କବିତାରେ ଦେଶୀ ଛନ୍ଦ ଓ ଦୟଣା ପତ୍ରର ଗନ୍ଧ
ମୁଁ ଜାଣିନି କିଏ ସେ ମୁଁ –
ନାରୀ କି ପୁରୁଷ
ଅବା ଅର୍ଦ୍ଧନାରୀଶ୍ଵର ?
କେତେ ବା ବୟସ ମୋର
ବାଳକ ଯୁବକ ଅବା ବୟୋବୃଦ୍ଧ ମୁହିଁ
କିବା ମୋର ଶାରୀରିକ ସ୍ଥିତି ?
ମୁଁ କିବା ଆକାଶ ପରି ଶୂନ୍ୟ ଏବଂ ଛଳନାରେ ନୀଳ?
ଅନାମ ବାୟାର ଏ କବିତା । ପଚାରନ୍ତୁ, କିଏ ଏ ଅନାମ ବାୟା ? ଫେସବୁକ ମାୟାରେ କବିତା ଲେଖୁଥିବା ଏଇ ପ୍ରଜନ୍ମର କବିଙ୍କ ଲାଗି ଅନାମ ବାୟା ଏକ ଅର୍ଥହୀନ ଶବ୍ଦ । ହେଲେ ଓଡିଆ କବିତାର ଇତିହାସରେ ସେ ଏକ ରୋମାଞ୍ଚକର ବିସ୍ମୟ । କ୍ରୋଧ ଏବଂ କରୁଣାର ସେ ଏକ ଅପୂର୍ବ ରସାୟନ। “ଅନାମ ବାୟାର ଗୀତ” ନାଁରେ ଏକ ଛୋଟିଆ କବିତା ବହି ବାହାରିଥିଲା ପୁରୀରୁ-୧୯୯୪ ରେ, ପ୍ରକାଶକ ବିବୁଧ ରଞ୍ଜନଙ୍କର ସୌଜନ୍ୟରୁ । ସତୁରୀ ଏବଂ ଅଶି ଦଶକରେ ଓଡିଆ କବିତାରେ “ଅନାମ” ଆଂଦୋଳନର ସୂତ୍ରଧର କବି କୁମାର ମହାନ୍ତିଙ୍କର କବିତା । ଆଜି କୁମାର ମହାନ୍ତି ବାସ୍ତବରେ ଅନାମ । ତାଙ୍କ ମରିବା ୨୭ ବର୍ଷ ହୋଇଗଲାଣି । ଜୀବନରେ ଅନାମ, ମୃତ୍ୟୁରେ ବି ସେ ଅନାମ ।
କୁମାର ମହାନ୍ତିଙ୍କର କବିତା କିନ୍ତୁ ଶ୍ରୀମନ୍ଦିରର ମହୋଦଧି ପରି ଉତ୍ତାଳ । ହଁ, ସେ ପୁରୀର କବି । ଗଦ୍ୟ ରଚନାକୁ ନେଇ ତାଙ୍କର ଆଉ ଏକ ବହି ରହିଛି “ଧନ୍ୟ ସେହି ପୁରୀ”। କୁମାର ମହାନ୍ତି ପୁରୀ ସହରର ଗମ୍ଭୀରା ଭିତରେ ଡହକୁଥିବା ଅନ୍ଧାର ଓ ରହସ୍ୟର କବି । ସେ ଆଧ୍ୟାତ୍ମ୍ୟ ଓ ରହସ୍ୟର କବି । ହେଲେ ତାଙ୍କ ଆଧ୍ୟାତ୍ମ୍ୟର ମୂଳ ହେଉଛି, ଏ ଜାତିର ଆଦିବାସୀ ମଣିଷ । ପ୍ରବଚନରେ ଶୁଣିଥିବା ଆଧ୍ୟାତ୍ମ୍ୟ, କୁମାର ମହାନ୍ତିଙ୍କର ଆଧ୍ୟାତ୍ମ୍ୟ ନୁହେଁ । ଶୋଷିତ ଓ ଲାଞ୍ଛିତ ମଣିଷର ସପକ୍ଷରେ ଠିଆ ହେବା ଇ ତାଙ୍କର ଆଧ୍ୟାତ୍ମ୍ୟ । ଓଡିଆ ଗଣ ଚେତନାକୁ ଚିତ୍ର ଭାବରେ ଫୁଟାଇବାକୁ ସେ କବି ଭକ୍ତି ବୋଲି କହୁଥିଲେ । ବ୍ୟବସ୍ଥାର ଅନ୍ୟାୟ ବିରୋଧରେ ବିଶୁଦ୍ଧ ଦୋ ଅକ୍ଷରୀରେ ଶୋଧିବା ଥିଲା ତାଙ୍କ କବିତାର ଗରିମା । କୁମାର ମହାନ୍ତି ଗୋଟାପଣେ ପାଗଳ ଓ ପ୍ରେମିକ । ଏକାଧାରରେ ଯୋଗୀ ଓ ନିଆଁଗିଳା ।
କୁମାର ମହାନ୍ତିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଓଡିଆ କବିତାର “ଅନାମ ଆନ୍ଦୋଳନ” ଓଡିଆ ସାହିତ୍ୟରେ ଅଳ୍ପ ଚର୍ଚ୍ଚିତ, କିନ୍ତୁ ଅତ୍ୟନ୍ତ ପ୍ରଭାବଶାଳୀ ଏକ ଧାରା । ଆଧୁନିକ ଓଡିଆ କବିତା ଲାଗି ସମକାଳର କବିମାନେ ଯେତେବେଳେ ଟି. ଏସ. ଇଲିୟଟ କି ଡିଲାନ ଟମାସଙ୍କ ପାଖରୁ ପ୍ରେରଣା ଖୋଜୁଥିଲେ, ସେତେବେଳେ ଅନାମ ମାନେ ଆମ ଅଲେଖ ପରମ୍ପରାର କବିତାକୁ ନିଜର ମୂଳ ବୋଲି ଘୋଷଣା କଲେ । ଅନାମ ଥିଲା ଓଡିଆ କବିତାରେ ଦେଶୀ ଚେତନାର ଏକ ବିଶୁଦ୍ଧ ଧାରା । କବିତାର ଛନ୍ଦ ଓ ଭାଷାରେ ଓଡିଆ ଲୋକଗୀତର ଠାଣିକୁ ଗୋଟେ ନୂଆ ପରିଚୟ ଅନାମ କବିତା ବାଟ ଦେଇ ପୁଣିଥରେ ଫେରି ଆସିଲା । ଓଡିଆ କବିତାର ପରମ୍ପରାରେ ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ସାଲବେଗ ଓ ଭୀମ ଭୋଇଙ୍କୁ ଏହି ଆଂଦୋଳନର ମୂଳରେ ରଖାଗଲା । କବିତାରେ ଆଧୁନିକତା ଏକ ଆମଦାନିକରା ଚେତନା ନୁହେଁ, ବରଂ ଏହା ନିଜ ଅନ୍ତରର ରହସ୍ୟମୟ ଅଭିବ୍ୟକ୍ତି ବୋଲି ଏହି କବିମାନେ ପ୍ରମାଣିତ କଲେ ।
କୁମାର ମହାନ୍ତି ଅନାମ ଆଂଦୋଳନର ସର୍ଦ୍ଦାର । ଇଏ ଥିଲେ ଏମିତି ସର୍ଦ୍ଦାର ଯିଏ, ସବୁ ମଠ ଓ ସବୁ ପରମ୍ପରାକୁ ଅସ୍ଵୀକାର କରି କବିର ପ୍ରତିବାଦୀ ସତ୍ତାକୁ ଗୋଟେ ନୂଆ ପରିଚୟ ଦେଲେ । ସେ ଯାଏ ଆମେ ପ୍ରତିବାଦୀ କବିତାକୁ ସାମ୍ୟବାଦୀ ବା ପ୍ରଗତିବାଦୀ ବୋଲି କହି ଆସୁଥିଲେ । କୁମାର ମହାନ୍ତିଙ୍କ ପ୍ରତିବାଦ ଥିଲା ଲୋକଛନ୍ଦରେ ଲୋକମାନଙ୍କର ପ୍ରତିବାଦ। ତାଙ୍କ କବିତାରେ ଜଗନ୍ନାଥ ଚେତନା ଓ ପୁରୀର ଚିତ୍ର ରହିଲା, ହେଲେ ସେ ଚିତ୍ରରେ ସମତା ହେଲା ପ୍ରମୁଖ ସ୍ଵର । ଜଗନ୍ନାଥଙ୍କୁ ସମତାର ପ୍ରତୀକ ଏବଂ ପୁରୀକୁ ଆଦିବାସୀ ଜୀବନର ସମାଗମ ବୋଲି ସେ କହିଥିଲେ ।
