ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୮

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୮

ଭାଗ-୮

ଜେନେରାଲ ମ୍ୟାନେଜର ସତ୍ୟାନନ୍ଦ ପୂଜାରୀଙ୍କ ଚ୍ୟାମ୍ୱରରେ ଏ.ସି.ର ତୀବ୍ରତା ଅଧିକ ଥିଲା। ଥଣ୍ଡାରେ ପ୍ରୀତି ମହାନ୍ତିର ଦେହ ଥରି ଯାଉଛି। ପ୍ରୀତି ଡେସ୍କରେ ପହଞ୍ଚିଲା ପରେ ପ୍ରଥମେ ତାକୁ ଯିଏ ଭେଟିଥିଲା ସେ ହେଲା ଅଫିସ ଆସିଷ୍ଟାଣ୍ଡ ସାହୁବାବୁ।  ସାହୁବାବୁ ତାଙ୍କ ପାନଖିଆ ଦାନ୍ତ ଦେଖେଇ ଗେହ୍ଲେଇ ଗେହ୍ଲେଇ କହିଲେ- ମ୍ୟାଡାମ ଆପଣଙ୍କୁ ଜି.ଏମ‌୍‍. ଖୋଜୁଥିଲେ। ସାର‌୍‍ ଏବେ ତାଙ୍କ ଚ୍ୟାମ୍ୱରରେ ଅଛନ୍ତି।

 ସାହୁବାବୁ କଥା ଶୁଣି ପ୍ରୀତି ମହାନ୍ତି ଦେହରେ ଛନକା ପଶିଗଲା। ତା ତରଫରୁ କିଛି ଆଉ ଭୁଲ‌୍‍ଭାଲ‌୍‍ ହେଲା କି? ତା'ର ଯାହା ମନେଅଛି ସେମିତି କିଛି ସେ ଭୁଲ କରିନାହିଁ, କିମ୍ୱା ତା ନାଁରେ କେହି କିଛି କମ୍ପ୍ଲେନ କଲାପରି କାମ ସେ କିଛି କରିନାହିଁ। ତଥାପି ଏ ଅଫିସରେ କାହାକୁ ବିଶ୍ୱାସ ନାହିଁ। ଏଠି କେହି ବି କାହା ନାଁରେ କିଛି ବି ଚୁଗୁଲି କରିଦେଇପାରେ। ପୂର୍ବରୁ ଏମିତି ଅନେକଥର ପ୍ରୀତି ମହାନ୍ତି ଚୁଗୁଲିର ଶିକାର ହୋଇଛି।

ପୂର୍ବରୁ ମାୟାଧର ନାଁରେ ପିଲାଟିଏ ବୁଲେଟିନ‌୍‍ କରୁଥିଲା। ତାକୁ ସମସ୍ତେ ଡାକୁଥିଲେ ଚୁଗୁଲିଆ ମାୟାଧର। ସେ କାମ କମ‌୍‍ କରେ, କିନ୍ତୁ ଚୁଗୁଲି ବେଶୀ କରେ। ଏମିତି କରି କରି ସେ ନିଜର ଦରମା ଭଲ ବଢ଼ାଇ ପାରିଥିଲା। ତା'ର ଗୁରୁତ୍ୱ ମଧ୍ୟ ମ୍ୟାନେଜ‌୍‍ମେଣ୍ଟରେ ବଢ଼ି ଯାଇଥିଲା। କିନ୍ତୁ ଶେଷକୁ ନିଜ ଚୁଗୁଲିର ଶିକାର ନିଜେ ହେଲା ଆଉ କମ୍ପାନୀ ଛାଡ଼ିକି ଗଲା।

 ପ୍ରୀତି ମହାନ୍ତି ଜି.ଏମ‌୍‍.ଙ୍କ ଚାମ୍ୱରରେ ପହଞ୍ଚିଲା ବେଳକୁ ସେ ଯେମିତି ତାକୁ ଅପେକ୍ଷା କରି ବସିଥିଲେ। ନାଁଟା ସତ୍ୟାନନ୍ଦ ପୂଜାରୀ। ଏ ଭଦ୍ରବ୍ୟକ୍ତି ପ୍ରକୃତରେ ସତ୍ୟର ଜଣେ ପୂଜାରୀ ପରି ଲାଗନ୍ତି। ବୟସ ବେଶୀ ନୁହେଁ। ଏ ପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି। ସୌନ୍ଦର୍ଯ୍ୟ ଦୃଷ୍ଟିରୁ ପ୍ରୀତି ଏ ଲୋକ ଜଣଙ୍କ ପ୍ରତି ଆକର୍ଷିତ ହୋଇପଡେ଼। ଏତେ ସୁନ୍ଦର ପୁରୁଷ ସେ ତା ଜୀବନରେ ଖୁବ‌୍‍ କମ‌୍‍ ଦେଖିଛି।

