ମୋହନ ସରକାରଙ୍କ ଆଳୁ ଦଶା
ଓଡ଼ିଶାବାସୀ ଗତ ମାସେ ଧରି ଆଳୁକୁ ନେଇ ମହାଚିନ୍ତାରେ ପଡିଛନ୍ତି । ଆଳୁ ଏବେ ସୁନା ପାଲଟି ଯାଇଛି । ବିଜେପି ଭକ୍ତମାନେ ବହୁତ ଦିନ ଧରି ରାହୁଲ ଗାନ୍ଧୀଙ୍କର ଏକ ଭାଷଣକୁ କାଣ୍ଟଛାଣ୍ଟ କରି "ଏପଟେ ଆଳୁ ପୂରେଇଲେ, ସେପଟେ ସୁନା ବାହାରିବ" ବୋଲି ବୋଲିବାଣୀ କରୁଥିଲେ । ଏବେ ଓଡ଼ିଶାରେ ବିଜେପି ସରକାର ଆସୁ ଆସୁ ସତରେ ଆଳୁ ଦର ସୁନା ଭଳିଆ ମହଙ୍ଗା ହୋଇଗଲାଣି । ପ୍ରାୟ ତିନି ସପ୍ତାହରୁ ଅଧିକ ହେଲାଣି ଆଳୁ ଦର ୪୦ ରୁ ୬୦ଟଙ୍କା ଭିତରେ ରହୁଛି । ସାଧାରଣତଃ ଆଳୁ କିଲୋ ୧୫ଟଙ୍କା ହେଲେ ଖାଉଟି ମୁଣ୍ଡରେ ଚଡ଼କ ପଡେ । ଏବେ ଆଳୁ କିଲୋ ଷାଠିଏ । ଖାଉଟି ବେଚାରା ଓଡ଼ିଆ ଅସ୍ମିତା ପାଇଁ ଭୋଟ ଦେଇ ଏବେ ଆଳୁ ବଜାର ଆଗରେ ଖାଲି ବ୍ୟାଗ୍ ଧରି ଲୁହ ପୋଛୁଛି ।
ତେବେ ଓଡ଼ିଶାରେ ଆଳୁ ସଙ୍କଟର କାରଣ କଣ ଓ ଏଥିପାଇଁ ଦାୟୀ କିଏ ? ସ୍ବାଭାବିକ ଭାବରେ ଓଡ଼ିଶା ସରକାର ଏହି ସମସ୍ୟା ପାଇଁ ପୁରୁଣା ସରକାର ମୁଣ୍ଡରେ ଦୋଷ ଢାଳିବାର ଉଦ୍ୟମ କରୁଛନ୍ତି । ତାହା ସହିତ ପଶ୍ଚିମ ବଙ୍ଗ ସରକାର ଓ ସେଠିକାର ଶାସକଦଳ ତୃଣମୂଳ କଂଗ୍ରେସ ଉପରେ ଦୋଷାରୋପ କରିବାକୁ ଚେଷ୍ଟା ଚାଲିଛି । ଅସଲକଥାଟି ହେଲା ପଶ୍ଚିମ ବଙ୍ଗରେ ଏଥର ଆଳୁ ଉତ୍ପାଦନ କମିଛି। ଯାହାର ଫଳ ସ୍ୱରୂପ ମମତା ବାନାର୍ଜୀ ସରକାର ନିଜ ରାଜ୍ୟର ଚାହିଦାକୁ ଆଖି ଆଗରେ ରଖି ଅନ୍ୟ ରାଜ୍ୟକୁ ଆଳୁ ବିକ୍ରି ଉପରେ କଟକଣା ଜାରି କରିଛନ୍ତି । ଏହି କଟକଣାର ପ୍ରଭାବ ଦେଶର ଅନ୍ୟ କେଉଁଠି ପଡିନଥିବା ବେଳେ ଓଡିଶାରେ ଏହା ଉତ୍କଟ ହେଲା କାହିଁକି ?
