ମୋତେ ଆଉ ଦେବୀ କୁହନି
ମୋତେ ଆଉ ଦେବୀ କୁହନି
ଏଥର ଆଶ୍ୱିନରେ ମୋତେ
ବିଲ୍ଵବାସରେ ବରିବନି
ନବରାତ୍ରୀର ନବଧା ଶକ୍ତିକୁ
କରନାହିଁ ତୁଚ୍ଛା ଆବାହନ
ବନ୍ଦ କର କନ୍ୟା ପୂଜନର ପ୍ରହସନ
ମୂର୍ତ୍ତିକାର ,
ଏଥର ମଣ୍ଡପରେ ଗଢ଼ିଦେବୁ
ଉଭା-ନିର୍ବସ୍ତ୍ରା ଦେହଟେ
ମୋତେ କରି ସମ୍ପୂର୍ଣ୍ଣ ନିରାଭରଣା
ସବୁ ଅଙ୍ଗରେ ଖଞ୍ଜି ଦେବୁ
ତମାମ ପାପ-ଆଖି,
ଦଶ ହାତ ରହିଥାଉ ଶୂନ୍ୟ
ଲୋଡ଼ା ନାହିଁ ମୋର ବୋଲେଇବା ଦେବୀ ।
କାହିଁ କେତେ କାଳୁ କଳୁଷିତ ମୁଁ ଯେ
କେତେ କେତେ ଉଦଭ୍ରଂଶ ପୁରୁଷର
କାମନାରେ ମଳିନ ଧର୍ଷିତ
କାଶ୍ମୀରଠୁଁ ମଣିପୁର ,
ବଙ୍ଗଠୁଁ ବିହାର ସବୁଠି
ମୁଁ ତ ତୁଚ୍ଛା ଦେହଟେ ନାରୀର ,
ଦେବତା ହେଉ କି ଦାନବ ଅବା ଅମଣିଷ
ମୁଁ ମାତ୍ର ପଣ୍ୟଟେ ଉପଭୋଗର, ଜିଙ୍ଘାସାର
ତୁମ ଯୋଜନା ଓ ଯୁଦ୍ଧର ପଶାପାଲିରେ
ଚିରକାଳ ବାଜିର ପଣଟିଏ !!
ଦେବୀର ମିଛ ରୂପରେ
ଅକାଳବୋଧନ କରନାହିଁ
ମା' ଡାକି ଅପମାନ ଦିଅନି
କର ନାହିଁ ଛଳ-ଭକ୍ତି ନିବେଦନ
ଯୁଦ୍ଧଭୂମିର ବଧ୍ୟଜୀବ ଭଳି ମୋତେ
ନିଶାନା କରନି ।
ସାବଧାନ
କେତେ ଯାତନାର ଯୂପକାଠରେ ଝରି ଝରି
ରକ୍ତର ଧାରା ଏବେ ହେଉଛି ଉତ୍ତପ୍ତ,
ଆଗକୁ ଆସୁଛି ପ୍ରଳୟ
ତୃତୀୟ ଆଖିରେ ଜଳିବ ଅଗ୍ନି
ଯେତେସବୁ ଲଜ୍ଜା ବିସର୍ଜି
କାଳୀ କରାଳୀ ରୂପରେ
ରାଜରାସ୍ତାକୁ ଓହ୍ଲେଇ ଆସିବି
ଭସ୍ମ କରିବାକୁ ତୁମ ପୁରୁଷପଣର ଅହମିକା
ଏ ରାତି ପାହିଲା ବେଳକୁ।
ସାବଧାନ।।