ମଣିପୁରର ଛବି ବିଭତ୍ସ ଓ ବର୍ବର, ହେଲେ ଏହା ହିଁ ଆମ ଦେଶର ବାସ୍ତବତା

ମଣିପୁରର ଛବି ବିଭତ୍ସ ଓ ବର୍ବର, ହେଲେ ଏହା ହିଁ ଆମ ଦେଶର ବାସ୍ତବତା

ଅନେକ ବନ୍ଧୁ କହୁଛନ୍ତି, ମଣିପୁରର ଛବି ବା ଭିଡିଓ ଦେଖାନ୍ତୁ ନାହିଁ । ଏହା ବିଭତ୍ସ ଓ ଭୟଙ୍କର । ତେବେ ଏ ଛବି ଦେଖିନଥିଲେ ଆମେ କେମିତି ଜାଣିଥାନ୍ତୁ ମଣିପୁରରେ କଣ ଘଟୁଛି ? ପ୍ରଥମେ ଏହାର ଉତ୍ତର ଖୋଜନ୍ତୁ । ମଇ ୩ ତାରିଖରୁ ମଣିପୁର ଜଳୁଛି । ଶହ ଲୋକ ମଲେଣି । ଶହ ଶହ ଗାଁ ଉଜୁଡି ଗଲାଣି । ଲକ୍ଷାଧିକ ଲୋକ ଏବେ ନିଜ ଦେଶରେ ଶରଣାର୍ଥୀ । ଏ ପ୍ରସଙ୍ଗରେ କେତେ କଣ ଲେଖାଗଲାଣି – ଆପଣ ସେସବୁ ପଢି କେବେ ବିଚଳିତ ହୋଇଥିଲେ ? ହଠାତ ଆପଣଙ୍କ ବିବେକ କାଲିଠୁ ଜାଗି ଉଠିଛି କାହିଁକି ?

ମଣିପୁରର ବିଭତ୍ସ ଭିଡିଓ କି ଫଟୋଗ୍ରାଫ ଦେଖିଲା ପରେ ଯାଇ ଆମର ରକ୍ତ ତାତୁଛି । ତେବେ ଅସଲ ସତ୍ୟ ହେଉଛି ଏ ଘଟଣା ମଇ ୪ ତାରିଖରେ ଘଟିସାରିଥିଲା ଯାହାକୁ ମଣିପୁର ଓ ଭାରତ ସରକାର ଲୁଚାଇ ରଖିଥିଲେ। ଇଣ୍ଟରନେଟ ବନ୍ଦ କରି ଦଙ୍ଗା ନିୟନ୍ତ୍ରଣ କରୁଛନ୍ତି ବୋଲି ଭାରତ ସରକାରଙ୍କ ଯୁକ୍ତି ପଛରେ ଅସଲ ଉଦ୍ଦେଶ୍ୟ ହେଉଛି ସତ୍ୟକୁ ଲୁଚାଇବା।‌ତେବେ ସତ୍ୟର ପ୍ରକୃତି ହେଲା ସେ ପାତାଳରୁ ଫୁଟି ବାହାରିବ। ଗତ ନଅ ବର୍ଷରେ ଏମିତି ଅନେକ ନାରକୀୟ ଘଟଣାକୁ ଚାପି ଦିଆଯାଇଛି। ୨୦୧୪ ପୂର୍ବରୁ ଭାରତୀୟ ମାନେ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ଇଣ୍ଡିଆ ଗେଟ ଆଗରେ ରାତି ରାତି ବସି ରହୁଥିଲେ। ସେତେବେଳେ ତାହା ଥିଲା ଦେଶପ୍ରେମ। ଆଜିର ଦେଶପ୍ରେମ ହେଉଛି ସତ୍ୟକୁ ଦେଖ ନାହିଁ କି ଦେଖାଅ ନାହିଁ। ନିଜ ଭିତରେ ରହିଥିବା ଜଘନ୍ୟ ଦଙ୍ଗାକାରୀ, ଧର୍ଷଣକାରୀ ଓ ହିଂସ୍ର ଚରିତ୍ର କୁ ଦେଶପ୍ରେମର ଏକ ସ୍ବରୂପ ବୋଲି ଆମେ ଭାବିନେଇଛୁ।

