( ପ୍ରାୟ ଦଶ ବର୍ଷ ତଳେ ଭାରତ ମାଝୀ ଏ କବିତା ଲେଖିଥିଲେ । ମୂଳ କବିତାର ଶୀର୍ଷକ ଥିଲା "ସାତ କବି, ସାତ କବିତା" । ନିଜ ସମୟର ସାତ ଜଣ କବିବନ୍ଧୁଙ୍କୁ ନେଇ ଲିଖିତ ଏ କବିତା ଗୋଟେ ଭିନ୍ନ ଧାରାର ଆଭାସ ଦେଇଥିଲା ସେତେବେଳେ । ସେଇ ସାତଜଣଙ୍କ ମଧ୍ୟରୁ ଆଜି ଅଖିଳ ନାୟକ ଆଉ ନାହାନ୍ତି । ସେଇ ସାତ କବିତାରୁ ଅଖିଳଙ୍କ ସ୍ମୃତିରେ ଏଇ କବିତା । )
ଚାଳସଂଧିରେ ଖଇନି ପୁଡିଆ ଭଳି ଗୁଂଜା ହେଇଚି କବିତା
ଚଢ଼େଇ ଉଡିଲା ଭଳି ଶବ୍ଦ ଶୁଣୁଚି କାନ ସବୁବେଳେ
ଜୋର ଟପିଲା ପରେ ଆମ ଗାଁ, ସେଇଠି ବଗ ଓ ବାଦୁଡି
ଖଳା-ମାସରେ ଠାକୁରାଣୀ ଗୁଡି ପାଖରେ ଖେଳୁଚି ଶୀତ-
‘ମାରିଗଲି ବିଜାଗଛ ବନାଇଲି ରଥ ।’
ତମେ ମୋର ଛାଇକି ଦେଖିଚ
ଛାଇକି ଛୁଇଁ ମାରା ହେଇଚ
ଏଇଟା ମୁଁ ଜାଣେ,
ହେଲେ ମୋ ଛାଇକି ନେଇ ଜଣେ ଯାଇଚି ଠାକୁରଘର ପିଂଡିକି,
ମୋ ଛାଇ ଇମିତି ଯାଏ
କାହା କାହା ସାଂଗରେ
ପଶିଯାଏ ବି କାହା କାହା ଭିତରେ,
ହୁଏତ ବର୍ଷା ଓ ଦଲକାଏ ପବନ
ବସିଥିବେ କା’ ଛାତିତଳେ ।
ଦିନେ କାଲୋପଲା ଛକରେ କର୍ଡି ବିକୁବିକୁ ସେ ଉଭାନ୍
ଦିନେ ମହିଚଲା ହାଟରେ ଚା’ପତି କିଣୁକିଣୁ ସେ ଉଭାନ୍
ଦିନେ ସ୍କୁଟିରେ ଯାଉଥିବା ଝିଅକୁ ଦେଖୁଦେଖୁ ସେ ଉଭାନ୍
ଦିନେ ବସିଚି କରାପଲ୍ଲୀର ମାଛବାଲି ପାଖରେ,
ଯେମିତି ମୋ ଛାଇର ଅନ୍ୟ ନାମ ମାଛ
ଭାଜି ଖାଇବେ ବୋଲି ବସିଚଂତି ସେମାନେ ଚୁଲି ଆଗରେ ।
ଏଗୁଡା ରାଜନୀତି କାର୍ଖାନାକୁ ବରଡାପତ୍ର ଉକିଆ ଭଳି କଥା,
ହେଇଟି, ଚାଳସଂଧିରେ ଖଇନି ପୁଡିଆ ଭଳି ଗେଂଜିହେଇଚି କବିତା ।
ଦିନେଦିନେ ଗଛମାନେ ଡାକଂତି- ଆମେ ତୋର ପୁଅଝିଅ
ହଜିଯାଇଥିଲୁ କୋଉ ମେଳାରେ,
ଦାଆକୋଦାଳ ଧରିଥିବା ଲୋକମାନେ ବାଟମଝିରୁ ଡାକିନିଅଂତି
ପ୍ରେମିକାମାନେ ଭାଲେଣ୍ଟାଇନ୍ କାର୍ଡ ଆଂକିଦିଅଂତି ଧୂଳିରେ,
ଦିନେଦିନେ ମାଂଡିଆ କ୍ଷେତରୁ କଠାଏ ବିଡି ଓ ଅଧ ଲିଟର କିରୋସିନ ହକାରଂତି-
ପର୍ଚି ଖଂଡେ ଲେଖିଦେ’ରେ ବୁଆ,
ପରଦିନ ରାତିରୁ ଫେରିନାହାଂତି ଗାଁର ଯେତେ ସଳଖ ଭେଂଡିଆ ।
କେବେ ପବନର ରୂପ ଦେଖିଥିଲି
ତପ୍ତପାଣିରେ ପିକନିକ୍ କରିଥିଲି
କୋଣାର୍କର ପଥରରେ ଦେହରୁ ମଳି ଛଡେଇଥିଲି
ରୁମାଲ୍ ହଜେଇ ଦେଇଥିବା ସାଂଗର ଲୁହ ପୋଛିଥିଲି,
କଂଧମାଳରୁ ଆସିଥିବା ଗଂଜାକୁ ମୁକୁଳାଇଥିଲି ପିପଲ୍ ନାଳ ପାଖରେ,
ଏବେ ପାଂଚ ମିନିଟ ଛାଡ, ଅଂଡା ଝୋଳ ବସେଇ ଆସିଚି ଚୂଲିରେ
ତା’ପରେ ବୁଝେଇଦେବି କେତେ ବାଟ ଖୋଲିଲାଣି ଗୋପନରେ ।
ଆସ ଗୋଟେ ଯାଦୁ ଦେଖେଇବି ଏଥର
ଦେହ ସାରା ଝର୍କା ଖୋଲିଦେବି
ପରୀକ୍ଷା କରିଦେବି, କେତେ ଜୀବନ ଅଛି ଗୋଟେ କାକର ଟୋପାରେ,
ଆଖିର ଢ଼େଉ କେମିତି ବଢ଼େଇ ଦେଇପାରେ ଗତି,
ଶିରା ଓ କୋଷରେ କେମିତି ଆଂକିହୁଏ ଝୋଟିଚିତା,
ଚାଳ ସଂଧିରେ ଖଇନି ପୁଡିଆ ଭଳି ଗେଂଜି ହେଇଚି କବିତା ।
ଅପରାଧ ଓ ବାଷ୍ପରେ ଭାରି ହୋଇାସୁଚି ଜ୍ୟେଷ୍ଠର ଖରା
ବିଶ୍ୱାସ କର, ଛାତିଏ ମେଘ ନେଇ ବୁଲୁଚି ମୁଁ
ତମେ ଚାହିଁଲେ ବର୍ଷିଯିବି,
ଆଉ ମୋତେ ଦେଖିବାକୁ କୁହନା,
କାହାକୁ ଭଲପାଉଚି- ଆଖି ବଂଦ ନକଲେ କେମିତି କହିବି?
କେତେଟା ଜୀବନ ଖାଇଯାଏ ପ୍ରେମ
କେତେଟା ଜୀବନ ଖାଇଯାଏ ଶବ୍ଦ
କେତେଟା ଜୀବନ ଖାଇଯାଏ ଘୃଣା,
କେତେଟା ଜୀବନ ଘୋରିଦିଏ ପ୍ରତାରଣା?
କେତେଟା ଜୀବନ ଭାଂଗିଦିଏ ଛାଇର ସ୍କେଲ୍,
ଗୋଟାଏ ଜୀବନ ପାଇଁ ଛାଇ ସବୁବେଳେ ଫେଲ୍ ।
ମୋର କବଚ, କୁଂଡଳ ସେମିତି ତମ ସିଂଦୁକରେ ଥାଉ ସାଇତା
ଖୋଲା ଦେହରେ ମୁଁ ଯଥେଷ୍ଟ
ଚାଳସଂଧିରେ ଖଇନି ପୁଡିଆ ଭଳି ଗେଂଜିହେଇଚି କବିତା ।