ନିଜକୁ ନେଇ ଏକ କବିତା
ମୁଁ ନଦୀ ହୁଏ କି ପକ୍ଷୀ
ନହେଲେ କାହିଁ କେତେ ଥର
ଥକିପଡ଼ିଥିବା ହଳେପାଦ ହୁଏ
ମୋ ପହଞ୍ଚିବାର ଠିକଣାରେ
ମୁଁ ହିଁ ତ ଅପେକ୍ଷା କରିଥିବି
ଶିରୀଷ ଗଛର ଛାଇ ହେଇ
ମୁଁ ତୁଳସୀ, ମାଳତୀ,ସେବତୀ
ଅବା ତାରା କି ଜହ୍ନ ହୁଏ
ହେଲେ ସବୁଥର ହଳେ ନାଲି ଆଖି ସାମ୍ନାରେ
ଠିଆ ହେଇଯାଉଥିବି ଗୋଟେ ଅହଙ୍କାର ହେଇ ।
ନିଜେ ନିଜର ଚାରିକାନ୍ଥ ମୁଁ
ନିଜେବି ସ୍କାଇଲାଇଟ୍ ବାଟେ
ଆଲୁଅ ଭଳି ଦିଶୁଥିବା
ଧାପେ ଜୀବନ ହେଇ ଆଉଁସିପାରେ ସ୍ୱପ୍ନର ଛାତି
ନିଃସଙ୍ଗତାର ମାନପତ୍ର ହେଇ ଝୁଲିପାରେ କାନ୍ଥରେ
ଅସହାୟତାର ପରଦା ଆଡେଇ ଦେଖିପାରେ
ଅସଂଖ୍ୟ ପୃଷ୍ଠାର ପୃଥିବୀକୁ ।
ଅନ୍ଧାର ସରିଆସିବା ବେଳେ
ପତ୍ରର ସବୁଜ ଆଖିରୁ ଆସ୍ତେକି
ଗଡିଆସୁଥିବା ସମୟକୁ
ତୋଳି ଆଣୁଥିବା ଗୋଟେ ପାପୁଲି ମୁଁ
ଆଇନାକୁ ନିଜର ହସ
ଯାଚିଦେଉଥିବା ଗୋଟେ ମୁହଁ ମୁଁ
ମୁଖାମାନଙ୍କୁ ମୁହଁ ବୋଲି ମାନୁନଥିବା
ଗୋଟେ ଜହ୍ନରାତି ମୁଁ ।
ଆଉ ତମେ ସମ୍ପର୍କର ପିଠି ଉପରେ
ଏମିତି ହିସାବ କରୁଥାଅ ମୋ ଭାଗ୍ୟର
ଆତ୍ମୀୟତାର ସାରୁପତ୍ରରେ
ସାଇତି ରଖୁଥାଅ ମୋର ଦୁର୍ଭାଗ୍ୟମାନଙ୍କୁ
ହେଲେ ମୁଁ ନିଜେ ନିଜର ସୌଭାଗ୍ୟ ହେଇ
ଅପେକ୍ଷା କରିଚି ମୋ ପାଇଁ !