ପାଣି ପାଗ ଵଦଳୁଛି ବୋଲ ହୁସିଆର
କାହାରି ଠିକ୍ ଠିକଣା ନାହିଁରେ ଚୌକିଦାର
ପାଣି ପାଗ ଵଦଳୁଛି ବୋଲ ହୁସିଆର
ଯେ ଯାହା ହାତରେ ଚଉଦ ପା, ପାଇବାକୁ ଦି ଦିନିଆ ଖ୍ୟାତି
ଯେ ଯେମିତି ପାରିଲା କାହାକୁ ମାଲପା, କାହାକୁ ମାଇପି
ଯୁଗାଡିଆ, ପେଂଚୁଆ, ଖଚୁଆ, ଖଳପଶାକୁ ବିଡା ବିଡା ଲାଂଚ
ତାଲା ଫିଟାଇ ସେ ଭୁସକିନା ଉଠିଯିବ ପ୍ରାଚୁର୍ଯ୍ୟର ପାହାଚ
ଉପୁରି ରସ ଝରିବାର ମଉଜ ପାଇଲେ ଥରେ, ଭୁଲି ଯା ସବୁ
ଠେଲି ପେଲି ଦଳି ଚକଟି ସାରା ରାଇଜ ମାଡିଯା, ଜିତିବୁ
କାହାରି ଠିକ୍ ଠିକଣା ନାହିଁରେ ଚୌକିଦାର
ପାଣି ପାଗ ଵଦଳୁଛି ବୋଲ ହୁସିଆର
ମିଳି ମିଶି କଲେ ଯେ ଯାହା ସହ ଆପୋଷ ମନ୍ତ୍ରଣା
ଭଲ ମନ୍ଦ ମାର ଗୁଲି ସ୍ଵାର୍ଥ ପାଇଁ ନିର୍ଦୟ ପ୍ରବଂଚନା
ନୀତି କ୍ଷାନ୍ତି ଉପାଡି ଫୋପାଡ଼ି ଅନ୍ୟାୟକୁ ଆଖି ବୁଜି
ପାପ ନାହିଁ ପୂଣ୍ୟ ନାହିଁ ପାଂଚ ଇନ୍ଦ୍ରିୟକୁ ଭଜି ଭଜି
ଯେମିତି ଯାହାକୁ ସୁହାଇଲା ଅର୍ଜିବ ଧନ ମାନ ଯୌବନ
ଛଳନା ପ୍ରତାରଣା ସହ ଭଳି କି ଭଳି ସଂଧି ସାରା ଜୀବନ
କାହାରି ଠିକ୍ ଠିକଣା ନାହିଁରେ ଚୌକିଦାର
ପାଣି ପାଗ ଵଦଳୁଛି ବୋଲ ହୁସିଆର
ଗାଁକୁ ଫେରିବାକୁ ନାକ ଟେକିଲା ସହରକୁ ଗଲେ ଯେତେ ପିଲା
ଭୁଲିଗଲା ଜନ୍ମସ୍ଥାନ, ପାଶୋରିଲା ମାତୃଭାଷା, ବିଦେଶରେ ରହିଲା
ବେପାର ଦୁନିଆରେ ବିକିଲା ନିଜକୁ, ବଜାର ପଶିଆସିଲା ଘରେ
ଆଂଗୁଠି ବଂକା ତେଢା କରି ଘିଅ କାଢିବାକୁ ସମସ୍ତେ ବାହାରେ
ନିଜ ସୁଖ ନିଜ ବଡିମା ନିଜ ପ୍ରତିପତ୍ତି ନିଜ ସଂପତ୍ତି କଲା ଠୁଳ
ଲାଗିଲା ନିଅଣ୍ଟିଆ ବ୍ୟର୍ଥ ଅସାର ଅତୀତ ପିଲାବେଳର ସମ୍ଵଳ
କାହାରି ଠିକ୍ ଠିକଣା ନାହିଁରେ ଚୌକିଦାର
ପାଣି ପାଗ ଵଦଳୁଛି ବୋଲ ହୁସିଆର
ପ୍ରେମ ହେଲା ରଂଗ ଛଡା ଶୁଖିଲା ପାଖୁଡା
ହଳଦିଆ ପଡିଆସୁଥିବା ଜୀବନୀର ପୃଷ୍ଠା
ପ୍ରେମ ହେଲା ବଂଧନ ବିନା ଦେହ ଓ କାଳରେ ସୀମିତ