ଗୋଟେ ଧାଡିରେ କୁମାର ମହାନ୍ତିଙ୍କ କବିତାକୁ ନେଇ ମଧୁ ମହାନ୍ତି (ପଚାରନ୍ତୁ, ଏ ମଧୁ ମହାନ୍ତି ପୁଣି କିଏ? ଇଏ ଆଉ ଜଣେ ଅନାମ ଜିନିୟସ। ଗୋଟେ ସମୟରେ ଓଡିଶାର ସବୁଠୁ ଖ୍ୟାତନାମା ସ୍ତମ୍ଭକାର । ତାଙ୍କ ଗଦ୍ୟ ରଚନା ଆଜି ବିସ୍ମୃତ। ହେଲେ ଏକଦା ପ୍ରଖ୍ୟାତ ପତ୍ରିକା “ଆସନ୍ତା କାଲି” ଏବଂ ଖବର କାଗଜ “କଳିଙ୍ଗ”ରେ ତାଙ୍କର ସ୍ତମ୍ଭ ଥିଲା ବେଶ ଚର୍ଚ୍ଚିତ। ବାରିଷ୍ଟର ରଣଜିତ ମହାନ୍ତିଙ୍କ ବାପା, ମହାନ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଶ୍ଵଶୁର, ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କ ଜେଜେ। ଅନାମ ଆଂଦୋଳନର ପ୍ରବାଦ ପୁରୁଷ) ଲେଖିଛନ୍ତି- “ପୁରୁଷୋତ୍ତମ ଧର୍ମୀ କୁଟୁମ୍ବଙ୍କୁ ବଶଂବଦ ସମ୍ବୋଧନ ତା’ (କୁମାର ମହାନ୍ତିଙ୍କ) କବିତାର ଧ୍ୱନୀ ଓ ଧ୍ୟାନ”।
କୁମାର ମହାନ୍ତି ଓରଫ ଦଇତାପଡା ସାହିର କୃଷ୍ଣଚନ୍ଦ୍ର ମହାନ୍ତିଙ୍କର ଏ କବିତା ବହି କୁ ପଢିଲାବେଳେ ଆପଣ ଦେଖିବେ, କେମିତି ଆକାଶ ଛୁଉଁଥିବା ଏକ ମନ୍ଦିର ଉପରେ ସାଧାରଣ ମଣିଷଟିଏ ଠିଆ ହୋଇ ଈଶ୍ଵର ସହିତ ଝଗଡା କରୁଛି। ଅଦ୍ଭୁତ ଓ ଅନନ୍ୟ କବି କୁମାର ମହାନ୍ତି।
ପ୍ରକାଶକ ମନୁ ଦାଶଙ୍କୁ ଧନ୍ୟବାଦ । ଛାପିବି ଛାପିବି ହୋଇ ଶେଷରେ ଏ ବହିଟିକୁ ଛାପିଲେ । କୁମାର ମହାନ୍ତିଙ୍କ କବିତା ସହିତ ମଧୁ ମହାନ୍ତିଙ୍କ ଅଗ୍ରଲେଖ ଓ ପ୍ରଜ୍ଞା ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧଟି ବି ଏ ବହିରେ ରହିଛି। ଅମୂଲମୂଲ ଏ ବହି। କବିତା ବହି ଅନେକ ଆପଣମାନେ ପଢିଥିବେ। ଏ କବିତା ବହିଟି ଆପଣଙ୍କୁ ଭିନ୍ନ ମନେ ହେବ, କାରଣ ଏ କବିତା ସବୁରେ ତୁଳସୀ ଓ ଦୟଣାର ମହକ ଆପଣଙ୍କୁ ଏକ ଭିନ୍ନ ରୋମାଞ୍ଚର ଜଗତକୁ ଘେନିଯିବ।