କୋଳ
ଏବେ ମୋ ଆଖିରେ
ମାଣ୍ଡିଆ କିଆରି ନିଦ !
ଯେବେ ଜାଣିଲି ନିଦ ନଥାଏ ତାରା ମାନଙ୍କୁ !
ମହାଶୂନ୍ୟରେ ଉଜାଗରରେ
ଉଚ୍ଚାରିବାକୁ ହୁଏ ପ୍ରେମ ମନ୍ତ୍ର
ମୁଁ ଚେଇଁଲା ବେଳେ
କେବେ ତତେ ଭେଟିଛି କହ ତ !
ମୋ ଆଖିରେ
ଗୋଟେ ନିଦେଇ ଯାଇଥିବା ପୃଥିବୀ
ସେ ପୃଥିବୀରେ ତୋ କୋଳ ଆଉ ମୋ ମଥା
ଏକମାତ୍ର ଚିତ୍ର ଓ ଚରିତ୍ର ।
ମୋ ଛାଇ ନିଦ ବେଳର
ମିଟ୍ ମିଟ୍ ଡୋଳାରେ ତୁ ନିଶ୍ୱାସ ନେଉ
ଜାଣିଚୁ !
ମୋ ଲୋମକୂପ ମୂଳର ସ୍ଥିର ତରଙ୍ଗ
ସନ୍ନ୍ୟାସୀ ପରି ଜପ କରି କରି ତତେ
କେବେ ବି ଥକି ଯାଆନ୍ତି ନାହିଁ
ଏଇ ବେଳରେ
ଗାଢ଼ ନିଦରେ ଚମକି ଗଲା ବେଳେ
ତୁ ହିଁ ଲୋଡୁ ବୋଲି
ଛାଏଁ ଛାଏଁ ମୋର ଖୋଲିଯାଏ ପାପୁଲି
ଆଉ ତୁ କୁଟାଉ
ଆମ ସଂପର୍କର ଆୟୁଷ ରେଖା
ଆଉ ଟିକେ ଲମ୍ବା
ଆଉ ଟିକେ ଗାଢ଼ କରି।
ମୋ ଆଖି ପତାରୁ ଖସି ଆସିଥିବା ମୁହୂର୍ତ୍ତକୁ
ନେ ; ତୋ ହାତ ମୁଠାରେ ଦେଲି
ହେଇ ଦେଖ
ମୋ ବନ୍ଦ ଆଖିରେ ଅଜାଡି ହେଇ ପଡୁଥିବା
ଆଲୁଅ କହୁଛି
ଉତ୍ତର ଆକାଶ ରୁ ଖସିବ ଖସିବ ହଉଚି
ତାରାଟିଏ।
ନିଦ ଭାଙ୍ଗିବା ଆଗରୁ
ଯଦି ଗୋଟେ ପୁନର୍ଜନ୍ମ ଲଭେ ମୁଁ
ମୋ ପାଇଁ ନିଶ୍ଚୟ ମାଗିବୁ;
ତୋ ଆଖିର ଅନ୍ଧାର କୋଳ।