ସଂପାଦକଂକୁ ଦେଇ ନ ଥିବା ପତ୍ର
ଆପଣ ଛାଡ଼ି ଯାଇଥିଲେ ଯୋଉଠି ପାଦ ଚିହ୍ନ
ପ୍ରିୟ ବାବୁଜି !
ସେ ନାଇଁ ଆଉ ସେଠି,
ଦୁଃଖ ଏତିକି ;
ଏ ଦୁଃଖ ପାଇଁ ଅବଶ୍ଯ ସେମାନଂକର ଦୁଃଖ ନାଇଁ
ଯୋଉମାନଂକୁ ସବୁ ଦେଇଯାଇଥିଲେ ଟେକି।
ପିଟିପିଟି ମାରିଦେଲେଣି ଝିଟିପିଟି
କାଂଥରେ ଝୋଟି
ବିଜ୍ଞାପନରେ ଭର୍ତ୍ତି
ସାରାଘର
ଯା' ନ ଦେଖିବାକଥା ବେନିନୟନେ ସେଇସବୁ ମୂର୍ତ୍ତି !
ଖବରକୁ କବର ଦେଲାବେଳେ ହାତଥରୁନି କାହାର
ପାଠକଂକ ରୁଚିରେ ଘୋଳାଚାଲିଚି ବଜାରୀ-ଜହର
ସମସ୍ତେ ଚୌକିହେଇଗଲେଣି ଗୋଟେଗୋଟେ
ଚାଲିବାକୁ ବଳନାଇଁ,ବେଳନାଇଁ
ଢେଉଢେଉକା ପେଟକୁ ଧରି ସମୁଦ୍ର ହେଇଗଲେଣି ସମସ୍ତେ !
ଯୋଉ ଶିଖିହଉଥିଲା ନୂଆ ପୁରୁଣା ଭାଷା
ତା' ଗଲାଣି ଚୂଲୀକି,
ମନମୂଳକୁ ବିଂଧିଦଉଥିଲା ଯୋଉ କଥା
ତା' ତାରକା ହୋଟେଲର ଏବେ ଗାଲିଚା
ଯୋଉ ଶୀର୍ଷକ ଶାସନ କରୁଥିଲା ଶାସକକୁ
ତା' ମୁଂଡ ଗଡ଼ୁଚି ବାର୍ ଆଉ ବ୍ଯାଂକ୍ କାଉଂଟର୍ ଆଗରେ ;
ସବୁ ଚାଲିଚି,
ଆଖିରେ ଆଂଗୁଠି ଗେଂଜି ସବୁ ଚାଲିଚି, ଫ୍ଲାଇଟ୍ ମୋଡ୍'ରେ !
ଚାଲିଯାଇଚଂତି,ଜୀଇଯାଇଚଂତି
ଧୋତିଖଂଡକ ରହିଥାଂତା କି ନାଇଁ କେଜାଣି !
ଆପଣଂକର ଭୁଲ୍ ଭାବିବା ଇ ଭୁଲ୍
କାହିଁ କେତେଦୂରରୁ ଦେଖିପାରଂତି କେମିତି ରାସ୍ତା ?
ଯାହାକୁ ଦେଲେ ହାଓ୍ଵାଇ ଚପଲ
ତାକୁ କିଆଁ ଦେଲେନି ଚଷମା ??
ସାଷ୍ଟାଂଗ ପ୍ରଣାମ ଆପଣଂକୁ ,ଥାଂ'ତୁ ଭଲରେ
ସତ୍ ସତ୍ କହିବାକୁ ନଥିଲେ ନଥାଂତୁ କେହି କୋଉଠାରେ
ଶୁଭୁଚି ତ ସତ୍ ସତ୍
ଶୁଭୁଥାଉ ଶତଶତବାର ଛାଚିତଳ ପତ୍ରଉଆସରେ ।