ରେଳ ଦୁର୍ଘଟଣା, ଷଡଯନ୍ତ୍ର ପଛରେ ଷଡଯନ୍ତ୍ର

ରେଳ ଦୁର୍ଘଟଣା, ଷଡଯନ୍ତ୍ର ପଛରେ ଷଡଯନ୍ତ୍ର

ଆପଣ କିଛି ଦିନ ହେଲା ଦେଖୁଥିବେ  ଓଡ଼ିଶାର କେତୋଟି ଟିଭି ଚ୍ୟାନେଲ ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ଷଡ଼ଯନ୍ତ୍ର କାହାଣୀ ଶୁଣାଇ ଚାଲିଛନ୍ତି । ସେମାନଙ୍କ କହିବା ଉଦ୍ଦେଶ୍ୟ ହେଉଛି ଏକ ଷଡ଼ଯନ୍ତ୍ରର ଶିକାର ହୋଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏଥିପାଇଁ ସେମାନେ ସିବିଆଇ ସୂତ୍ରକୁ ଉଦ୍ଧାର କରି ଏକଥା କହୁଛନ୍ତି । ବୁଝି ହୁଏନାହିଁ, ସିବିଆଇ ଅଧିକାଂଶ ସମୟରେ ନିଜ ତରଫରୁ ଆଧିକାରିକ ଭାବେ ପ୍ରେସ କନଫରେନ୍ସ ନ କରି ଓ କ୍ୟାମେରା ଆଗରେ ନ କହି, ନିଜେ କେବଳ ଏକ ସୂତ୍ର ହୋଇ କାହିଁକି ରହିଥାଏ । ତେବେ ସେ ଯାହା ହେଉ, ସିବିଆଇ ସୂତ୍ର କ'ଣ କହୁଛି ? କି ପ୍ରକାର ଷଡଯନ୍ତ୍ର ହୋଇଛି ? ଏସବୁର ଉତ୍ତର ହୁଏତ ସିବିଆଇ ତଦନ୍ତ ସରିବା ପରେ ତାହାର ରିପୋର୍ଟରୁ ଜଣା ପଡ଼ିବ । କିନ୍ତୁ ଏବେ ଯାହା ମନେ ହେଉଛି ଏହି ଷଡ଼ଯନ୍ତ୍ର କାହାଣୀ ପଛରେ ବି ଗୋଟିଏ ଷଡ଼ଯନ୍ତ୍ର ରହିଛି  । ଏପରି ମନେହେବା ପାଇଁ ୫ଟି କାରଣ ରହିଛି  । 

(୧) ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଉଥିବା କେତେ ଗୁଡିଏ  ତରବରିଆ ମନ୍ତବ୍ୟ ଏକ ସନ୍ଦେହ ସୃଷ୍ଟି କରୁଛି । ଦେଖନ୍ତୁ, ଜୁନ୍ ୨ ତାରିଖରେ ରେଳ ଦୁର୍ଘଟଣା ହୋଇଥିଲା । ଏହାକୁ ୪୮ ଘଣ୍ଟା ବିତି ନାହିଁ, ଜୁନ୍ ୪ ତାରିଖରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ  ଗୋଟିଏ ବୟାନ ଆସିଲା  " ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ଓ ପଏଣ୍ଟ ମେସିନକୁ କେହି ଜଣେ ବଦଳାଇ ଦେଇଛି" ଯେଉଁଥି ପାଇଁ ଦୁର୍ଘଟଣା ହୋଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ କମିଶନ ଅଫ୍ ରେଲୱେ ସେଫଟି ତଦନ୍ତ କରିଛି । ସେତିକି ନୁହେଁ, ସେ ଏକଥା ମଧ୍ୟ କହିଥିଲେ ' ଆମେ ଦୁର୍ଘଟଣାର କାରଣ ଜାଣି ସାରିଲାଣୁ ଏବଂ ଏଥିପାଇଁ କିଏ ଦାୟୀ ତାହା ଜାଣି ସାରିଲାଣୁ ।'

ଆଶ୍ଚର୍ଯ୍ୟ ! ମନ୍ତ୍ରୀ ଏକଥା ୪ ତାରିଖରେ କହିଲେ। କମିଶନ ଅଫ୍ ରେଲୱେ ସେଫଟି ଏସବୁ କହିଛନ୍ତି ବୋଲି କହିଲେ । କିନ୍ତୁ ସତରେ କ'ଣ କମିଶନ ଏକଥା କହିଥିଲା କିମ୍ବା ୪ ତାରିଖରେ କମିଶନ ଏପରି କହିବା ସମ୍ଭବପର ଥିଲା ? କାରଣ କମିଶନ ୫ ତାରିଖରେ ତଦନ୍ତ ଆରମ୍ଭ କରିଥିଲା । ୬ ତାରିଖରେ  ଶ୍ରୀ ଏ.ଏମ୍ ଚୌଧୁରୀଙ୍କ ନେତୃତ୍ବରେ କମିଶନଙ୍କ ଏକ ଦଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସାଧାରଣତଃ କମିଶନ ଅଫ୍ ରେଲୱେ ସେଫଟି ସବୁବେଳେ ଏହିପରି ଭାବେ ତଦନ୍ତ ଆରମ୍ଭ କରିଥାନ୍ତି । ଉଦ୍ଧାର କାମ ଯେପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ସେମାନେ ଦିନେ ଦୁଇଦିନ ପରେ ସେମାନଙ୍କ କାମ ଆରମ୍ଭ କରିଥାନ୍ତି।  ତାହା ପରେ ସେମାନେ ପ୍ରାୟ ୪୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ ପଠାଇ ଥିଲେ । ଏହା ବ୍ୟତୀତ ସେମାନେ କେତେକ ଠିକା ଶ୍ରମିକ, ରେଲୱେ ପ୍ରୋଟେକ୍ସନ ଫୋର୍ସ ଏବଂ ଓଡ଼ିଶା ସରକାରଙ୍କ ଓଡିଆରଏଫ୍ କର୍ମଚାରୀଙ୍କୁ ମଧ୍ୟ ସମନ ପଠାଇ ଥିଲେ । ଏହା ବ୍ୟତୀତ ସେମାନେ କମିଶନ ଆଗରେ ବୟାନ ରେକର୍ଡ କରିବାକୁ ଯେ କୌଣସି ଦେଖଣାହାରୀଙ୍କୁ ମଧ୍ୟ ଡାକରା ଦେଲେ । କମିଶନ ଅଫ୍ ରେଲୱେ ସେଫଟି ଏହି ଶୈଳୀରେ କାମ କରିଥାଏ । ନିୟମ ଅନୁଯାୟୀ କମିଶନ ୩୦ ଦିନ ମଧ୍ୟରେ ତାହାର ପ୍ରାରମ୍ଭିକ ରିପୋର୍ଟ ଦେଇଥାଏ । ୧୮୦ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦେଇଥାଏ ଏବଂ ରେଲୱେ ବୋର୍ଡ ୨୭୦ ଦିନ ମଧ୍ୟରେ ଏହା ଉପରେ ଆକ୍ସନ୍ ଟେକେନ୍ ରିପୋର୍ଟ ଦେଇଥାଏ । 

ତେଣୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ରେଳମନ୍ତ୍ରୀଙ୍କୁ କମିଶନ ୪ ତାରିଖରେ କେମିତି କହିଲା ଯେ ଇଣ୍ଟରଲକିଂ ସିଷ୍ଟମ ଓ ପଏଣ୍ଟ ମେସିନକୁ କେହି  ଜଣେ ଖରାପ କରିଦେବାରୁ  ଦୁର୍ଘଟଣା ହେଲା ଏବଂ କିଏ ଏହି ଷଡ଼ଯନ୍ତ୍ର କରିଛି ଜଣା ପଡି ସାରିଛି ? ତଥାପି ରେଳମନ୍ତ୍ରୀ ଏପରି କହିବା ପଛରେ  କୈାଣସି ଷଡ଼ଯନ୍ତ୍ର ନାହିଁ ବୋଲି ଯଦି ଆପଣଙ୍କୁ ଲାଗୁଥାଏ ତେବେ ଆଗକୁ ପଢ଼ନ୍ତୁ ।‌

(୨) ସେହି ଜୁନ୍ ୪ ତାରିଖରେ ପ୍ରଧାନମନ୍ତ୍ରୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି କହିଲେ  ଏହି ଦୁର୍ଘଟଣା ପଛରେ ଥିବା ଦୋଷୀକୁ ଛଡା ଯିବନାହିଁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାର‌‌ ଠିକ୍ ପରେ ରେଳମନ୍ତ୍ରୀ ନାଟକୀୟ ଭାବରେ କହିଲେ ଯେ ଦୋଷୀ କିଏ ଚିହ୍ନା ପଡି ସାରିଲାଣି । ଠିକ୍ ଏତିକିବେଳେ, କେତେକ ଓଡ଼ିଆ ଟିଭି ଚ୍ୟାନେଲ ସମେତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ କେତେକ ବିଜେପି ସମର୍ଥକମାନେ ଏକ ମିଥ୍ୟ ପ୍ରଚାର ଚଳାଇଥିଲେ ଯେ ବାହାନଗା ରେଲୱେ ଷ୍ଟେସନର ଷ୍ଟେସନମାଷ୍ଟର ଜଣେ ମୁସଲମାନ ଅଟେ ଯିଏ ଦୁର୍ଘଟଣା ପରେ ଫେରାର ହୋଇ ଯାଇଛି । ଏକଥା ମଧ୍ୟ ପ୍ରଚାର କରାଗଲା ଯେ ଦୁର୍ଘଟଣା ସ୍ଥଳ ନିକଟରେ ଏକ ମସଜିଦ ଅଛି । 