 କିନ୍ତୁ ଆଦିତି କହେ, ସତ୍ୟାନନ୍ଦ ବାବୁ ଟିକେ ମାଇଚିଆ ଲାଗନ୍ତି। ଏମିତିକା ବ୍ୟକ୍ତିକୁ ସ୍ୱାମୀ କରି ବାହାର ଦୁନିଆରେ ପ୍ରଦର୍ଶନ କରିହୁଏ, କିନ୍ତୁ ସେକ୍ସ ପାଇଁ ଏମାନେ ସେତେ ପ୍ରବୀଣ ନୁହଁନ୍ତି। ଆଦିତିର ଏମିତି ଅଲାଜୁକି ପରି ସିଧାସଳଖ ମନ୍ତବ୍ୟ ପ୍ରୀତି ମହାନ୍ତିକୁ ଅଡୁଆ ଲାଗେ। କିନ୍ତୁ କଥାଟି ତାକୁ ଆପାତତଃ ସତ ପରି ଲାଗେ। ସେଇଥିପାଇଁ ସେ ବୋଧେ ବରେଣ୍ୟ ପଛରେ ପଡ଼ିଯାଇଥିଲା। ବରେଣ୍ୟର ଉଦ୍ଦାମ ପୌରୁଷ, ତା ପ୍ରତି ପ୍ରୀତି ମହାନ୍ତି ଆକର୍ଷିତ ହୋଇପଡ଼ିବାର ଗୋଟେ ମୁଖ୍ୟ କାରଣ। ପ୍ରୀତି ମହାନ୍ତି ନିରବରେ ଏହାକୁ ସ୍ୱୀକାର କରେ।

 ପ୍ରଥମେ ଜି.ଏମ‌୍‍. ହିଁ କଥା ଆରମ୍ଭ କଲେ। କହିଲେ- କନ‌୍‍ଗ୍ରାଟ‌୍‍ସ ପ୍ରୀତି... ସୁନ‌୍‍ ୟୁ ୱିଲ‌୍‍ ବି ଗିଭିନ‌୍‍ ଏ ନ୍ୟୁ ଆସାଇନ‌୍‍ମେଣ୍ଟ...

 ହଠାତ‌୍‍ ପ୍ରୀତି ମହାନ୍ତି ଆଶ୍ଚର୍ଯ୍ୟ ତ ହେଲା, ତାକୁ ଦିଆଯାଉଥିବା ଦାୟିତ୍ୱଟି କ'ଣ ହୋଇପାରେ ତାହା ଜାଣିବାକୁ ଉଦ‌୍‍ବିଗ୍ନ ମଧ୍ୟ ହୋଇପଡ଼ିଲା। ଟିକିଏ ଭୟ ମଧ୍ୟ କଲା।

 ଜି.ଏମ‌୍‍. ପୁଣି କହିଲେ- ତମକୁ ଗୋଟେ ନୂଆ ୱିକ‌୍‍ଲି ପ୍ରୋଗ୍ରାମ ଦିଆଯାଉଛି। ସେଇଟା କି ଧରଣର ପ୍ରୋଗ୍ରାମ‌୍‍ ତାହା ଜାଣିବାକୁ ଚାହିଁବ ନାହିଁ?

 ସେ ପର୍ଯ୍ୟନ୍ତ ପ୍ରୀତି ମହାନ୍ତି ଅନ୍ୟମନସ୍କତା ଭିତରେ ଥିଲା। ଆଦିତି ଠିକ‌୍‍ ସୂଚନା ଦେଇଥିଲା। ସେଦିନ ଚାପିଉ ପିଉ ସେ ହିଁ କହିଥିଲା ଯେ, ତାକୁ ଗୋଟେ ନୂଆ ପ୍ରୋଗ୍ରାମ କରିବାକୁ ପଡ଼ିବ। କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ସେ ଯେ ଗୋଟେ ପ୍ରୋଗ୍ରାମ ପ୍ରଡ୍ୟୁସ‌୍‍ କରିପାରିବ, ତାହା ସେ ଚିନ୍ତା ମଧ୍ୟ କରିପାରୁ ନାହିଁ। ତେଣୁ ବିନମ୍ରତାର ସହିତ ପଚାରିଲା- କି ପ୍ରୋଗ୍ରାମ ସାର‌୍‍... ମୁଁ କ'ଣ ପାରିବି?... ପ୍ରୀତି ମହାନ୍ତିର ଦେହ ଏ.ସି. ଥଣ୍ଡାରେ ଥରି ଯାଉଥିଲା।