ମଣିପୁରରେ ଗତ ଅଶୀ ଦିନ ଧରି ଏମିତି କେତେ ନାରୀଙ୍କର ଇଜ୍ଜତ ଲୁଟ ହୋଇଛି, ହତ୍ୟା କରାଯାଇଛି, ଶହ ଶହ ଧର୍ମସ୍ଥଳ ପୋଡାଯାଇଛି, ଶହ ଶହ ଗାଁ ଜାଳି ଦିଆହୋଇଛି ଏବଂ ମଣିପୁର ଲୋକଙ୍କ ଆକୁଳ ନିବେଦନକୁ ହଜାଇ ଦିଆ ଯାଇଛି। ସେଠି ଜଣେ ମୁଖ୍ୟମନ୍ତ୍ରୀ ଅଛି ଯିଏ କହୁଛି ଏତେ ବଡ଼ ଅପରାଧ ସମ୍ପର୍କରେ ସେ ଭାଇରାଲ ଭିଡିଓ ଦେଖି ଜାଣିଲେ। ଭିଡିଓ ଦେଖିଲା ପରେ ଯାଇ ପ୍ରଧାନମନ୍ତ୍ରୀଙ୍କ ଶୁପ୍ତ ବିବେକ ଜାଗ୍ରତ ହେଲା ଓ ଆଜି ତାଙ୍କ ପାଟି ଫିଟିଲା। ଭିଡିଓ ଦେଖିଲା ପରେ ଯାଇ ଆମ ଭାରତୀୟଙ୍କ କ୍ରୋଧ ଜାଗ୍ରତ ହେଲା। ତେଣୁ ସେ ଫଟୋ ଓ ଭିଡ଼ିଓ ପ୍ରତ୍ୟେକ ଭାରତୀୟଙ୍କ ଘର ଆଗରେ ଝୁଲିବା ଦରକାର। ଗୋଟେ ଅବିବେକୀ ଓ ଅମଣିଷ ସମାଜକୁ ମଣିଷ କରିବାକୁ ହେଲେ କିଛି ବିଭତ୍ସ ଚିତ୍ର ଦେଖିବାକୁ ଇ ପଡ଼ିବ। ଆଖି ବୁଜିଦେଲେ ସତ୍ୟର ଚେହେରା ବଦଳି ଯିବ ନାହିଁ ।

ସରକାର ବି ଚାହୁଁଛି ଆପଣ ସେ ଫଟୋ କି ଭିଡିଓ ଦେଖନ୍ତୁ ନାଇଁ । ସେଥିଲାଗି ସରକାର ଟ୍ବିଟରକୁ କହୁଛି- ସେ ଫଟୋ ଓ ଭିଡିଓ ହଟାଅ । ସେ ଫଟୋ ଥିବା ଯାଏ ସରକାରର ଅକର୍ମଣ୍ୟ ଚେହେରା ଦିଶିବ । ସେ ଫଟୋ ଦେଖିଲେ ଯାଇ ଜଣା ପଡିବ ଯେ ଏ ଦେଶର ସବୁଠୁ କୁହାଳିଆ ପ୍ରଧାନମନ୍ତ୍ରୀ ଏ ଦେଶର ସବୁଠୁ ଜଘନ୍ୟ ଅପରାଧ ଦେଖି ପାଟିରେ ତାଲା ଦେଇ ବସି ରହିଥିଲେ । ମଣିପୁରକୁ ନେଇ ୟୁରୋପର ଚର୍ଚ୍ଚା କରୁଥିବା ବେଳେ ଆମ ପାର୍ଲିଆମେଣ୍ଟରେ ଏ ପ୍ରସଙ୍ଗ ଉଠାଇଦେବାକୁ ସରକାର ସୁଯୋଗ ଦେଉନାହିଁ । ଏ ଫଟୋ ଆମକୁ କହିବ ଯେ ଡବଲ ଇଞ୍ଜିନ ସରକାର କହିଲେ ମଣିପୁରକୁ ଦେଖ ।

ଏ ଫଟୋ ଜଘନ୍ୟ ।

ଏ ଫଟୋ ଅଶ୍ଳୀଳ।

ଏ ଫଟୋ ବର୍ବରତାର ପ୍ରତୀକ ।

ତେବେ ଏହି ନାରକୀୟ ପାଶବିକତା, ଏହି ଅଶ୍ଳୀଳତା, ଏହି ବର୍ବରତା ଓ ଏ ସବୁକୁ ଦେଖି ଚୁପ ବସିଥିବା ଆମର ଶାସନ ବ୍ୟବସ୍ଥା- ଏହା ହିଁ ସତ୍ୟ ।

ଆପଣଙ୍କୁ ଭଲ ଲାଗୁ କି ନ ଲାଗୁ, ସତ୍ୟକୁ ଦେଖିବାକୁ ପଡିବ