ରହିଲାନି ଏକ ସୁର ଏକ ଅଂଗ ଏକ କବିତାରେ ମଦମତ୍ତ
ସମାନ୍ତରାଳ ଧାରଣାରେ ବିତିଲା ଜୀବନ ପଛକୁ ନଚାହିଁ
ଶୂନ୍ୟ ସ୍ଥାନରେ ତିଆରି ହୃଦୟ କ୍ଷଣକ ପ୍ରେମରେ ଗଲା ବହି
କାହାରି ଠିକ୍ ଠିକଣା ନାହିଁରେ ଚୌକିଦାର
ପାଣି ପାଗ ଵଦଳୁଛି ବୋଲ ହୁସିଆର
କେବେ ଦୁଃଖର ଅଳିଆ ଝାଡିଝୁଡି ବାହାରିବୁ ତୋ ମରମ ଗାତରୁ
କେବେ ସ୍ବପ୍ନର ଆଖି ମଳି ମଳି ଉଠିବସିବୁ ଦଗାଦିଆ ସ୍ମୃତିରୁ
କେବେ ମୁହଁ ଲୁଚା ବହି ଗଦା ଭିତରୁ ପଠେଇବୁ ଜୀବନୀ ଫାଇଲି
କେଵେ ପୋତିବୁ ପୁରୁଣା ବିହନ ବାଟଵଣା ମୌସୁମୀର ବାଟ ଖୋଲି
କେଵେ ଦର୍ପଣରେ ଭାଙ୍ଗି ନିଜ ରୂପ ଭେକ ଡେଇଁବୁ ଦାଣ୍ଡ ପଟୁଆରରେ
ତରକୁ ଥା, ଚେଇଁକି ଥି, ଝପଟି ଯା, ଚିହ୍ନ ଛାଡି ଯା ରାସ୍ତା ମୋଡରେ
କାହାରି ଠିକ୍ ଠିକଣା ନାହିଁରେ ଚୌକିଦାର
ପାଣି ପାଗ ଵଦଳୁଛି ବୋଲ ହୁସିଆର
କେବେ ବୁଝିବୁ ମୃତ୍ୟୁ ହେଇପାରେନା ଜୀବନର ଭାଗଶେଷ
କେବେ ମାନିବୁ ଜଗତ ହେଉଛି ମିଛ ମାୟାର ପର୍ଦାଫାସ୍
କେବେ ଯୋଡିବୁ ସଂପର୍କ, ପରିତ୍ରାଣ ପାଇଁ ଲଢୁଆ ବାଟ
କେବେ ମନେଇବୁ ହୃଦୟ, ସାମ୍ୟ ରୀତିରେ ବଖାଣି ପାଠ
କେବେ ଫେରିବୁ ସେଠାକୁ, ଦେଇଥିଲୁ କଥା ଯାହାକୁ
ନିଜକୁ ମୁକୁଳେଇ ଫାଙ୍କି ଦେ ଚାକଚକ୍ୟର ମରୀଚିକାକୁ
କାହାରି ଠିକ୍ ଠିକଣା ନାହିଁରେ ଚୌକିଦାର
ପାଣି ପାଗ ଵଦଳୁଛି ବୋଲ ହୁସିଆର
ଲୁହ ଲୁଚିଲା ବେଳେ ଆଲୁଅ ଡରରେ, ଶବ୍ଦ କାନ୍ଦ ଭିତରେ
ରାଗ ମିଳେଇ ଗଲା ବେଳେ ଭୟରେ, ସାହାସ ନିଷ୍କ୍ରିୟତାରେ
ଆଶା ମଲା ବେଳେ ଆଖିରେ, ବିଶ୍ବାସ ବିନା ପ୍ରତ୍ୟୁତ୍ତରରେ
ନାମ ବ୍ୟର୍ଥ ହେଲା ବେଳେ ଜନ୍ମସ୍ଥାନରେ, ସମୟ ଉଦ୍ଭଟତାରେ
ସହି ଯା ପ୍ରାଣ ଭାଂଗି ପ୍ରତିବିମ୍ବ, ନିଜକୁ ଅସ୍ତ୍ର କରି ମଇଦାନରେ
ତୋ ନିରବ ପ୍ରତ୍ୟାଖ୍ୟାନ ଭାସି ଯିବାକୁ ଖାଲି ବେପାର ସୁଅରେ
କାହାରି ଠିକ୍ ଠିକଣା ନାହିଁରେ ଚୌକିଦାର
ପାଣି ପାଗ ଵଦଳୁଛି ବୋଲ ହୁସିଆର