ପ୍ରଶ୍ନ ଉଠୁଛି, ଏପରି ସାଂଘାତିକ ହିନ୍ଦୁ-ମୁସଲମାନ ବିଷୟକୁ ଯୋଡି  ମିଥ୍ୟା ପ୍ରଚାର କେବଳ ପ୍ରଧାନମନ୍ତ୍ରୀ  ଓ ରେଳମନ୍ତ୍ରୀଙ୍କ ବୟାନକୁ ବଳ ଦେବା ପାଇଁ କରା ଯାଇଥିଲା ନା ଠିକ୍ ଏହାର ବିପରୀତ ହୋଇଥିଲା ? ଦ୍ବିତୀୟରେ ଯଦି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଜାଣି ସାରିଥିଲେ ଯେ ଏକ ଷଡ଼ଯନ୍ତ୍ର ହୋଇଛି ଏବଂ ସେଥିପାଇଁ ଦୋଷୀ କିଏ ଚିହ୍ନା ପଡି ସାରିଛି ତେବେ ସରକାର ସିବିଆଇ ତଦନ୍ତ ପାଇଁ କାହିଁକି ଆଦେଶ ଦେଲେ ?  

(୩) ସିବିଆଇ ତଦନ୍ତ କାହିଁକି ?  କମିଶନ ଅଫ୍ ରେଲୱେ ସେଫଟି ତାହାର ତଦନ୍ତର ପ୍ରାଥମିକ ପର୍ଯ୍ୟାୟ ଆରମ୍ଭ କରିବା ପୂର୍ବରୁ ସରକାର କାହିଁକି ପୁଣି ଏକ ସିବିଆଇ ତଦନ୍ତର ଆଦେଶ ଦେଲେ  ? ସିବିଆଇ ତଦନ୍ତରୁ ଅଧିକ କ'ଣ ମିଳିବ ? ବରଂ କମିଶନ ଅଫ୍ ରେଲୱେ ସେଫଟିର ତଦନ୍ତ ପରିସର ଅଧିକ । ସେମାନେ ଦୁର୍ଘଟଣାର ତୁରନ୍ତ କାରଣ ଜଣାଇବା ସଙ୍ଗେ ସଙ୍ଗେ ବ୍ୟବସ୍ଥାରେ ଥିବା ତ୍ରୁଟି ମଧ୍ୟ ଜଣାନ୍ତି ଯାହା ରେଳବାଇକୁ ତାହାର ତୃଟି ସଜାଡିବାରେ ସାହାଯ୍ୟ କରିଥାଏ । ଆଜି ପର୍ଯ୍ୟନ୍ତ ଦେଶରେ ଯେତୋଟି ବି ରେଳ ଦୁର୍ଘଟଣା ହୋଇଛି ଏବଂ ସେଥିରେ ପ୍ରାଣହାନି ହୋଇଛି ସେସବୁ୍ର ତଦନ୍ତ କମିଶନ ଅଫ୍ ରେଲୱେ ସେଫଟି କରିଛି । କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ କମିଶନକୁ ତଦନ୍ତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ହେଉଛି ଏକ ଅଜ୍ଞାନତା । କମିଶନ ହେଉଛି ସ୍ବୟଂଶାସିତ । ସେମାନଙ୍କ ତଦନ୍ତ ଯେପରି ଚାପ ଶୂନ୍ୟ ହେବ ସେଥିପାଇଁ ସେମାନଙ୍କୁ ରେଳ ବିଭାଗ ଅଧିନରେ ନ ରଖି ବିମାନ ଚଳାଚଳ ବିଭାଗ ଅଧିନରେ ରଖା ଯାଇଛି । ତଦନ୍ତ ପାଇଁ କମିଶନ ସରକାର କିମ୍ବା ଆଉ  କା଼ହାରି ନିର୍ଦ୍ଦେଶକୁ ଅପେକ୍ଷା କରନ୍ତି ନାହିଁ । ସେମାନଙ୍କର କାମ ହେଉଛି ଏଇଆ ଓ ଏ କ୍ଷେତ୍ରରେ ସେମାନଙ୍କର ବ‌ହୁ ବର୍ଷର ଅଭିଜ୍ଞତା ରହିଛି । 

