୍ୟୁ ହାର କିଛି କମ ନୁହେଁ ହେଲେ ଏ ବିଷୟରେ ଆମେ କେବେ ଚିନ୍ତା କରିଛୁ କି ? ଆମର ତଥାକଥିତ ବିକାଶ ମୋଡେଲ ଆମ ଲାଗି ମରଣ ଯନ୍ତା ପାଲଟି ସାରିଛି । ଆତ୍ମହତ୍ୟାକୁ ବିକାଶ ବୋଲି ଧରି ନେଇଥିବା ଆମ ସରକାର ଓ ସାଧାରଣ ଜନତା, କେବେ ପ୍ରଦୂଷଣରୁ ମୁକ୍ତି ପାଇଁ ଚିନ୍ତା କରିବେ? ଯଦି ପ୍ରଦୂଷଣ ରୋକା ନ ଯାଏ, ଗୋଟେ ସମୟରେ ସାରା ଜଗତ ଗୋଟେ ଗ୍ୟାସ ଚ୍ୟାମ୍ବର ପାଲଟିଯିବ। ସେ ପ୍ରସଙ୍ଗରେ ଆମର କୌଣସି ଚିନ୍ତା କାହିଁକି ନାହିଁ

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆମ ଦେଶର ଗଣମାଧ୍ୟମରେ ଏହା କେବଳ ଏକ ସାଧାରଣ ଖବର ଭାବେ ପ୍ରକାଶିତ ହେଲା ଓ ଲିଭିଗଲା ଆମର ଗଣମାଧ୍ୟମ ଏହି ସମୟରେ ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ମିଳିବା ପ୍ରସଙ୍ଗକୁ ପ୍ରମୁଖ ଖବର ଭାବରେ ଚର୍ଚ୍ଚାର କେନ୍ଦ୍ରରେ ରଖିଥିଲେ ପ୍ରଦୂଷଣ  ବଢିଲେ ମସଜିଦ କି ମନ୍ଦିରର ଦେବତା ଯେ ଆମକୁ ବଞ୍ଚାଇ ପାରିବେ ନାହିଁ, ସେକଥା ଆମେ ବୁଝି ପାରୁନାହୁଁ ଇତି ମଧ୍ୟରେ ହଠାତ ୟୁରୋପର ତାପମାତ୍ରା ବାଢୁଛି ଓ ପ୍ରଥମଥର ପାଇଁ ୟୁରୋପରେ ଅଂଶୁଘାତ ମୃତ୍ୟୁ ଘଟୁଛି ।  ପୃଥିବୀର ସବୁଠୁ ଶୀତଳ ଇଲାକା ଭାବେ ପରିଚିତ ୟୁରୋପରେ ପ୍ରକୃତିର ଏହି ବିଭୀଷିକା ପୃଥିବୀର ମାନସିକତା ବଦଳାଇବାରେ ସମର୍ଥ ହେବ କି ?

ପ୍ରଦୂଷଣଜନିତ ମୃତ୍ୟୁରେ ସର୍ବାଧିକ ୫୫% ଲୋକ ଦୂଷିତ ବାୟୁ ଯୋଗୁଁ ପ୍ରାଣ ହରାଉଛନ୍ତି ବାୟୁ ପ୍ରଦୂଷଣରେ ମୁଖ୍ୟ କାରଣ ଭାବରେ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ମୁଖ୍ଯତଃ ଦାୟୀ ମାତ୍ରାଧିକ ଚାରିଚକିଆ ଜାଣ ବ୍ୟବହାର କରିବାର ଆସକ୍ତି ଆମକୁ ମରଣ ମୁହଁକୁ ଯେ ଟାଣି ନେଉଛି, ସେ କଥା ଆମେ ଜାଣି ପାରୁନୁ ସମକାଳୀନ ବିଶ୍ଵ ଅର୍ଥନୀତିରେ ବିକାଶର ଯେଉଁ ମାନଦଣ୍ଡ ତିଆରି କରାଯାଉଛି ସେଥିରେ ଅର୍ଥ ଓ ସମ୍ପତ୍ତି ଠୁଳ କରିବାକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି ମୁଣ୍ଡପିଛା ଆୟ ବଢାଇବାର ଆଳ ଦେଖାଇ ଜିଡିପି ସର୍ବସ୍ଵ ଅର୍ଥନୀତିରେ ମଣିଷର ଜୀବନମୂଲ୍ୟ କିଛି ନୁହଁ ଭଳି ମାନେ ହେଉଛି ପୁଞ୍ଜି ବଢିଲେ ଜିଡିପି ବଢିବ ଓ ସେଥିଲାଗି ଖଣି, ଭାରିଶିଳ୍ପ, ଯୋଗାଯୋଗ ତଥା ପରିବହନ, ପ୍ରବଳ କଂକ୍ରିଟର ବ୍ୟବହାର ଇତ୍ୟାଦି ଉପରେ ସର୍ବାଧିକ ଗୁରୁତ୍ଵ ଦିଆ ଯାଉଛି ଏହି ବିକାଶ ପ୍ରକ୍ରିୟା ଯେ ବିଶ୍ଵ ବିଧ୍ଵଂସର କାରଣ ହେବ ଏ କଥା ଅର୍ଥନୀତିଜ୍ଞମାନେ ଚିନ୍ତା କରୁନାହାନ୍ତି ସରକରାଇ ସ୍ତରରେ ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି କୌଣସି ଉଦ୍ୟମ ହେଉନାହିଁ