 ସତ୍ୟାନନ୍ଦ ବାବୁ ପରିବେଶକୁ ବେଶ‌୍‍ ବୁଝିପାରନ୍ତି। ସେ ପ୍ରଥମ ଏ.ସି. ବନ୍ଦ କରିଦେଲେ। ତା'ପରେ ଚାପାଇଁ ଅର୍ଡର ଦେଇ କହିଲେ- ପ୍ରୀତି, ତମେ କେବେ ଆଙ୍କରିଂ କରିପାରିବ ବୋଲି ଭାବିଥିଲ? ଏ ପ୍ରଶ୍ନର ଉତ୍ତର ନିଶ୍ଚୟ- ନା। କିନ୍ତୁ ଏବେ ତମେ ରାଜ୍ୟର ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଜଣେ ସକ୍ସେସ‌୍‍ଫୁଲ‌୍‍ ଆଙ୍କର। ତା'ହେଲେ ତମେ ଗୋଟେ ନୂଆ ପ୍ରୋଗ୍ରାମ କାହିଁକି କରିପାରିବ ନାହିଁ ବୋଲି ଭାବୁଛ?

 ପ୍ରକୃତରେ ପ୍ରୀତି ମହାନ୍ତି ଏମିତି ଗୋଟେ ସୌଜନ୍ୟ ଦୃଷ୍ଟିରୁ କହିଦେଇଥିଲା ଯେ ସେ ପ୍ରୋଗ୍ରାମ ପ୍ରଡ୍ୟୁସ‌୍‍ କରିପାରିବ କି ନାହିଁ... କିନ୍ତୁ ତା ବଦଳରେ ତାକୁ ଏତେବଡ଼ ଗମ୍ଭୀର ଭାଷଣ ଶୁଣିବାକୁ ପଡ଼ିବ ବୋଲି ସେ ଜାଣିନଥିଲା। ପ୍ରୋଗ୍ରାମଟିଏ କରିବାକୁ ତା'ର ଆଗ୍ରହ ତ ନିଶ୍ଚୟ ରହିଛି। କିନ୍ତୁ ଏଥିପାଇଁ ତାକୁ ତ ମ୍ୟାନେଜ‌୍‍ମେଣ୍ଟ ଆସାଇନ‌୍‍ କରିବା ଆବଶ୍ୟକ। ଏବେ ସେ ସୁଯୋଗ ଆସିଛି। ତାକୁ ହାତଛଡ଼ା କରିବା ଉଚିତ ନୁହେଁ। କହିଲା- କିନ୍ତୁ ସାର‌୍‍, ମୁଁ ତ ପୂରା ନୂଆ। କେମିତି କ'ଣ କରିବି?

 ସତ୍ୟାନନ୍ଦ ବାବୁ ନିଜେ ଚା' ପିଇଲେ ଏବଂ ପ୍ରୀତିକୁ ଦେଲେ। କହିଲେ- ଏଟା ଗୋଟେ ୱିମେନ‌୍‍ ବେସ‌୍‍ଡ ପ୍ରୋଗ୍ରାମ। ମହିଳାଙ୍କ ସମସ୍ୟା ଓ ସୁବିଧାକୁ ନେଇ ଏହା ତିଆରି ହେବ। ଏଥିପାଇଁ ମୁଁ ବରେଣ୍ୟ ସହିତ କଥା ହୋଇଛି। ସେ ତମକୁ ଗାଇଡ‌୍‍ କରିବ। ତା ସହ ଆଉଗୋଟେ ମିଟିଂ ସାରିବା ପରେ ତମେ ପାଇଲଟ‌୍‍ ଆରମ୍ଭ କରିବ।

