ଏକ ଚିତ୍ରାତ୍ମାରେ ମାଆ କଥା
୧୮୯୦ ର ଛବି । ଭିକ୍ଟୋରିଆ ଯୁଗର ଛବି। ସେ ସମୟରେ ଏହି ଭଳି ଛବିର ଖୁବ୍ ପ୍ରଚଳନ ଥିଲା। ଅନେକେ ନିଜର ଶୋଇବାଘର ର କାନ୍ଥରେ ଏଇଭଳି ଛବିମାନ ଟାଙ୍ଗିବାକୁ ଆଗ୍ରହ ପ୍ରକାଶ କରୁଥିଲେ ।
ଏହିଭଳି ଛବିରେ କିଛି ବିଶ୍ୱାସ ଅଛି,
କିଛି କାରୁଣ୍ୟ ଅଛି ।
ଆଗ କାରୁଣ୍ୟର କଥା ।
ତାହାପରେ ଆମେ ବିଶ୍ୱାସକୁ ପ୍ରବେଶ କରିବା।
ଲଣ୍ଡନର ଗୋଟିଏ କବରଖାନାକୁ ମାଆ ଟିଏ ଯାଏ । ନିୟମିତ ଯାଏ ।
ମାଆ ଟିର ନାଆଁ ଜଣାନାହିଁ ଆଉ ସେହି ଭଳି ସେ କେଉଁ କବରଖାନାକୁ ଯାଉଥିଲା ତାହାର ନାଆଁ ମଧ୍ୟ ଜଣାନାହିଁ ।
ଯଦି ଏହା କୌଣସି ବିଶେଷ ଏକ ଘଟଣା ହୋଇଥାଆନ୍ତା ତାହାହେଲେ ନିଶ୍ଚୟ ସେହି ମାଆ ଆଉ ସେହି କବରଖାନାର ନାଆଁ କେଉଁଠି ନା କେଉଁଠି ଦରଜ ହୋଇ ରହିଯାଇଥାନ୍ତା । ଏତେକାଳପରେ ବି ଆମେ ତାହାକୁ ଠିକ୍ ତେଣୁ ଚିହ୍ନିତ କରି
ପାରିଥାଆନ୍ତେ । ଯେହେତୁ ଏହା ସେ ସମୟର ଅତି ସାଧାରଣ କଥା ଥିଲା ତେଣୁ ଇତିହାସରେ ପ୍ରାୟତଃ ସବୁ ସାଧାରଣମାନେ ଅଜଣା ରହିବା ଭଳି ଏଇଠି ଉଲ୍ଲିଖିତ ମାଆ ଆଉ କବରଖାନା ଉଭୟେ ଅନାମା ହୋଇ ରହିଯାଇଛନ୍ତି ।
ମାଆ ଟି ସେଇ କବରଖାନାକୁ ଯାଏ । ନିର୍ଦ୍ଦିଷ୍ଟ କବରଖାନାକୁ ନିୟମିତ ଯାଏ । ସେଠିକୁ ଗଲାବେଳେ ସେ ପିନ୍ଧିଥାଏ କଳାରଙ୍ଗର ପୋଷାକ । କଳାରଙ୍ଗର ପୋଷାକ ହେଉଛି ଶୋକର ପ୍ରତୀକ ।
କଳାରଙ୍ଗର ପୋଷାକ କିନ୍ତୁ ପ୍ରଥମରେ ଶୋକର ପୋଷାକ ନଥିଲା । ଏହା ଥିଲା ପ୍ରତିବାଦର ପୋଷାକ । ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଖ୍ରୀଷ୍ଟ୍ରୀୟ ଧର୍ମ ସଂସ୍କାରକ ମାନେ ବିଶେଷ ଭାବରେ ନିଜର ଗୋଡଠାରୁ ମଥା ଯାଏଁ ନିଜକୁ କଳାପୋଷାକରେ ଆବୃତ୍ତ କରି ସେମାନଙ୍କର ଧର୍ମସଂସ୍କାର ମୂଳକ ଶିକ୍ଷା ପ୍ରଦାନ କରୁଥିଲେ । ବିଶେଷ ଭାବରେ ସ୍ପେନୀୟ କାଥୋଲିକ ଧର୍ମଗୁରୁ ମାନେ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀରେ ନିଜକୁ ଏହି ଭଳି ପୋଷାକରେ ନିଜକୁ ସର୍ବସାଧାରଣରେ ଉପସ୍ଥାପନ କରୁଥିଲେ । ସେମାନେ ଏହି ଭଳି କଳାରଂଗର ପୋଷାକ ପରିଧାନ କରିବା ପଛରେ ସେମାନଙ୍କର ବିଶ୍ୱାସ ଥିଲା ଯେ,କଳା ରଙ୍ଗ ହେଉଛି ଆଢୁଆଳ ଆଉ ବିନମ୍ରତା ର ଏକ ବିସ୍ତୃତ ପରିଭାଷା ବା ପ୍ରତୀକ । ତେଣୁ ଏହି ଭଳି ପୋଷାକ ପରିଧାନ କରି ସେମାନେ ସମାଜର ସମକାଳରେ ପ୍ରଚଳିତ ଧର୍ମଧାରଣାରେ ଯଦି କୌଣସି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ତାହାହେଲେ ସେମାନେ ଅନ୍ତତଃ ଈଶ୍ୱରଦ୍ରୋହୀ ହେବେ ନାହିଁ ।
ପରେ ଯେବେ ସମାଜରେ କେବଳ ଧର୍ମଗତ ନୁହଁ କ୍ଷମତାର ସ୍ୱୈରତାନ୍ତ୍ରିକତା ର ପରିବର୍ତ୍ତନ କରିବାର ଆବଶ୍ୟକତା ଅନୁଭବ କରାଗଲା ସେତେବେଳେ ତାହା କେବଳ ନିରୀହ ପରିବର୍ତ୍ତନ ବା ସୁଧାର ସଂସ୍କାର ହୋଇ ଆଉ ରହିଲା ନାହିଁ । ଉଗ୍ର ହେବାକୁ ଲାଗିଲା । ପ୍ରତିବାଦ ହୋଇଗଲା । ଆଉ ସେତିକିବେଳେ ସମସ୍ତେ ପୂର୍ବର ପୋଷାକୀ ଭିନ୍ନ ରୂପ ଅର୍ଥାତ୍ କଳାରଂଗକୁ ପୁଣି ପ୍ରତିବାଦର ପ୍ରତୀକ-ରଂଗ ବୋଲି ବିବେଚନା କରିବାକୁ ଆରମ୍ଭ କଲେ ।
ଭିକ୍ଟୋରିଆ ଯୁଗରେ ଲଣ୍ଡନରେ ପୂର୍ବବର୍ତ୍ତି ସମୟର ନିରୀହ ଧାର୍ମିକ କଳାରଙ୍ଗ ଶୋକର ପ୍ରତୀକୀ ପୋଷାକ ହୋଇଗଲା । ଏହା ବିଶେଷ ଭାବରେ ରାଣୀ ଭିକ୍ଟୋରିଆ (୧୮୧୯-୧୯୦୧) ଙ୍କର ଅବଦାନ । ରାଣୀ ଭିକ୍ଟୋରିଆ ଙ୍କୁ ଯେତେବେଳେ ମାତ୍ର ୪୨ ବର୍ଷ ସେତେବେଳେ ପ୍ରିନ୍ସ ଆଲବର୍ଟ ଙ୍କର ଦେହାନ୍ତ ହୁଏ । ପ୍ରିନ୍ସ ଆଲବର୍ଟ ରାଣୀ ଭିକ୍ଟୋରିଆଙ୍କର ପରେ ଇଂଲଣ୍ଡର ରାଜଗାଦୀର ପରବର୍ତ୍ତି