ସାମାଜିକ ନ୍ୟାୟ ବିରୋଧରେ ବିଜେପିର ଅଭିଯାନ କାହିଁକି ?

ସାମାଜିକ ନ୍ୟାୟ ବିରୋଧରେ ବିଜେପିର ଅଭିଯାନ  କାହିଁକି ?

ନିଖିଳ ଭାରତ ସାମାଜିକ ନ୍ୟାୟ ଫେଡେରେସନ୍‌ର ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ ବିଜେପି ସରକାର ସାମାଜିକ ନ୍ୟାୟ ବିରୋଧୀ ବୋଲି ସ୍ପଷ୍ଟ ଭାବରେ ଅଭିଯୋଗ କରିଛନ୍ତି । ତାଙ୍କର ଯୁକ୍ତି ହେଲା ଯେ ସାମାଜିକ ନ୍ୟାୟ ଆନ୍ଦୋଳନକୁ ଓ ବ୍ୟବସ୍ଥାକୁ ଦୃଢ଼ୀଭୂତ କରିବା ପରିବର୍ତ୍ତେ କେନ୍ଦ୍ର ବିଜେପି ସରକାର ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅତି ଚତୁରତାର ସହିତ ମୁକ୍ତ ପ୍ରତିଯୋଗିତା ଜରିଆରେ ରହିଥିବା ୫୦ ଭାଗ ସ୍ଥାନ ସଂରକ୍ଷଣରୁ ଶତକଡ଼ା ୧୦ ଭାଗ ଉଚ୍ଚ ବର୍ଗର ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ପାଇଁ ବ୍ୟବସ୍ଥା କରି ସମ୍ବିଧାନ ସଂଶୋଧନ କରିଦେଇଥିଲେ । ଯାହାକୁ ଏବେ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିଛନ୍ତି । ଅର୍ଥାତ୍ ପୂର୍ବରୁ ପଛୁଆବର୍ଗମାନଙ୍କ ପାଇଁ ମଣ୍ଡଳ କମିଶନ ସୁପାରିସରେ ୨୭ ଭାଗ ସ୍ଥାନ ସଂରକ୍ଷଣ ପାଇଁ ଭିପି ସିଂହଙ୍କ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଉପରେ ସୁପ୍ରିମକୋର୍ଟଙ୍କ ଏକ ୯ଜଣିଆ ଖଣ୍ଡପୀଠ ବିଚାର କରି ବୈଧ ଘୋଷଣା କରିବା ସମୟରେ ମୋଟ ସଂରକ୍ଷଣ ସୀମା ଶତକଡ଼ା ୫୦ ଭାଗକୁ ଅତିକ୍ରମ କରିବ ନାହିଁ ବୋଲି ଯାହା କହିଥିଲେ, ଏହି ଉଚ୍ଚବର୍ଗର ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ପାଇଁ ତାହା ଲାଗୁ ହେବ ନାହିଁ ବୋଲି କୁହାଗଲା । ଅର୍ଥାତ୍ ଶତକଡ଼ା ୫୦ ଭାଗ ଉପରେ ୧୦ ଭାଗ ସଂରକ୍ଷଣ ସୁବିଧା କେବଳ ଉଚ୍ଚବର୍ଗର ଗରିବ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ରହିବ । ପୂର୍ବ ରାୟ ଅନୁସାରେ ମୋଟ ସଂରକ୍ଷଣ ସୀମା ୫୦ ଭାଗ ସ୍ଥିର କରିବା ସମୟରେ ସେଥିରେ ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଦଳିତ ଓ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ ପରେ ପଛୁଆବର୍ଗମାନଙ୍କୁ ୨୭ ଭାଗ ସ୍ଥାନ ସଂରକ୍ଷଣ ସୁବିଧା ମିଳିଥିଲା ।