ଆଳୁଦର ବଢିବାର ଏକମାତ୍ର କାରଣ ହେଲା ଓଡିଶା ବଜାରକୁ ଆବଶ୍ୟକତା ମୁତାବକ ଆଳୁ ଯୋଗାଣ ହେଉନାହିଁ । ରାଜ୍ୟ ସରକାର ଏ ସମ୍ପର୍କରେ ଆଗରୁ ସତର୍କ ନଥିଲେ କିମ୍ବା ଏ ବାବଦରେ ରାଜ୍ୟ ସରକାର ଜମା କିଛି ଜାଣିନଥିଲେ । ନୂଆ ସରକାରର ନୂଆ ଯୋଗାଣ ମନ୍ତ୍ରୀ ଏଭଳି ଏକ ଜଟିଳ ସଙ୍କଟକୁ ନେଇ ରାଜନୀତିରେ ମାତିଲେ । ରାଜ୍ୟର ବିରୋଧୀଦଳ ନେତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଏ ସଙ୍କ୍ରାନ୍ତରେ ଚିଠିଟିଏ ଲେଖିବା, ମନ୍ତ୍ରୀଙ୍କର ଅହଂକାରକୁ ବାଧିଗଲା । ସେ ବିଧାନସଭାରେ ନବୀନ ପଟ୍ଟନାୟକଙ୍କୁ ଆପଣ ଚିଠି ଲେଖିବାକୁ କିଏ ବୋଲି କହିଲେ । ଯଦିଓ ନବୀନ କାହାକୁ ଚିଠି ଲେଖିବେ, ସେଟା ତାଙ୍କର ଅଧିକାରଭୁକ୍ତ, ତଥାପି ମନ୍ତ୍ରୀ ବିରୋଧୀଦଳ ନେତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କଲେ ।
ମନ୍ତ୍ରୀଙ୍କ ରାଜନୀତି ଏବେ ରାଜ୍ୟବାସୀଙ୍କ ପକେଟରେ ବିରାଟ କଣା କରିଚାଲିଛି । ମନ୍ତ୍ରୀ ବାହାସ୍ଫୋଟ ମାରି ଆଳୁ କେବେ ଉତ୍ତରପ୍ରଦେଶରୁ ଟ ପୁଣି କେବେ ପଞ୍ଜାବରୁ ଆସିବ ବୋଲି କହୁଛନ୍ତି । ବଜାରରେ କିଲୋ ୩୦ ଟଙ୍କାରେ ଆଳୁ ବିକ୍ରୀ ହେଉଛି ବୋଲି ମନ୍ତ୍ରୀ କହୁଛନ୍ତି, ହେଲେ ବଜାରରେ ଆଳୁଦର ୫୦ ରୁ ୭୦ ରହିଛି । ମନ୍ତ୍ରୀ କେବଳ ସାମ୍ବାଦିକ ସମ୍ମିଳନୀରେ ବଡ ବଡ କଥା କହୁଥିବା ବେଳେ ବଜାରରୁ ଆଳୁ ଏକପ୍ରକାର ଗାୟବ ହୋଇଯାଇଛି ।
ଲୋକେ ବିଜେପିକୁ କଣ ଭୋଟ ଦେଇଥିଲେ ୬୦ ଟଙ୍କାର ଆଳୁ ବଜାର ଖୋଲିବା ପାଇଁ ? ନିଜ ସରକାରର ଅପାରଗତା ଓ ବିଫଳତାକୁ ଲୁଚାଇବାକୁ ଏବେ ବିଜେପି ନବୀନ ସରକାରର ପୁରୁଣା ଆଳୁ ମିଶନର ବିଫଳତା କଥା ଉଠାଉଛି । ଆଳୁ ମିଶନ ଓ ଆଳୁ ଦର ଯେ ଦୁଇଟି ଭିନ୍ନ କଥା, ଏକଥା ଲୋକେ ଜାଣିଛନ୍ତି । ସରକାରୀ ଦଳର ଅନଭିଜ୍ଞତା ଏବଂ ଶାସନ ଚଳାଇବାର ଅପାରଗତା ଯୋଗୁଁ ଆଜି ଓଡିଶାରେ ଆଳୁ ଦର ସୁନା ଭଳି ହୋଇଛି, ଏହା ହିଁ ସତ୍ୟ ।