ଅନ୍ୟ ପକ୍ଷରେ ସିବିଆଇ ସିଧାସଳଖ ସରକାରଙ୍କ ପ୍ରଭାବରେ କାମ କରେ । ଯେଉଁ ରେଲୱେ ବୋର୍ଡ ସୁପାରିଶ କ୍ରମେ ସିବିଆଇ ତଦନ୍ତର ଆଦେଶ ଦିଆ ଯାଇଛି ତାହା ରେଳବାଇ ମନ୍ତ୍ରୀଙ୍କର ପ୍ରଭାବରୁ ମୁକ୍ତ ନୁହେଁ ।  ବ୍ୟବସ୍ଥାରେ ଥିବା ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଫିସରଙ୍କର  କର୍ତ୍ତବ୍ୟ ପାଳନରେ  ଥିବା ଦୋଷ ତ୍ରୁଟି ବିଷୟରେ ସିବିଆଇ କିଛି କହିବ‌ ନାହିଁ । ବୋଧହୁଏ ସେଇଥିପାଇଁ ସିବିଆଇ ତଦନ୍ତର ଆଦେଶ ଦିଆ ଯାଇଛି ଓ ସରକାରଙ୍କ ସମର୍ଥିତ ଗଣମାଧ୍ୟମରେ ତାହାକୁ ଗୁରୁତ୍ବ ଦିଆ ଯାଉଛି । 

(୪) ଏବେ ଆସନ୍ତୁ ମୂଳ ଘଟଣାକୁ ଯାହାକୁ ନେଇ ଗୋଟିଏ ଷଡ଼ଯନ୍ତ୍ର ହୋଇଥିବାର ପ୍ରଚାର ହେଉଛି ଓ ସେଥିପାଇଁ ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି ବୋଲି କୁହା ଯାଉଛି । ଦ ଓୟାର ନାମକ ଅନଲାଇନ ପତ୍ରିକାରେ ଶ୍ରୀ ଭି ଶ୍ରୀଧର ରେଳ ବିଭାଗରେ‌ କାମ କରୁଥିବା କେତେକ କର୍ମଚାରୀଙ୍କ ମତକୁ ଉଦ୍ଧାର କରି ଏ ବିଷୟରେ ଲେଖିଛନ୍ତି । 

ଯେଉଁ ସିଧା ଟ୍ରାକରେ କରମଣ୍ଡଳ ଏକ୍ସପ୍ରେସ ଯିବାର ଥିଲା ସେଥିରେ ଆଗରୁ ଗୋଟିଏ ମାଲବାହୀ ଟ୍ରେନ ଯାଉଥିଲା । ଦ୍ରୁତଗାମୀ କରମଣ୍ଡଳ ଟ୍ରେନକୁ ବାଟ ଦେବା ପାଇଁ ମାଲବାହୀ ଟ୍ରେନକୁ ପାର୍ଶ୍ଵବର୍ତ୍ତୀ ଲୁପ୍ ଲାଇନକୁ ଯିବା ପାଇଁ ବାଟ ଦିଆଗଲା । ଏହାପରେ  ମୂଖ୍ୟ ଲାଇନରୁ  ଲୁପ୍ ଲାଇନକୁ ଥିବା  ବାଟ ବନ୍ଦ କରି କରମଣ୍ଡଳ ଏକ୍ସପ୍ରେସ ପାଇଁ ସିଧା ଲାଇନ୍ ଖୋଲା ଯାଇଥିବ  । ଯେଉଁମାନେ ଷଡ଼ଯନ୍ତ୍ର ହୋଇଛି ବୋଲି କହୁଛନ୍ତି, ସେମାନଙ୍କର କହିବା କଥା ହେଲା ଯେ ଅବିକଳ ସେଇଆ ହିଁ ହୋଇଥିଲା । ସେମାନେ କୁହନ୍ତି ଏହା ପରେ କେହି ଜଣେ ଦୁର୍ବୁତ୍ତ  ପୁଣି ଥରେ ଉଦ୍ଦେଶ୍ୟମୂଳକ ଭାବେ ଲୁପ୍ ଲାଇନକୁ ବାଟ ଖୋଲିଦେଲା, ଯାହା ଫଳରେ କରମଣ୍ଡଳ ଏକ୍ସପ୍ରେସ ସିଧା ଯିବା ପାଇଁ ସବୁଜ ସିଗନାଲ୍ ପାଇଥିବା ସତ୍ତ୍ୱେ ସିଧା ନଯାଇ ଲୁପ୍ ଲାଇନରେ ପଶି ମାଲବାହୀ ଗାଡ଼ିକୁ ଧକ୍କା ଦେଲା ।‌