ସାମାଜିକ ନ୍ୟାୟ କହିଲେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁମାନଙ୍କ ପାଇଁ ସରକାରୀ ଚାକିରି, ଶିକ୍ଷା ବ୍ୟବସ୍ଥା ଓ ଅନ୍ୟ ସମସ୍ତ ବ୍ୟବସ୍ଥାରେ ଉପଯୁକ୍ତ ପ୍ରତିନିଧିତ୍ୱ ପାଇଁ ସୁଯୋଗ ସୃଷ୍ଟି କରିବା । ଦେଶର ସମ୍ବିଧାନରେ ଦଳିତ ଓ ଆଦିବାସୀମାନଙ୍କ ସହିତ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ପ୍ରାବଧାନ ରହିଛି । ସେହି ଅନୁସାରେ ଭିପି ସିଂହଙ୍କ ସରକାର ମଣ୍ଡଳ କମିଶନ ସୁପାରିସ ଲାଗୁ କରିଥିଲେ । ଯଦିଓ ଭାରତରେ ସାମାଜିକ ନ୍ୟାୟ ଆନ୍ଦୋଳନର ପୃଷ୍ଠଭୂମି ଭାବରେ ତାମିଲନାଡୁରେ ସ୍ୱାଧୀନତା ପୂର୍ବରୁ ଏହି ଶ୍ରେଣୀଗୁଡିକ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିଲା । ସେଥିପାଇଁ ସେହି ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ସୀମା ୫୦ ଭାଗକୁ ଅତିକ୍ରମ କରିଯାଇଥିଲେ ମଧ୍ୟ ତାହା ଉପରେ କେହି କେବେ ପ୍ରଶ୍ନ ଉଠାଇନଥିଲେ । ଏପରିକି ଏହି ଆଇନ୍ ଯେପରି ସୁରକ୍ଷିତ ରହିବ ସେଥିପାଇଁ ସେହି ସଂରକ୍ଷଣ ଆଇନ୍‌କୁ ସମ୍ବିଧାନର ନବମ ସିଡୁଲ୍‌ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ବାହାରେ ଆର୍ôଥକ ଦୃଷ୍ଟିରୁ ଉଚ୍ଚବର୍ଗର ଅର୍ଥାତ୍ ଯେଉଁମାନେ ଏହି ସଂରକ୍ଷଣ ପାଉନଥିଲେ, ସେମାନଙ୍କର ଗରିବ ଶ୍ରେଣୀ ପାଇଁ ଲାଗୁ କରିବା ଫଳରେ ତାହାକୁ ସାମାଜିକ ନ୍ୟାୟ କୁହାଯାଇପାରିବ ନାହିଁ । ବରଂ ଏହା ଏକ ଆର୍ôଥକ ନ୍ୟାୟ ବୋଲି ବିବେଚିତ ହେବ । କିନ୍ତୁ ଏହି ବ୍ୟବସ୍ଥା ସାମାଜିକ ଓ ଶିକ୍ଷାଗତ ଦୁର୍ବଳ ଶ୍ରେଣୀ ପାଇଁ ଲାଗୁ ନକରାଯିବା ଦ୍ୱାରା ସାମାଜିକ ନ୍ୟାୟ ବ୍ୟବସ୍ଥା ପ୍ରତି ଏହାକୁ ଏକ ଧକ୍କା ବୋଲି ବିଚାର କରାଯାଉଛି । କାରଣ ସମ୍ବିଧାନରେ ପୂର୍ବରୁ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସିଧାସଳଖ ସଂରକ୍ଷଣ ବ୍ୟବସ୍ଥା ନଥିଲା । ଆହୁରି ମଧ୍ୟ ସାମାଜିକ ଓ ଶିକ୍ଷାଗତ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ସମୟରେ ସେମାନଙ୍କ ପାଇଁ ଯେଉଁ ସର୍ବାଧିକ ୮ଲକ୍ଷ ଟଙ୍କାର ବାର୍ଷିକ ଆୟ ବ୍ୟବସ୍ଥା ରହିଥିଲା, ତାହାକୁ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ପାଇଁ ମଧ୍ୟ ଲାଗୁ କରାଯାଇଛି । ଷ୍ଟାଲିନ୍ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆର୍ôଥକ ଭିତ୍ତିରେ ଗୋଟିଏ ଗୋଷ୍ଠୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇପାରିବ ନାହିଁ । କାରଣ ଆଜି ଯିଏ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସେ ପରଦିନ ଆର୍ôଥକ ଦୃଷ୍ଟିରୁ ସବଳ ହୋଇଯାଇପାରିବ । ତେଣୁ ଅର୍ଥନୈତିକ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ଆଦୌ ଠିକ୍ ନୁହେଁ । ଏହାକୁ କଦାପି ସାମାଜିକ ନ୍ୟାୟ କୁହାଯାଇପାରିବ ନାହିଁ ।