ଦ୍ୱିତୀୟ ଉତ୍ତରାଧିକାରୀ ଥିଲେ । ପ୍ରିନ୍ସ ଆଲବର୍ଟଙ୍କ ମୂତ୍ୟୁପରେ ରାଣୀ ଯେଉଁ ପୋଷାକ ପିନ୍ଧି ଶୋକାନୁଷ୍ଠାନ ମାନଙ୍କରେ ତାହା କଳାରଂଗର ଥିଲା । ଏବଂ ତାହାପରଠାରୁ ନିଜର ମୃତ୍ୟୁ ଯାଏଁ ରାଣୀ ଭିକ୍ଟୋରିଆ ସମସ୍ତ ଶୋକାନୁଷ୍ଠାନ ମାନଙ୍କରେ ନିୟମିତ କଳାରଂଗର ପୋଷାକ ପରିଧାନ କରୁଥିବାର ଦେଖାଯାଇଥିଲା । ରାଣୀଙ୍କର ଏହି ଭଳି ବିଶେଷ ପରିସ୍ଥିତିରେ ଏହିଭଳି ବିଶେଷ ରଂଗର ପୋଷାକ ପରିଧାନ କରୁଥିବାର ପ୍ରବଣତାକୁ ଲକ୍ଷ୍ୟକରି ୧୮୮୪ ରେ ଜଣେ ଶିଷ୍ଟାଚାରବିଷୟକ ଲେଖକ "ଏଟିକେଟ୍ ରାଇଟର୍" ଲେଖିଥିଲେ, "ଗୋଟିଏ ଶୋକ ପୋଷାକ କୌଣସି ନାରୀକୁ ତାହାର ଚରମ ଦୁଃଖ ସମୟରେ ଏହି ଭଳି ସଂଗୁପ୍ତ କରି ରଖିବା ଉଚିତ୍ ଯେ,ଯେପରି କି ତାହାର ପ୍ରିୟଜନ ର ବିଚ୍ଛେଦ ସମୟରେ ତାହାର ପୋଷାକରୁ ସାମାନ୍ୟତମ ଆନନ୍ଦ କି ଔଜଲ୍ୟ ପରିଦୃଶ୍ୟ ନହୁଏ ।
ରାଣୀ ଭିକ୍ଟୋରିଆଙ୍କ ଶୋକକାଳୀନ କଳାରଙ୍ଗର ପୋଷାକ କ୍ରମଶଃ ସର୍ବସାଧାରଣରେ ବିଶେଷ ଭାବରେ ଅନୁକରଣ କରାଗଲା । କୁହାଗଲା ,ଏହା ହେଉଛି ଗୋଟିଏ କାନ୍ଥ, ବେଦନାର୍ତ୍ତ ମୁହୂର୍ତ୍ତର ଗୋଟିଏ ଆଶ୍ରା।
କହିବା ବାହୁଲ୍ୟ ,ଆମର ଅନୁକରଣର ଶୀର୍ଷରେ ରାଜାରାଣୀମାନେ ହିଁ ରହିଥାନ୍ତି ।
ରାଣୀ ଭିକ୍ଟୋରିଆଙ୍କ ଦ୍ୱାରା ବିଶେଷଭାବରେ ପ୍ରଭାବିତ ହୋଇଥିଲେ ସେ ସମୟର ବିଧବା ମାନେ । ସେମାନଙ୍କର ବୈଧବ୍ୟ ସମୟର ଆଦ୍ୟ ଦୁଇ ତିନି ବର୍ଷ ସେମାନେ ନିଜର ଝରକାରେ କଳାରଙ୍ଗର ପରଦା
ଲଗାଉଥିଲେ । ସେମାନଙ୍କର ପୋଷାକ ,ସେମାନଙ୍କର ହାତରେ ଗ୍ଲୋଭ୍ ସବୁ କଳାରଙ୍ଗର । ଏପରିକି ସେମାନେ ଯେଉଁ ଗହଣା ବ୍ୟବହାର କରୁଥିଲେ ସେଥିରେ କଳାରଂଗର ପଥର ଅଧିକରୁ ଅଧିକ ଲଗାଯାଉଥିଲା । ତାହା ଛଡା ସେମାନଙ୍କର ଶୋଇବାର ଶେଜ,ତକିଆ ଆଦି କଳାରଙ୍ଗର ଥିଲା । ଏପରିକି ସେମାନଙ୍କର ପେଟିକୋଟ୍ ରେ କଳାରଂଗର ରିବନ ଆଉ ସମସ୍ତ ଦୈନନ୍ଦିନ ପୋଷାକରେ କଳାରଂଗର ବର୍ଡର ରହୁଥିଲା । ସେମାନେ ବାହାରକୁ ଯିବାକୁ ଯେଉଁ ଘୋଡାଗାଡି ବ୍ୟବହାର କରୁଥିଲେ ସେଥିରେ ଥିବା ଗଦିର ରଂଗ କଳା ରହୁଥିଲା ।
ପ୍ରାୟତଃ ୧୮୬୦ ବେଳକୁ ଶୋକର ଏହି କଳାରଂଗ ଏକ ନାଟକୀୟ ମୋଡ ଗ୍ରହଣ କରିଥିଲା । ଭିକ୍ଟୋରିଆ ଯୁଗର ବିଧବା ମାନେ ନିଜର କଳାରଂଗର କାରାଗାରରେ ଏକେଲା ରହୁଥିଲେ କାରଣ ବାହାରେ ସେମାନଙ୍କୁ ନେଇ କେହି ଯେମିତି କୌଣସି ଥଟ୍ଟା ମଜା ନକରନ୍ତି ସେଥିପ୍ରତି ସେମାନେ ବେଶ୍ ସତର୍କ ଥିଲେ । ମାତ୍ର ୧୮୬୦ ବେଳକୁ ଜଣେ ଫରାସୀ ଅଭିନେତ୍ରୀ ସାରା ବର୍ଣ୍ଣାର୍ଡ (୧୮୪୪-୧୯୨୩) କଳା ରଙ୍ଗକୁ ନେଇ ରହିଥିବା ସମସ୍ତ ଗୋପନତାକୁ ମୁକ୍ତ କରିଦେବାର ପ୍ରୟାସ କରିଥିଲେ । ସେ ନିଜର ଶୋଇବା ଘରେ ଗୋଟିଏ କଫିନ୍ ରଖିଥିଲେ ଆଉ ସେଥିରେ ଥିବା କଳାରଂଗର କୁସନ୍ ରେ ସେ ପ୍ରକାଶ୍ୟରେ ବିଶ୍ରାମ କରୁଥିଲେ । ତାହା ଛଡା ବିଭିନ୍ନ ଷ୍ଟେଜ୍ ପ୍ରୋଗ୍ରାମ୍ ରେ ସେ ପ୍ରାୟତଃ କଳାରଙ୍ଗର ଭେଲଭେଟ୍ ପୋଷାକ ପରିଧାନ କରୁଥିଲେ । ତାହାଛଡା ନିର୍ବାକ୍ ଛବି ଯୁଗର ଜଣେ ଚର୍ଚ୍ଚିତ
" ଭାମ୍ପ " ଥେଦା ବାର୍ (୧୮୮୫ -୧୯୫୩) ନିଜର ଅଙ୍ଗଭଂଗୀ ଆଉ ନୃତ୍ୟମାୟା ପ୍ରଦର୍ଶନ କରିବା ସମୟରେ କଳାରଂଗର ପୋଷାକ ପରିଧାନ କରୁଥିଲେ । ତେଣୁ ଏଇଠି କହିବା କଥା ହେଉଛି ଉଭୟ ଅଭିନେତ୍ରୀ ସାରା ବର୍ଣ୍ଣାର୍ଡ ଏବଂ ଥେଦା ବାର୍ ଙ୍କ କାରଣରୁ କଳାରଂଗର ପୋଷାକ ଆଉ ସେହିପରି ଅସ୍ପୃଶ୍ୟ ଆଉ ଶୋକଦୀପ୍ତ ହୋଇ ରହିଲା
ନାହିଁ । କଳାରଂଗ କ୍ରମଶଃ ଅନ୍ୟ ସମସ୍ତ ରଂଗଭଳି ସ୍ୱାଭାବିକ ଆବରଣର ମାନ୍ୟତା ପାଇବାକୁ ଆରମ୍ଭ କଲା ।