ଏହି ଷଡ଼ଯନ୍ତ୍ର ସୁତ୍ରରେ କେତେ ଗୁଡିଏ ସମସ୍ୟା ରହିଛି । 
ପନପଣା ପିଏଚ୍ ଷ୍ଟେସନ ଓ ବାହାନଗା ଷ୍ଟେସନ ମଧ୍ୟରେ ଦୂରତା ହେଉଛି ୫ କିଲୋମିଟର । କରମଣ୍ଡଳ ଏକ୍ସପ୍ରେସ ସେହି ସମୟରେ ଘଣ୍ଟାକୁ ୧୨୮ କିଲୋମିଟର ବେଗରେ ଯାଉଥିଲା । ତେଣୁ ଏହି ଦୂରତା ଅତିକ୍ରମ କରିବା ପାଇଁ ଟ୍ରେନକୁ ୧୪୧ ସେକେଣ୍ଡ ଲାଗିବା କଥା । କିନ୍ତୁ ଯେହେତୁ ଟ୍ରେନଟି  ବାହାନଗା ଷ୍ଟେସନ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ହୋଇଥିଲା ତେଣୁ ପନପଣା ଷ୍ଟେସନ ଛାଡିବାର ଧରାଯାଉ ୧୩୦ ସେକେଣ୍ଡ ପରେ ଦୁର୍ଘଟଣା ହେଲା । 

ଟ୍ରେନ୍ ପନପଣା ଷ୍ଟେସନ ଛାଡିବା ସମୟରେ ଷ୍ଟେସନ ମାଷ୍ଟର ନିଶ୍ଚୟ ବାହାନଗା ଷ୍ଟେସନକୁ ଖବର ଦେଇଥିବ । ବାହାନଗା ଷ୍ଟେସନ ତରଫରୁ କରମଣ୍ଡଳ ଏକ୍ସପ୍ରେସକୁ ସବୁଜ ସିଗ୍ନାଲ ଦେବା ପୁର୍ବରୁ ସେମାନେ ଏହା ସୁନିଶ୍ଚିତ କରିଥିବେ ଯେ କରମଣ୍ଡଳ ଏକ୍ସପ୍ରେସ ପାଇଁ ସିଧା ବାଟ ଖୋଲା ଅଛି । ଅର୍ଥାତ୍ ସେମାନେ ସୁନିଶ୍ଚିତ ଥିବେ ଯେ ମାଲବାହୀ ଗାଡି ଲୁପ୍ ଟ୍ରାକରେ ପ୍ରବେଶ କରିବା ପରେ ଇଣ୍ଟରଲକିଂ ସିଷ୍ଟମ ଦ୍ବାରା ଲୁପ୍ ଟ୍ରାକକୁ ରାସ୍ତା ବନ୍ଦ ଅଛି । ଅତଏବ ସେହି ୧୩୦ ସେକେଣ୍ଡ ମଧ୍ୟରେ ହିଁ ବାହାନଗା ଷ୍ଟେସନମାଷ୍ଟର ଏ ବିଷୟରେ ସୁନିଶ୍ଚିତ କରିବା ପରେ କରମଣ୍ଡଳ ଏକ୍ସପ୍ରେସକୁ ସବୁଜ ସିଗନାଲ ଦେଇଥିବେ । 

ପୁଣି ରେଳବାଇର ସିଗ୍ନାଲ ସିଷ୍ଟମ ଏମିତି ଯେ, ଯଦି ଗୋଟିଏ ଟ୍ରାକରେ କୈାଣସି ଅବରୋଧ ଥିବ କିମ୍ବା କୌଣସି ଟ୍ରେନ ଠିଆ ହୋଇଥିବ ତେବେ ସିଗ୍ନାଲ କେବେ ବି ସବୁଜ ହେବ ନାହିଁ ।  ଯେହେତୁ ସିଗ୍ନାଲ ସବୁଜ ଥିଲା ତେଣୁ କରମଣ୍ଡଳକ ଏକ୍ସପ୍ରେସ ଆଗରେ ସେତେବେଳେ କୈାଣସି ଅବରୋଧ ନଥିଲା।   ଏଠାରେ ପ୍ରଶ୍ନ ଉଠୁଛି ଯେ ତାହେଲେ କରମଣ୍ଡଳ ଅବରୋଧ ନଥିବା  ସିଧା ଟ୍ରାକରେ  ନ ଯାଇ ଅବରୋଧ ଥିବା  ଲୁପ୍ ଟ୍ରାକରେ ପଶିଲା କାହିଁକି ? କ'ଣ ସବୁକିଛି ନିର୍ଦ୍ଧାରିତ ଠିକ୍ ପ୍ରକ୍ରିୟାରେ ହେବା ପରେ ଏବଂ ସବୁଜ ସିଗ୍ନାଲ ମିଳିବା ପରେ, କେହି ଦୁର୍ବୁତ୍ତ ଯାଇ ପଏଣ୍ଟ ମେସିନ୍  ଠାରେ ପୁଣି ଥରେ ଲୁପ୍ ଟ୍ରାକ୍ ପାଇଁ ବାଟ ଖୋଲିଥିଲା ? 

