ବିଲକିସ୍ ବାନୋର ଅଜନ୍ମା ନ୍ୟାୟର ତରଫରୁ

ବିଲକିସ୍ ବାନୋର ଅଜନ୍ମା ନ୍ୟାୟର ତରଫରୁ

ମୁଁ ତୋର ଗର୍ଭରେ ଥିଲି ଅମୀ
ସେଦିନ  ଯେବେ ତୋର ଆତ୍ମୀୟ ମାନଙ୍କୁ ହତ୍ୟା କର ଯାଉଥିଲା,
ଧାର୍ମିକ ପୁରୁଷପଣିଆର ପାଦ ତଳେ ଯେବେ ଦଳି ହେଉଥିଲା ତୋର ଶରୀର,
ମୁଁ ତୋର ଗର୍ଭରେ ଥିଲି ଅମୀ।

ଜନ୍ମ ନେବାର ଅପେକ୍ଷାରେ
ଦୁନିଆରେ ନିଜ ଜାଗା ପାଇବାର ଅପେକ୍ଷାରେ
ମୁଁ ତୋର ଗର୍ଭରେ ଥିଲି ଅମୀ।

ଦୁନିଆଁର ହିଂସ୍ର ଅନ୍ଧାର
ତୋ ଭିତରର କଟକଟ କଅଁଳ ଅନ୍ଧାରକୁ ଚିରି ଚାଲିଥିଲା,
ତୁ ଅସହାୟ ଥିଲୁ
ଆଉ ମୁଁ କାତର , ଆର୍ତ୍ତ ସ୍ଵରରେ
ଚିତ୍କାର କରୁଥିଲି,
ମତେ ବଞ୍ଚିବାକୁ ଦିଅ
ମତେ ଜନ୍ମ ହେବାକୁ ଦିଅ
ମତେ ରହିବାକୁ ଦିଅ।

ମୁଁ ତୋ ଗର୍ଭରେ ଥିଲି ଅମୀ
ମୁଁ ତୋ ଗର୍ଭରେ ଥିଲି।

ଆମ ସମ୍ଭାବନା ମାନଙ୍କର ଦୁଆରେ ଧର୍ମ ଶସ୍ତ୍ର ଧରି ଠିଆ ହେଇଥିଲା
ଦେଶ ଠିଆ ହୋଇଥିଲା ବହୁମତ ଧରି
ପୁରୁଷମାନେ କାୟରତା ଧରି ଠିଆ ହୋଇଥିଲେ।

ମୋର ଜନ୍ମର ସମୟ
 ବଦଳୁଥିଲା 
ମୋର ଜନ୍ମର ତାରିଖ ବଦଳୁଥିଲା
ମୋର ଜନ୍ମର ମୁହୂର୍ତ୍ତ ବଦଳୁଥିଲା।
ମୁଁ ଅଜନ୍ମା ଥାଇ ବୟସ୍କ ହେଇଗଲି,
କୋଡିଏ ବର୍ଷ ବିଲକିଶ୍ ବାନୋ
 କୋଡିଏ ବର୍ଷ।

ମୁଁ ତୋ ଗର୍ଭରେ ଅଛି ଅମୀ 
ଜନ୍ମର ଅପେକ୍ଷାରେ ଏବେବି।

କୋଡିଏ ବର୍ଷରେ ବଦଳି ଯାଏ ପିଢ଼ି
କୋଡିଏ ବର୍ଷରେ ବଦଳିଯାଏ ସୀମା
କୋଡିଏ ବର୍ଷରେ ବଦଳିଯାଏ ମୂଲକ
କୋଡିଏ ବର୍ଷରେ କିନ୍ତୁ ବଦଳିଲାନି ଆମର ଭାଗ୍ୟ।

କେବଳ ସ୍ଥାନ ବଦଳିଲା
କ୍ଷେତ ଜାଗାରେ ଏଥର ବଳାତ୍କାର ହେଲା ଅଦାଲତରେ
ବଳାତ୍କାରୀ ଜାଗାରେ ଏଥର ନ୍ୟାୟାଧିଶ ଥିଲେ।

ମୋ ଜନ୍ମର ତାରିଖ ପୁଣି ବଦଳିଗଲା।

ଏବେବି ମୁଁ ତୋ ଗର୍ଭରେ ଅଛି ଅମ୍ମୀ । 

ମୂଳ ହିନ୍ଦୀ- ଅଂଶୁ ମାଲବ୍ୟ 

ଓଡିଆ ଅନୁବାଦ - ସ୍ଵପ୍ନା ମିଶ୍ର