କଣ ଦରକାର ଥିଲା ?
ମୁଁ ତ ଠିଆ ହୋଇ ଥିଲି
ମୋ ନିଜ ବାଟରେ ,ନିଜ ଢଙ୍ଗ ରେ
ନିଜ ବାଗରେ, ନିଜକୁ କିଏ ବୋଲି
ନଜାଣି ମଧ୍ୟ ।
କଣ ଦରକାର ଥିଲା ମୋତେ
ବାଟ ଭୁଲାଇ ଦେବାରେ ?
ବାଟ ଭୁଲି ଗଲାରୁ ସିନା ଟିକେଟ ନ କାଟି
ବସିଗଲି ଭୂଲ ଟ୍ରେନ ରେ ଓ ଟି ଟି ଇ
ଓଲ୍ହାଇ ଦେଲା ଅନାମ ଅଧାମ
ଷ୍ଟେସନ ର ପ୍ଲାଟଫର୍ମରେ !
ଅନାମ ଅଧାମ ଷ୍ଟେସନ ବାହାରେ
ଚାଲୁ ଚାଲୁ ସିନା ପହଂଚି ଗଲି
ମୋ ନାମ ଫଳକ ଥିବା ଘର ଆଗରେ,
କଲିଂ ବେଲ ଟିପିଲି ,ସେ ଘରୁ ଯିଏ
ବାହାରି ଆସିଲା ତାକୁ "ନିଜେ"ବୋଲି
ଭାବିବାକୁ ବାଧ୍ୟ ହେଲି ସିନା !
ତାପରେ ମୁଁ ଦେହ ଗଢିଲି
ଘର ଗଢିଲି ,ତିଆରିଲି ଦିଅଁ ଦେବତା
ଫୁଟାଇଲି ପ୍ରେମ
ଯୋଗାଡ କଲି ବର ସଂସାର,
ବଜାର ସମାଜବେଭାର
ଖେଳାଇଲି ଶିଶୁ ,ସ୍ତନ୍ୟ ଦାନ କଲି
ପ୍ରାଣ ଦାନ କଲି ,ଶୀର୍ଣ୍ଣ ହେଲି, ହେଲି ବିଛିନ୍ନ ,ବିଭିନ୍ନ
ସବୁକିଛିକୁ ମିଶାଇ ଦେଲି ଆପଣାର ବହଳ ପଣରେ ।
କଣ ଦରକାର ଥିଲା ପୁଣି
ଚେତାଇ ଦେବା ମୋତେ
"କେତେ ଦିନକୁ ମନ ବାନ୍ଧିଚୁ ଆଣ୍ଟ "ବୋଲି?
ମୋ କଣ୍ଠ ରୁ ଓଟାରି ନିଆ ଗଲା
ନାନାବାୟା ଗୀତ ଲହର
ମୋ ଗତି ରେ ବାନ୍ଧି ଦିଆ ଗଲା
ଘୁଣ ଖିଆ କାଠର ପାଦ ଦିହଳ।
କଣ ଦରକାର ଥିଲା
ସମକାଳରେ ପୁଣି ମୋ ମସ୍ତିଷ୍କ ଭିତରେ
ଖଞ୍ଜି ଦେବା ଭିନ୍ନ ଏକ ଦୃଶ୍ୟ ର ଚିରକାଳ?
ଏବେ ମୁଁ ଦେଖୁଚି କେଂଦେରା ବଜାଇ
ଚାଲୁଚି କୌପୁନି ପିନ୍ଧା ଯୋଗୀ ଟିଏ ।
ଦୁଲୁକୁଚି ହାଟ ବାଟ, ଉତ୍ସବ ବିପଦ
ଦୁଲୁକୁଚି ମଧ୍ୟାହ୍ନ ସଞ୍ଜ ନିଶାକାଳ
କମ୍ପି ଉଠୁଚି ବିଲୟ ନବଜନ୍ମ
ଚାଲିଛି ସେ ମୁଁ ବି ଚାଲିଛି,
କିଏ ମୁଁ କାହାର କନ୍ୟା ପତ୍ନୀ ପ୍ରେମିକା
ଭଗିନୀ ଯୋଗିନୀ ଭୈରବୀ ମୁଁ କାହାର
ନାଲି ଶାଢୀରେ କେବେ ତ କେବେ
ସଫେଦ ପହରଣ ରେ
କେବେ ମୁକୁଳା କେଶ ରେ ତ କେବେ
ଅବଗୁଣ୍ଠନ ର ଆଢୁଆକେ
ଚାଲୁଚି ମୁଁ ,କେବେ ମୃଦୁ ହସି ଗ୍ରୀବା ଉଠାଇ
ଚାହୁଁଛି ଆକାଶ ସେପାରିକୁ।
କଣ ଦରକାର ଥିଲା ମୋ ଭଳି ଜଣେ
ନିରୋଳା ମଣିଷ କୁ
ଏମିତି ଘୂରାଇ ଚମକାଇ
ଏତେ ସରି କରିବା
ପୁଣି ଜଣେ ଯୋଗୀ ର କେଂନ୍ଦେରାରେ
ଖଞ୍ଜି ଦେବା ନାଁ ଗାଁ ଓ ପରିଚୟ ମୋର?
କାହାକୁ ପଚାରେ ମୁଁ
ଯାହା ପାଇଁ ଏତେ ପ୍ରଶ୍ନ ମୋର
ସେ ତ...ହେଉ ,ଛାଡ ।