ଏପରି ହେବାର ସମ୍ଭାବନା କମ୍ । କାରଣ ଏପରି ହେଲେ ସିଗ୍ନାଲ ପୁଣି ଥରେ ଆପେ ଆପେ ଲାଲ୍ ହୋଇଯିବ ଏବଂ କରମଣ୍ଡଳ ଏକ୍ସପ୍ରେସ ପଏଣ୍ଟ ମେସିନ୍ ପାଖରେ ପହଞ୍ଚିବା ପୁର୍ବରୁ ଲାଲ୍ ସିଗ୍ନାଲ ଦେଖି ରହିଯିବ । 

ଏପରି ହେବାପାଇଁ ସମ୍ଭାବନା କମ୍ ରହିବାର ଆଉ ଗୋଟିଏ କାରଣ ରହିଛି । ଏହି ଟ୍ରେନ ଲାଇନ ପ୍ରାୟତଃ ବ୍ୟସ୍ତ ରହିଥାଏ । ରେଲୱେ କର୍ମଚାରୀ ଦ ଓୟାର ପତ୍ରିକାକୁ କହିଛନ୍ତି ଯେ ମାଲବାହୀ ଗାଡି ଲୁପ୍ ଟ୍ରାକକୁ ବେଶି ସମୟ ପୁର୍ବରୁ ଯାଇ ନଥିଲା । ଲୁପ୍ ଟ୍ରାକକୁ ମାଲବାହୀ ଗାଡି ଯିବା ପରେ ପଏଣ୍ଟ ମେସିନ୍ ଠାରେ ଏହି ଟ୍ରାକକୁ ବାଟ ବନ୍ଦ କରି ସିଧା ଟ୍ରାକକୁ ବାଟ ଖୋଲା ଯାଇଥିବ । ପଏଣ୍ଟ ମେସିନ୍ ଠାରେ ଥରେ ଟ୍ରାକ୍ ପରିବର୍ତ୍ତନ କରିବା ପରେ ତାହାର ୧୨୦ ସେକେଣ୍ଡ ପର୍ଯ୍ୟନ୍ତ  ପୁଣି ଥରେ ଦିଗ ପରିବର୍ତ୍ତନ କରା ଯାଇ ପାରିବ ନାହିଁ । ଇଣ୍ଟରଲକିଂ ସିଷ୍ଟମରେ ଏହି ବ୍ୟବସ୍ଥା ରହିଛି । ତେଣୁ ଜବରଦସ୍ତି କେହି ଦୁର୍ବୁତ୍ତ ଯଦି ଏହା କରିଥିବ ତା ପାଖରେ ଏଥିପାଇଁ, ମୋଟ ୧୩୦ ସେକେଣ୍ଡରୁ ୧୨୦ ସେକେଣ୍ଡ ଗଲା ପରେ, ଆଉ  ମାତ୍ର ୧୦ ସେକେଣ୍ଡ କିମ୍ବା ତା ଠାରୁ ବି କମ୍ ସମୟ  ଥିବ । ଏତେ କମ୍ ସମୟ ମଧ୍ୟରେ ପଏଣ୍ଟ ମେସିନ୍ ଠାରେ ଦିଗ ପରିବର୍ତ୍ତନ କରିବା ପ୍ରାୟ ଅସମ୍ଭବ । 

ମନେ କରନ୍ତୁ, ତଥାପି ଏତେ କମ୍ ସମୟରେ କେହି ଦୁର୍ବୁତ୍ତ  ଏପରି କରିବାରେ ସଫଳ ହୋଇଛି । ତାହେଲେ ଏହା ଦ୍ବାରା କରମଣ୍ଡଳ ପାଇଁ ଖୋଲାଥିବା ଟ୍ରାକରେ ମାଲଗାଡି ରୁପେ ଗୋଟିଏ ଅବରୋଧ ଥିଲା । ଟ୍ରାକରେ ଅବରୋଧ ଥିଲେ ସିଗ୍ନାଲ କେବେ ସବୁଜ ହେବ ନାହିଁ କିମ୍ବା ସବୁଜ ହୋଇ ସାରିବା ପରେ ଯଦି ଅବରୋଧ ସୃଷ୍ଟି ହୁଏ ତେବେ ସିଗ୍ନାଲ ଆପେ ଆପେ ଲାଲ୍ ହୋଇଯିବ । 

ଯଦି ପଏଣ୍ଟ ଠାରେ ଏପରି ଗଡବଡି ହେବା ପରେ ମଧ୍ୟ ସିଗ୍ନାଲ ଆପେ ଆପେ ଲାଲ୍ ହେଲା ନାହିଁ ତାହେଲେ ଇଣ୍ଟରଲକିଂ ସିଷ୍ଟମରେ ତୃଟି ଥିଲା । ପୁଣି, ଯଦି ୧୨୦ ସେକେଣ୍ଡ ମଧ୍ୟରେ ପଏଣ୍ଟ ମେସିନ୍ ଠାରେ ଟ୍ରେନ ଯିବା ପାଇଁ ଟ୍ରାକ୍ ପୁଣି ଥରେ ବଦଳା ଯାଇ ପାରିଲା, ତାହେଲେ ମଧ୍ୟ କୁହା ଯିବ ଯେ ଇଣ୍ଟରଲକିଂ ସିଷ୍ଟମରେ ତୃଟି ରହିଛି । 

ଅବଶ୍ୟ ପ୍ର‌କୃତରେ କେଉଁ କାରଣରୁ ଦୁର୍ଘଟଣା ହେଲା ତାହା ତଦନ୍ତ ସରିବା ପରେ ଜଣା ପଡ଼ିବ । କିନ୍ତୁ ବର୍ତ୍ତମାନ ସମୟରେ ଇଣ୍ଟରଲକିଂ ସିଷ୍ଟମର କାର୍ଯ୍ୟକାରିତା ଉପରେ ସ୍ବାଭାବିକ ଭାବରେ ସନ୍ଦେହ ଆସିବ,  କେତେକ ଗଣମାଧ୍ୟମ ଦ୍ବାରା ପ୍ରସାରିତ ଷଡ଼ଯନ୍ତ୍ର ଉପରେ ନୁହେଁ । 

ଇଣ୍ଟରଲକିଂ ସିଷ୍ଟମ ଖରାପ ହେବାର ଏହା ପ୍ରଥମ ଘଟଣା ନୁହେଁ । ଗତ ଫେବୃଆରୀ ମାସରେ ମହିଶୂର ସେକ୍ସନ ଠାରେ ଏହି ପରି ଏକ ଘଟଣା ହୋଇଥିଲା ଯେତେବେଳେ ଇଣ୍ଟରଲକିଂ ସିଷ୍ଟମ ଠିକ୍ ଭାବରେ କାମ କରି ନଥିଲା । ସେତେବେଳେ ସମତା କ୍ରାନ୍ତି ଏକ୍ସପ୍ରେସ ପାଇଁ ଅବରୋଧ ନଥିବା ଟ୍ରାକ୍ ମିଳିବା ପରେ ସିଗ୍ନାଲ ସବୁଜ ହୋଇଥିଲା । କିନ୍ତୁ ଏହାପରେ ପଏଣ୍ଟ ମେସିନ୍ ଠାରେ ଆପେ ଆପେ ଅନ୍ୟ ଟ୍ରାକ୍ ପାଇଁ ବାଟ ଖୋଲିଗଲା ଯେଉଁ ଟ୍ରାକରେ ବିପରୀତ ଦିଗରୁ ଗୋଟିଏ ମାଲବାହୀ ଟ୍ରେନ ଆସୁଥିଲା । ଅବଶ୍ୟ ଦୁଇଟି ଯାକ ଟ୍ରେନର ଡ୍ରାଇଭର ଆସନ୍ନ ବିପଦକୁ ଜାଣିପାରି ଟ୍ରେନ ଠିଆ କରିବା ଦ୍ୱାରା ଦୁର୍ଘଟଣାକୁ ଏଡାଇ ଦିଆ ଯାଇ ପାରିଥିଲା । କିନ୍ତୁ ପଏଣ୍ଟ ମେସିନ୍ ଠାରେ ଏପରି ଗଡବଡି ହେବା ପରେ ତାହା ଷ୍ଟେସନମାଷ୍ଟରଙ୍କ ପ୍ୟାନେଲରେ ଦେଖା ଯାଇ ନଥିଲା । ସେତେବେଳେ କେହି କହି ନଥିଲେ ଯେ ସେଠାରେ କୈାଣସି ଷଡ଼ଯନ୍ତ୍ର ହୋଇଥିଲା । ବରଂ ତଦନ୍ତ ପରେ ଜଣା ପଡିଥିଲା ଯେ ଇଣ୍ଟରଲକିଂ ସିଷ୍ଟମରେ ଦୋଷ ଅଛି ଏବଂ ସେ ବିଷୟରେ ରେଳବାଇର ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ଦିଆ ଯାଇଥିଲା । ବୋଧହୁଏ ସିବିଆଇ ତଦନ୍ତ ଓ ତାହାର ତଥାକଥିତ ସୁତ୍ରକୁ ଏବେ ଏଇଥିପାଇଁ କାମରେ ଲଗାଯାଉଛି , ଯେମିତି ଇଣ୍ଟରଲକିଂ ସିଷ୍ଟମ ଉପରୁ ଧ୍ୟାନ ହଟି ଲୋକଙ୍କ ଧ୍ୟାନ ଦୁର୍ବୁତ୍ତ , ଷଡ଼ଯନ୍ତ୍ର, ଶୁକ୍ରବାର, ମସଜିଦ୍ ଓ ତଥାକଥିତ ଫେରାର ମୁସଲମାନ ଷ୍ଟେସନ ମାଷ୍ଟର ଉପରେ କେନ୍ଦ୍ରିତ ହେବ । 

