ଖରାର କ୍ରିସେଣ୍ଡୋ

ଖରାର କ୍ରିସେଣ୍ଡୋ

ଏକା ସାଙ୍ଗରେ ଜଳି ଉଠେ ଗୋଟେ ସହର ।

 

ଲାଲ-ଧଳା-ଗୋଲାପୀ ବୁଗେନଭିଲାର ରାସ୍ତା

ଶେଷ ଚଇତର ପଲାଶ

ସତର ମହଲା ଉପରେ ଦାଉ ଦାଉ ନୀଳରଙ୍ଗର କାଚ

ସିନେମା ପୋଷ୍ଟରରେ ଗାଢ ଲିପଷ୍ଟିକ

ସବୁଠି ଖରା

ସବୁଠି ନିଆଁ

ସବୁଠି ଟିକେ ଟିକେ ନିଆଁର ବିରଳ ଚୁମା ।

 

ଏକା ସାଙ୍ଗରେ ଉତ୍ତପ୍ତ ଛାତ ଓ ଛାତି ।

 

ଏବେ ତୀବ୍ରଲୟରେ  ବାଜୁଛି

ଗୀଟାର ଓ ଭାଓଲିନ

ଗାୟକର ଗଳାରେ ଟକମକ ଏପ୍ରିଲ

ଡ୍ରମ ଓ ତବଲା

ଢୋଲ ଓ କଞ୍ଜିରା

ମହୁ ଓ ମଦିରା

ମଝି ଆକାଶରେ ବାଜୁଛି ସୁତୀବ୍ର ଅର୍କେଷ୍ଟ୍ରା

ତୀବ୍ରଲୟରେ ତରଳୁଛି

ଆମର ପ୍ରେମକାହାଣୀ ।

 

ଏ ପ୍ରଚଣ୍ଡ ଦହନର ଋତୁରେ

ମୋ ହାତରେ ଗୋଟେ ପ୍ରେମକାହାଣୀର ନକ୍ସା

ପୃଥିବୀର ସବୁ ବାଦ୍ୟଯନ୍ତ୍ରକୁ ଏକାକାର କରି

ମୁଁ ତିଆରି କରିଛି

ଏ ପ୍ରେମକାହାଣୀର ସିଗନେଚର ଧୁନ ।

 

ଏ ଧୂନରେ ଦହନ ଅଛି

ଏ ଧୂନରେ ମରଣ ଅଛି

ଏ ଧୂନରେ ଚୁମ୍ବନ ଅଛି

ଏ ଧୂନରେ ଏପ୍ରିଲ ଏପ୍ରିଲ ଗୋଟେ

ନିର୍ଦ୍ଧୂମ ଖରାର ସହର

ଏ ଧୂନ ଗୋଟେ ଅସରନ୍ତି ଶୋଷ

ତମ ପାଇଁ ମୋର

ଓ ମୋ ଲାଗି ତୁମର ।