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭିପି ସିଂହଙ୍କ ସରକାର ପଛୁଆ ବର୍ଗଙ୍କ ପାଇଁ ୧୯୯୦ ମସିହାରେ ସ୍ଥାନ ସଂରକ୍ଷଣ ଘୋଷଣା କରିବା ସମୟରେ ବିଜେପି ସେହି ସରକାରକୁ ଦେଉଥିବା ସମର୍ଥନ ପ୍ରତ୍ୟାହାର କରିନେବା ପାଇଁ ରାମ ମନ୍ଦିର ଆନ୍ଦୋଳନ ନିମନ୍ତେ ଆଡଭାନୀଙ୍କ ରଥଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଏହି ଆନ୍ଦୋଳନ ଯୋଗୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାରୁ ଲାଲକୃଷ୍ଣ ଆଡଭାନୀଙ୍କୁ ବିହାରରେ ଲାଲୁ ଯାଦବଙ୍କ ସରକାର ଗିରଫ କରିଥିଲା । ଫଳରେ ସଂଗେ ସଂଗେ ବିଜେପି ଭିପି ସିଂହଙ୍କ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରି ମଣ୍ଡଳ ବିରୋଧରେ କମଣ୍ଡଳ ଆନ୍ଦୋଳନକୁ ଗୁରୁତ୍ୱ ଦେଇଥିଲେ । ତେଣୁ ଭିପି ସିଂହଙ୍କ ସରକାର ଭାଙ୍ଗି ଯାଇଥିଲା । ଉତ୍ତର ଭାରତରେ ବିଶେଷ ଭାବରେ ଉତ୍ତରପ୍ରଦେଶ ଓ ବିହାରରେ ମଣ୍ଡଳ ଓ କମଣ୍ଡଳ ରାଜନୀତି ବହୁ ବର୍ଷ ପର୍ଯ୍ୟନ୍ତ ଚାଲିବା ପରେ ଉଚ୍ଚବର୍ଗର ଲୋକମାନେ କମଣ୍ଡଳ ବା ରାମ ମନ୍ଦିର ଆନ୍ଦୋଳନ ପ୍ରତି ଅଧିକ ଭାବରେ ଆକର୍ଷିତ ହୋଇଯାଇଥିଲେ । କିନ୍ତୁ ନରେନ୍ଦ୍ର ମୋଦି ବିଜେପିର ଜାତୀୟ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପିତ ହେବା ପରେ ସେ ନିଜକୁ ଜଣେ ପଛୁଆ ବର୍ଗର ଲୋକ ଭାବରେ ଉପସ୍ଥାପିତ କରିଥିଲେ । ଯଦିଓ ନରେନ୍ଦ୍ର ମୋଦିଙ୍କ ସଂପ୍ରଦାୟ ମଣ୍ଡଳ ସୁପାରିସରେ ବିଭିନ୍ନ ରାଜ୍ୟରେ ଯେଉଁ ଜାତିମାନଙ୍କୁ ଚିହ୍ନଟ କରିଥିଲେ, ସେଥିରେ ନରେନ୍ଦ୍ର ମୋଦିଙ୍କ ସଂପ୍ରଦାୟ ନଥିଲା । କିନ୍ତୁ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରେ ସେହି ରାଜ୍ୟରେ ଗଠିତ ପଛୁଆ ବର୍ଗ କମିଶନ ଜରିଆରେ ନିଜର ଜାତିକୁ ପଛୁଆ ବର୍ଗ ଶ୍ରେଣୀକୁ ଆଣିଥିଲେ । ଏହାକୁ ଭିତ୍ତିକରି ହିଁ ଉତ୍ତରପ୍ରଦେଶରେ ସେ ନିର୍ବାଚନ ଲଢ଼ୁଥିବା ସମୟରେ ବୁଲି ବୁଲି ସେ ପଛୁଆବର୍ଗର ବୋଲି କହିଥିଲେ ।

