ରାହୁଲ ଗାନ୍ଧୀଙ୍କୁ ବେଲ ମିଳିଲା ପରେ ....

ରାହୁଲ ଗାନ୍ଧୀଙ୍କୁ ବେଲ ମିଳିଲା ପରେ ....

ରାହୁଲ ଗାନ୍ଧୀଙ୍କୁ ଗୁଜରାଟର ଏକ ନିମ୍ନ ଅଦାଲତ ମାନହାନୀ ମକଦ୍ଦମାରେ ୨ ବର୍ଷ ଜେଲ ଦଣ୍ଡ ଦେବା ପୃଥିବୀର ଇତିହାସରେ ଏକ ବିରଳ ଦୃଷ୍ଟାନ୍ତ ନିଶ୍ଚୟ । କୌଣସି ଗଣତାନ୍ତ୍ରିକ ଦେଶରେ ଏ ଭଳି ବିଚାର ପ୍ରାୟତଃ ହୁଏନାହିଁ । ଏହାକୁ ନେଇ ଜଣେ ନିର୍ବାଚିତ ଲୋକସଭା ସଦସ୍ୟଙ୍କ ସଭ୍ୟପଦ ଚାଲିଯିବା ଆଉ ଏକ ବିସ୍ମୟ । ଏଥିରୁ ଗୋଟେ କଥା ପ୍ରମାଣିତ ହେଉଛି ଯେ ଆମ ଦେଶର ନ୍ୟାୟ ବ୍ୟବସ୍ଥା ଆଜି ମଧ୍ୟ ପରିପକ୍ଵ ହୋଇନାହିଁ ଏବଂ ଗଣତନ୍ତ୍ରକୁ ବିପନ୍ନ କରିବାକୁ ନ୍ୟାୟପାଳିକାକୁ ଯେ କେହି ବ୍ୟବହାର କରିପାରିବ । ଗୋଟେ ନିର୍ବାଚନୀ ସଭାର ଭାଷଣ ଯଦି ଅପରାଧୀମୂଳକ ମାନହାନୀର ଆଧାର ହୁଏ ତାହେଲେ ଏ ଦେଶର ନବେ ଭାଗ ରାଜନେତା ଜେଲରେ ରହିବା ଉଚିତ ହେବ । ଗୋଟେ ଦଳ ଆଉ ଗୋଟେ ଦଳକୁ ଭ୍ରଷ୍ଟ ବୋଲି କହିବା ଆମ ରାଜନୀତିର ଏକ ସାଧାରଣ ଘଟନା । ଯେମିତି ବିଜେପି ପ୍ରତିଦିନ କଂଗ୍ରେସକୁ ଦୁର୍ନୀତିଗ୍ରସତ ବୋଲି କହିଚାଲିଛି, ହେଲେ ଏ ଦେଶର କୌଣସି ଅଦାଲତରେ କଂଗ୍ରେସ ବିରୋଧରେ ଦୁର୍ନୀତି ଅଭିଯୋଗ ପାଇଁ ଏହି ଦଳକୁ ଦୋଷୀ ସାବ୍ୟସ୍ତ କରିନାହାନ୍ତି । ତେଣୁ କଂଗ୍ରେସ ବିଜେପି ନାମରେ ମାନହାନୀ ମକଦ୍ଦମା କରିବା ଉଚିତ ହେବ କି ?  

ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ହେବା ପରେ ଏହାକୁ ନେଇ, ରାହୁଲଙ୍କ ଅପେକ୍ଷା ବିଜେପି ଅଧିକ ଚିନ୍ତିତ ଜଣା ପଡୁଥିଲା । ବିଜେପିର ବଡ ନେତାମାନେ ରାହୁଲ ଗାନ୍ଧୀ କାହିଁକି ତାଙ୍କ ଜେଲ ଦଣ୍ଡାଦେଶ ବିରୋଧରେ ଉପର ଅଦାଲତକୁ ଯାଉନାହାନ୍ତି ବୋଲି ଗୃହମନ୍ତ୍ରୀ ଅମିତ ଶାହ ଓ ତାଙ୍କର ସବୁ ମନ୍ତ୍ରୀ ଉଦବିଗ୍ନ ହୋଇପଡୁଥିଲେ । ଆଜି ରାହୁଲ ଗାନ୍ଧୀ ସୁରତ ସେସନ୍ସ କୋର୍ଟରେ ଅପିଲ କଲାପରେ ତାଙ୍କୁ ଜାମିନ ମିଳିଛି ଓ ତାଙ୍କ ଜେଲ ଦଣ୍ଡାଦେଶ ପରବର୍ତ୍ତୀ ଫଇସଲା ଯାଏ ନିଲମ୍ବିତ ରହିଛି । ଅର୍ଥାତ ରାହୁଲ ଗାନ୍ଧୀ ଆଉ ଜେଲ ଯିବେ ନାହିଁ । ରାହୁଲ କାଳେ ଜେଲକୁ ଯାଇ ପାରନ୍ତି, ଏଇ ଭୟରେ ବିଜେପିର ନିଦ ହଜି ଯାଇଥିଲା । ରାହୁଲଙ୍କୁ ଜେଲ ଦଣ୍ଡର ବ୍ୟବସ୍ଥା କରି ଓ ତାଙ୍କୁ ସଂସଦରୁ ଦୂରେଇ ରଖିବାର ଷଡଯନ୍ତ୍ର କରି ବିଜେପି ଯେ ଏତେ ଅଧିକ ଅପଦସ୍ତ ହେବ, ଏହା ତାଙ୍କ କଳ୍ପନା ବାହାରେ ଥିଲା । ତେଣୁ ରାହୁଲ ତୁରନ୍ତ ଅପିଲ କରନ୍ତୁ ଓ ତାଙ୍କ ଜେଲ ଦଣ୍ଡାଦେଶ ଟଳି ଯାଉ ଏହା ବିଜେପିର ସବୁଠୁ ବଡ ଆଗ୍ରହ ଥିଲା