ବରେଣ୍ୟ? ପ୍ରୀତି ମହାନ୍ତି ହଠାତ‌୍‍ ଚମକି ପଡ଼ିଲା। ଓଃ ! ପୁଣି ବରେଣ୍ୟ ! କିନ୍ତୁ ଆଉ ଚାରା ମଧ୍ୟ ନାହିଁ। ବରେଣ୍ୟ ସହ ତା'ର ସଂପର୍କ କ'ଣ ସତ୍ୟାନନ୍ଦ ବାବୁ ଜାଣନ୍ତି? ଅଫିସ‌୍‍ରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ପ୍ରୀତି ମହାନ୍ତିକୁ ସାହାଯ୍ୟ କରିବାକୁ ଗୋଡ଼ ଟେକି ବସିଛନ୍ତି। ଏଇ ଯେମିତି ବଳଭଦ୍ର ବାବୁ। ଏ ଲୋକଟି ଟିକେ ପ୍ରେମାଳୁ। ଝିଅ ଦେଖିଲେ ରସିକ ପରି ହୁଏ। କିନ୍ତୁ ଉଦ୍ଦେଶ୍ୟ ଏତେ ଖରାପ ନୁହେଁ। ବିବାହିତ। ଯେତେବେଳେ ବି ସାହାଯ୍ୟ ମାଗିଲେ, ସେ ଅତି ଆଗ୍ରହର ସହ ଆଗେଇ ଆସନ୍ତି। କିନ୍ତୁ ମ୍ୟାନେଜମେଣ୍ଟ ବରେଣ୍ୟକୁ କାହିଁକି ଉଚିତ ମନେକଲା, ତାହା ପ୍ରୀତି ମହାନ୍ତିକୁ ଆଶ୍ଚର୍ଯ୍ୟ କରୁଛି।

ସତ୍ୟାନନ୍ଦ ବାବୁ ପ୍ରୀତି ମହାନ୍ତିର ଅନ୍ୟମସ୍କତା ପଢ଼ିନେଲେ। କହିଲେ- ମୁଁ ଭାବୁଛି, ବରେଣ୍ୟ ସହ କାମ କରିବାରେ ତମର କିଛି ଅସୁବିଧା ହେବନାହିଁ। ସେ ବହୁତ ଇଣ୍ଟେଲିଜେଣ୍ଟ। ତା' ପରେ ଏମିତି ବି ତମେ ଦୁଇଜଣ ବହୁତ ଭଲ ଫ୍ରେଣ୍ଡ। ଏନି ପ୍ରବ୍ଲେମ‌୍‍?

 ପ୍ରୀତି ମହାନ୍ତି କେବଳ ଟିକେ ହସିଦେଲା। କହିଲା- ନା ସାର‌୍‍, ସେମିତି କିଛି ନୁହେଁ। ଯିଏ ହେଲେବି ତାଙ୍କ ସହ କାମ କରିବାରେ ମୋର କୌଣସି ସମସ୍ୟା ନାହିଁ। ଅଭିଜ୍ଞତା ହାସଲ କରିବାରେ ଇଏ ଆଉ ଗୋଟେ ମୌକା। ତେଣୁ ଏହା ମୋ ପାଇଁ ଗୋଟେ ସୁଯୋଗ ନିଶ୍ଚୟ।

 ସତ୍ୟାନନ୍ଦ ବାବୁ କହିଲେ- ଦ୍ୟାଟ‌୍‍ସ ଲାଇକ‌୍‍ ଏ ଗୁଡ ଗାର୍ଲ।

 ଏତିକି କହି ହ୍ୟାଣ୍ଡସେକ‌୍‍ କରିବାକୁ ସେ ପ୍ରୀତି ମହାନ୍ତି ଆଡ଼କୁ ହାତ ବଢ଼ାଇଲେ। ପ୍ରୀତି ମହାନ୍ତି ମଧ୍ୟ ହାତ ବଢ଼େଇଲା। ଆଉ ହ୍ୟାଣ୍ଡସେକ‌୍‍ରୁ ପାଇଲା ଏକ ଉଷ୍ଣ ଚମକ। ଆଃ ! ପ୍ରୀତିପୂର୍ଣ୍ଣ !

(କ୍ରମଶଃ)

 (ଭାଗ-୯ର ଆକର୍ଷଣ: - ‘ତମେ ଟିକେ ରବି ବୁଝାଅ ବରେଣ୍ୟକୁ। ମୁଁ ତା' କଥାରେ ଅରାଜି ନୁହେଁ, କିନ୍ତୁ ଜୀବନ ଏମିତି କିଛି ସହଜ ନୁହେଁ।

- "କିନ୍ତୁ ଜଣେ ବିଧବା ତ ଅଛୁଆଁ ନୁହେଁ? ତା’ର ବି ମନ ଅଛି। ତା’ର ବି ଶରୀର ଅଛି। ବାହାଘର କ’ଣ କେବଳ ଦୁଇଟି ଶରୀରର ମିଳନ ବାପା?' ନିଜର ଯୁକ୍ତି ଉପସ୍ଥାପନ କରୁକରୁ ଭାବପ୍ରବଣ ହୋଇ ପଡୁଥିଲା ବରେଣ୍ୟ।)

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୭