କଳାରଂଗ କିନ୍ତୁ ତଥାପି ଭିକ୍ଟୋରିଆ ଯୁଗପରଠାରୁ ଖ୍ରୀଷ୍ଟୀୟ ଜଗତରେ ଶୋକର ଏକମାତ୍ର ରଂଗ ହୋଇ ରହିଅଛି ।
ଏବେ ଆମେ ନାଆଁ ନଜଣା ସେହି ମାଆ ପାଖକୁ ଫେରିବା । ସେ ନିୟମିତ ଭାବରେ ସେହି ନିର୍ଦ୍ଦିଷ୍ଟ କବରଖାନାକୁ ଯାଉଥିଲା । କିଛିଦିନ ତଳେ ତାହାର ପାଞ୍ଚବର୍ଷର ଝିଅ କୁ ସେଇଠି ଭୂସମାଧୀସ୍ଥ କରିଦିଆଯାଇଛି। ଝିଅଟା ଭାରି ଅଝଟ କରେ ।ମାଆ ଠୁ ଦିପଦ ଗୀତ ନଶୁଣିଲେ ତାହାର ଆଖିରେ ନିଦ ନାହିଁ ।
ମାଆ କବରଖାନାକୁ ଯାଏ ଆଉ ନିୟମିତ ଗୀତ ଗାଇ ତାହାର ଝିଅକୁ ଶୁଆଇ ଦେଇ ସାରିଲାପରେ ଫେରିଆସେ ନିଜର
ସଂସାରକୁ ।
ଜଣେ ପ୍ରତିବେଶୀଙ୍କ ଘରେ କାନ୍ଥରେ ଦିନେ ସେମାନେ ସେକଥା ଦେଖିଥିଲେ । ତାହାପରେ ବାପାମାଆ ଦିଜଣ ଠିକ୍ କରିଥିଲେ ସେମାନେ ବି ତାହାର ଅନୁସରଣ କରିବେ ।
ସେଦିନ ସେମାନେ ଏକା କବରଖାନାକୁ ଯାଇ ନଥିଲେ । ସେମାନଙ୍କ ସାଥିରେ ଯାଇଥିଲା ସେହି ଅଂଚଳର ଜଣେ ନାମୀ ଫଟୋଗ୍ରାଫର ।
କିଛି ଦିନ ପରେ ଫଟୋଗ୍ରାଫର ଜଣକ ସେମାନଙ୍କୁ ଛବିଟି ପ୍ରଦାନ କରିଥିଲା । ଛବିରେ ସେହି କବର ପାଖରେ ବସିଛି ମାଆ। ମାଆ ର ହାତ ପଡିଛି ମେଞ୍ଚାଏ କୁହୁଡି ଉପରେ ଆଉ ସେହି କୁହୁଡିରେ ସଜବାଜ ହୋଇ ଛିଡା ହୋଇଛି ସେମାନଙ୍କର ଝିଅ । ସେମାନେ ଯେମିତି ଏଇଲେ କେଉଁ ପର୍ଯ୍ୟଟନ ସ୍ଥଳକୁ ବୁଲି ଆସିଛନ୍ତି ।
ଫଟୋ କହିଲେ ସବୁବେଳେ ତାହା ଫଟୋର ମଣ୍ଟାଜ୍ ।
ଏହି ଭଳି ଫଟୋ-ମଣ୍ଟାଜ୍ ଟିଏ କାନ୍ଥରେ ଥିଲେ ,କ'ଣ କହିବା ?
ସମସ୍ତ ଶବ୍ଦ ଆଉ ଚିତ୍ରକୁ କିଏ ଲିପିପୋଛି ପରିଷ୍କାର କରିଦେବ ଯେମିତି, ଏହାପରେ ।
ଯେଉଁମାନେ କୁହୁଡି ପାଲଟି ଯାଇଛନ୍ତି ସେମାନେ ଆମ ପାଖରେ ଉପସ୍ଥିତ
ରହିଥିବେ । ଆମକୁ ଖାଲି ସେମାନଙ୍କର ହାତ ଉପରେ ନିଜର ହାତକୁ ଟିକିଏ ରଖିବାକୁ
ହେବ । ଟିକିଏ ।