ଯଦିଓ ମଣ୍ଡଳ ରାଜନୀତି ଜୋର ଧରୁଥିବା ସମୟରେ କମଣ୍ଡଳ ରାଜନୀତି ଜରିଆରେ ଏହାକୁ ଧୀରେଧୀରେ ଦୁର୍ବଳ କରାଯାଇଥିଲା । କିନ୍ତୁ ଯେହେତୁ ୨୦୧୪ ଓ ୨୦୧୯ ନିର୍ବାଚନରେ ଯେଉଁ ସଂକେତ ଆସିଲା, ସେଥିରେ ଦେଖାଗଲା ଯେ ରାମ ମନ୍ଦିର ଆନ୍ଦୋଳନ ପ୍ରତି ଉଚ୍ଚବର୍ଗର ଲୋକମାନେ ଅଧିକ ଭାବରେ ଆକର୍ଷିତ ହୋଇ ବିଜେପିର ମୁଖ୍ୟ ଭୋଟ୍ ବ୍ୟାଙ୍କରେ ପରିଣତ ହୋଇଛନ୍ତି । ତେଣୁ ସେହି ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ସୁବିଧା ନିମନ୍ତେ ସମ୍ବିଧାନ ସଂଶୋଧନ କରାଗଲା । ଅଥଚ ଓଡ଼ିଶା, ମଧ୍ୟପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟରେ ଯେଉଁ ରାଜ୍ୟମାନଙ୍କରେ ଦଳିତ ଓ ଆଦିବାସୀମାନଙ୍କର ଜାତୀୟ ଲୋକସଂଖ୍ୟା ଅପେକ୍ଷା ଅଧିକ ସଂଖ୍ୟାରେ ସେହି ଶ୍ରେଣୀ ରହିଛନ୍ତି, ତେଣୁ ସେହିମାନଙ୍କୁ ସଂରକ୍ଷଣ ସୁବିଧା ଦେଲା ପରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ସୁବିଧା ୫୦ ଭାଗ ସୀମା ଭିତରେ କାର୍ଯ୍ୟ କରିବା ଅସମ୍ଭବ ହୋଇପଡିଛି । ଓଡ଼ିଶା ରାଜ୍ୟରେ ସେଥିପାଇଁ ପଛୁଆବର୍ଗଙ୍କ ପାଇଁ ଚାକିରିରେ ସଂରକ୍ଷଣ ମାତ୍ର ଶତକଡ଼ା ୧୧.୫ ଥିଲାବେଳେ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ସୁବିଧା ନାହିଁ । ଏହି ଅସୁବିଧାଗୁଡିକ ବିଭିନ୍ନ ରାଜ୍ୟରେ ଦୂର ପାଇଁ ଜାତୀୟ ସ୍ତରରେ ଯାହା କରାଯିବା କଥା ସେଥିପାଇଁ କେନ୍ଦ୍ର ସରକାର ଆଦୌ ଧ୍ୟାନ ଦେଇନାହାନ୍ତି । ଅଥଚ ଉଚ୍ଚବର୍ଗର ଗରିବ ଲୋକମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ନିମନ୍ତେ ସମ୍ବିଧାନ ସଂଶୋଧନ କରି ୫୦ ଭାଗ ସୀମାକୁ ସହଜରେ ଦୂର କରିପାରିଲେ । ଫଳରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ଶ୍ରେଣୀ ସାମାଜିକ ନ୍ୟାୟରେ ସମାନ ଅଧିକାର ଓ ସୁବିଧା ପାଇବାରୁ ବଞ୍ôଚତ ହୋଇଛନ୍ତି ।


ବାସ୍ତବରେ ସାମାଜିକ ନ୍ୟାୟ ପାଇଁ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁମାନଙ୍କର ସମସ୍ତ ତଥ୍ୟ ସରକାରଙ୍କ ପାଖରେ ରହିବା ଉଚିତ୍ । ସେଥିପାଇଁ ଜାତିଭିତ୍ତିକ ଜନଗଣନା ପାଇଁ ସାମାଜିକ ନ୍ୟାୟ ଆନ୍ଦୋଳନକାରୀମାନେ ଦାବି କରିଆସୁଛନ୍ତି । ବର୍ତ୍ତମାନ ଜନଗଣନା ଅନୁସାରେ ଦଳିତ ଓ ଆଦିବାସୀମାନଙ୍କର ଜାତି ଭିତ୍ତିକ ଜନଗଣନା କରାଯାଉଛି । କିନ୍ତୁ ପଛୁଆବର୍ଗ ବା ଅନ୍ୟମାନଙ୍କର ଜାତିଭିତ୍ତିକ ଜନଗଣନା କରାଯାଉ ନାହିଁ । ଅବଶ୍ୟ ଭାରତବର୍ଷରେ କରୋନା ନାମରେ ୨୦୨୧ ଜନଗଣନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଯଦିଓ ଦେଶରେ ନିର୍ବାଚନ କାର୍ଯ୍ୟ ଚାଲୁଛି ଓ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ, ସଭାସମିତି ଯଥାରୀତି କରିବାରେ କିଛି ଅସୁବିଧା ହେଉନାହିଁ, କିନ୍ତୁ ଜନଗଣନା କାର୍ଯ୍ୟ କରୋନା ଆଳରେ ଆରମ୍ଭ ହେଉନାହିଁ । ଯେଉଁ ଆର୍ôଥକ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇ ଉଚ୍ଚବର୍ଗଙ୍କୁ ସନ୍ତୁଷ୍ଟ କରାଯାଇଛି ବୋଲି ବିଚାର କରାଯାଉଛି ଏବଂ ୮୦ କୋଟି ଗରିବ ଲୋକଙ୍କୁ ଜଣଙ୍କ ପିଛା ମାସିକ ୫ କିଲୋ ଶସ୍ୟ ମାଗଣା ଦିଆଯାଇ ଏକ ବଡ଼ ଉପଲବ୍ଧି ହାସଲ କରାଯାଇଛି ବୋଲି ଦାବି କରାଯାଉଛି, ସେହି ବର୍ଗମାନଙ୍କର ପ୍ରକୃତ ଆର୍ôଥକ କ୍ଷମତା ସଂପର୍କରେ କୌଣସି ତଥ୍ୟ ୨୦୧୩ ପରେ ଏ ଦେଶରେ ହୋଇନାହିଁ । ବାସ୍ତବିକ ଘରକୁ ଘର ବୁଲି ୨୦୧୩ରେ ଯେଉଁ ଆର୍ôଥକ ସର୍ଭେ କରାଯାଇଥିଲା, ତାହାପରେ ଆଉ କୌଣସି ସର୍ଭେ ହୋଇନଥିବାରୁ ଦେଶରେ ଗରିବ ଲୋକମାନଙ୍କ ସଂଖ୍ୟା କେତେ ସେନେଇ ଯେଉଁ ତଥ୍ୟସବୁ ଦିଆଯାଉଛି ତାହା ସେହି ୨୦୧୩ ଭିତ୍ତିରେ କୁହାଯାଉଛି । ତେଣୁ ଗୋଟିଏ ଦୃଷ୍ଟିରୁ ଦେଖିଲେ ବିଜେପି କେବଳ ସାମାଜିକ ନ୍ୟାୟ ବିରୋଧୀ ହେବା ସଂଗେ ସଂଗେ ଗରିବ ଲୋକମାନଙ୍କ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ନକରି ଦେଶବାସୀଙ୍କୁ ବିଭ୍ରାନ୍ତ କରି ପ୍ରକୃତରେ ଏକ ଗରିବ ବିରୋଧୀ କାର୍ଯ୍ୟ କରୁଛି ବୋଲି କୁହାଯାଇପାରେ । ଅବଶ୍ୟ ସଂରକ୍ଷଣ ସୁବିଧା ଧୀରେ ଧୀରେ ମୂଲ୍ୟହୀନ ହେଉଛି ।

ସରକାର ଯେପରି ଭାବରେ ବିଭିନ୍ନ ସରକାରୀ ଚାକିରିରେ ଲକ୍ଷ ଲକ୍ଷ ପଦବୀ ଖାଲି ରଖୁଛନ୍ତି ଏବଂ ସରକାରୀ ଉଦ୍ୟୋଗଗୁଡିକୁ ଗୋଟିଏ ପରେ ଗୋଟିଏ ବିକ୍ରି କରୁଛନ୍ତି, ସେଥିରେ ସଂରକ୍ଷିତ ବର୍ଗର ଲୋକମାନେ ପ୍ରତିଦିନ କ୍ଷତିଗ୍ରସ୍ତ ହେଉଛନ୍ତି । ସାମାଜିକ ନ୍ୟାୟ ଆନ୍ଦୋଳନକାରୀମାନେ ସଂରକ୍ଷଣ ଭିତରକୁ ଅର୍ଥନୈତିକ ମାନଦଣ୍ଡକୁ ଆଣି ଉଚ୍ଚବର୍ଗଙ୍କୁ ସନ୍ତୁଷ୍ଟ କରିବା ଓ ପ୍ରକୃତ ସାମାଜିକ ଓ ଶିକ୍ଷାଗତ ଦୁର୍ବଳ ଶ୍ରେଣୀଙ୍କୁ ବଞ୍ôଚତ କରିବାର ଯେଉଁ ପ୍ରକ୍ରିୟା କେନ୍ଦ୍ର ସରକାର ଚଳାଇଛନ୍ତି, ତାହା ବିରୋଧରେ ଏକଜୁଟ ହେବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯଥାର୍ଥରେ ଆହ୍ୱାନ ଦେଇଛନ୍ତି ।



ମୋ-୮୦୧୮୦୯୪୪୫୫