(୫) ପ୍ରକୃତ ଘଟଣା କିଛି ବି ହୋଇଥାଇ ପାରେ । ହୁଏତ କେତେକ ଟିଭି ମିଡିଆ ଦ୍ବାରା କୁହା ଯାଉଥିବା ଭଳି ଏହି ଦୁର୍ଘଟଣା ପଛରେ କୈାଣସି ଷଡ଼ଯନ୍ତ୍ର ଥିବ । କିନ୍ତୁ ବର୍ତ୍ତମାନ କେବଳ ସିବିଆଇ ସୁତ୍ରରୁ ଜଣାପଡିଛି ଆଧାରରେ ସେପରି କହିବା ଠିକ୍ ହେବନାହିଁ ।‌ ଦୁଇଟି ତଦନ୍ତ ଚାଲିଛି । ଗୋଟିଏ ସିବିଆଇ ଦ୍ବାରା । ଅନ୍ୟଟି କମିଶନ ଅଫ୍ ରେଲୱେ ସେଫଟି ଦ୍ବାରା । ଏ ପର୍ଯ୍ୟନ୍ତ ଗଣମାଧ୍ୟମର ଏହି ଗୋଷ୍ଠୀ ‌କହୁନାହିଁ କମିଶନ ସୂତ୍ରରୁ କ'ଣ ଜଣା ପଡ଼ିଛି । ସେମାନେ କେବଳ ସିବିଆଇ ସୂତ୍ରରୁ କ'ଣ ଜଣା ପଡ଼ିଛି ତାହା କହୁଛନ୍ତି।  ଆମେ ନିଶ୍ଚିତ ହୋଇ କହି ପାରିବା ଯେ କମିଶନ ଅଫ୍ ରେଲୱେ ସେଫଟି ଠିକ୍ ସମୟରେ ତାହାର ରିପୋର୍ଟ ଦେବ । କିନ୍ତୁ ସିବିଆଇ ଯେ ଠିକ୍ ସମୟରେ ତାହାର ରିପୋର୍ଟ ଦେବ କିମ୍ବା ସିବିଆଇ ପାଇଁ ତଦନ୍ତ ସାରିବାର ଠିକ୍ ସମୟ କ'ଣ, ତାହା ଆମେ କହି ପାରିବା ନାହିଁ । ସିବିଆଇ କରିଥିବା ଅନେକ ତଦନ୍ତ ଥଣ୍ଡା ବାକ୍ସକୁ ଚାଲି ଯାଇଛି । ଅନେକ ଥର ଏହି ସିବିଆଇ ସୂତ୍ର ମିଥ୍ୟା ପ୍ରମାଣିତ ହୋଇଛି । ଏମିତି ବି କାହିଁକି କୁହା ନଯିବ ଯେ, ମୋଟାମୋଟି ଭାବରେ ରେଲୱେ ନିରାପତ୍ତାରେ ସରକାରଙ୍କ ଅକ୍ଷମଣୀୟ ଅବହେଳାକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ଏବଂ ତଦ୍ୱାରା ରେଳମନ୍ତ୍ରୀ ଓ ବିଶେଷକରି ଲଗାତର ଭାବେ ବନ୍ଦେଭାରତ ଉଦ୍ଘାଟନରେ ଏକଚାଟିଆ ଶ୍ରେୟ ନେଉଥିବା ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଏହି ସିବିଆଇ ତଦନ୍ତର ଆଦେଶ ଦିଆଯାଇଛି ଓ ସୂତ୍ରରୁ ପ୍ରକାଶ କହି ମୂଳ ପ୍ରଶ୍ନଗୁଡିକରୁ ଧ୍ୟାନ ହଟା ଯାଉଛି ? କାହିଁକି କୁହା ଯିବ ନାହିଁ ଯେ ସେମାନଙ୍କ ଛବି ବଞ୍ଚାଇବା ପାଇଁ ଏହି ସିବିଆଇ ସୂତ୍ର ଏକ ଷଡ଼ଯନ୍ତ୍ର ‌ଅଟେ ?