ଆଜି ରାହୁଲଙ୍କୁ ବେଳ ମିଳିଥିବା ବେଳେ ଆସନ୍ତା ଏପ୍ରିଲ ୧୩ ତାରିଖରେ ଦଣ୍ଡାଦେଶ ଉପରେ ରହିତାଦେଶ ମିଳିବ କି ନାଇଁ ତାହା ସ୍ପଷ୍ଟ ହୋଇଯିବ । ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ମିଳିଲେ ରାହୁଲଙ୍କୁ ଲୋକସଭା  ସଦସ୍ୟ ପଦ ଫେରାଇବାକୁ ବାଚସ୍ପତି ବାଧ୍ୟ ହେବେ । ଏହା ବିଜେପିକୁ ଆହୁରି ଲଜ୍ଜାଜନକ ସ୍ଥିତିକୁ ଟାଣିଆଣିବ । ରାହୁଲଙ୍କୁ ସଭ୍ୟ ପଦରୁ ବରଖାସ୍ତ କରି ଏବଂ ତାଙ୍କୁ ସରକାରୀ ବାସଗୃହରୁ ଉଚ୍ଛେଦ କରି ବିଜେପି ଭାବୁଥିଲା ଏହା ରାହୁଲଙ୍କୁ ହୀନସ୍ତା କରିବ । ଅଗଣିତ ବିଜେପି ରାଜନେତା ସରକାରୀ ପଦପଦବୀରେ ନଥାଇ ସରକାରୀ ଘରେ ରହୁଥିବା ବେଳେ ରାହୁଲଙ୍କୁ ଲୋକସଭା ପଦରୁ ଯିବାର ୪୮ ଘଣ୍ଟା ଭିତରେ ଘର ଛାଡିବାର ନୋଟିସ ଦେବା ବିଜେପି ସରକାରର ନିମ୍ନ ରୁଚିବୋଧ ଏବଂ ସଙ୍କୁଚିତ ହୃଦୟର ରାଜନୀତି କରୁଥିବା ଏକ ଦଳ ଭାବରେ ପରିଚିତ କରାଇଛି ।

ଆଜି ରାହୁଲଙ୍କୁ ବେଳ ମିଳିବା ପରେ ଆସନ୍ତା ପନ୍ଦର ଦିନ ଭିତରେ ସ୍ଵାଭାବିକ ଭାବରେ ତାଙ୍କର ସଭ୍ୟପଦ ଫେରସ୍ତ ମିଳି ଯାଇପାରେ । ତା ପରେ ବିଜେପି କରିବ କଣ ? ରାହୁଲ ଗାନ୍ଧୀଙ୍କୁ ପ୍ରତି ଦିନ ଗାଳି କରିବା ଏବଂ ତାଙ୍କୁ ପିଲାଳିଆ କହିବାର ସବୁଠୁ ଅଧିକ ପିଲାଳିଆମୀ ବିଜେପିର ମନ୍ତ୍ରୀମାନେ କରୁଛନ୍ତି । ବିଜେପି ମନ୍ତ୍ରୀମାନଙ୍କ  ରାହୁଲ ବିରୋଧୀ ଟୀକା ଟିପ୍ପଣୀ ଦେଖିଲେ ଲାଗୁଛି, ଯେମିତି କି ରାହୁଲ ଗାନ୍ଧୀ ଏ ଦେଶର ପ୍ରଧାନମନ୍ତ୍ରୀ ଓ ମୋଦୀ ସରକାରର ମନ୍ତ୍ରୀମାନେ ଆଜି ବି ବୋଧେ ବିରୋଧୀ ଦଳରେ ବସିଛନ୍ତି !!

ରାହୁଲ ଗାନ୍ଧୀ ସଂସଦକୁ ଫେରିବା ମୋଦୀ ସରକାର ଲାଗି ସବୁଠୁ ବଡ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିବ ।