ଗୋଟେ ପ୍ରେମଗପର ଛାଇ
ମୁଁ ଆପଣଙ୍କୁ ଜାଣିଛି, ହେଲେ ଆପଣଙ୍କ ନାଁ ମନେ ପଡୁନି ।
ଏମିତି ବହୁତ ଲୋକ ମୋତେ ପଚାରନ୍ତି, ହେଲେ ଏ ଲୋକ ଯିଏ ମୋତେ ମୋ ନାଁ ପଚାରୁଛି, ସେ ଗୋଟେ ଅଦ୍ଭୁତ ଚେହେରାର ମଣିଷ । ଟିକେ ବିକ୍ଷିପ୍ତ,, ଅନେକାଂଶରେ ଦରପାଗଳା । ପିନ୍ଧିଛି ଗୋଟେ ଫଟା ପ୍ୟାଣ୍ଟ, ମଇଳା ଗାରପକା କୁର୍ତ୍ତା, ତା ଉପରେ ଭିଡିଛି ନୀଳ ରଙ୍ଗର ଗୋଟେ ଟାଇ । ଟାଇ ଉପରେ ମେଞ୍ଚାଏ କାଗଜ ଛପା ହୋଇଛି । ବୋଧେ ପୁରୁଣା ଖବର କାଗଜକୁ ଅଠା ମାରି ସେ ଟାଇରେ ଲଗାଇଛି । ଲାଗୁଛି, ଅନେକ ବର୍ଷ ହେଲା, ସେ ବୋଧେ ରାସ୍ତାରେ ରହୁଛି ।
ହଠାତ ସେ ମୋ ପାଖକୁ କାହିଁକି ଆସିଲା ? ସବୁଦିନ ସକାଳ ଖଟିରେ ଆମର ଗପ ଲମ୍ବିଯାଏ, ଦିନ ଗୋଟାଏ ପର୍ୟନ୍ତ । ଆମେ ସବୁ ରାତ୍ରୀଚର। ତେଣୁ ଆମର ସକଳ ପାହେ ଡେରିରେ । ଆମର ସକାଳ ମାନେ ମଧ୍ୟାହ୍ନ । ଖଟିରୁ ସମସ୍ତେ ଯାଇ ସାରିଛନ୍ତି । ବରଗଛ ତଳେ ପ୍ରଫୁଲ୍ଲ ଭାଇ ପ୍ଲାଷ୍ଟିକ ଗିନାରେ କ୍ଷୀର ଢାଳି ଦେଇ ଯାଇଛନ୍ତି । ତାଙ୍କର ପୋଷା ବିଲେଇ ଜାକଲିନ କ୍ଷୀର ପିଉଛି ଓ ମୁଁ ତାକୁ ଦେଖୁଛି । ସେତେବେଳେ ହଠାତ ଏ ଲୋକ ମୋ ପାଖକୁ ଆସି ବସିଲା ।
ସେ ପୁଣି ପଚାରିଲା, ଆପଣଙ୍କ ନାଁ ?
ମୁଁ ହଠାତ ବିରକ୍ତିରେ ସ୍କୁଟି ଷ୍ଟାର୍ଟ କରି ପଳେଇ ଯିବାକୁ ଭାବିଲି । ଅକସ୍ମାତ ତା ଟାଇ ଉପରେ ମୋ ନଜର ପଡିଲା । ନୀଳ ରଙ୍ଗର ସେ ଅଦ୍ଭୁତ ମଇଳା ଟାଇରେ ଦେଖିଲି, ସେ ତମର ନାଁ ଲେଖିଛି । କେମିତି ଗୋଟେ ବଙ୍କା ଟଙ୍କା ଅକ୍ଷରାରେ ତମର ନାଁ – ଚିଦାକ୍ଷରା । ଏ ନାଁ କେବଳ ତମର । ଏ ନାଁରେ ତମ ଛଡା ଆଉ କୌଣସି ନାରୀ ଏ ପୃଥିବୀରେ ନାହାନ୍ତି । ତେବେ ଏ ପାଗଳା ଟାଇରେ ତମ ନାଁ ଲେଖା ହେଲା କେମିତି ? ମୋ ଦେହରୁ ଗମ ଗମ ଝାଳ ବହିଗଲା ତମ ନାଁ ଦେଖି ।
କିଏ ଏ ଲୋକ? କିଏ ଏଇ ପାଗଳ, ଯିଏ ମୋର ପାଗଳାମୀର ଠିକଣାକୁ ନିଜ ଛାତିରେ ଧରି ବୁଲୁଛି ? ଏ ଲୋକ କଣ ମୁଁ ? ଏ ଲୋକ କଣ ତମର ଗୁପ୍ତଚର? ମୋତେ ସେ ଦେଖୁଛି । ତା ଆଖିରେ ମୋ ପ୍ରତି ବିଦ୍ରୂପ ।
ହଠାତ ସେ ମୋତେ ପଚାରିଲା- ଆପଣ ଚିଦାକ୍ଷରାକୁ ଧୋକା ଦେଲେ କାହିଁକି ?
-ମୁଁ.....ମୁଁ.....ହ୍ଵାଟ ଦ ହେଲ ।
ଆପଣ ଚିଦାକ୍ଷରାକୁ ଧୋକା ଦେଇ ଫେରାର ଅଛନ୍ତି । ଆପଣ ଜଣେ ବିଶ୍ଵାସଘାତକ ।
ମୋର ଇଚ୍ଛା ହେଲା, ଲୋକଟାକୁ ଗୋଟେ ଜାବୁଡା ପକାନ୍ତି । ଗୋଟେ ଦର ପାଗଳା ଲୋକ କଣ ସବୁ ବେକାର କଥା ଗପୁଛି । ଆଶ୍ଚର୍ୟ, ମୁଁ ତାକୁ ଶୁଣୁଛି । ତାକୁ ସହି ଯାଉଛି । ମୋ ଭିତରୁ ତମର ସେ ପୁରୁଣା ପ୍ରେମିକ ଡରି ମରି ବାହାରି ଆସୁଛି। ଏ ପାଗଳା, ଚିଦାକ୍ଷରାର ପ୍ରେମିକକୁ ଜାଣିଛି।
ସେ ପୁଣି କହିଲା, କଣ ଡରିଗଲେ ? ଏ ପୃଥିବୀର ସବୁ ପ୍ରେମିକ ବିଶ୍ଵାସଘାତକ । କେବଳ ଆପଣ ନୁହନ୍ତି । ସବୁ ପୁରୁଷ ବିଶ୍ଵାସ ଭାଙ୍ଗିବାର କଳାରେ ଧୁରନ୍ଧର। ଆପଣ ବି । ମୁଁ ବି ।
ଏ ଲୋକ ପାଗଳ ନା ଦାର୍ଶନିକ ।
ଏ ଲୋକ ତମର ଗୁପ୍ତଚର ନା ମୋ ଭିତରୁ ବାହାରି ଯାଇଥିବା ମୋର ପୁରୁଣା ପ୍ରେମିକ ଅବତାର ?
##
ସେତେବେଳେ ମୁଁ ଭାବୁଥିଲି, ଯେବେ ତମେ ମୋ ଜୀବନରୁ ଚାଲିଯିବ, ମୁଁ ଏମିତି ରାସ୍ତାରେ ତମ ପାଇଁ ପାଗଳ ହୋଇ ଘୂରିବି । ପୁରୁଣା କବିତା ଓ କାହାଣୀର ନାୟକ ପରି ।
ସେ ସବୁ ଭେଜାଲ କାହାଣୀ- ତମେ କହୁଥିଲ ଓ ହସି ହସି ଗଡି ଯାଉଥିଲ ।
ଆମେ ପ୍ରେମ କଲା ବେଳେ, କେହି କାହାକୁ ନେଇ ସଂସାର ଗଢିବାର କଥା କେବେ ତ ଭାବିନଥିଲେ ।
ଆମର ସଂସାର ତ ଗଢା ସରିଥିଲା । ଲୋକେ ଯେଉଁ ସମୟରେ ସନ୍ୟାସ ନେବା କଥା ଚିନ୍ତା କରନ୍ତି, ଆମେ ସେତେବେଳେ ପ୍ରେମରେ ପଡିଥିଲେ ।
ଆମର ସମ୍ପର୍କରେ ଏମିତି କିଛି ନଥିଲା, ଯାହାକୁ ପ୍ରେମ ବୋଲି କହିହେବ ।
ମୁଁ ଆମ ସଂପର୍କକୁ ନେଇ ଗୁଡାଏ କାହାଣୀ ଗଢୁଥିଲି ଓ ଭାଙ୍ଗୁଥିଲି । ତମେ କହୁଥିଲ, ଏବେ ପ୍ରାକ୍ଟିକାଲ ହେବା ଜରୁରୀ । ମୋ କାହାଣୀ ଶୁଣିବାକୁ ସୁନ୍ଦର, ହେଲେ ଏ କାହାଣୀକୁ ବଞ୍ଚିହେବ କେମିତି ?
ଆମେ ଭଲ ପାଉଥିଲେ ଓ ଭୁଲି ଯାଉଥିଲେ । ଆମ ସମ୍ପର୍କ ଗୋଟେ ପ୍ରକାର ଶପିଙ୍ଗ ମଲ । ଆମେ ସେଠିକି କିଣାବିକା କରିବାକୁ ଯାଉ । ଆମକୁ ଭଲ ଲାଗୁଥିବା ବହୁତ ଜିନିଷ ସେଠି ଥାଏ । ହେଲେ ଆମେ ସବୁ କିଣି ପାରୁନା । ସେସବୁ ଆମର ଦରକାର ବି ନଥାଏ । ଆମେ କେବଳ ସେଠି କିଛି ସମୟ ବୁଲାବୁଲି କରି ନିଜ ନିଜ ଘରକୁ ଫେରିଯାଉ ।
###
ସେ ଲୋକ ମୋ ଦେହରେ ହାତ ପକାଇଲା । ତା ଦେହରୁ ଗୋଟେ ଭୟଙ୍କର ଝାଳଗନ୍ଧ ମୋ ନାକରେ ବାଜିଲା।
ମୁଁ ଚିତ୍କାର କଲି- ହେ ପାଗଳା, ଯା.... ପଳା ।
ହଠାତ ମୁଁ ଦେଖିଲି, ମୁଁ ଠିଆ ହୋଇଛି ମୋର ଛାଇ ଆଗରେ । ୪୨ ଡିଗ୍ରୀ ଖରାରେ ମୁଁ ଚିତ୍କାର କରୁଛି ମୋ ନିଜ ଉପରେ ।