ପ୍ରଦୂଷଣରେ ଲୋକ ମରୁଥିବାର ତଥ୍ୟ ଆମେ ଯେ ଜାଣିନୁ , ତା ନୁହେଁ ଆମେ ଜାଣି ଅଜଣା ଭଳି ବ୍ୟବହାର କରୁଛୁ ଉଦାହରଣ  ଭାବରେ ଦିଲ୍ଲୀ ସହରର ପ୍ରଦୂଷଣ ସଙ୍କଟର ଆମେ ବିଚାର କରିପାରିବା ପ୍ରତି ବର୍ଷ ଦୀପାବଳି ପୂର୍ବରୁ ଓ ପରେ ଦିଲ୍ଲୀ ସହରର ପବନ ବିଷାକ୍ତ ହୋଇପଡୁଛି ସେହି ସମୟରେ ଦିଲ୍ଲୀରେ ନିଃଶ୍ଵାସ ପ୍ରଶ୍ଵାସ ନେବା ଅସମ୍ଭବତଥାପି ଲୋକେ ସେ ପ୍ରସଙ୍ଗରେ ନୀରବ କେବଳ ସେହି ସମୟରେ କିଛି ଟା ହୋ ହଲ୍ଲା ପରେ ଲୋକ ସବୁ ଭୁଲିଯାନ୍ତି ଏହାର ଚିରସ୍ଥାୟୀ ସମାଧାନ ଲାଗି ନା ସରକାର, ନା ଅଦାଲତ  ନା ଜନସାଧାରଣ, କେହି ଏହାକୁ ଗୁରୁତ୍ଵ ଦିଅନ୍ତି ନାଇଁ । ଯେମିତି ଶ୍ଵାସରୁଦ୍ଧ ହୋଇ ମରିବା ଆମର ଭାଗ୍ୟ !!

ଏବେ ସମୟ ଆସିଛି, ଅର୍ଥନୀତିକ କାର୍ଯକଳାପରେ ଆମକୁ ପ୍ରଦୂଷଣକୁ ଜଗି ସବୁ ନିର୍ଣ୍ଣୟ କରିବାକୁ ପଡିବ ଆମର ବିକାଶ ଯେମିତି ପୃଥିବୀକୁ ବିପଦରେ ନ ପକାଏ ତାହା ଦେଖିବା ସରକାରଙ୍କ କାମ ହେବା ଉଚିତ ରାଜନୈତିକ ଫାଇଦା ଲାଗି ଆଖି ବୁଜି କାମ କରୁଥିବା ରାଜନୈତିକ ନେତାଙ୍କୁ ଏ ପ୍ରସଙ୍ଗରେ ତାଗିଦ କରିବାର ଦାୟିତ୍ଵ ଜନସାଧାରଣଙ୍କର ରହିଛି ସେକଥା ନ କଲେ ପୃଥିବୀକୁ ବଞ୍ଚାଇ ହେବନାହିଁ ଆଉ ପୃଥିବୀ ନ ବଞ୍ଚିଲେ ଆମେ କେହି ବି ବଞ୍ଚି ପାରିବା ନାହିଁ ।