ବାସ୍ନା

ବାସ୍ନା

ସେଇ ଯୋଉ ଗଣ୍ଠିଲିରେ 

 ଗାଁରୁ ଧରି ଆସିଥିଲି ଅୟୁତେ ସ୍ୱପ୍ନ, 

 ତାକୁ ଇ ଖର୍ଚ୍ଚ କରି କିଣିବାକୁ ହେଲା 

ଜୀବନର ଉଡ଼ାଣ।

 

କିଛି ଉଡ଼ି ହେଲା, କିଛି ହେଲାନି।

 କିଛି ଧରି ହେଲା, 

 ଆଉ କିଛି ଇଡ଼ିଗଲା ଏମିତି ବାଗରେ ଯେ,

 ବାଲିମିଶା ସମୟ ଦାଢ଼ରୁ 

ଗୋଟେଇ ହେଲାନି।

 

 ବାଣୀବିହାର ତ ଛାତିତଳ ବାସ୍ନା।

 ମଝିରେମଝିରେ ବାସେ, 

 ଉଭେଇଯାଏ, ପୁଣି ଆସେ।

 ସିଏ ପୁଣି ଶୁଖିଲା ଜୀବନକୂଳ ପାଣିଚୁଆ, 

 ଉଖାରିଦେଲେ ପାଣି ଝରଝର।

 ଏବେ ସିନା ଚାରିଆଡ଼େ ଛାତ ଆଉ ଛାତ,

 ଆଗରୁ ତା ଭିତରେ ବି ଥିଲା 

ବର୍ଷାଧୂଆ ଧୂଆଁମିଶା ଚାଳଘର।

 

 ପୁଣି ଲାଗେ

 ବାଣୀବିହାର ଗୋଟେ ସଞ୍ଜ, 

ଯେଉଁଠି ରାତିର ମାତାଲ୍ ଜହ୍ନ

 ପରସିଦିଏ ସ୍ୱର ଓ ଆବେଗ।

 ବିରତି ଥିବା ଭଳି ଦିଶୁଥିବା 

 ଅଥଚ ଆଦୌ ବିରତି ନଥିବା

 ଗୋଟିଏ ଜଳପଥ ଯାତ୍ରା।

 

ଯୋଉଠି ନିଜେ ନାବିକ, ନିଜେ ଡଙ୍ଗା,

 ନିଜେ ଆହୁଲା, ନିଜେ ଇ ଗଙ୍ଗା।

 ସେଇଠି ଥାଏ

 କ୍ରମଶଃ ଛୋଟ ହେଇ

 ଉଭେଇଯାଇଥିବା ଟୁବି ଗାଡ଼ିଆ,

 ହତାଶା ଓ ପ୍ରତାରଣାକୁ କେତେ କିଏ 

 ନ ଫିଙ୍ଗିଛନ୍ତି ସେଇଠି!

 

ପ୍ରେମ ପକ୍ଷୀର ହାଲିଆହୀନ ଉଡ଼ାଣ 

 ଓ ଶୁକ୍ଳପକ୍ଷିଆ ସ୍ୱପ୍ନ ଭିତରେ 

ବେଳେବେଳେ ବାଣୀବିହାର ବି ପାଲଟିଯାଏ 

ବହଳ କୃଷ୍ଣପକ୍ଷିଆ ଶୀତରେ

 ପାଖରେ ନଥିବା 

 ଅଥଚ ମନକୁ ଉଷୁମ ଦେଉଥିବା ଚିତ୍ରିତ ଚାଦର।

 ସେଇଠି ଥିବା 

 କିଛି ଅନ୍ଧାର ଓ କାଦୁଅମିଶା ରାସ୍ତା ବି 

 ଶିଖାଇ ପାରନ୍ତି 

 ରାତି ଓ ତରଳି ଯାଇଥିବା ଭାଗ୍ୟକୁ ଏଡ଼ାଇ 

 ବାଟୋଇ ହେବାର ସାଧନା।

 ସ୍ୱପ୍ନ ଆଉ ଆର୍ତ୍ତନାଦ,

 ଉଲ୍ଲାସ ଓ ଅବସାଦ,

 ପ୍ରାପ୍ତି ଓ ଅବସୋସ,

 ଶାନ୍ତି ଓ ଅସନ୍ତୋଷ,

 ହୁଇସିଲ୍‌ର ଗୀତ ଓ ବିଫଳତା

 ଜୀବନ ଓ ଆତ୍ମହତ୍ୟା,

 କେମିତି ବସିପାରନ୍ତି ଗୋଟିଏ ଡାଳରେ!!

 

ସପ୍ତାହର ସାତବାର ଆକାଶକୁ ଦେଖି 

 ଗଛ ଛାଇ ଖୋଜିବାବେଳକୁ 

 ସେ ଗଛର ଚେର ଯାଇ ଲୁଚିଥାଏ 

 କେଉଁ ପାତାଳରେ!

 

ଏବେ ବି ରହିଯାଇଛି 

 କିଛି ଚା ଗିଲାସର ଧୋଇ ହେଇନଥିବା ତାତି,

 କିଛି ବହୁ ବିଳମ୍ବରେ ସରିଥିବା ରାତି, 

 କିଛି ତାରା ଫୁଲ, ଯାହା କାହା କଥା ସହ ଫୁଟେ,

କିଛି ପାହାଚଚଢ଼ା ପାହୁଣ୍ଡ, 

ଯେତେ ବାନ୍ଧିଲେ ବି ଯିଏ 

 ନୂଆ ସ୍ୱପ୍ନ ଦେଖିବାକୁ ସକାଳ ତରାଟେ।

 

 କହିଥିଲି ନା 

ବାଣୀବିହାର ଗୋଟେ ବାସ୍ନା।

 ଯୋଉଠି ଥିଲେ ବି, ଯେମିତି ଥିଲେ ବି

 ଅଚାନକ ଆସେ।

 

ଆଉ କେହି ପାରନ୍ତିନି ଜାଣି ସିନା 

 ନିଜକୁ ଇ ବାସେ।

 

ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକ